ଅରୁଣ କୁମାର ନାୟକଙ୍କ ‘ଜଣେ ସୁଖୀଲୋକର ଡାଏରୀ’ ଲୋକାର୍ପିତ

ଅରୁଣ କୁମାର ନାୟକଙ୍କ ‘ଜଣେ ସୁଖୀଲୋକର ଡାଏରୀ’ ଲୋକାର୍ପିତ

ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପ୍ରକାଶନ ପକ୍ଷରୁ ଆୟୋଜିତ ଏକ ପୁସ୍ତକପର୍ବରେ ବିଶିଷ୍ଟ ଶିକ୍ଷାବିତ ଅରୁଣ କୁମାର ନାୟକଙ୍କ ଆତ୍ମଜୀବନୀ ‘ଜଣେ ସୁଖୀଲୋକର ଡାଏରୀ’ ନିମନ୍ତ୍ରିତ ଅତିଥିଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି ।

ରେଡକ୍ରସ୍‍ ଭବନ ସଭାକକ୍ଷରେ ଆୟୋଜିତ ଏହି ମନୋରମ ପୁସ୍ତକପର୍ବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱରଞ୍ଜନ ପୁସ୍ତକ ତଥା ଲେଖକଙ୍କ ସଂପର୍କରେ ଭାବପୂର୍ଣ୍ଣ ମତ ରଖି କହି ଥିଲେ ଯେ  ଆତ୍ମଜୀବନୀ ଓଡ଼ିଆ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ନିଜକୁ ଲେଖିବା ସହଜ ନୁହେଁ, କିନ୍ତୁ ଲେଖକ ଅରୁଣ ନାୟକ ଅତ୍ୟନ୍ତ ସହଜ ଓ ସରଳ ଢଙ୍ଗରେ ନିଜକୁ ଲେଖି ପାରିଛନ୍ତି। 

ଲେଖକ ତପନ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଶିଷ୍ଟ କଥାକାର ତଥା ସାହିତ୍ୟ ଅକାଦେମିର ଆବାହକ ଗୌରହରି ଦାସ ଯୋଗଦେଇ କହିଥିଲେ ଯେ ଆତ୍ମଜୀବନୀ ଆମକୁ ଜୀବନର ସଂଘର୍ଷକୁ ସାମ୍ନାକରିବାର ବିକଳ୍ପ ରାସ୍ତା ସୂଚାଇଥାଏ ।

ପ୍ରକାଶକ ସରୋଜ ବଳ ସ୍ୱାଗତଭାଷଣ ପ୍ରଦାନ କରିବା ସହିତ ଉତ୍ସବ ସଂଚାଳନ କରିଥିଲେ । ଲେଖକୀୟ ବକ୍ତବ୍ୟରେ ଅରୁଣ କୁମାର ନାୟକ ତାଙ୍କ ସଂଘର୍ଷମୟ ଜୀବନ ଓ ପ୍ରାପ୍ତିର କଥା ବର୍ଣ୍ଣନା କରିଥିଲେ । ଉତ୍ସବ ଆରମ୍ଭରେ ଅର୍ପିତା ପତି ସ୍ୱାଗତ ସଂଗୀତ ଗାନ କରିଥିବାବେଳେ କାର୍ଯ୍ୟକ୍ରମର ଶେଷସ୍ପର୍ଶ ଦେଇଥିଲେ ଶତ୍ରୁଜିତ ।

ଏହି ପୁସ୍ତକପର୍ବରେ ପଞ୍ଚାନନ କାନୁନଗୋ, ଅଜୟ ସ୍ୱାଇଁ, ସରୋଜିନୀ ସାହୁ, ରମେଶ ପଟ୍ଟନାୟକ, ଗୋଲାପ ମଞ୍ଜରୀ କର, ସୁଷମା ମିଶ୍ର ପ୍ରମୁଖ ଶତାଧିକ ଲେଖକ ଓ ସାହିତ୍ୟାନୁରାଗୀ ଯୋଗ ଦେଇ ଲେଖକଙ୍କୁ ଉତ୍ସାହିତ କରିଥିଲେ । ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ଅରୁଣ କୁମାର ଦାସ ଏବଂ ଆଶିଷ କୁମାର ମିଶ୍ର ।