ଓଡିଶା ଇତିହାସ : ନୂଆ ଐତିହାସିକ କାହାନ୍ତି ??
ଇତିହାସ ଥରେ ଲେଖା ହୁଏନାହିଁ, ଏହା ନିରନ୍ତର ଲେଖା ହେଉଥାଏ । ଇତିହାସ ରଚନା ପ୍ରକ୍ରିୟା ବିଷୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ଗୋଟେ ବହି ଅଛି, ଯାହାର ଶୀର୍ଷକ ହେଉଛି- ହ୍ଵାଟ ଇଜ ହିଷ୍ଟ୍ରି । ଏହାର ଲେଖକ ଇ.ଏଚ.କାର (What is History by E.H.Carr) । ଇତିହାସକୁ ବର୍ତ୍ତମାନ ସମୟରେ ଅତୀତର ନିର୍ମାଣ ବୋଲି ଇ.ଏଚ.କାର କହିଛନ୍ତି । ଏହା ସହିତ ଗଣିତ ଓ ଇତିହାସ ଭିତରେ ଏକ ସାମଞ୍ଜସ୍ୟ ବିଷୟରେ ମଧ୍ୟ ସେ ଚର୍ଚ୍ଚା କରିଛନ୍ତି । ଯେମିତି ସଂଖ୍ୟା ବିକ୍ଷିପ୍ତ ହୋଇ ରହିଥାଏ । ସେ ସବୁର ସମୀକରଣ ତିଆରି ନହେବା ଯାଏ ସଂଖ୍ୟା ମୂଲ୍ୟହୀନ । ସେମିତି ଇତିହାସରେ ଅତୀତର ଘଟଣାବଳି ବିକ୍ଷିପ୍ତ ହୋଇ ରହିଥାନ୍ତି । ଐତିହାସିକ ସେ ସବୁ ଘଟଣା ପ୍ରବାହର ସମୀକରଣ ବାରମ୍ବାର କରୁଥାଏ । ତେଣୁ ଇତିହାସ କେବଳ ପୁରାତନ ବା ଅତୀତ ଘଟଣାର ବର୍ଣ୍ଣନା ନୁହେଁ, ଏହା ବର୍ତ୍ତମାନ ସମୟରେ ଅତୀତକୁ ଦେଖିବାର ଏକ ନିରନ୍ତର ପ୍ରକ୍ରିୟା । ତେଣୁ ଇତିହାସ ଏକ ସ୍ଥିର ଓ ମୃତ ବିଷୟବସ୍ତୁ ନୁହେଁ, ଏହା ଜୀବନ୍ତ, ଚଳମାନ ଓ ପରିବର୍ତ୍ତନଶୀଳ।
ଏହି ପ୍ରସଙ୍ଗରେ ଆମେ ଯଦି ଓଡିଶା ଇତିହାସର ଆଲୋଚନା କରିବା ତାହେଲେ, ଆମକୁ ଲାଗିବ, ବୋଧହୁଏ ଆମର ଇତିହାସ ଲେଖା ହୋଇ ସାରିଛି ଓ ଏ ବିଷୟରେ ଆଉ ନୂଆ ଉପକ୍ରମର ଆବଶ୍ୟକତା ନାହିଁ । କିଛିଦିନ ତଳେ ଜଣେ ବିଶିଷ୍ଟ ତାମିଲ ଐତିହାସିକ ମୋତେ ପଚାରିଥିଲେ, ବର୍ତ୍ତମାନ ସମୟରେ ଓଡିଶାରେ ସବୁଠୁ ଶକ୍ତିଶାଳୀ ଐତିହାସିକ ବୋଲି ଆପଣ କେଉଁମାନଙ୍କୁ କହିବେ ? ଏକଥା ସେ ଯଦି ମୋତେ କୋଡିଏ ବର୍ଷ ଆଗରୁ ପଚାରିଥାନ୍ତେ, ତାହେଲେ ମୁଁ ତାଙ୍କୁ ଏକ ଲମ୍ବା ତାଲିକା ଦେଇପାରିଥାନ୍ତି । ଆଜି ମୋତେ ପାଞ୍ଚୋଟି ନାମ ଖୋଜିବାକୁ ପ୍ରବଳ ପରିଶ୍ରମ କରିବାକୁ ପଡୁଛି । ଆମ ସମୟରେ କିଛି ଇତିହାସ ଲେଖକ ଓ ଅଧ୍ୟାପକ ଅବଶ୍ୟ ଅଛନ୍ତି, ହେଲେ ସେମାନେ ଐତିହାସିକ ଭାବରେ ନିଜର ପରିଚୟ ତିଆରି କରି ପାରି ନାହାନ୍ତି ।
ଜଣେ ଐତିହାସିକ ନିଜ ସମୟରେ ଅତୀତର ନିର୍ମାଣ କରେ । ଇତିହାସ ଅଧ୍ୟାପକ ବା ଲେଖକ ସେ ନବ ନିର୍ମାଣ ପ୍ରକ୍ରିୟାରେ ନିଜର ମୌଳିକ ଦୃଷ୍ଟି ଓ ନୂତନ ଅନ୍ଵେଷଣ କଲେ ଯାଇ ଐତିହାସିକର ସିଦ୍ଧି ହାସଲ କରିଥାଏ । ଓଡିଶା ଇତିହାସରେ ଆମେ ଏମିତି କେତେଜଣ ସିଦ୍ଧ ଐତିହାସିକଙ୍କୁ ଦେଖିଛୁ, ଯେଉଁମାନେ ଶିକ୍ଷାରେ ବା ବୃତ୍ତିରେ ଇତିହାସର ଛାତ୍ର/ଅଧ୍ୟାପକ ନଥିଲେ । କେଦାରନାଥ ମହାପାତ୍ର ଓ ସତ୍ୟନାରାୟଣ ରାଜଗୁରୁଙ୍କୁ ଆମେ ଏହି ବର୍ଗର ଉଦାହରଣ ଭାବେ ନେଇପାରିବା । ଓଡିଶା ଇତିହାସକୁ ନୂଆ ଦିଶା ଦେବାର, ନୂଆ ତଥ୍ୟ ଓ ଦୃଷ୍ଟିକୋଣ ଦେବାର ଏବଂ ସର୍ବୋପରି ଇତିହାସର ଗତିପଥକୁ ନିଜ ଗବେଷଣା ମାଧ୍ୟମରେ ବଦଳେଇ ଦେବାର ସାମର୍ଥ୍ୟ ସେମାନଙ୍କର ରହିଥିଲା । ଅବଶ୍ୟ ଓଡିଶା ଇତିହାସ ରଚନାର ଆରମ୍ଭ ଏହି ଅଣ-କୁଶଳୀ ଐତିହାସିକଙ୍କର ପ୍ରଜ୍ଞା ଯୋଗୁଁ ହିଁ ସମ୍ଭବ ହୋଇଛି । ଓଡିଶା ଇତିହାସର ପ୍ରଥମ ରଚନାକାର ପ୍ୟାରିମୋହନ ଆଚାର୍ୟ ହୁଅନ୍ତୁ ବା ପରବର୍ତ୍ତୀ ସମୟରେ “ଓଡିଶା ଇତିହାସ”ର ରଚନାକାର ହରେକୃଷ୍ଣ ମହତାବ, ଏମାନେ ପ୍ରବୃତ୍ତିରେ ଐତିହାସିକ । ତେବେ ସେମାନଙ୍କର ନିଷ୍ଠାପର ଅଧ୍ୟବସାୟ ଏବଂ ଇତିହାସ ପ୍ରତି ସେମାନଙ୍କର ଅଭିନବ ଦୃଷ୍ଟିଭଙ୍ଗୀ ସେମାନଙ୍କୁ ସିଦ୍ଧି ଦେଇଛି ।
ସମୟ ସହିତ ତାଳ ଦେଇ ଇତିହାସ ପାଠର ପରମ୍ପରା ଓଡିଶାରେ ସମୃଦ୍ଧ ହୋଇଛି । ସମୟକ୍ରମେ ଆମେ ବହୁ ପେଷାଦାର ଐତିହାସିକଙ୍କୁ ଦେଖିଛୁ, ଯେଉଁମାନେ ଆମ ଇତିହାସରେ ନୂଆ ଅଧ୍ୟାୟ ଯୋଡିଛନ୍ତି । ସେମାନଙ୍କର ପ୍ରଜ୍ଞା ଓ ପ୍ରତିଭା ଆମ ଇତିହାସକୁ ନୂଆ ବାଟ ଦେଖାଇଛି । ସେମାନଙ୍କର ତାଲିକା ବେଶ ଦୀର୍ଘ । ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଠାରୁ ଆରମ୍ଭ କରି ପରମାନନ୍ଦ ଆଚାର୍ୟ, ଜଳନ୍ଧର ଦେବ,ପ୍ରଭାତ ମୁଖାର୍ଜୀ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, କରୁଣାସାଗର ବେହେରା, ନବୀନ କୁମାର ସାହୁ, ମନ୍ମଥନାଥ ଦାସ,ଜଗନ୍ନାଥ ପଟ୍ଟନାୟକ, ରାଜେନ୍ଦ୍ର ପ୍ରସାଦ ଦାସ,ସ୍ନିଗ୍ଧା ତ୍ରିପାଠୀ, ବିଶ୍ଵମୟ ପତି ଓ ଆହୁରି ଅନେକଙ୍କର ନାମ ଆସିବ । ଏହା ସହିତ ନିର୍ଦ୍ଦିଷ୍ଟ ବିଷୟବସ୍ତୁର ଇତିହାସ ଯଥା ସାହିତ୍ୟ, ସଙ୍ଗୀତ, ଚିତ୍ରକଳା, ଜନଜାତି ଓ ବୃତ୍ତି ଭିତ୍ତିକ ଇତିହାସ ରଚନାର ଧାରା ଆମର ଆସିଛି । ସାହିତ୍ୟ ଇତିହାସ ରଚନାରେ ଆମର ଅନେକ ମହାନ ଲେଖକ ଆସିଛନ୍ତି । ସଙ୍ଗୀତରେ କାଳିଚରଣ ପଟ୍ଟନାୟକ, ନୃତ୍ୟରେ ଧିରେନ୍ଦ୍ରନାଥ ପଟ୍ଟନାୟକ, ମଞ୍ଚକଳାରେ ଧୀରେନ ଦାସ, ଚିତ୍ରକଳାରେ ଦିନନାଥ ପାଠି ପ୍ରମୁଖଙ୍କୁ ଆମେ ପଥ ପ୍ରଦର୍ଶକ ବୋଲି କହିପାରିବା ।
ଇତିହାସର ମୋଡ ବଦଳେଇ ପାରୁଥିବା ଏହି ଇତିହାସକରମାନେ ଏବେ ନିଜେ ଇତିହାସ ପାଲଟି ଯାଇଛନ୍ତି । ସେମାନଙ୍କର ଉତ୍ତରାଧିକାରୀ କିଏ ? କେଉଁମାନଙ୍କୁ ଆମେ ଆଜିର ଦିନରେ “ପାୟୋନିୟର” ବୋଲି କହିପାରିବା? ଅବଶ୍ୟ ଏହି ପ୍ରଶ୍ନ ପଚାରି ମୁଁ ସବୁ ଐତିହାସିକ ବା ଇତିହାସ ଅଧ୍ୟାପକଙ୍କୁ ପ୍ରତ୍ୟାଖ୍ୟାନ କରୁନାହିଁ । ଆଜିର ତାରିଖରେ ନିବେଦିତା ମହାନ୍ତି,କୈଳାସ ଚନ୍ଦ୍ର ଦାଶ, ଚଣ୍ଡୀପ୍ରସାଦ ନନ୍ଦ, ଲଲାଟେନ୍ଦୁ ଦାସ ମହାପାତ୍ର, ପ୍ରୀତିଶ ଆଚାର୍ୟଙ୍କ ଭଳି କିଛି ଗବେଷକ ନିଜ ଗବେଷଣାର ପ୍ରଭାବଶାଳୀ ତଥ୍ୟ ରଖୁଛନ୍ତି । ହେଲେ ସାମାଜିକ ଜୀବନରେ ଏମାନଙ୍କର ଭୂମିକା ଅତ୍ୟନ୍ତ ସୀମିତ।
ଇତିହାସ କେବଳ ଶ୍ରେଣୀଗୃହ ବା ସେମିନାରର ବିଷୟ ନୁହେଁ। ଏହା ଆମ ସାମାଜିକ ଜୀବନର ଅଭିନ୍ନ ଅଙ୍ଗ। ଆମକୁ ଅଧିକରୁ ଅଧିକ ଐତିହାସିକ ଦରକାର ଯେଉଁମାନେ ସମୟର କାନଭାସରେ ଅତୀତକୁ ନୂଆ କରି ଆଙ୍କିବେ।