ଓଡ଼ିଆ ଅସ୍ମିତା

ଓଡ଼ିଆ ଅସ୍ମିତା

ଅସ୍ମିତା ଛୋଟିଆ ଶବ୍ଦଟିଏ

ଅଲୋଡ଼ା ଅଖୋଜା

ଶବଟିଏ ପରି ପଡ଼ି ରହିଥିଲା

ଆମ ଅଭିଧାନର

କେଉଁ ଏକ ନିବୃତ କୋଣରେ ...

 

କାହିଁ ଚାଟଶାଳୀ ଠାରୁ

ସ୍ନାତକୋତ୍ତର ପର୍ଯ୍ୟନ୍ତ

କେଉଁଠି ବି ଭେଟ

ହୋଇ ନଥିଲା ଅସ୍ମିତା ସହିତ ।

 

କିଏ କେତେବେଳେ ସିଞ୍ଚିଦେଲା ମୃତ୍ୟୁ ସଂଜୀବନୀ

ଜୀବନ୍ୟାସ ପାଇଲା ଅସ୍ମିତା

ହଠାତ୍ ମହାବାତ୍ୟା ପରି

'ଅସ୍ମିତା' ଧସେଇ ପଶିଲା

ଓଡ଼ିଶା ମାଟିକୁ .......

 

ଓଡ଼ିଆ ତ ଓଡ଼ିଆ

ଅଣଓଡ଼ିଆ ମାନେ ବି

ଅସ୍ମିତାର ଜୟଜୟକାର କଲେ

ଦିଲ୍ଲୀରୁ ପଲ୍ଲୀ  ଯାଏ ଫୁଟିଗଲା

ଅସ୍ମିତା ର ପାରିଜାତ ଫୁଲ....

 

ବଦଳେଇ ଦେଲା

ଓଡ଼ିଶାର ରଙ୍ଗରୂପ

ଭାଙ୍ଗିଦେଲା ଓଡ଼ିଆଙ୍କ ସ୍ୱାଭିମାନ ....

ଖୋଲିଗଲା ଶ୍ରୀମନ୍ଦିର ଚାରିଦ୍ଵାର

ଭାଙ୍ଗିପଡ଼ିଲା ବଡ଼ଦାଣ୍ଡର

ଏ. ସି. କରିଡୋର୍

ମୁହଁ ମାଡ଼ି ପଡ଼ିଗଲେ

ଭାଇ ଠାକୁର

ଅଟକି ଗଲା

ନନ୍ଦିଘୋଷ ସିଂହଦ୍ଵାରରେ..

 

କିଛି ଭକ୍ତ ଶରଧାବାଲି ରୁ

ସିଧା ଚାଲିଗଲେ ସ୍ଵର୍ଗଦ୍ଵାର

ଫିଟିଗଲା ରତ୍ନ ଭଣ୍ଡାର

ଗଣତି ମଣତି ଚାଲିଅଛି ....

ଯେ ...ଚାଲିଅଛି....

ସ୍ଵର୍ଗର ନନ୍ଦନବନରୁ ଆସିଥିବା

ଏ ଅସ୍ମିତା ର ପାରିଜାତ

ଅତ୍ର,ତତ୍ର,ସର୍ବତ୍ର ନିଜର

ଅସ୍ତିତ୍ବ ବିସ୍ତାର କଲା....

 

ପାରିଜାତର ମହକରେ ମହକିଗଲା

ଭରତପୁର ରୁ ବାଲେଶ୍ଵର

ବଳଙ୍ଗା ରୁ ବାଲିଅନ୍ତା

ଗୋପାଳପୁର ରୁ ଭୁବନେଶ୍ଵର

ଭୂତଳରେଳ ରୁ ପଖାଳ କଂସା.....

 

ଚତୁର୍ଦ୍ଦିଗ ଅସ୍ମିତା ର ମହୋତ୍ସବ

ଅସ୍ମିତା ର ଅସଲ ପରିଚୟ

ଆଜି ପରିସ୍ଫୁଟ ହୁଏ

କୋମଳ ମତି ପିଲାଙ୍କ

ପାଠ୍ୟ ପୁସ୍ତକର

ପୃଷ୍ଠାରେ ପୃଷ୍ଠାରେ.....

ଶିକ୍ଷକ/ଛାତ୍ରଙ୍କ ନିମୁଡ଼ା ଗୀତରେ

ଧନ୍ୟ ରେ ଅସ୍ମିତା !

 

ଧନ୍ୟ ତୁମର କରାମତି

ଧନ୍ୟ ଧନ୍ୟ ......