ମରୁଭୂମିରୁ ଅଭୟାରଣ୍ୟ: ରାଜସ୍ଥାନର ଜଣେ ପ୍ରଫେସର ଏବଂ ୨୫୦୦ଗ୍ରାମବାସୀଙ୍କ କାହାଣୀ

ରାଜସ୍ଥାନ ହେଉଛି ଭାରତର ସର୍ବାଧିକ ଜିପସମ୍ ଉତ୍ପାଦନକରୀ ରାଜ୍ୟ। ରାଜସ୍ଥାନର ବାରମର୍, ବିକାନେର, ଜୈସଲମର, ନାଗୁଆର, ଶ୍ରୀଗଙ୍ଗାନଗର, ହନୁମାନଗଡ ଏବଂ ଜାଲୋରା ଆଦି ଅଞ୍ଚଳ ଜିପସମ୍ ଖଣି ପାଇଁ ପ୍ରସିଦ୍ଧ। ଏହି ବିକାନେରରୁ ୫୦ କିଲୋମିଟର ଦୂର ଉତ୍ତମଦେଶ୍ବର ଗ୍ରାମରେ ଦଶନ୍ଧି ଦଶନ୍ଧି ଧରି ବେଆଇନ ଜିପସମ୍ ଖନନ କାରଣରୁ ପାଖାପାଖି ୨୭୦ ଏକର ପରିମିତ ଅଞ୍ଚଳ ସମ୍ପୂର୍ଣ୍ଣ ନଷ୍ଟ ବା ମରୁଭୂମିରେ ପରିଣତ ହୋଇ ଯାଇଥିଲା। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଜଣେ ପ୍ରଫେସର ଏବଂ ଗ୍ରାମବାସୀଙ୍କ ଉଦ୍ୟମ ଫଳରେ ଏବେ ସେହି ଅଞ୍ଚଳ ଗୋଟିଏ ଘଞ୍ଚ ବନାଞ୍ଚଳେ ପରିଣତ ହେବା ସହ ଅନେକ ବିଲୁପ୍ତ ପ୍ରାୟ ତଥା ବିରଳ ପଶୁପକ୍ଷୀ ସେହି ଜଙ୍ଗଲରେ ପୁଣି ଦେଖାଯିବା ଆରମ୍ଭ କଲେଣି। ନା’ ଏହା ଗୋଟିଏ ଦିନ କିମ୍ବା କିଛି ମାସ ମଧ୍ୟରେ ହୋଇ ନାହିଁ କିମ୍ବା ଜଣେ ମଣିଷ ଦ୍ବାରା ମଧ୍ୟ ନୁହେଁ। ଏହା ପଛରେ ରହିଛି ହଜାର ହଜାର ଲୋକଙ୍କର ଦୀର୍ଘ ୨୨ ବର୍ଷର ପରିଶ୍ରମ। ୨୨ ବର୍ଷ ତଳେ ପ୍ରଫେସର ଶ୍ୟାମସୁନ୍ଦର ଜ୍ୟାଣି 'ପାରିବାରିକ ବନୀକରଣ' ନାମକ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ, ଯାହାର ଉଦ୍ଦେଶ୍ୟ ହେଉଛି, ପରିବାରର ସଦସ୍ୟ ପରି ଗଛଗୁଡ଼ିକର ଯତ୍ନ ରଖିବା। ଏହି ଆନ୍ଦୋଳନରେ ସ୍ଥାନୀୟ ବାସିନ୍ଦା ତଥା ଯଶନାଥ ସମ୍ପ୍ରଦାୟର ସହାୟତାରେ, ଭୂମି ପୁନରୁଦ୍ଧାର ହୋଇଛି।
ପ୍ରଫେସର ଶ୍ୟାମସୁନ୍ଦର ଜ୍ୟାଣି, ବିକାନେରର ଡୁଙ୍ଗର କଲେଜରେ ସାମାଜିକ ବିଜ୍ଞାନ ପଢ଼ାନ୍ତି। ୨୦୦୩ ମସିହାରେ ଶ୍ରୀ ଗଙ୍ଗାନଗରରୁ ତାଙ୍କର ଏଠିକୁ ସହଯୋଗୀ ପ୍ରଫେସର ଭାବରେ ଟ୍ରାନ୍ସଫର ହୋଇଥିଲା। ଏଠିକୁ ଆସିବା ପରେ ସେ ଲକ୍ଷ୍ୟ କଲେ ଯେ କଲେଜ ପରିସରରେ କେବଳ ୭-୮ଟି ଲିମ୍ବ ଗଛ ରହିଛି। ସେଗୁଡିକ ବି ପ୍ରଖର ସୂର୍ଯ୍ୟକିରଣ ଓ ଅବେହେଳା କାରଣରୁ ଶୁଖିଲା, ଚେମଡା ଓ ମୃତପ୍ରାୟ ଦିଶୁଥାନ୍ତି। ଏହା ତାଙ୍କୁ ଖୁବ ହୃଦୟ ବିଦାରକ ମନେ ହୋଇଥିଲା। ସେ ନିଜ ଛାତ୍ରମାନଙ୍କ ସହାୟତାରେ ସେହି ଲିମ୍ବଗଛ ଗୁଡ଼ିକର ଯତ୍ନ ନେବା ଆରମ୍ଭ କଲେ। ତତ୍କାଳୀନ ପ୍ରିନ୍ସିପାଲଙ୍କ ଦ୍ୱାରା କେବଳ ଶିକ୍ଷାଗତ ଦାୟିତ୍ୱରେ ଧ୍ୟାନ ଦେବାକୁ ଅନୁରୋଧ ଓ ତାଗିଦ୍ କରାଯିବା ସତ୍ତ୍ୱେ, ମରିଯାଉଥିବା ଗଛଗୁଡ଼ିକର ଦୃଶ୍ୟ ତାଙ୍କ ଭିତରେ ଗଭୀର ଭାବରେ ଆନ୍ଦୋଳିତ କରିଥିଲା। ପ୍ରଫେସର ଜ୍ୟାଣିଙ୍କ ଜନ୍ମ ଗୋଟିଏ ସାଧାରଣ କୃଷକ ପରିବାରରେ ହୋଇ ଥିବାରୁ, କଲେଜ କ୍ୟାମ୍ପସରେ ସେ ଯେତେବେଳେ ପ୍ରଥମେ ପ୍ରଥମେ ଲିମ୍ବ ଗଛ ଗୁଡିକର ଯତ୍ନ ନେବା ଆରମ୍ଭ କଲେ, ସେତେବେଳେ ତାଙ୍କ ସହକର୍ମୀମାନେ ତାଙ୍କୁ ଖୁବ ପରିହାସ କରିଥିଲେ। ପ୍ରଫେସର ଜ୍ୟାଣି କୁହନ୍ତି, “ସେମାନେ ମୋ ପଛରେ ଥଟ୍ଟା-ପରିହାସ କରନ୍ତି ଯେ- ୟା ଜନ୍ମ କେବଳ ଗୋଟିଏ ସାଧାରଣ କୃଷକ ହେବା ପାଇଁ। ମୋ ପରିବାର ଓ କୃଷକ ମୂଳକୁ ନେଇ ଏହି ପରିହାସ ମୋତେ ଗଛ ଗୁଡ଼ିକର ଯତ୍ନ ନେବା ପାଇଁ ଆହୁରି ଉତ୍ସାହିତ କରିଥିଲା ଏବଂ ମୋ ଭିତରେ ଥିବା କୃଷକକୁ ଆହୁରି ଦୃଢମନା କରିଥିଲା, ଯେ କୃଷକ ହେବା ଲଜ୍ଜାର ନୁହେଁ ସମ୍ମାନ ର କଥା। ଏହି ପରିହାସରୁ ହିଁ ‘ପାରିବାରିକ ବନିକରଣ’ର ଆରମ୍ଭ ହୋଇଥିଲା।” ଲଗାତାର ଯତ୍ନ ନେବା ଦ୍ବାରା ଯେତେବେଳେ ଲିମ୍ବଗଛ ଗୁଡିକ ହୃଷ୍ଟପୁଷ୍ଟ ଭାବରେ ବଢିବା ପାଇଁ ଲାଗିଲେ ଏବଂ କଲେଜ ପରିସର ସବୁଜମୟ ଦେଖା ଯିବା ଆରମ୍ଭ କଲା, ଏହା ତାଙ୍କୁ ପରିବେଷ ଓ ବନୀକରଣ ପ୍ରତି ଆହୁରି ଆକୃଷ୍ଟ କଲା ଏବଂ ସେ ଆଖପାଖର ଖଣି ପରିତ୍ୟକ୍ତ, ଧୂସର, ଶୁଷ୍କ ଭୁମିକୁ ଶସ୍ୟଶ୍ୟାମଳା କରିବା ପାଇଁଁ ମନରେ ଆଶା ବାନ୍ଧିଥିଲେ। ୨୦୦୬ ମସିହାରେ ପ୍ରଫେସର ଜ୍ୟାଣି ନିଜର ଏହି ପାରିବାରିକ ବନିକରଣ ବିଚାରକୁ ପ୍ୟାଟେଣ୍ଟ କରାଇଥିଲେ ଏବଂ କାମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଲାଗୁଥିବା ଅର୍ଥ ରାଶି ପ୍ରଫେସର ଜ୍ୟାଣିଙ୍କ ବେତନ ତଥା ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆଦାୟ ଚାନ୍ଦାରୁ ଯୋଗାଡ ହୋଇଥାଏ।
କିନ୍ତୁ ପଢିବା ପାଇଁ ଯେତିକି ସହଜ ଆଉ ଆନନ୍ଦ ଦାୟକ ଲାଗୁଛି, ଏ ସବୁ କାମ ଏତେ ସହଜ ନଥିଲା। ବନୀକରଣ ଆରମ୍ଭ ହେବା ଦିନରୁ ବେଆଇନ ଖଣି ମାଫିଆଙ୍କ ଧମକଚମକ ଏବଂ ଦଖଲ ଜାରି ରହିଥାଏ। ସେତେବେଳକୁ ବିକାନେରର ଡାବଲା ପୋଖରୀ ଆଖପାଖର ୨୦୭ ଏକର ବନାଞ୍ଚଳ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଗୋଟିଏ ଅପ୍ରାକୃତିକ ମରୁଭୂମିରେ ପରିଣତ ହୋଇ ସାରିଥାଏ। ବିକାନେରର ସେହି ଉତ୍ତମଦେଶ୍ବର ଅଞ୍ଚଳଟି ହେଉଛି ଯଶନାଥ ସ°ମ୍ପ୍ରଦାୟର ସ°ସ୍ଥାପକ ଗୁରୁ ଶ୍ରୀ ଯଶନାଥଙ୍କ ଜନ୍ମସ୍ଥଳୀ। ପ୍ରଫେସର ଜ୍ୟାଣି ଏହି ଜଶନାଥ ସମ୍ପ୍ରଦାୟର ଲୋକ ତଥା ସ୍ଥାନୀୟ ପ୍ରଶାସନର ସହାୟତାରେ ପ୍ରଥମେ ଏହି ୨୦୭ ଏକର ଜମିକୁ ମାଫିଆ ମାନଙ୍କ ହାତରୁ ମୂକୁଳାଇ ଗଛ ଲଗାଇବା ଆରମ୍ଭ କଲେ। ଖଣି ମାଫିଆ ଅବୈଧ ଜିପସମ୍ ବ୍ୟାପାର ଦ୍ବାରା ସେହି ସବୁ ଜମିରୁ ଦୈନନିକ ୧୦ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଯେତେବେଳେ ସେମାନଙ୍କର କାର୍ଯ୍ୟ ବନ୍ଦ ହୋଇଗଲା, ସେମାନେ ଜ୍ୟାଣି ଏବଂ ତାଙ୍କ ଦଳକୁ ଧମକ ଦେଲେ। ୫ ଜୁନ୍, ୨୦୨୨ରେ, ବନୀକରଣ ଦଳ 'ଦେବ ଜଶନାଥ ପରିବାର ବନୀକରଣ ପରିବେଶ ଯାତ୍ରା' ଆୟୋଜନ କରିଥିଲେ, ଜମିକୁ ସୁରକ୍ଷା ଦେବା ପାଇଁ ୧୦୦ ରୁ ଅଧିକ ଗାଁକୁ ଏକତ୍ରିତ କରିଗଲା। ପ୍ରଶାସନ ତରଫରୁ ଏହି ଅଭିଯାନକୁ ମୌଖିକ ସମର୍ଥନ ମିଳିଥିଲେ ମଧ୍ୟ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଗଲା ନାହିଁ। କିଛି ବ୍ୟାପାରୀ ଡାବଲା ପୋଖରୀ ନିକଟରେ ୧୦ ବିଘା ଜମି ଲିଜ୍ ନେଇଥିଲେ, କିନ୍ତୁ ଏହାର ଆବରଣ ତଳେ ୭୦ ବିଘା ଜମି ଉପରେରେ ବେଆଇନ ଖଣି ଖନନ ଚାଲୁ ରଖିଥିଲେ। ଏହାକୁ ବନ୍ଦ କରିବା ପାଇଁ, ୧୩୧ ଜଣିଆ ପରିଚାଳନା କମିଟି ଗଠନ କରାଗଲା। ଏଥିରେ ୧୦୪ଟି ଗାଁର ପ୍ରତିନିଧି ସାମିଲ ହେଲେ। କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ CCTV କ୍ୟାମେରା ମାଧ୍ୟମରେ ସମ୍ପୂର୍ଣ୍ଣ ଅଞ୍ଚଳ ଉପରେ ନଜର ରଖାଗଲା। କେବଳ ଜଗାରଖା ନୁହେଁ, ଗଛଗୁଡ଼ିକୁ ସୁରକ୍ଷା ଦେବା ପାଇଁ ସମ୍ପ୍ରଦାୟର ଲୋକେ ତିନୋଟି ସ୍ୱତନ୍ତ୍ର ପଦ୍ଧତି ଅନୁସରଣ କରନ୍ତି: (୧) ଲୀଲି ଲାଗ - ବିବାହ, ବାର୍ଷିକୀ ଏବଂ ଗୃହ ନିର୍ମାଣ ଉତ୍ସବ ଭଳି ବିଶେଷ ଅବସରରେ ଲୋକମାନେ ଗଛ ଲଗାଇବା ପାଇଁ ଟଙ୍କା ଦାନ କରନ୍ତି। (୨) ରୁଖ ରୀତ - ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ୩୬୫ ଟଙ୍କା (ପ୍ରତିଦିନ ୧ ଟଙ୍କା) ଦାନ କରନ୍ତି। ୧୦୦ ଜଣଙ୍କର ଗୋଷ୍ଠୀ ପ୍ରତିବର୍ଷ ୧୧୦୦୦ ଟଙ୍କା ଦାନ କରନ୍ତି। (୩) ରୁଖ ପ୍ରସାଦ- ପ୍ରତିବର୍ଷ, ଗ୍ରାମବାସୀମାନଙ୍କୁ 'ରୁଖ ପ୍ରସାଦ' ଭାବରେ ୫୦୦୦୦ ଗଛ ମାଗଣାରେ ବଣ୍ଟନ କରାଯାଏ।
ପ୍ରଫେସର ଜ୍ୟାଣି ତଥା ସ୍ଥାନୀୟ ଗ୍ରାମବାସୀଙ୍କ ଦୀର୍ଘ ୨୨ବର୍ଷର ପ୍ରଚେଷ୍ଟା ଫଳରେ ବିକାନେରର ସେହି ଶୁଷ୍କ ଅପ୍ରାକୃତିକ ମରୁଭୂମି ଏବେ ଗୋଟିଏ ସୁନ୍ଦର ବନାଞ୍ଚଳରେ ପରିଣତ ହୋଇ ପାରିଛି। ଏହି ଅଞ୍ଚଳରେ ଧାମନ, ସେବନ, ଡାବ ଘାସ ଏବଂ ଏଫେଡ୍ରା ସିଲିଆଟା ଭଳି ବିରଳ ଉଦ୍ଭିଦ ପୁଣି ଦେଖାଯିବା ଆରମ୍ଭ ହୋଇଛି। ଇଣ୍ଡିଗୋଫେରା ଭଳି ଦେଶୀ ଔଷଧିୟ ଗୁଳ୍ମ ପୁଣି ବଢ଼ିବା ଆରମ୍ଭ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧୫୦୦ ଖେଜରି ଗଛର ଶୁଷ୍କ ଗଣ୍ଡି ପୁଣି କଁଳିଛନ୍ତି। ଏହି ଗଛ ରାଜସ୍ଥାନର ମରୁଭୂମି ଜଳବାୟୁ ଏବଂ ପରିବେଶ ପାଇଁ ଅତ୍ୟାବଶ୍ୟକ। ସବୁଜିମା ବୃଦ୍ଧି ଫଳରେ ଉକ୍ତ ଅଞ୍ଚଳର ବାୟୁ ଗୁଣବତ୍ତା ମଧ୍ୟ ଉନ୍ନତ ଓ ସୁସ୍ଥ ହୋଇଛି। ପ୍ରଫେସର ଜ୍ୟାଣି ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ପ୍ରୟାସରେ ଏ ଅଞ୍ଚଳ ଯେ ଗଛଲତା କିମ୍ବା ବୃକ୍ଷ ମାନଙ୍କ ବଢିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି ତା’ ନୁହେଁ ବରଂ ସେହି ସଂରକ୍ଷିତ ବନାଞ୍ଚଳ ଏବେ ଅନେକ ବିରଳ ପ୍ରାଣୀଙ୍କ ପାଇଁ ମଧ୍ୟ ସୁରକ୍ଷିତ ବାସସ୍ଥଳୀ ପାଲଟିଛି। ୧୯୫୪ ମସିହା ପରେ ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ଭାରତର ସବୁଠାରୁ ବଡ଼ ବନ୍ୟ ବିଲେଇ, ବିରଳ କାରାକାଲ (ସ୍ଥାନୀୟ ଭାଷାରେ ସିଆଗୋଶ) ଦେଖାଯାଇଛି। ବର୍ତ୍ତମାନ ଦେଶରେ ସମୁଦାୟ ୫୦ଟି (ମାତ୍ର) କାରାକାଲ ମହଜୁଦ ଅଛନ୍ତି। ଅନ୍ୟାନ୍ୟ ବିରଳ ପ୍ରାଣୀ, ଯେପରିକି ଆଫ୍ରୋ-ଏସୀୟ ସାପ (୩୫-୪୦ ବର୍ଷ ପରେ ଦେଖାଯାଇଛି) ଏବଂ କଣ୍ଟା ଲାଞ୍ଜିଆ ଗୋଧି (ସ୍ଥାନୀୟ ଭାଷାରେ -ସାଣ୍ଡା ବା ସାନ୍ଧୋ), ମଧ୍ୟ ପୁଣି ଦେଖା ଯାଇଛନ୍ତି। ଏହି ଅଞ୍ଚଳ ବର୍ତ୍ତମାନ ଭାରତୀୟ ଶୃଗାଳ, ଝିଙ୍କ, ମରୁଭୂମି ଠେକୁଆ, ଜେରବିଲ୍ସ ବା ବଡ ମୂଷା ଏବଂ ମୂଷା-ଲାଞ୍ଜିଆ ବାଦୁଡ଼ିଙ୍କ ବାସସ୍ଥାନ ପାଲଟିଛି। ବିକାନେରରେ ଅନ୍ୟ କୌଣସି ସ୍ଥାନରେ ମିଳୁନଥିବା କଳା ପାର୍ଟ୍ରିଜ୍ (କଳା ତୀତର ପକ୍ଷୀ) ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗୁଣ୍ଡୁରି ଚଢେଇ ଏବଂ ମୟୂରଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଦେଖା ଯାଇଛି। ଏହି ବନ୍ୟଜନ୍ତୁଙ୍କ ତୀବ୍ର ଖରା ଓ ଗରମରୁ ରକ୍ଷା କରିବା ପାଇଁଁ ସ°ରକ୍ଷିତ ଅଞ୍ଚଳରେ ବନୀକରଣ ସହ ସମୁଦାୟ ୧୨ଟି ଜଳାଶୟର ବ୍ୟବସ୍ଥା ରହିଛି।
ଏବେ ମଧ୍ୟ ଖଣି ମାଫିଆଙ୍କ ଦ୍ବାରା ଅବୈଧ ଖଣି କାରବାର ତଥା ବନୀକରଣ ଦଳକୁ ଧମକଚମକ ଜାରୀ ରହିଛି ଏସବୁ ପ୍ରତିଘାତ ସତ୍ତ୍ୱେ ପ୍ରଫେସର ଜ୍ୟାଣି ତଥା ତାଙ୍କ ବନୀକରଣ ଦଳ ନିଜ ଚେଷ୍ଟା ଜାରୀ ରଖିଛନ୍ତି ଏବଂ ରାଜସ୍ଥାନର ଗୋଟିଏ ଅପ୍ରାକୃତିକ ମରୁଭୂମିକୁ ଗୋଟିଏ ସଂରକ୍ଷିତ ବନାଞ୍ଚଳ ବା ଅଭୟାରଣ୍ୟରେ ପରିଣତ କରି ପାରିଛନ୍ତି। ପ୍ରଫେସର ଜ୍ୟାଣିଙ୍କ ଏହି ପ୍ରୟାସ ପାଇଁ ମିଳିତ ଜାତିସଂଘ ଅନେକ ଥର ତାଙ୍କୁ ସ୍ୱୀକୃତି ଦେଇଛି। ଭାରତର G-20 ବୈଠକରେ, ଜାତିସଂଘ ଦ୍ବାରା ତାଙ୍କ ଭୂମି ପୁନରୁଦ୍ଧାର ପ୍ରକଳ୍ପର ବିବରଣୀକୁ ପ୍ରସ୍ତୁତ କରା ଯାଇଥିଲା। ଡିସେମ୍ବର ୨୦୨୪ରେ, ପ୍ରଫେସର ଜ୍ୟାଣି, ରିୟାଦରେ UNCCD COP-16 ରେ ତାଙ୍କର କାର୍ଯ୍ୟ ଉପସ୍ଥାପନ କରିଥିଲେ। ତାଙ୍କର ଏହି ପ୍ରକଳ୍ପ Nature Positive Universities Network (ପ୍ରକୃତି ସକାରାତ୍ମକ ବିଶ୍ୱବିଦ୍ୟାଳୟ ନେଟୱାର୍କ)ର ଅଂଶ ବିଶେଷ ଅଟେ, ଯାହା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ UNEP (ସଂଯୁକ୍ତ ରାଷ୍ଟ୍ର ପରିବେଶ କାର୍ଯ୍ୟକ୍ରମ) ଦ୍ୱାରା ଏକ ମିଳିତ ପଦକ୍ଷେପ। ୨୦୨୧ ରେ, ପ୍ରଫେସର ଜ୍ୟାଣିଙ୍କୁ ବିଶ୍ୱର ୧୨ଜଣ ଶ୍ରେଷ୍ଠ ପରିବେଶବିତଙ୍କ ମଧ୍ୟରୁ ଜଣେ ଭାବରେ ମନୋନୀତ କରାଯାଇଥିଲା। ମିଳିତ ଜାତିସଂଘ ଅନେକଥର ସୋସିଆଲ ମିଡିଆରେ ତାଙ୍କ ପ୍ରକଳ୍ପ ବିଷୟରେ ସେୟାର କରିଛି। ଗତ ବର୍ଷ, ଜ୍ୟାଣିଙ୍କୁ ତାଙ୍କର ସଫଳତାର କାହାଣୀ ଉପସ୍ଥାପନ କରିବା ପାଇଁ ତୃତୀୟ ଥର ପାଇଁ ରିୟାଦକୁ ନିମନ୍ତ୍ରଣ କରାଯାଇଥିଲା।