ବିଶ୍ୱ କଳା ଦିବସ
ଆଜି ହେଉଛି ଏପ୍ରିଲ୍ ୧୫ । ଆଜି ହେଉଛି ‘ୱାର୍ଲ୍ଡ ଆର୍ଟ ଡେ’ ବା ‘ବିଶ୍ୱ କଳା ଦିବସ’ । ୱାର୍ଲ୍ଡ ଆର୍ଟ ଡେ ଧାରଣାଟି ବେଶି ପୁରୁଣା ନୁହେଁ । ୨୦୧୨ ମସିହାରେ ମେସ୍କିକୋର ଗ୍ୱାଡେଲେହାରା ସହରରେ ଅନୁଷ୍ଠିତ ଇଣ୍ଟରନେସନାଲ୍ ଆସୋସିଏସନ୍ ଅଫ୍ ଆର୍ଟର ୧୭ତମ ସାଧାରଣ ଅଧିବେଶନରେ ଏମିତି ଏକ ନିଷ୍ପତ୍ତି ନିଆଯାଇଥିଲା । ଏପ୍ରିଲ୍ ମାସ ୧୫ ତାରିଖକୁ ହିଁ ଏମିତି ବିଶେଷ ଦିନ ଭାବରେ ଚୟନ କଳାବେଳେ ସେମାନେ ସଚେତନ ଭାବରେ ବିଶ୍ୱବିଖ୍ୟାତ ରେନେଁସାଁ ସମୟର ଚିତ୍ରଶିଳ୍ପୀ ଲିଓନାର୍ଡୋ ଡା' ଭିନଚିଙ୍କ ଜନ୍ମ ଦିନକୁ ଆଖିଆଗରେ ରଖିଥିଲେ । ସେମିତି ଦେଖିଲେ ଲିଓନାର୍ଡୋ ଡା' ଭିନଚିଙ୍କ ଜନ୍ମଦିନକୁ ଛାଡି ଅନ୍ୟକାହା ଜନ୍ମ ଦିନକୁ କ'ଣ ଏଥିପାଇଁ ବଛା ଯାଇପାରିଥା'ନ୍ତା କି ? 'ୱାର୍ଲ୍ଡ ଆର୍ଟ ଡେ' ବିଷୟରେ ଅଧିବେଶନରେ ପ୍ରସ୍ଥାବ ରଖିଥିଲେ ତୁର୍କୀର ଚିତ୍ରଶିଳ୍ପୀ ବେଡ୍ରି ବେକମ୍ । ବିଶ୍ୱ ଶାନ୍ତି, ସହନଶୀଳତା ଓ ବାକ୍ ସ୍ୱାଧିନତା, ବିଶ୍ୱ ଭାତୃତ୍ୱ ଓ ସାଂସ୍କୃତିକ ବିବିଧତା ସହ ବିଭିନ୍ନ କ୍ଷେତ୍ରରେ କଳାର ଗୁରୁତ୍ୱକୁ ପ୍ରଧାନ୍ୟ ଦେବା ପାଇଁ ଏମିତି ଏକ ଦିନର ଧାରଣା ତିଆରି କରାଯାଇଥିଲା । ସେସବୁ କଥା କେତେ ଦୂର ପାଳନ ହେଇପାରୁଛି ଓ କଳାର ପରିଧି ଭିତରେ ସେସବୁ କେତେ ଗୁରୁତ୍ୱ ପାଇଛି, ଏବଂ ସ୍ୱୟଂ କଳା ଏସବୁ ଧାରଣାକୁ ସାଙ୍ଗରେ ଧରି କେତେ ଖୋଜ ବାଟ ଚାଲିଛି ତାହା ଅଲଗା କଥା ।
ଏଇଥର ପାଇଁ ଅର୍ଥାତ୍ ୨୦୨୩ ପାଇଁ 'ୱାର୍ଲ୍ଡ ଆର୍ଟ ଡେ'ର ଥିମ୍ ରଖାଯାଇଛି ‘ଆର୍ଟ ଇଜ୍ ଗୁଡ୍ ଫର୍ ଦି ହେଲଥ’ । ସୁନ୍ଦର ସ୍ୱାସ୍ଥ୍ୟ ପାଇଁ କଳାର ଆବଶ୍ୟକତା ରହିଛି । ଅବଶ୍ୟ ଏହା ଶାରିରୀକ ସ୍ୱାସ୍ଥ୍ୟ କିମ୍ବା ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ କୁହାଯାଇନି । ହେଉ ଆମେ କିନ୍ତୁ ଧରିନେବା ସବୁପ୍ରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ କଳାର ଆବଶ୍ୟକତା ରହିଛି ।
'ୱାର୍ଲ୍ଡ ଆର୍ଟ ଡେ'ର ଓଡ଼ିଆ ଅନୁବାଦ ବିଶ୍ୱ କଳା ଦିବସ କଲା ବେଳକୁ ଟିକେ ଅକଳିଆ ଲାଗୁଛି । ରାଜନୈତିକ କାରଣରୁ ବର୍ଷ ସାରା ଆଜିକାଲି ବହୁ ପ୍ରକାରର କଳା ଦିବସ ପାଳନ କରାଯାଉଛି । ସେ କଳା ଓ ଏ କଳା ଭିତରେ ବହୁତ ଫରକ୍ ଥିଲେ ବି ବୁଝିବାରେ କିନ୍ତୁ କେବେ କେବେ କିଛିଟା ଫାଙ୍କ ରହୁଛି । ଆଟର୍କୁ ‘କଳା’ ଅର୍ଥରେ ଗ୍ରହଣ ନକରି ଅଲଗା ‘କଳା’ ଅର୍ଥରେ ଗ୍ରହଣ କଲେ ସବୁଗୁଡା ଗଡ଼ବଡ଼ ହେଇଯିବ ।
କଥା ହେଲା ଭାରତରେ 'ଏହି ୱାର୍ଲ୍ଡ ଆର୍ଟ ଡେ'ଟି ନୂଆ । ଆଗରୁ କଳାକୁ ନେଇ ଏକ ବିଶେଷ ଦିନର ପ୍ରାବଧାନ ଆମର ଏଠି ନଥିଲା । ଅବଶ୍ୟ ବାହାରେ ବି ନଥିଲା । କିନ୍ତୁ ପୃଥିବୀର ପ୍ରାୟ ସବୁ ପୁରୁଣା ଓ ନୂଆ ସଭ୍ୟତା ଏବଂ ସଂସ୍କୃତିରେ କଳାର ଆଦର ଥିଲା । ଏବେବି ଅଛି । ତେଣୁ କଳାର ଗାର୍ଜନ ଭାବରେ ଏକ ଏବଂ ଏକାଧିକ ଆଧିଭୌତିକ ଶକ୍ତିଙ୍କ କଳ୍ପନା ବେଶ୍ ପୁରାତନ । ଏମତିକି କଳାର ଅଲଗା ଅଲଗା ବିଭବ ପାଇଁ ଅଲଗା ଅଲଗା ଦେବା-ଦେବୀଙ୍କ ଉପାସନାର ବିଧି ବିଧାନ ଖଞ୍ଜା ଯାଇଥିଲା । ଭାରତୀୟ ସଂସ୍କୃତିରେ କଳାର ଆରାଧ୍ୟା ଦେବୀ ହେଲେ ଦେବୀ ସରସ୍ୱତୀ । ସରସ୍ୱତୀ ଜ୍ଞାନ, ସଂଗୀତ, କଳା, ପ୍ରଜ୍ଞା, ସୃଜନଶୀଳତା ଓ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ । ବୈଦିକ ଯୁଗରୁ ସରସ୍ୱତୀଙ୍କ ଆରାଧନା ଚଳିଆସିଛି । ଗ୍ରୀକ୍ ପୁରାଣରେ ଆପୋଲୋ ହେଉଛନ୍ତି ସଂଗୀତ, କବିତା, କଳା, ଆଲୋକ, ଔଷଧ ଆଦିର ଦେବତା । ଆଥେନା କାରୁକଳା ଓ ହସ୍ତକର୍ମର ଦେବୀ । ରୋମାନ୍ ସଂସ୍କୃତୀରେ ଦେବୀ ମିନର୍ଭା ହେଉଛନ୍ତି କଳାର ଦେବୀ ।
ହିନ୍ଦୁ ସଂସ୍କୃତିରେ ବିଶ୍ୱକର୍ମା ଜଣେ ସ୍ଥପତି ଓ କାରୁକଳାର ଦେବତା । କିନ୍ତୁ ପୁରାତନ ଗ୍ରନ୍ଥମାନଙ୍କରେ ତ୍ୱଷ୍ଟା ବା ତ୍ୱଷ୍ଟୃ'ଙ୍କୁ କାରୁକଳାର ଦେବତା କୁହାଯାଉଥିଲା । ତ୍ୱଷ୍ଟା ଅଦିତୀଙ୍କ ସନ୍ତାନ ଭାବରେ ଚିହ୍ନିତ ଥିଲେ । ରୁକ୍ ବେଦରେ ତ୍ୱଷ୍ଟା ଜଣେ କୁଶଳୀ କାରୀଗର ଭାବରେ ଇନ୍ଦ୍ରଙ୍କ ବଜ୍ର, ବୃହଷ୍ପତିଙ୍କ ଆୟୁଧ ସହ ଦେବତାମାନଙ୍କ ପାଇଁ ପବିତ୍ର ଖାଦ୍ୟ ଓ ପାନୀୟ ପାଇଁ ଆବଶ୍ୟକୀୟ ପାତ୍ର ନିର୍ମାଣ କରିଥିଲେ । ସେ ସମସ୍ତ ପ୍ରାରମ୍ଭିକ ରୂପର ନିର୍ମାତା । ମାତୃ ଗର୍ଭରେ ସନ୍ତାନକୁ ମଧ୍ୟ ସେ ତିଆରି କରିଥା'ନ୍ତି । କିଛି କିଛି ସ୍ଥାନରେ ତ୍ୱଷ୍ଟାଙ୍କୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ସହ ଯୋଡିଦିଆଯାଏ । ବିଶ୍ୱକର୍ମା ମୁଖ୍ୟତଃ ଜଣେ ସ୍ଥପତି ଭାବରେ ପରିଚିତ । କାରୀଗର ସମ୍ପ୍ରଦାୟର ଦେବତା ଭାବରେ ମଧ୍ୟ ବିଶ୍ୱକର୍ମା ପୂଜା ପାଆନ୍ତି । ଆଜିକାଲି ବିଶ୍ୱକର୍ମା କଳ କାରଖାନା ଓ ଯନ୍ତ୍ରପାତିର ଦେବତା ଭାବରେ ଅଧିକ ସ୍ୱୀକୃତ । ବିଶ୍ୱକର୍ମା ଦେବତାମାନଙ୍କ ପାଇଁ ରଥ ନିର୍ମାଣ ଠାରୁ ଆରମ୍ଭ କରି ବିଭିନ୍ନ ଅସ୍ତ୍ର-ଶସ୍ତ୍ର ତିଆରି କରିଥିଲେ । ବିଶ୍ୱକର୍ମା ହିଁ ସ୍ୱର୍ଣ୍ଣଲଙ୍କା, ଦ୍ୱାରକା ଓ ଇନ୍ଦ୍ରପ୍ରସ୍ଥ ନଗରୀ ସବୁ ନିର୍ମାଣ କରିଥିଲେ । ଭାରତରେ ବିଶ୍ୱକର୍ମା କେଉଁଠି ହଂସ ବାହାନ ସହ ସ୍ମଶୃଧାରୀ ଜ୍ଞାନୀ ବୁଢା ପରି ପୁଜା ପାଆନ୍ତି ତ କେଉଁଠି ପୁଣି ହାତୀ ବାହାନ ସହ ଜଣେ ନିଶ ଥିବା ଯୁବକ ଭାବରେ ପୂଜା ପାଆନ୍ତି । ଭାରତରେ ବଢେଇ, ବଣିଆ, କମାର, ପଥର କାରିଗର ପ୍ରଭୃତି ଅନେକ ସମ୍ପ୍ରଦାୟ ଆଜି ବି ନିଜକୁ ବିଶ୍ୱକର୍ମାଙ୍କ ବଂଶଧର ଭାବରେ ପରିଚୟ ଦିଅନ୍ତି । ବିଶ୍ୱକର୍ମା ଶବ୍ଦକୁ ସେମାନଙ୍କ ଭିତରୁ କେହି କେହି ଆପଣା ସାଂଜ୍ଞା ଭାବରେ ମଧ୍ୟ ବ୍ୟବହାର କରିଥା'ନ୍ତି ।
ଆଜି ଯେଉଁ ଅର୍ଥରେ କଳାର ବ୍ୟବହାର କରାଯାଉଛି ଅତୀତରେ ସେପରି ନଥିଲା । ସାଧାରଣ ଜୀବନ ଠାରୁ କଳା ଏତେ ଅଲଗା ନଥିଲା । ଆଜି ସରସ୍ୱତୀ ବିଦ୍ୟାର ଦେବୀ ଭାବରେ ପୂଜିତା । ସ୍କୁଲ୍ କଲେଜ୍ ମାନଙ୍କରେ ସରସ୍ୱତୀ ପୂଜା ବ୍ୟବସ୍ଥା ଏପରି ଏକ ଧାରଣା ତିଆରି କରିଛି । ବିଶ୍ୱକର୍ମା ଆଜି କଳକାରଖାନାର ଦେବତା । କାରଣ ବିଭିନ୍ନ ସହରର ଶିଳ୍ପାଞ୍ଚଳରେ ହିଁ ଧୁମଧାମ୍ ଓ ବିପୁଳ ଉତ୍ସାହରେ ବିଶ୍ୱକର୍ମାଙ୍କ ପୂଜା ସାଧାରଣରେ ଏପରି ଧାରଣା ତିଆରି କରିଛି ।
ପୁରୁଣା ପାରମ୍ପରିକ କଳା ଅଭ୍ୟାସରୁ ଅଲଗା ହୋଇ, ଆଧୁନିକ ଓ ସମସାୟିକ କଳା ସୃଷ୍ଟି କରୁଥିବା କଳାକାର ଓ ସେମାନଙ୍କ ପୃଷ୍ଠପୋଷକମାନଙ୍କ ପାଇଁ ଏମିତି ଏକ ବାର୍ଷିକ ଆର୍ଟ ଡେ'ର ବିଶେଷ କିଛି ଭୂମିକା ଥିବା ପରି ଅନୁଭବ ହୁଏନି । ଆଜିକାଲି ଯେ କୌଣସି ସକାଳୁ ଇଣ୍ଟରନେଟରେ ଖୋଜା ଖୋଜି କଲେ ସବୁଦିନି କିଛି ନା କିଛି ବିଶେଷ ଓ ସ୍ୱତନ୍ତ୍ର ଦିବସ ଭାବରେ ଚିହ୍ନଟ ହେଇ ସାରିଛି । ଯାହାବି ହେଉ କଳା ଉଦ୍ଦେଶ୍ୟରେ ଦିନଟେ ନିର୍ଦ୍ଧାରଣ ହେଇଛି । ଖୁବ୍ ଜାକଜମକରେ ନହେଉ ପଛେ ଅଳପରେ କେଉଁଠି ନା କେଉଁଠି ତା'ର ପାଳନ ହେଉଛି । ଆଶ୍ୱାସନାର କଥା ହେଲା ଆମମାନଙ୍କ ଜୀବନରେ କଳାର ଭୂମିକା କ'ଣ ଓ କେତେ, ସେକଥା ନେଇ କେତେଜଣ ବସି କଥା ତ ହେଉଛନ୍ତି ।