ଗଣତନ୍ତ୍ର ନା’ ରାଷ୍ଟ୍ରବାଦ: ନେପାଳ ଜେନ୍-ଜି ଆନ୍ଦୋଳନର ଗତି କୁଆଡ଼େ?

ସେପ୍ଟେମ୍ବର ମାସ ପ୍ରତ୍ୟେକ ନେପାଳ ବାସିନ୍ଦାଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ। ନା’ ଏ ବାକ୍ୟ ମୁଁ ଏଇ ଚଳିତ ସେପ୍ଟେମ୍ବରରେ ନେପାଳରେ ଦେଖାଯାଇଥିବା Gen-Z ବିରୋଧ ପ୍ରଦର୍ଶନ କିମ୍ବା ରାଜନୈତିକ ଅସ୍ଥିରତାକୁ ନଜରରେ ରଖି କହୁନାହିଁ। ଆଜିଠୁ ଠିକ୍ ଦଶବର୍ଷ ତଳେ ୨୦ ସେପ୍ଟେମ୍ବର ୨୦୧୫ରେ ନେପାଳର ତତ୍କାଳୀନ ରାଷ୍ଟ୍ରପତି ରାମ୍ବରଣ୍ ୟାଦଓ୍ବ ସ°ସଦ ଭବନରେ ନେପାଳ ସମ୍ବିଧାନର ଘୋଷଣା କରିଥିଲେ। ଏବଂ ସେବେଠାରୁ ୨୦ ସେପ୍ଟେମ୍ବରକୁ ନେପାଳ ତା’ର ସମ୍ବିଧାନ ଦିବସ ଭାବରେ ପାଳନ କରି ଆସିଥାଏ।
Unified Nepal ବା ନେପାଳର ଏକୀକରଣ ପୂର୍ବରୁ ଏହି ଅଞ୍ଚଳ ଅନେକ ଛୋଟ-ଛୋଟ ରାଜ୍ୟରେ ବିଭକ୍ତ ଥିଲା। କାଠମାଣ୍ଡୁ ଉପତ୍ୟକାରେ ତିନୋଟି ମଲ୍ଲ ରାଜ୍ୟ, ଯଥା କାନ୍ତିପୁର (କାଠମାଣ୍ଡୁ), ଲଳିତପୁର (ପାଟନ) ଓ ଭକ୍ତପୁର (ଭାଦଗାଁ); ପଶ୍ଚିମରେ ୨୨ଟି ରାଜ୍ୟ (ବୈଶେ ରାଜ୍ୟ), ମଧ୍ୟ-ପଶ୍ଚିମରେ ୨୪ଟି ରାଜ୍ୟ (ଚୌବିଶେ ରାଜ୍ୟ) ଓ ପୂର୍ବରେ ଲିମ୍ବୁବାନ, ଖୁମ୍ବୁବାନ ଇତ୍ୟାଦି ରାଜ୍ୟ ଥିଲା। ଭାରତ ଏବଂ ତିବ୍ବତର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତି କାରଣରୁ ଏହି ଭୂଖଣ୍ଡ ସା°ସ୍କୃତିକ ଦୃଷ୍ଟିକୋଣରୁ ସମୃଦ୍ଧ ଓ ସମ୍ପନ୍ନ ହେବା ସହ ହିମାଳୟ ଅଞ୍ଚଳରେ ବ୍ୟାପାର ମାର୍ଗ ଦୃଷ୍ଟିରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା।
୧୫୫୯ ମସିହାରେ ଶାହ ବଂଶର ଦ୍ରବ୍ୟ ଶାହ “ଗୋରଖା” ରାଜ୍ୟର ସ୍ଥାପନା କରିଥିଲେ। ସମୟ ସହ ଗୋରଖା ରାଜ୍ୟ ତା’ର ସାମରିକ ଶକ୍ତି ତଥା ସୈନ୍ୟ ବଳକୁ ଖୁବ୍ ଶକ୍ତିଶାଳୀ କରି, ରାଜ୍ୟର ସୀମା ବିସ୍ତାର କରିବାରେ ଲାଗିଲା। ୧୭୨୩ ମସିହାରେ ଜନ୍ମଗ୍ରହଣ କରିଥିବା ପୃଥ୍ବୀ ନାରାୟଣ ଶାହ ୧୭୪୩ ମସିହାରେ ଗୋରଖା ରାଜ୍ୟର ରାଜା ହୋଇଥିଲେ। ତାଙ୍କୁ ଆଧୁନିକ ନେପାଳର ନିର୍ମାତା ମଧ୍ୟ କୁହାଯାଏ। ସେ ନେପାଳକୁ “ଦୁଇଟି ପାହାଡ଼ (ବା ବିଶାଳ ପଥର ଚଟାଣ) ମଧ୍ୟରେ ରହିଥିବା କନ୍ଦମୂଳ (ଭାରତ ଓ ଚୀନର ମଧ୍ୟରେ)” ବୋଲି ବର୍ଣ୍ଣନା କରିଥିଲେ [Yam between two boulders (India and China)]। ଏବଂ ନେପାଳକୁ ଆତ୍ମନିର୍ଭରଶୀଳ ହେବା, ବିଦେଶୀ ପ୍ରଭାବରୁ ଦୂରେଇ ରହିବା ଏବଂ ସୈନ୍ୟ-ସାମରିକ ଶକ୍ତିର ବିକାଶ ଉପରେ ଜୋର୍ ଦେଉଥିଲେ। ୧୭୪୪ ମସିହାରେ ସେ ନୂଆକୋଟ୍ ଯୁଦ୍ଧରେ ବିଜୟ ହାସଲ କରିଥିଲେ। ଏହା ଦ୍ବାରା ତିବ୍ବତ ଏବଂ କାଠମାଣ୍ଡୁ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ବେପାର ମାର୍ଗ ତାଙ୍କ ଅଧିନକୁ ଚାଲି ଆସିଥିଲା। ଏହାପରେ ସେ ନିଜ ସାମରିକ ବଳ ଏବଂ କୂଟନୀତି ମାଧ୍ୟମରେ ୧୭୬୮-୬୯ ମଧ୍ୟରେ କାଠମାଣ୍ଡୁ, ପାଟନ ଓ ଭକ୍ତପୁରକୁ ହରାଇ, ଅକ୍ତିଆର କରି, କାଠମାଣ୍ଡୁକୁ ତାଙ୍କର ରାଜଧାନୀ ଘୋଷଣା କରିଥିଲେ। କ୍ରମେ ବୈଶେ–ଚୌବିଶେ ରାଜ୍ୟଗୁଡିକ ଏବଂ ପୂର୍ବରେ ଲିମ୍ବୁବାନ ପର୍ଯ୍ୟନ୍ତ ଗୋରଖା ସାମ୍ରାଜ୍ୟର ବିସ୍ତାର ହୋଇଥିଲା। ପୃଥ୍ବୀ ନାରାୟଣ ଶାହଙ୍କ ଉତ୍ତରାଧିକାରୀମାନେ ମଧ୍ୟ ରାଜ୍ୟ ବିସ୍ତାରକୁ ଜାରି ରଖିଥିଲେ ଏବଂ ୧୯ଶ ଶତାବ୍ଦୀ ବେଳକୁ ନେପାଳର ସୀମା ପୂର୍ବରେ ତିସ୍ତା ନଦୀରୁ ପଶ୍ଚିମରେ କାଙ୍ଗଡା ପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା। କିନ୍ତୁ ୧୮୧୪ - ୧୬ର ଆଙ୍ଗ୍ଲୋ- ନେପାଳ ଯୁଦ୍ଧ ଓ Sugauli (୧୮୧୬) ସନ୍ଧି ପରେ ତା’ର ଭୌଗୋଳିକ ସୀମା ଆଜିର ନେପାଳ ପର୍ଯ୍ୟନ୍ତ ସୀମିତ ହୋଇ ଯାଇଥିଲା।
ନେପାଳର ଶାସନ ଅନେକ ବର୍ଷ ପର୍ଯ୍ୟନ୍ତ ରାଜତନ୍ତ୍ର ସହିତ ସମ୍ପୃକ୍ତ ରହିଥିଲା। ୧୯୯୦ ର ‘ଜନଆନ୍ଦୋଳନ-୧’ ପରେ ନେପାଳ ଗୋଟିଏ ସାମ୍ବିଧାନିକ-ରାଜତନ୍ତ୍ର ହେଲା, ଯେଉଁଥିରେ ବହୁଦଳୀୟ ଗଣତନ୍ତ୍ରର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ୧୯୯୬ରୁ ୨୦୦୬ ପର୍ଯ୍ୟନ୍ତ ଚାଲିଥିବା ମାଓବାଦୀ ବିଦ୍ରୋହ ଦେଶର ଆଭ୍ୟନ୍ତରୀଣ ବ୍ୟାପାରକୁ ଅସ୍ଥିର କରିଦେଇଥିଲା। ଦଶବର୍ଷ ଧରି ଚାଲିଥିବା ଏହି ଗୃହୟୁଦ୍ଧରେ ୧୬,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଶେଷରେ ୨୦୦୬ରେ ଶାନ୍ତି ସମ୍ମତିପତ୍ର ସ୍ୱାକ୍ଷରିତ ହୋଇ, ଗୃହଯୁଦ୍ଧର ସମାପ୍ତି ଘଟିଲା। ଏହାପରେ ୨୦୦୭ରେ Interim Constitution ଲାଗୁ ହେଲା ଏବଂ ୨୦୦୮ରେ ରାଜତନ୍ତ୍ରର ସମାପ୍ତି ଘଟି, ନେପାଳକୁ ଏକ ସଙ୍ଘୀୟ ଗଣତାନ୍ତ୍ରିକ ଗଣରାଜ୍ୟ ଘୋଷଣା କରାଯାଇଥିଲା। ସମ୍ବିଧାନ ରଚନା ପାଇଁ ନିର୍ବାଚିତ ସମ୍ବିଧାନ ସଭା (CA)ର ଗଠନ କରାଗଲା। ପ୍ରଥମ ସଭା (୨୦୦୮ - ୨୦୧୨) ସଙ୍ଘୀୟ ଢାଞ୍ଚା ଓ identity politics ଉପରେ ସମ୍ମତି ନହେବା କାରଣରୁ CA କୌଣସି ସମ୍ବିଧାନ ନିର୍ମାଣ କରିପାରିଲା ନାହିଁ ଏବଂ ଶେଷରେ ଏହାକୁ ଭଙ୍ଗ କରାଯାଇଥିଲା। ଦ୍ୱିତୀୟ ସଭା ୨୦୧୩ରେ ବଛାଗଲା ଏବଂ ସମ୍ବିଧାନ ନିର୍ମାଣର ଦାୟିତ୍ଵ ପୁନର୍ବାର ଗ୍ରହଣ କରାଗଲା। ବର୍ଷେରୁ ଅଧିକ ବିଳମ୍ବ ଏବଂ ଅସମ୍ମତି ସତ୍ତ୍ୱେ ୨୦୧୫ର ଦୁଇଟି ଘଟଣା ସମ୍ବିଧାନ ନିର୍ମାଣକୁ ଗତି ଦେଇଥିଲା। ପ୍ରଥମ, ଏପ୍ରିଲ ୨୦୧୫ର ଭୟାବହ ନେପାଳ ଭୂମିକମ୍ପ, ଯେଉଁଥିରେ ପାଖାପାଖି ୯,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ଦ୍ୱିତୀୟ, ମଧେଶୀ ଓ ଜନଜାତି ଗୋଷ୍ଠୀମାନଙ୍କର ଲଗାତାର ଚାପ। ଶେଷରେ, ୨୦ ସେପ୍ଟେମ୍ବର ୨୦୧୫ରେ ନେପାଳ ସମ୍ବିଧାନକୁ ଔପଚାରିକ ଭାବେ ଜାରି କରାଗଲା। ଏହି ସମ୍ବିଧାନରେ ନେପାଳକୁ ଏକ ସଂଘୀୟ ଗଣତନ୍ତ୍ର ଭାବେ ସ୍ଥାପିତ କରାଯିବା ସହ ଦେଶକୁ ୭ଟି ପ୍ରାନ୍ତରେ ବିଭକ୍ତ କରାଯାଇଛି ଏବଂ ସମସ୍ତ ପ୍ରାନ୍ତର ନିଜସ୍ୱ ବିଧାନମଣ୍ଡଳ ଓ ସରକାର ରହିଛି। ସମାନତା, ସାମାଜିକ ନ୍ୟାୟ, ବାକ୍/ପ୍ରେସ୍ର ସ୍ୱାଧୀନତା, ଶିକ୍ଷା ଓ ସ୍ୱାସ୍ଥ୍ୟ, ଏହି ସବୁକୁ ମୌଳିକ ଅଧିକାର ଭାବେ ସୁନିଶ୍ଚିତ କରା ଯାଇଛି। ନାରୀ, ଦଳିତ, ଆଦିବାସୀ, ମଧେଶୀ ଓ ଅନ୍ୟାନ୍ୟ ବଞ୍ଚିତ ଗୋଷ୍ଠୀଙ୍କୁ ମୁଖ୍ୟଧାରାରେ ସାମିଲ୍ କରିବା ପାଇଁ ବିଶେଷ ଜୋର୍ ଦିଆଯାଇଛି। ଏହି ସମ୍ବିଧାନରେ ଶାସନ ପ୍ରଣାଳୀ ସଂସଦୀୟ, ପ୍ରଧାନମନ୍ତ୍ରୀ କାର୍ଯ୍ୟନିର୍ବାହୀ ପ୍ରଧାନ ଏବଂ ରାଷ୍ଟ୍ରପତି ରାଷ୍ଟ୍ରପ୍ରମୁଖ୍ୟ ଅଟନ୍ତି। ନ୍ୟାୟପାଳିକା ସ୍ୱାଧୀନ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ତାହାର ଶୀର୍ଷରେ ରହିଛି। ତଥାପି ସମ୍ବିଧାନକୁ ନେଇ ବିବାଦ ଓ ଅସନ୍ତୋଷ ଲାଗି ରହିଛି। ମଧେଶୀ, ଥାରୁ ଓ ଅନ୍ୟାନ୍ୟ ଜନଜାତି ଗୋଷ୍ଠୀମାନେ ଅଭିଯୋଗ କରନ୍ତି ଯେ ମୁଖ୍ୟଧାରାର ରାଜନୀତିରେ ଦଳିତ ଏବଂ ଜନଜାତି ଗୁଡ଼ିକର କେବଳ ଯେ ଭାଗିଦାରୀ କମ୍ ତା' ନୁହେଁ, ବରଂ କେନ୍ଦ୍ରୀୟ ଶାସନ ସେମାନଙ୍କୁ ଅଣଦେଖା ମଧ୍ୟ କରିଥାଏ। ସେହିପରି ନାରୀ ମାନଙ୍କର ନାଗରିକ ଅଧିକାରକୁ ମଧ୍ୟ ଅବହେଳା କରାଯାଉଛି।
୨୦୧୫ରେ ନେପାଳ ସମ୍ବିଧାନ ପ୍ରଣୟନ ହେବା ପରେ କେବଳ ରାଜନୀତି ନୁହେଁ ଦେଶର ମଧ୍ୟ ଏକ ନୂଆ ଯାତ୍ରା ଆରମ୍ଭ ହେଲା। ରାଷ୍ଟ୍ରପତି ପ୍ରଣାଳୀ ପରିବର୍ତ୍ତେ ସାଂସଦୀୟ ବ୍ୟବସ୍ଥାକୁ ଗ୍ରହଣ କରାଗଲା, କିନ୍ତୁ ସରକାରଙ୍କ ଅସ୍ଥିରତା ସବୁଠୁ ବଡ଼ ଚିନ୍ତାର ବିଷୟ ହୋଇ ରହିଲା। ସମ୍ବିଧାନ ପ୍ରଣୟନ ହେବା ପରେ ସୁଶିଲ କୋଇରାଲାଙ୍କ ସ୍ଥାନରେ କେ.ପି. ଶର୍ମା ଓଲି ପ୍ରଧାନମନ୍ତ୍ରୀ ହେଲେ। ତା' ପରେ ପ୍ରଚଣ୍ଡ (ପୁଷ୍ପକମଳ ଦାହାଲ) ଓ ଶେରବାହାଦୁର ଦେଉବା ମଧ୍ୟ ଗଠବନ୍ଧନର ସରକାର ଚଲାଇଲେ। ୨୦୧୭ରେ ପ୍ରଥମଥର ପାଇଁ ସଂସଦ ଓ ସାତଟି ପ୍ରାନ୍ତୀୟ ସଭାରେ ସାଧାରଣ ନିର୍ବାଚନ ହେଲା। ଏହି ନିର୍ବାଚନରେ CPN-UML ଓ ବାମ ମୋର୍ଚ୍ଚାକୁ ବହୁମତ ମିଳିଲା ଏବଂ ଓଲି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେଲେ। ବହୁମତ ସତ୍ତ୍ୱେ ୨୦୨୦-୨୧ରେ ଓଲିଙ୍କ ସରକାର ଭାଙ୍ଗିବା ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ସରକାର ପୁନଃସ୍ଥାପନ କରାଯିବାରୁ ରାଜନୈତିକ ଅସ୍ଥିରତା ଆହୁରି ଗଭୀର ହୋଇଥିଲା। ନ୍ୟାୟାଳୟଙ୍କ ଆଦେଶରେ ଜୁଲାଇ ୨୦୨୧ରେ ଶେରବାହାଦୁର ଦେଉବା ପ୍ରଧାନମନ୍ତ୍ରୀ ହେଲେ। ୨୦୨୨ର ସାଧାରଣ ନିର୍ବାଚନରେ କୌଣସି ଦଳ ସ୍ପଷ୍ଟ ବହୁମତ ଆଣିପାରିଲାନି ଏବଂ ପୁଣି ଗଠବନ୍ଧନର ରାଜନୀତି ଆଗକୁ ଆସିଲା ଓ ପ୍ରଚଣ୍ଡ ତୃତୀୟଥର ପ୍ରଧାନମନ୍ତ୍ରୀ ହେଲେ। କିନ୍ତୁ ଗଠବନ୍ଧନ ସରକାରରେ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଟଣାଓଟରା ତଥା ଯୁବ ଗୋଷ୍ଠୀ ମଧ୍ୟରେ ଲଗାତାର ବଢୁଥିବା ଅସନ୍ତୋଷ ସରକାରକୁ ଅସ୍ଥିର କରି ରଖିଲା। ୨୦୨୪ରେ ପୁଣି ଓଲି ସତ୍ତାକୁ ଫେରିଲେ। କିନ୍ତୁ ୨୦୨୫ରେ Gen–Z ର ବ୍ୟାପକ ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ ସେ ଇସ୍ତଫା ଦେବାକୁ ବାଧ୍ୟ ହେଲେ। ଏସବୁ ଘଟଣାବଳୀକୁ ଲକ୍ଷ୍ଯ କଲେ ଜଣାପଡ଼େ ଯେ, ଗଣତାନ୍ତ୍ରିକ ହେଲେ ମଧ୍ୟ, ଦଳଗତ ସଂଘର୍ଷ ତଥା କ୍ଷେତ୍ରୀୟ, ଜନଜାତି ଓ ଯୁବଗୋଷ୍ଠୀର ଅସନ୍ତୋଷ ନେପାଳର ରାଜନୀତିକୁ ସଦା ସର୍ବଦା ପ୍ରଭାବିତ ଓ ଅସ୍ଥିର କରି ଆସୁଛି।
ଚଳିତ ସେପ୍ଟେମ୍ବରରେ ନେପାଳରେ ଯେଉଁ ଜନ ଆନ୍ଦୋଳନ ଆମେ ଦେଖିଲେ ଇତିହାସ ତାକୁ “Gen -Z ବିଦ୍ରୋହ” ଭାବରେ ମନେରଖିବ। ପୃଥିବୀର ଅନେକ ଖବର ପ୍ରଦାନକାରୀ ସ°ସ୍ଥା ଏହି ଆନ୍ଦୋଳନ ଆରମ୍ଭ ହେବା ପଛରେ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସରକାରଙ୍କର ହଠାତ୍ କରି ୨୦ରୁ ଅଧିକ ସୋସିଆଲ ମିଡିଆ ପ୍ଲାଟଫର୍ମ୍ରେ ପ୍ରତିବନ୍ଧ ଲଗାଇବାକୁ ହେଡ୍ଲାଇନ୍ କରିଥିଲେ। ସରକାରଙ୍କ ତର୍କ ଥିଲା, ଏହି ମଞ୍ଚଗୁଡିକ ନୂଆ ରାଷ୍ଟ୍ରୀୟ ନିୟମାବଳୀରେ ପଞ୍ଜିକୃତ ହୋଇନଥିଲେ। କିନ୍ତୁ ଏହି ନିର୍ଣ୍ଣୟ ଯୁବପିଢିଙ୍କ ପାଇଁ ସେମାନଙ୍କର ଅଭିବ୍ୟକ୍ତି ଓ ଯୋଗାଯୋଗର ସ୍ୱାଧୀନତାରେ ସିଧାସଳଖ ଆଘାତ ଏବଂ ପ୍ରତିବନ୍ଧକ ସଦୃଶ ଥିଲା। ସରକାରଙ୍କ ଏହି ପ୍ରତିବନ୍ଧକ ଅଗ୍ନିର ଗୋଟିଏ ସ୍ଫୁଲିଙ୍ଗ ସାବ୍ୟସ୍ତ ହେଲା, ଯାହା ଦୀର୍ଘଦିନ ଧରି ଭିତରେ–ଭିତରେ କୁହୁଳୁଥିବା ଅସନ୍ତୋଷର ପୃଷ୍ଠଭୂମିରେ ନିଆଁ ଲଗାଇବା ପାଇଁ ଯଥେଷ୍ଟ ଥିଲା। ରାସ୍ତାକୁ ଓହ୍ଲାଇଥିବା ଯୁବକ ବା Gen-Zଙ୍କ ଆକ୍ରୋଶ କେବଳ ସୋସିଆଲ ମିଡିଆ ଉପରେ ଲାଗିଥିବା ପ୍ରତିବନ୍ଧକ ପର୍ଯ୍ୟନ୍ତ ସୀମିତ ନଥିଲା। ପ୍ରକୃତରେ ଏହା ଥିଲା ଦୁର୍ନୀତି, ପରିବାରବାଦ, ବେକାରୀ ଏବଂ ସାଧାରଣ ଜନତାଙ୍କ ପାଇଁ ସୁଯୋଗର ଅଭାବ ବିରୋଧରେ ଆକ୍ରୋଶ ଓ ଆନ୍ଦୋଳନ। ଗତ କିଛି ସପ୍ତାହ ଧରି ନେପାଳରେ ରାଜନେତାମାନଙ୍କ ସନ୍ତାନମାନଙ୍କର ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ ଓ ସାଧାରଣ ନାଗରିକଙ୍କର ସଂଘର୍ଷପୂର୍ଣ୍ଣ ଜୀବନ ମଧ୍ୟରେ ଥିବା ତାରତମ୍ୟ ସୋସିଆଲ ମିଡିଆ ପୋଷ୍ଟ୍ ଗୁଡ଼ିକ ମାଧ୍ୟମରେ ଅଧିକରୁ ଅଧିକ ସ୍ପଷ୍ଟ ହେଉଥିଲା। କିଛି ଦିନ ଧରି “ହ୍ୟାସ୍ ଟ୍ୟାଗ୍ ନେପୋ କିଡ୍ସ” ଏବଂ “ହ୍ୟାସ୍ ଟ୍ୟାଗ୍ ନେପୋ ବେବିଜ୍” ପରି ଶବ୍ଦମାନେ ସୋସିଲ୍ ମିଡିଆରେ ଟ୍ରେଣ୍ଡ୍ କରୁଥିଲା। ପ୍ରଦର୍ଶନୀ ସମୟରେ ମଧ୍ୟ ଯୁବପିଢିଙ୍କ ନାରାବାଜିରେ ଏହି ଶବ୍ଦ ଗୁଡିକୁ ଲକ୍ଷ୍ୟ କରା ଯାଇଥିଲା। ଭୀଷଣ ବେକାରୀ (ବେରୋଜଗାରୀ) ଏବଂ ପ୍ରତିବର୍ଷ ରୋଜଗାର ଆଶାରେ ହଜାରର ହଜାର ନେପାଳି ଯୁବକଙ୍କ ଦେଶ ଛାଡ଼ି ପଳାୟନ କରିବା, ଦେଶର ବର୍ତ୍ତମାନର ଯୁବପିଢି ଭିତରେ ପ୍ରବଳ ଅସନ୍ତୋଷ ଓ ନିରାଶାରେ କାରଣ ହୋଇ ଆସୁଥିଲା ଏବଂ ଏହା ହିଁ ଏହି Gen-Z ଆନ୍ଦୋଳନର ପ୍ରକୃତ କାରଣ ଥିଲା। ଆହୁରି ମଧ୍ଯ ସୋସିଆଲ ମିଡିଆ ଯେ କେବଳ ନେପାଳୀ ଯୁବପିଢି ପାଇଁ ଅଭିବ୍ୟକ୍ତିର ମାଧ୍ୟମ ଥିଲା ତା’ ନୁହେଁ, ଏହାରି ସାହାଯ୍ୟରେ ସେମାନେ ନିଜର ପର୍ଯ୍ୟଟନ ଏବଂ ହୋଟେଲ୍ ବ୍ୟବସାୟର ପ୍ରଚାର ପ୍ରସାର ମଧ୍ୟ କରୁଥିଲେ। ଯାହା ତାଙ୍କର ରୋଜଗାରର ମାଧ୍ୟମ ଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ବ୍ୟାନ କରିବା ଦ୍ୱାରା ସରକାର ତାଙ୍କ ରୋଜଗାରର ପନ୍ଥାକୁ ବାଧା ଦେଉଛି ବୋଲି ମଧ୍ୟ ଅନେକ ଯୁବକ ଆରୋପ ଲଗାଇ ଥିଲେ।
ଏହି ଆନ୍ଦୋଳନ କୌଣସି ଗୋଟିଏ ସଂଗଠନ କିମ୍ବା ନେତାଙ୍କ ନେତୃତ୍ୱରେ ସୃଷ୍ଟି ହୋଇନଥିଲା, ବରଂ ବିକେନ୍ଦ୍ରୀକୃତ ଏବଂ ସ୍ୱତଃସ୍ଫୂର୍ତ୍ତ ଭାବରେ ଦେଶର ବିଭନ୍ନ ଅଞ୍ଚଳରୁ ମୁଣ୍ଡ ଟେକିଥିଲା। ତଥାପି, “ହାମି ନେପାଲ” ପରି କେତେକ ସଂଗଠନକୁ ଏହି ଆନ୍ଦୋଳନର ଆବାହକ ଏବଂ ଯୁବପିଢିର ପଥ ପ୍ରଦର୍ଶକ ଭାବରେ ଦେଖା ଯାଉଛି। ରିପୋର୍ଟ ଅନୁସାରେ ‘ହାମି ନେପାଲ’ ହେଉଛି ଏକ NGO ସ°ସ୍ଥା, ଯାହାର ଆରମ୍ଭ ୨୦୧୫ ମସିହାରେ ସୁଦାନ ଗୁରୁଙ୍ଗଙ୍କ ଦ୍ବାରା ହୋଇଥିଲା। ୩୮ ବର୍ଷୀୟ (କେଉଁଠି କେଉଁଠି ୩୬ ବର୍ଷ ମଧ୍ୟ ଉଲ୍ଲେଖ ରହିଛି) ଗୁରୁଙ୍ଗ୍ ପ୍ରକୃତରେ ଗୋଟିଏ ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ ସ°ସ୍ଥାରେ କାମ କରୁଥିଲେ, ସେ ଜଣେ ପେଶାଦାର DJ ଏବଂ ତାଙ୍କର OMG ନାମକ ନାଇଟ୍ କ୍ଲବ୍ ମଧ୍ୟ ରହିଛି। କିନ୍ତୁ ୨୦୧୫ ନେପାଳର ଭୟାବହ ଭୂମିକମ୍ପ ସମୟରେ ଯେତେବେଳେ ସେ ଦେଶର ଆପାତକାଳୀନ ପରିଚାଳନାର ବିପର୍ଯ୍ୟସ୍ତ ଅବସ୍ଥା ଦେଖିଲେ, ସେ ନିଜେ ଗୋଟିଏ ରାପିଡ୍ ରେସ୍ପନ୍ସ ଟିମ୍ ଏବଂ post-earthquake rehabilitation ପ୍ରୋଜେକ୍ଟ ହାତକୁ ନେଲେ ଏବଂ ହାମି ନେପାଳର ପ୍ରତିଷ୍ଠା କଲେ। ସେତେବେଳେ ସେ ସୋସିଆଲ ମିଡ଼ିଆ ମାଧ୍ୟମରେ ୨୦୦ଜଣ ସ୍ବେଚ୍ଛାସେବୀଙ୍କୁ ଏକାଠି କରି ପାରିଥିଲେ। ଏମିତିକି ତାଙ୍କ NGO କୋଭିଡ୍-୧୯ ଏବଂ ତୁର୍କୀରେ ଘଟିଥିବା ଭୟଙ୍କର ଭୂମିକମ୍ପ ପରେ ମଧ୍ୟ ସହାୟତାର ହାତ ବଢାଇ ଦେଇଥିଲା। କେବଳ ଏଇଥର ନୁହେଁ ଗୁରୁଙ୍ଗ୍ ୟା ଆଗରୁ ମଧ୍ୟ ଅନେକ ଥର ବିଭିନ୍ନ ବିରୋଧ ପ୍ରଦର୍ଶନର ଆୟୋଜନ କରିଛନ୍ତି। ଏଥର ମଧ୍ୟ ଗୁରୁଙ୍ଗ୍, ସରକାରଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍ କରିବାକୁ ନେଇ ସେପ୍ଟେମ୍ବର ୮ ତାରିଖରେ Maitighar Mandala ଠାରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନର ଆହ୍ବାନ ଦେଇଥିଲେ। ପ୍ରଦର୍ଶନୀ ପୂର୍ବରୁ ଯୁବପିଢି ସହ ଯୋଗାଯୋଗ ଏବଂ ସେମାନଙ୍କୁ ଏକାଠି କରିବା ପାଇଁ Instagram, Discord, TikTok ଏମିତିକି VPN ଏବଂ encrypted applications ର ମଧ୍ୟ ସାହାଯ୍ୟ ନିଆଯାଇଥିଲା। ବିରୋଧ ପ୍ରଦର୍ଶନ ପୂର୍ବରୁ “how to protest” କରି ଭିଡ଼ିଓ ମଧ୍ୟ ସେୟାର କରା ଯାଇଥିଲା। ଏ ବିରୋଧ ଯେ ଶାନ୍ତିପୂର୍ଣ୍ଣ ସରକାରଙ୍କ ସାମ୍ନାରେ ସେହି ବାର୍ତ୍ତା ରଖିବା ପାଇଁ ଗୁରୁଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ୟୁନିଫର୍ମରେ ଆସିବା ପାଇଁ ପରାମର୍ଶ ଦେବା ସହ ବହି, ବ୍ୟାଗ୍ ଏବଂ ପାଣି-ବଟଲ୍ ଆଣିବା ପାଇଁ ଅନୁରୋଧ କରିଥିଲେ।
୨୦୨୨ରେ ଶ୍ରୀଲଙ୍କା ଏବଂ ୨୦୨୪ରେ ବା°ଲାଦେଶରେ ଛାତ୍ର ମାନଙ୍କ ଆନ୍ଦୋଳନ ଦ୍ବାରା ଦେଶର ଶାସନତନ୍ତ୍ର ଧ୍ବସ୍ତ ହେବା ଦେଖିଥିଲେ ସୁଦ୍ଧା, ସେପ୍ଟେମ୍ବର ୮, Gen-Z ଆନ୍ଦୋଳନ ଆରମ୍ଭ ହେବା ପର୍ଯ୍ୟନ୍ତ ବି କେପି ଶର୍ମା ଓଲି ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ନଥିଲେ ଏବଂ ଏହି ଛାତ୍ର ଆନ୍ଦୋଳନ ଅଚିରେ ଅର୍ଥହୀନ ହୋଇଯିବ ଓ ଭାଙ୍ଗି ଯିବ ବୋଲି ମତ ରଖୁଥିଲେ। କିନ୍ତୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ସ୍ଥିତି ସେତେବେଳେ ଗୁରୁତର ହୋଇଥିଲା ଯେତେବେଳେ ସ°ସଦ ଆଡ଼କୁ ଆଗଉଥିବା ପ୍ରଦର୍ଶନକାରୀଙ୍କ ଉପରକୁ ପୁଲିସ୍ ଓ୍ବାଟରକ୍ୟାନନ୍, ଟିଅର-ଗ୍ୟାସ୍ ଏବଂ ରବର ଗୁଳିର ପ୍ରୟୋଗ କରିବା ସହ କିଛି ସ୍ଥାନରେ ସତସତିକା/ଲାଇଭ୍ ଗୁଳିର ବ୍ୟବହାର କରିଥିଲା ଏବଂ ୧୯ ଜଣ ଆନ୍ଦୋଳନକାରୀ ମୃତ୍ୟୁବରଣ କରିଥିଲେ ଏବଂ ଶତାଧିକ ଛାତ୍ର ଆହତ ହୋଇଥିଲେ (ଗୁରୁବାର ସନ୍ଧ୍ୟା ସୁଦ୍ଧା ଆନ୍ଦୋଳନକାରୀଙ୍କ ମୃତ୍ୟୁ ସ°ଖ୍ୟା ୩୪ରେ ପହଞ୍ଚି ଥିଲା)।
ଏହାପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହି°ସକ ହୋଇ ପଡିଥିଲା। ଯଦିଓ ମଙ୍ଗଳବାର ଦିନ କର୍ଫ୍ୟୁ ଲଗାଇ ନେପାଳ ସରକାର ଆନ୍ଦୋଳନକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳେକୁ ଯୁବପିଢିର ଆକ୍ରୋଶ ଅଣାୟତ୍ତ ହୋଇସାରିଥିଲା। ମଙ୍ଗଳବାର, ୯ ସେପ୍ଟେମ୍ବର ଦ୍ବିପ୍ରହର ବେଳକୁ ଓଲିଙ୍କୁ ନିଜ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। କିନ୍ତୁ କ୍ଷୁବ୍ଧ ଆନ୍ଦୋଳନକାରୀ ମାନଙ୍କୁ ଶାନ୍ତ କରିବା ପାଇଁ ଏହା ଯଥେଷ୍ଟ ନଥିଲା। ସେମାନେ ସ°ସଦ ଭବନଠୁ ଆରମ୍ଭ କରି ଅନେକ କ୍ୟାବିନେଟ୍ ମନ୍ତ୍ରୀ, ଏମିତିକି ଓଲିଙ୍କ ବ୍ୟକ୍ତିଗତ ବାସଭବନରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ଉପରେ ମଧ୍ୟ ମାରଣାନ୍ତକ ଆକ୍ରମଣ କରିଛନ୍ତି। କେବଳ କ୍ୟାବିନେଟ୍ ମନ୍ତ୍ରୀ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ ନୁହନ୍ତି, ସେମାନେ ରାଷ୍ଟ୍ରପତି ରାମଚନ୍ଦ୍ର ପାଓଡଲ୍ଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଝାଲାନାଥ ଖନାଲ୍, ତାଙ୍କ ଧର୍ମପତ୍ନୀ ରାଜ୍ୟଲକ୍ଷ୍ମୀ ଚିତ୍ରକର, ପୂର୍ବତନ ପ୍ରଧାନମନ୍ତ୍ରୀ ଶେର୍ ବାହାଦୁର ଦେଉବା ଓ ତାଙ୍କ ଧର୍ମପତ୍ନୀ ତଥା ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର୍ଜୁ ରାଣା ଦେଉବାଙ୍କ ଆହତ ଓ କ୍ଷତାକ୍ତ ହେବାର ଭିଡ଼ିଓ ମଧ୍ୟ ସାମନାକୁ ଆସିଛି। କ୍ଷୁବ୍ଧ ଆନ୍ଦୋଳନକାରୀ ଅର୍ଥ ମନ୍ତ୍ରୀ ବିଷ୍ଣୁ ପାଉଦେଲ୍ଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡେଇବା ଏବଂ ଛାତିରେ ଲାତ ମାରିବାର ଭିଡ଼ିଓ ମଧ୍ୟ ଦେଖା ଯାଇଛି। ଶ୍ରୀଲଙ୍କା ତଥା ବା°ଲାଦେଶ ଜନ ଆନ୍ଦୋଳନ ଏବଂ ସରକାର ଭାଙ୍ଗିବା ପରେ ଯେମିତି ବିକ୍ଷୋଭକାରୀ ସରକାରୀ ଜିନିଷ ଏବଂ ଆସବାବପତ୍ର ବୋହି ନେଇଥିଲେ, ସେମିତିକା କିଛି ଦୃଶ୍ୟ ମଧ୍ୟ ନେପାଳରେ ଦେଖିବା ପାଇଁ ମିଳିଛି। ନିଜ ଅଧିକାର ଓ ଜୀବନ-ଜୀବିକା ପାଇଁ ପ୍ରଦର୍ଶନ ଓ ପ୍ରତିବାଦ କରିବା ପାଇଁ ମୁଣ୍ଡ ଟେକିଥିବା ଶାନ୍ତିପୂର୍ଣ୍ଣ Gen-Z ଆନ୍ଦୋଳନ ହଠାତ୍ ଗୋଟାଏ ଅଣାୟତ୍ତ ହି°ସକ ଆନ୍ଦୋଳନର ରୂପ ନେବା ପୃଥିବୀର ଅନେକ ବୁଦ୍ଧିଜୀବୀ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ବାସ ରଖୁଥିବା, ସମ୍ବେଦନଶୀଳ ବ୍ୟକ୍ତିଙ୍କ ମଧ୍ୟରେ ଚିନ୍ତା ଓ ଆଲୋଚନାର ବିଷୟ ପାଲଟିଛି।
ମଙ୍ଗଳବାର, ଅର୍ଥାତ୍ ୯ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା, ରାଷ୍ଟ୍ରପତିଙ୍କ ଆଦେଶ ଅନୁସାରେ ନେପାଳ ସେନା ସମ୍ପୂର୍ଣ୍ଣ ମାମଲାକୁ ନିଜ ଅଧିନକୁ ନେବା ସହ ରାଜଧାନୀ କାଠମାଣ୍ଡୁ ଏବଂ ଆଖପାଖ ଅଞ୍ଚଳର ରାସ୍ତା ଏବଂ ସାର୍ବଜନୀନ ସ୍ଥାନକୁ ନିଜ ଛାଉଣୀରେ ପରିଣତ କରି ଦେଇଛି। ବୁଧବାର କର୍ଫ୍ୟୁ ଜାରୀ କରି, ସେନା ସମସ୍ତଙ୍କୁ ଘରେ ରହିବା ପାଇଁ ଆଦେଶ ଦେଇଛି। ଯଦିଓ ଗୁରୁବାର ସନ୍ଧ୍ୟା ସୁଦ୍ଧା ସେନା ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ଯାତାୟାତ ପାଇଁ ଅନୁମତି ଦେଇଛି, କିନ୍ତୁ ଏହି ସମୟରେ କୌଣସି ବ୍ୟକ୍ତି କିମ୍ବା ସମୂହ ଦ୍ବାରା କୌଣସି ପ୍ରକାର ପ୍ରଦର୍ଶନ ଏବଂ ସରକାରୀ କିମ୍ବା ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଦଣ୍ଡନୀୟ ଅପରାଧ ବୋଲି ମଧ୍ୟ ଘୋଷଣା କରିଛି। ଯଦିଓ ସେନା ନେପାଳର ରାସ୍ତାଘାଟ ଏବଂ ସାର୍ବଜନୀନ ସ୍ଥାନ ଏବଂ ଦେଶର ପରିଚାଳନା ବ୍ୟବସ୍ଥାକୁ ନିଜ ତଦାରଖରେ ରଖିଛି, କିନ୍ତୁ ନେପାଳ ସମ୍ବିଧାନର ସ°ଘୀୟ ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ହିଁ ଦେଶର ସେନାର ସୁପ୍ରିମ୍ କମାଣ୍ଡର୍ ଅଟନ୍ତି। ତେଣୁ ବର୍ତ୍ତମାନ ସୁଦ୍ଧା ନେପାଳରେ ମ୍ୟାନ୍ମାର୍, ଶ୍ରୀଲଙ୍କା କିମ୍ବା ବା°ଲାଦେଶ ପରି ଶାସନ ଡୋର ସେନା ହାତକୁ ଯିବା ପରି ଆଶଙ୍କା ଦେଖା ଯାଇ ନାହିଁ। ରାଷ୍ଟ୍ରପତି ହିଁ ସେନା ସହାୟତାରେ ଦେଶର ଶାସନଭାର ତୁଲାଉଛନ୍ତି। ଏପର୍ଯ୍ୟନ୍ତ ରାଜନୈତିକ ଦଳ ଗୁଡିକର ନିଜନିଜ ଭିତରେ ଅସହମତି କାରଣରୁ ମଧ୍ୟବର୍ତ୍ତୀ ସରକାର ବନି ପାରି ନାହିଁ କିମ୍ବା କାହାକୁ କାମଚଳା ପ୍ରଧାନମନ୍ତ୍ରୀ ବଛା ଯାଇ ପାରି ନାହିଁ। ଏବଂ ଯେହେତୁ ସାଧାରଣ ନାଗରିକଙ୍କ ମତରେ ବର୍ତମାନର ରାଷ୍ଟ୍ରପତି ରାମଚନ୍ଦ୍ର ପାଓଡଲ୍ ସ୍ବୟଂ ଶାସକ ଦଳର ସମର୍ଥକ ତେଣୁ ତାଙ୍କ ଉପରେ ମଧ୍ୟ ଆନ୍ଦୋଳନକାରୀ Gen-Z ଭରସା ରଖି ପାରୁ ନାହାଁନ୍ତି। ବିଶେଷଜ୍ଞଙ୍କ ମତରେ ଯଦିଓ ଏବେ ସର୍ବସମ୍ମତି କ୍ରମେ ମଧ୍ୟବର୍ତ୍ତୀ ସରକାର ତିଆରି ହୁଏ ତା’ ହେଲେ ମଧ୍ୟ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ସେଇ ବର୍ତ୍ତମାନର ସା°ସଦ ମାନଙ୍କ ଭିତରୁ ହିଁ କେହି ହେବେ। ତେଣୁ ଆନ୍ଦୋଳନକାରୀଙ୍କ ଅସନ୍ତୋଷକୁ ନଜରରେ ରଖି ମଧ୍ୟବର୍ତ୍ତୀକାଳୀନ ସରକାର ପାଇଁ ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀ (ନେପାଳର ପ୍ରଥମ ମହିଳା ମୁଖ୍ୟ ବିଚାରପତି)ଙ୍କ ନାଁ ମଧ୍ୟ ପ୍ରସ୍ତାବିତ ହୋଇଛି।
ବର୍ତ୍ତମାନ ନେପାଳର Gen-Z ଆନ୍ଦୋଳନ ଯେଉଁ ପ୍ରକାର ମୋଡ଼ ଓ ରୂପ ନେଇଛି ତାହା ସାମାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍ କରାଯିବା କାରଣକୁ ନେଇ ଆରମ୍ଭ ହୋଇଥିବା ପ୍ରଥମ ଆକଳନକୁ ଭୁଲ ପ୍ରମାଣିତ କରି ସାରିଛି। ଯଦିଓ ବର୍ତ୍ତମାନ ସୁଦ୍ଧା ଆଗକୁ ଏହା କେଉଁ ଦିଗରେ ଯିବ ଏବଂ ନେପାଳର ଶାସନତନ୍ତ୍ରର ଗତି କ’ଣ ହେବ ଆକଳନ କରିବା ମୁସ୍କିଲ୍, କିନ୍ତୁ ଏହା ଭିତରେ ଏମିତି ଅନେକ କିଛି ଚେହେରା ଓ ଘଟଣା ସାମ୍ନାକୁ ଆସିଛି, ଯାହା ନେପାଳରେ ଆଜି ଦେଖାଯାଇଥିବା ଅସ୍ଥିରତା ଏବଂ ଆନ୍ଦୋଳନକାରୀ Gen-Zଙ୍କ ବିଚାରବୋଧର ପରୀକ୍ଷାର ଘଡ଼ି ବୋଲି ସ୍ପଷ୍ଟ ହେଉଛି। ଆସନ୍ତା ପ୍ରଧାନମନ୍ତ୍ରୀ କିମ୍ବା ଦେଶର ଶାସନ ଡୋର ସମ୍ଭାଳିବା ପାଇଁ କେବଳ ଯେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀଙ୍କ ନାଁ ସାମ୍ନାକୁ ଆସିଛି ତା' ନୁହେଁ, ଏ ଭିତରେ କାଠମାଣ୍ଡୁ ମେୟର ଓ ଯୁବନେତା ବାଲେନ୍ ଶାହ ଏବଂ ଲାଇଟ୍ମ୍ୟାନ୍ ଭାବେ ପରିଚିତ କୁଲ୍ମାନ୍ ଘିସି°ଙ୍କ ନାଁ ମଧ୍ୟ ଆଲୋଚନାରେ ରହିଛି। ନେପାଳର କିଛି ଖବର ପ୍ରଦାନକାରୀ ସ°ସ୍ଥାଙ୍କ ଅନୁସାରେ ଏବେ ମଧ୍ୟ ଆନ୍ଦୋଳନକାରୀ ହଜାର ହଜାର ଯୁବକ Discord ନାମକ ସୋସିଆଲ ମିଡିଆ ମେସେଜି° ପ୍ଲାଟଫର୍ମ ମାଧ୍ୟମରେ ଆଲୋଚନା ଜାରୀ ରଖିଛନ୍ତି ଯେ ପ୍ରଶାସନ ସହ କିଏ ଆଲୋଚନାରେ ଭାଗ ନେବେ ଏବଂ ଆଲୋଚନାର ବିଷୟବସ୍ତୁ କ’ଣ ରହିବ। ସେମାନଙ୍କ ପ୍ରସ୍ତାବିତ ଦାବି ଭିତରେ- ବର୍ତ୍ତମାନର ସ°ସଦକୁ ସମ୍ପୂର୍ଣ୍ଣ ଭାଙ୍ଗି ଆସନ୍ତା ଛ’ ମାସ କିମ୍ବା ବର୍ଷେ ଭିତରେ ସାଧାରଣ ନିର୍ବାଚନ କରିବା, ପ୍ରଧାନମନ୍ତ୍ରୀ ପଦ ପାଇଁ ନାଗରିକ ସିଧାସଳଖ ଭୋଟ ଦେବା ( ନେପାଳରେ ପ୍ରଚଳିତ ବର୍ତ୍ତମାନ ନିୟମ ଅନୁସାରେ ନିର୍ବାଚରେ ଜନତା ସା°ସଦ ବାଛି ଥା’ନ୍ତି ଏବଂ ନିର୍ବାଚିତ ସା°ସଦ ତାଙ୍କ ନେତାଙ୍କୁ ପ୍ରଧାନମନ୍ତ୍ରୀ ବାଛନ୍ତି), ଜଣେ ଅଧିକରୁ ଅଧିକ କେତେ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିବେ ତା’ ପାଇଁ ନିୟମ ବନାଇବା ଏବଂ ନିର୍ବାଚିତ ପାର୍ଲିଆମେଣ୍ଟର ଅବଧି ପାଞ୍ଚ ବର୍ଷରୁ କମାଇ ଚାରି ବର୍ଷ କରିବା ଆଦି ରହିଛି।
ଜନଆନ୍ଦୋଳନ, ଓଲିଙ୍କ ଇସ୍ତଫା, ସେନା ଛାଉଣୀ, ମଧ୍ୟବର୍ତ୍ତୀକାଳୀନ ସରକାର, ସାଧାରଣ ନିର୍ବାଚନ, ଏସବୁ ଭିତରେ ପୁଣି କିଛି ଲୋକ ନେପାଳକୁ ରାଜତନ୍ତ୍ର ଫେରିବ ବୋଲି ମଧ୍ୟ ଆଶଙ୍କା ପ୍ରକଟ କରିଛନ୍ତି। କାରଣ ଏସବୁ ଭିତରେ ପୁଣି ପୂର୍ବତନ ରାଜା ୭୭ ବର୍ଷୀୟ ଜ୍ଞାନେନ୍ଦ୍ର ଶାହଙ୍କ ନାଁ ଉଠିବା ଏବଂ ତାଙ୍କୁ ଏଇ ବର୍ଷ ମାର୍ଚ୍ଚରେ କାଠମାଣ୍ଡୁର ସାର୍ବଜନୀନ ସ୍ଥାନରେ ଦେଖାଯିବା ଦର୍ଶାଯାଇଛି। ସେମିତି ପ୍ରଧାନମନ୍ତ୍ରୀ ପଦ ପାଇଁ ସାଧାରଣ ନିର୍ବାଚନରେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀ ଏବଂ ଲାଇଟ୍ମ୍ୟାନ୍ କୁଲ୍ମାନ୍ ଘିସି° ଯିଏକି ନେପାଳ ଇଲେକ୍ଟ୍ରିସିଟି ଅଥରିଟିରେ ନିଜ କାର୍ଯ୍ୟକାଳ ଭିତରେ ନେପାଳର ଦୀର୍ଘ ବର୍ଷର ଲୋଡ୍ ସେଡି° ସମସ୍ୟାର ସମାଧାନ କରିଥିଲେ ତାଙ୍କ ନାଁ ଆଗରେ ରହିଛି। କିନ୍ତୁ ଆଉ ଗୋଟିଏ ନାଁ ଯାହା ଚର୍ଚ୍ଚାରେ ରହିବା ସହ ବିଶେଷଜ୍ଞ ମାନଙ୍କ ବିଶେଷ ଚିନ୍ତାର ବିଷୟ ରହିଛି ତାହା ହେଉଛି ୩୬ ବର୍ଷୀୟ ନେତା ବାଲେନ୍ ଶାହ ବା ବାଲେନ୍ଦ୍ର ଶାହ। ଶାହ ପୂର୍ବରୁ ଜଣେ ରାପର ଥିଲେ, ଯିଏକି ପ୍ରଥମରୁ ହିଁ ନିଜ ଗୀତ ଓ କଳା ମାଧ୍ୟମରେ ଭ୍ରଷ୍ଟାଚାର ଓ ଅସମାନତା ବିରୋଧରେ ସ୍ବର ଉତ୍ତୋଳନ କରି ଖୁବ୍ ଲୋକପ୍ରିୟ ହୋଇଥିଲେ। ୨୦୨୨ ମସିହାରେ ସେ ଜଣେ ନିର୍ଦ୍ଦଳୀୟ ଭାବରେ କାଠମାଣ୍ଡୁର ମେୟର ନିର୍ବାଚିତ ହୋଇଥିଲେ ଏବଂ ଏବେବି ଏହି Gen-Z ଆନ୍ଦୋଳନ ସମୟରେ ଏହାକୁ ସମର୍ଥନ କରି ବାରମ୍ବାର ସୋସିଆଲ ମିଡିଆରେ ପୋଷ୍ଟ୍ ସେୟାର କରୁଛନ୍ତି। ଯଦିଓ ଯୁବପିଢି ଏବଂ Gen-Z ଆନ୍ଦୋଳନକାରୀଙ୍କ ଭିତରେ ଶାହ ଲୋକପ୍ରିୟ କିନ୍ତୁ ମେୟର ହେବା ପରେ ତାଙ୍କ କାର୍ଯକଳାପ ମଧ୍ୟ ଖୁବ୍ ସମାଲୋଚିତ ହୋଇଛି। ନିଜ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ଖୁଚୁରା ବେପାରୀ/ ରାସ୍ତାକଡ ଭେଣ୍ଡର, NGO, ସାମାଜ ସୁଧାରକ କର୍ମୀ ଏବଂ ବୁଦ୍ଧିଜୀବୀ ବିରୋଧୀ କାର୍ଯ୍ୟକଳାପ ବହୁଳ ଭାବେ ସମାଲୋଚନାର ଶିକାର ହେବା ସହ ଅସନ୍ତୋଷର ମଧ୍ୟ କାରଣ ସାଜିଛି। ସେମିତି ବୁଦ୍ଧିଜୀବୀଙ୍କ ମତରେ ଶାହ ଜଣେ ପ୍ରଚଣ୍ଡ ରାଷ୍ଟ୍ରବାଦୀ ଓ ସେ ବାରମ୍ବାର Greater Nepal ନିର୍ମାଣ ଉପରେ ଜୋର୍ ଦେଇଛନ୍ତି। ଏହି ଗ୍ରେଟ୍ ନେପାଲ ମାଧ୍ୟମରେ ନେପାଳ ରାଜନୈତିକ ସୀମାକୁ ତା’ର ପୂର୍ବାବସ୍ଥାକୁ ଫେରାଇ ଆଣିବା, ଅର୍ଥାତ୍ ବର୍ତ୍ତମାନ ଭାରତ ସୀମା ଭିତରେ ଥିବା ନେପାଳର ପୂର୍ବ ଇଲାକା ଗୁଡିକୁ ନେପାଳର ରାଜନୈତିକ ମ୍ୟାପ୍ରେ ସାମିଲ କରିବା ମଧ୍ୟ ରହିଛି। ଯାହା ଭବିଷ୍ୟତରେ ଅନ୍ତଃରାଷ୍ଟ୍ରୀୟ ଅସ୍ଥିରତାର ମଧ୍ୟ କାରଣ ହୋଇପାରେ। ଏସବୁ ଭିତରେ ସୋସିଆଲ ମିଡିଆରେ ଜଣେ ନେପାଳି ସ୍କୁଲ୍ ଛାତ୍ରଙ୍କ ଦ୍ବାରା ଦିଆଯାଇଥିବା ପ୍ରଚଣ୍ଡ ରାଷ୍ଟ୍ରବାଦର ବାର୍ତ୍ତା ଦେଉଥିବା ଗୋଟିଏ ପୁରୁଣା ଭାଷଣ ଭାଇରାଲ୍ ହେବା ବୁଦ୍ଧିଜୀବୀଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।
ଆଜି ଅଶାନ୍ତ, ଅଧୀର, ନିର୍ଭୀକ Gen-Zଙ୍କ କ୍ଷୁବ୍ଧ ସ୍ବରରେ କାଠମାଣ୍ଡୁର ଗଳିକନ୍ଦିଠୁ ଆରମ୍ଭ କରି ସ°ସଦ ପର୍ଯ୍ୟନ୍ତ କମ୍ପି ଉଠିଛି। ସେମାନଙ୍କ ପ୍ରତିବାଦ ଓ ସାହସ ଆଗରେ ଆଜି ଗୋଟିଏ ଶକ୍ତିଶାଳୀ ଶାସନତନ୍ତ୍ରର ମେରୁଦଣ୍ଡ ଭାଙ୍ଗି ଯାଇଛି। କିନ୍ତୁ ଆଜି ନେପାଳର କେବଳ ରାଜନୈତିକ ଦଳ, ସ°ସଦ କିମ୍ବା ପ୍ରଶାସନ ନୁହେଁ ସ୍ବୟଂ ଜନତା ଏବଂ ଦେଶର ଭ୍ୟବିଷ୍ୟତ ମଧ୍ୟ ଗୋଟିଏ ଦୋଛକିରେ ଆସି ଠିଆ ହୋଇ ଯାଇଛି। ଆଜି Gen-Z ଆନ୍ଦୋଳନର ସାଧାରଣ ନିର୍ବାଚନର ଦାବି କେବଳ ମାତ୍ର ମତଦାନ ସାବ୍ୟସ୍ତ ପାଇଁ ନୁହେଁ ବରଂ ଯୁବପିଢି ପାଇଁ ନୂତନ ସୁଯୋଗ ସୃଷ୍ଟି ଓ ଗୋଟିଏ ସୁରକ୍ଷିତ ଭବିଷ୍ୟତର ପାଇଁ ଯୁଦ୍ଧ ମଧ୍ୟ। କିନ୍ତୁ ଏସବୁ ପରିସ୍ଥିତି ଭିତରେ ଅତି-ରାଷ୍ଟ୍ରବାଦର କଳା ଛାଇ, Gen-Z ଙ୍କ ଏ ଉତ୍ସାହ ଓ ଆକ୍ରୋଶକୁ ପୁଣି ଗୋଟିଏ ବିଭୀଷିକା ଭିତରକୁ ଠେଲିଦେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆ ଯାଇ ପାରିବନି। ଏତେ ସବୁ ଆନ୍ଦୋଳନ ଏବଂ ନିଜ ସାଥୀ ଆନ୍ଦୋଳନକାରୀଙ୍କୁ ହରାଇବା ପରେ ଏବେ ହେଉଛି Gen-Zଙ୍କ ସାମ୍ନାରେ ପ୍ରକୃତ ପରୀକ୍ଷାର ଘଡ଼ି। ସେମାନଙ୍କ ଧୈର୍ଯ୍ୟ ଓ ବିଚାରବୋଧର ପରୀକ୍ଷା। କାରଣ ଯେଉଁଠି ହି°ସା ଓ ଅନୁଶାସନହୀନତା କାରଣରୁ ପ୍ରଶାସନକୁ ସେମାନଙ୍କ ଆନ୍ଦୋଳନ ଦମନ କରିବାରେ ସହଜ ହୋଇ ପଡିବ। ସେଇଠି Gen-Z କୁ ଆହୁରି ମଧ୍ୟ ମନେ ରଖିବା ପାଇଁ ପଡ଼ିବ ଯେ ଦୋଷ-ତୃଟି ସତ୍ତ୍ୱେ କେବଳ ଗଣତନ୍ତ୍ର ହିଁ ପୃଥିବୀର ଶ୍ରେଷ୍ଠ ପ୍ରଶାସନ ଏବଂ କେବଳ ଗଣତନ୍ତ୍ର ମାଧ୍ୟମରେ ହିଁ ସାମାଜିକ ନ୍ୟାୟ, ସମାନତା ଏବଂ ଗଠନମୂଳକ ବିକାଶ ସମ୍ଭବ।