ରାଜେଶ ଯୋଷୀଙ୍କ କବିତା "ଆଲୋକ"
ଆଗରୁ କେବେ ବି ନଥିଲା
ଏତେ ଅନ୍ଧାର ।
ଅଚାନକ ଯଦି କେବେ
କଟି ଯାଉଥିଲା ବିଜୁଳି,
ବତୀ ଲିଭି ଯାଇଥିଲା,
ସେତେବେଳେ କୋଉ ନା କୋଉ ପଡ଼ିଶା ଘର ମହମବତୀର
ପତଳା ଆଲୁଅ ରେଖା ଆମ ଘର ପର୍ଯ୍ୟନ୍ତ
ନିଶ୍ଚିତ ଆସି ଯାଉଥିଲା।
କେବେ କେବେ ରାସ୍ତାର ଆଲୁଅ
ଝରକାରେ ଉହୁଙ୍କି ଆଲୋକିତ କରି ଦଉଥିଲା
ଆମର ଘର ।
କିଛି ନ ହେଲେ
ଘର ଭିତରେ ହିଁ କୋଉଠି ଗୋଟେ ଲୁଚିଛପି
ଜାକି ହେଇ ରହି ଯାଇଥିବା ଜିଦଖୋର ଆଲୁଅ ଟିକକ ଥିଲା
ଯେତିକିରେ ଖୋଜି ହେଉଥିଲା
ମହମବତୀ ଓ ଦିଆସିଲି ।
କେହି କେହି କହୁଛନ୍ତି,
ଏତେ ଅନ୍ଧାର ଆଗରୁ କେବେ ବି ନଥିଲା।
ବାସ୍ତବିକ୍ ଏତେ ଅନ୍ଧାର ତ ସେତେବେଳେ ବି ନଥିଲା,
ଯେତେବେଳେ ଅଗ୍ନି,
କାଠ ଆଉ ପଥର ଭିତରେ ଲୁଚି ରହିଥିଲା।
ସେତେବେଳେ ସୁଦ୍ଧା ଏଡେ ଅସ୍ପଷ୍ଟ ନଥିଲା ଆକାଶ,
ବରଂ ନକ୍ଷତ୍ର ମାନଙ୍କର ଆଲୋକ ପୃଥିବୀ ଯାଏଁ ଆସୁଥିଲା
ଅଧିକ ଉଜ୍ଜ୍ୱଳ ହୋଇ ।
ଏତେ ଅନ୍ଧାର ତ ଆଗରୁ କେବେ ବି ନଥିଲା।
ଲାଗୁଛି,
ଇଏ କେବଳ ଆମରି ଗୋଲାର୍ଦ୍ଧ ଉପରେ ଓହ୍ଲେଇ ଆସିଥିବା ରାତି ନୁହଁ
ବରଂ ସମଗ୍ର ପୃଥିବୀ ଉପରେ ଧୀରେ ଧୀରେ
ମାଡି ଚାଲିଥିବା ଭୀଷଣ ଘନଘୋର ଅନ୍ଧକାର।
ଅନ୍ଧାରରେ ଆଜିକାଲି କେବଳ ଶୁଭୁଛି ପେଚାର ରାବ
ହେଲେ ପେଚା ପିଠିରେ ବସିଥିବା ଦେଵୀ,
ଖସି ପଡ଼ିଛନ୍ତି କେଉଁ ଏକ ଅଜଣା ଗହ୍ଵରରେ ।
ଏତେ ଅନ୍ଧାର ଆଗରୁ କେବେ ବି ନଥିଲା
ଯେଉଁ ଅନ୍ଧାରକୁ ଅନ୍ଧାର କହିବାକୁ କାହାରି ଜିଭ ନଥିବ
ଏ ହାତକୁ ସେ ହାତ ଦେଖିପାରୁନଥିବ
ଆଖି ଆଗରେ ଘଟି ଯାଇଥିବା ଅପରାଧକୁ
ଦେଖି କି କେହି ସାକ୍ଷୀ ପଡୁ ନଥିବ ।
ଏତେ ଅନ୍ଧାର ଆଗରୁ କେବେ ବି ନଥିଲା,
ଏତେ ଅନ୍ଧାର ଆଗରୁ କେବେ ବି ନଥିଲା!!
ମୂଳ ହିନ୍ଦୀ ରଚନା: ରାଜେଶ ଯୋଷୀ
ଓଡିଆ ରୂପାନ୍ତର: ସ୍ୱାଗତିକା ସ୍ୱାଇଁ