ଆସ

ମତେ ଶୃଙ୍ଗାର ଜଣାନାହିଁ !
ରସ ବୋଲି ମୋ ପାଖେ ଟିକିଏ ବି ନାହିଁ !
ମୁଁ କାଠ କି ପଥର, ମୁଁ ଜାଣେନା
ତଥାପି ଯଦି ଆସୁଛ ଆସ
ମୋ ପାଖେ ବସ !
ଯଦି କାଠଗଣ୍ଡିଟେ ଭାବି ଆସିଥିବ
ମୋ ପାଦ ପାଇଁ ଆଣିଥିବ ବିଶ୍ବାସର ମାଟିଗଣ୍ଡେ !
ମୋ ଦେହ ପାଇଁ ତମ ନିଶ୍ବାସରୁ ଆଞ୍ଜୁଳାଏ ଅଙ୍ଗାରକାମ୍ଳ
ମତେ ଉଧାର ଦେଇଥିବ ତମ ଉତ୍ସାହରୁ ଟିପେ ଆଲୁଅ
ଆଉ ହଁ, ଗଲାବେଳେ ଦେଇଯିବ
ତମ ଆଖିତଳୁ ଧାରେପାଣି !
କିଏ ଜାଣେ, ଏଇତକରେ ମୋ ଶୁଖିଲା ଦେହରେ
କଅଁଳିପାରେ ସବୁଜରଙ୍ଗର ଡେମ୍ଫଟେ !
ଯଦି ପଥରଟେ ଭାବି ଆସୁଥାଅ
ସାଙ୍ଗରେ ଆଣିବ ନିହାଣ, ମୁଗୁର, ଓଳମ କି ରଙ୍ଗ
ବାଗେଇଦେବ ମତେ ନିଜସ୍ବ ବାଗରେ !
ଯଦି ଏସବୁ ନହୁଏ
ଏ ପଥର ଦିହଟାକୁ ନେଇଯାଅ ତମସାଥେ
ସିନ୍ଦୁର, ଚନ୍ଦନ, ହଳଦୀମାରି
ଥୋଇଦବ କେଉଁଏକ ଗଛମୂଳେ !
ବଞ୍ଚିଯିବି ତମ ଆଉ ସେମାନଙ୍କ ମିଛ ବିଶ୍ବାସରେ !
ଯଦି ୟା ବି ନହୁଏ ତମଦେହି
ତମେ ଏମିତି ଆସୁଥାଅ
ମୋ ଦେହରେ ପିଠି ଆଉଜେଇ ବସ
ତମ ଦେହରୁ ମୁଁ ଉତାରି ଆଣିବି ନଅଟିଯାକ ରସ
ନହେଲେ ଉଧାର ଆଣିବି କେବଳ ଶୃଙ୍ଗାର !
ତମେ କେବଳ ଆସୁଥାଅ,
ମୋ ପାଖେ ଟିକିଏ ବସୁଥାଅ !