ଭାଷା ହିଁ ଭାଗବତ : ପ୍ରଫୁଲ୍ଲ ତ୍ରିପାଠୀଙ୍କ ଭାଷା ଭାଗବତ

ଭାଷା ହିଁ ଭାଗବତ : ପ୍ରଫୁଲ୍ଲ ତ୍ରିପାଠୀଙ୍କ ଭାଷା ଭାଗବତ

ତା ଜୁନ୍ ୯ ୨୦୨୫ ରିଖ , ସୋମବାର ଦିନ ମୁଁ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ଲିଖିତ 'ଭାଷା ଭାଗବତ ' ବହିଟି କିଣିଲି। ବହିଟି ଏଇ ନିକଟରେ 'ବିଜୟିନୀ ପବ୍ଲିକେଶନ୍ସ,କଟକ ଙ୍କ ଦ୍ୱାରା ପ୍ରକାଶିତ ହୋଇଛି।


ପୂର୍ବରୁ ବିକ୍ଷିପ୍ତ ଭାବରେ ଏଥିରେ ଥିବା ପଦ ସବୁ ମୁଁ ବିଭିନ୍ନ ପତ୍ରପତ୍ରିକା ଓ ସାମାଜିକ ଗଣମାଧ୍ୟମରୁ ପଢିଥିଲି।ସେ ସବୁ ପଦାବଳୀ ଗୋଟିଏ ପୁସ୍ତକରେ ପ୍ରକାଶିତ ହେବା ପୁଣି 'ଭାଷା ଭାଗବତ 'ନାମରେ,ଏହା ଓଡ଼ିଆ ଜାତି ଓ ଓଡ଼ିଆ ସାହିତ୍ୟ ପାଇଁ ଏକ ଗୈାରବର ବିଷୟ।


ଜନଶ୍ରୁତି ଅନୁସାରେ, ଅତିବଡ଼ି ଜଗନ୍ନାଥ ଦାସଙ୍କ ମାଆ ଶ୍ରୀମନ୍ଦିରରେ ପ୍ରତିଦିନ ପଢାଯାଉ ଥିବା ସଂସ୍କୃତ ଭାଗବତ ବୁଝିପାରୁନଥିଲେ। ଏଣୁ ସେ ପୁତ୍ର ଜଗନ୍ନାଥଙ୍କୁ ନିଜ ମାତୃଭାଷା ଓଡିଆରେ ଭାଗବତ ରଚନା କରିବାପାଇଁ ନିଜର ଇଚ୍ଛା ଜଣାଇଥିଲେ। ମାଆଙ୍କର ଏହି ଇଚ୍ଛାକୁ ଫଳବତୀ କରିବାପାଇଁ ମାତୃଭକ୍ତ ଜଗନ୍ନାଥ ଓଡ଼ିଆ ଭାଗବତ ରଚନାରେ ମନୋନିବେଶ କରିଥିଲେ।ନିଜ ମାଆଙ୍କ ସମେତ ଆମ ଓଡ଼ିଶାର ସବୁ ମାଆମାନଙ୍କର ବୋଧଗମ୍ୟ ହେଲା ଭଳି ସେ ସରଳ ଓ ସାବଳୀଳ ଭାଷାରେ, ନବାକ୍ଷରୀ ଛନ୍ଦରେ 'ଓଡିଆ ଭାଗବତ ' ରଚନା କରିଥିଲେ। ଏହାର ଫଳସ୍ୱରୁପ ଆମ ଓଡ଼ିଆ ଜାତି ପାଇଲା ' ଓଡ଼ିଆ ଭାଗବତ ',ଯାହାକି ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ଗ୍ରନ୍ଥ।


ସେହି କ୍ରମରେ ଭାଷା ପରି ଏକ ଜଟିଳ ତତ୍ତ୍ୱକୁ ସରଳ ,ସାବଲୀଳ ଢଙ୍ଗରେ ପୁଣି ଜଗନ୍ନାଥ ଦାସଙ୍କ ଦ୍ଵାରା ଲିଖିତ ଓ ବହୁ ପରିଚିତ ନବାକ୍ଷରୀ ଛନ୍ଦରେ ରଚନା କରି ପ୍ରଫୁଲ୍ଲ ସାର୍ ଏ ଜାତିର ଓ ଓଡ଼ିଆ ସାହିତ୍ୟର ଅଶେଷ ଉପକାର କରିଛନ୍ତି।'ଭାଷା ଭାଗବତ ' ସାର୍ ଙ୍କ ବହୁବର୍ଷର ଅକ୍ଳାନ୍ତ ପରିଶ୍ରମର ଏକ ଜ୍ୱଳନ୍ତ ନିଦର୍ଶନ,ଏଥିରେ ଦ୍ଵିରୁକ୍ତି ନାହିଁ।ଭାଷା, ଭାଷାତତ୍ତ୍ଵ,ତାର ବ୍ୟାକରଣ, ଯୁକ୍ତାକ୍ଷରର ଜଟିଳତାକୁ ପ୍ରବେଶ ନ କରି ସରଳ ଭାବରେ ତାର ଲିଖନ ଏବଂ ଆହୁରି ଅନେକ ଜଟିଳ ତତ୍ତ୍ୱର ସରଳ ବଖାଣ ସାର୍ ବିସ୍ତୃତ ଭାବରେ ଏ ପୁସ୍ତକଟିରେ କରିଛନ୍ତି।


'ଅ' ଠାରୁ ଆରମ୍ଭ କରି 'କ୍ଷ' ପର୍ଯ୍ୟନ୍ତ ଏହି ପୁସ୍ତକଟିରେ ସମୁଦାୟ ୪୩ଟି ଅଧ୍ୟାୟ ରହିଛି।ଏହି ୪୩ଟି ଅଧ୍ୟାୟ ପୃଷ୍ଠା ସଂଖ୍ୟା ୫ ରୁ ୩୪୪ ପର୍ଯ୍ୟନ୍ତ ମୁଦ୍ରିତ।୩୪୫ ପୃଷ୍ଠାରୁ ୩୬୪ ପୃଷ୍ଠା ପର୍ଯ୍ୟନ୍ତ 'ପରିଶିଷ୍ଟ'  ସଂଯୋଜିତ,ଯେଉଁଥିରେ ସେ ନିଜର ମନକଥା ଯାହା କହିବାପାଇଁ ରହିଯାଇଥିଲା,ତାହା ଲେଖିଛନ୍ତି।
ପାଖାପାଖି ୨୫ ହଜାର ନବାକ୍ଷରୀ ପଦରେ ଲିଖିତ ଏ ବହିଟି ମୋ ମତରେ ପ୍ରତିଟି ଓଡ଼ିଆ ଘରେ ରହିବା ଉଚିତ୍।ଏହି ବହିଟି ପାଇଁ ସାର୍ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିକଟରେ ଏ ଜାତି ଋଣୀ ରହିବ,ଏହା ମୁଁ ଦୃଢ଼ତାର ସହ କହିପାରେ।