ରମେଶ ପାଣିଗ୍ରାହୀ, ରମାକାନ୍ତ ସାମନ୍ତରାୟ ଓ ଦୀପୁନ୍ ପୁହାଣ ପାଇବେ ବର୍ଷା ସାହିତ୍ୟ ସମ୍ମାନ
ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା, ବର୍ଷା ପବ୍ଲିକେସନ୍ ପକ୍ଷରୁ ‘ଚତୁର୍ଥ ବର୍ଷା ସମ୍ମାନ-୨୦୨୬’ ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ମାସ ୨ ତାରିଖରେ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ‘ଚତୁର୍ଥ ବର୍ଷା ଉତ୍ସବ’ରେ ଏହା ପ୍ରଦାନ କରାଯିବ ।
ବର୍ଷା ପବ୍ଲିକେସନ୍, ସବୁବେଳେ ଗୁଣାତ୍ମକ ମାନ ଥିବା ବହିର ସମ୍ମାନ କରିବା ସହିତ ଏହାର ପ୍ରକାଶ, ପ୍ରଚାର, ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଲେଖକ ଅପେକ୍ଷା ଲେଖାକୁ ବା ସେମାନଙ୍କ କଳାତ୍ମକ କୃତିକୁ ଅଧିକ ସମ୍ମାନ ଦେବାରେ ବିଶ୍ୱାସ ରଖେ ବର୍ଷା ପବ୍ଲିକେସନ୍ । ସେହି କ୍ରମରେ ଚଳିତ ବର୍ଷର ଯେଉଁ ତିନୋଟି ପୁସ୍ତକକୁ ସମ୍ମାନୀତ କରାଯିବ, ସେଗୁଡ଼ିକ ହେଲା ଯଥାକ୍ରମେ; ‘ବର୍ଷା ନାଟକ ସମ୍ମାନ-୨୦୨୬’ ପାଇଁ ବିଖ୍ୟାତ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ନାଟକ ପୁସ୍ତକ ‘କବିଙ୍କ ନାମ ବେଦବ୍ୟାସ’, ବର୍ଷା କବିତା ସମ୍ମାନ ପାଇଁ ବିଶିଷ୍ଟ କବି ରମାକାନ୍ତ ସାମନ୍ତରାୟଙ୍କ କବିତା ପୁସ୍ତକ ‘ଅସରନ୍ତି ରେଖାଚିତ୍ର’ ଏବଂ ବର୍ଷା ଉନ୍ମେଷ ସମ୍ମାନ ପାଇଁ ଯୁବ ପ୍ରାବନ୍ଧିକ ଦିପୁନ୍ ପୁହାଣଙ୍କ ପ୍ରବନ୍ଧ ପୁସ୍ତକ ‘ଦେହ ଦେହଳୀର ପଦ୍ୟ’କୁ ନିର୍ବାଚିତ କରାଯାଇଛି ।
ଆଗାମୀ ଅଗଷ୍ଟ ୨ ତାରିଖ ଦିନ ଗୀତଗୋବିନ୍ଦ ସଦନରେ ହେବାକୁ ଥିବା ଏକଦିନବ୍ୟାପୀ କାର୍ଯ୍ୟକ୍ରମ ‘ଚତୁର୍ଥ ବର୍ଷା ଉତ୍ସବ’ରେ ଏହା ପ୍ରଦାନ କରାଯିବ । ଏଥି ସହିତ ବର୍ଷା ପବ୍ଲିକେସନ୍ ପ୍ରକାଶିତ ଦଶରୁ ଊର୍ଦ୍ଧ୍ୱ ପୁସ୍ତକ ଉନ୍ମୋଚନ, ‘ପିଲାଦିନ’ ଶୀର୍ଷକ ଏକ ଆଲୋଚନା ଚକ୍ର, କବି ବାଦଲ ମହାନ୍ତିଙ୍କ ଦୀର୍ଘ କବିତା ‘ଆଖି’ର ଆଭାଷୀ ନାଟକ ପରିବେଷଣ, ‘ପିଲାଦିନ’ ଉପରେ ପର୍ଯ୍ୟବେସିତ ଓ ନିର୍ବାଚିତ ୧୨ଟି ମନୋଜ୍ଞ କବିତା ପାଠ, ‘ପିଲାଦିନ’ ସମ୍ପର୍କିତ ୫ଟି ଗଳ୍ପର ମୁଖ୍ୟାଂଶ ପାଠ । ଏବଂ ଶେଷରେ ଯୁବ ସିନେ ନିର୍ଦ୍ଦେଶକ ବିଶ୍ୱନାଥ ନାୟକଙ୍କ ‘ପିଲାଦିନ’ ବିଷୟବସ୍ତୁ ଆଧାରିତ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବର୍ଷା ପ୍ରକାଶନର ମୁଖ୍ୟ ବାଦଲ ମହାନ୍ତି କହିଛନ୍ତି।