ଏଗାରଟା ପଞ୍ଚାବନ ହେଲାବେଳକୁ ଘଡ଼ି ଅଟକି ଗଲା। ଘଣ୍ଟା କଣ୍ଟା ସହିତ ମିନିଟ କଣ୍ଟା ବି ରହିଗଲା ନିଦରେ ବା ଅଳସପଣରେ।
ଯେଉଁ ରାସ୍ତାକଡରେ ପୋଲିସ ପାଟ୍ରୋଲିଂ ଗାଡି ଘୁମେଇ ପଡିଥିଲା ସେଇ ଗାଆଁର ନାମ ଅଗମ୍ୟ l ଯେଉଁଠି ପାର୍ଥିବ ଓ ଅଲୌକିକ ହାତ ଧରାଧରି ହୋଇ ଚାଲନ୍ତି, ସେଇଠି ରହୁଥିଲା କଳାକାର ଏଲିନା। ସେ ଆଙ୍କିଥିବା ଚିତ୍ର ହୃତ୍ କମ୍ପନକାରୀ। ସ୍ଥିର ଓ ନିଷ୍ପଲକ ଦୃଷ୍ଟିରେ ଜଣେ ନିରେଖି ରହିଲେ କାନଭାସ୍ ଭିତରେ ନାଚି ଉଠନ୍ତି ଚରିତ୍ର!
ଏଲିର ପଡୋଶୀ ଶୋଭନ ଥିଲା ଜଣାଶୁଣା ଘଡି ଦୋକାନୀ। ତାର ନାକତଳେ ପାତଳ ନିଶ ଓ ଥୋଡ଼ି ଉପରେ ଅଳ୍ପ ଦାଢୀ ଉଠିଥିଲା। ସାଙ୍ଗମାନେ ତାକୁ ଡାକୁଥିଲେ 'ଛେଳି'। ତା ସତ୍ତ୍ବେ ତା ଆଚରଣରେ କୌଣସି ପରିବର୍ତ୍ତନ ନଥିଲା। ସେ ମରାମତି କରୁଥିବା ପ୍ରତ୍ୟେକ ଘଡ଼ି ପ୍ରକୃତ ସମୟଠୁ ଦୃତତର କିମ୍ବା ମନ୍ଥର ଗତିରେ ଚାଲୁଥିଲେ। ବେଳେବେଳେ ମରାମତି ହୋଇ ଘଡ଼ି ଶୋଭନ ଦୋକାନରୁ ଗ୍ରାହକର ଘର ପାଖରେ ପହଞ୍ଚିବା ପୂର୍ବରୁ ଅଚଳ ହୋଇ ପଡୁଥିଲା।
ଅଭିଯୋଗ ନେଇ ଗ୍ରାହକ ପହଞ୍ଚିବା କ୍ଷଣି ଛେଳି ଓରଫ ଶୋଭନ ପଚାରି ଦିଏ: ଘଡ଼ି ଠିକ୍ ଚାଲିଛିତ? ଆରେ ଭାଇ, ବ୍ୟସ୍ତ ହୁଅନି। ଅକାମୀ ଘଡ଼ି ମଧ୍ୟ ଦିନକୁ ଦୁଇଥର ଠିକ୍ ସମୟ ଦେଖାଏ। ମୋତେ ଘତି ଦେଇଯାଅ, କାଲି ସୁଦ୍ଧା ଠିକ୍ କରିଦେବି।
ଘଡ଼ିବିନା ଆଜି ଚଳିବି କେମିତି?
ଘଡ଼ି ଉଦ୍ଭାବନ ପୂର୍ବରୁ କଣ କରୁଥିଲ?
ସେତେବେଳେ ଜଳଘଡି ଥିଲା।
ତା ଆଗରୁ କେମିତି ଜାଣୁଥିଲ ସମୟ?
ନାକ୍ଷତ୍ରିକ ସମୟ ଥିଲା। ଆର୍ଯ୍ୟଭଟ୍ଟ କୃତ ସୂର୍ଯ୍ୟ ସାରିଣୀ ଥିଲା।
ତା'ଆଗରୁ? ... ଦିନବେଳେ ଫୋନରେ କାମ ଚଳାଇ ନିଅ। ରାତିରେ ଶୋଇପଡ଼ିଲେ ଘଡ଼ି ଅଦରକାରୀ ହୋଇଯିବ। ତା'ପରେ ଆମ ଦେହ ଭିତରେବି ଯେଉଁ ସୂକ୍ଷ୍ମ ଘଡ଼ି ଅଛି ତା ଚାଲୁଥିବ କ୍ରମାଗତ, ସକ୍ରିୟ ହୋଇ। ଧକ୍ ଧକ୍ ଧକ୍।
ଦେହ ଭିତରେ ଘଡ଼ି ଅଛି? ତାକୁ ଚଲାଏ କିଏ?
ତମ ହୃତପିଣ୍ଡ କିଏ ଚଲାଏ? ସେ ଶକ୍ତି ଅଛି ତୁମ ବୁଦ୍ଧିରେ ... ଦିନକ ପାଇଁ ଦଶଟାରେ ମଧ୍ୟାହ୍ନ ଭୋଜନ ସାରିଦିଅ। ଦେଖିବ, ପରଦିନରୁ ଠିକ୍ ଦଶଟାରେ ହିଁ ଭୋକ ଲାଗିବ, ସବୁଦିନ।
ଏଲି ତା' ପିଲାଦିନର ସାଙ୍ଗ ମୁନ୍ନା ସହିତ ସ୍କୁଲରେ ଶିଖିଥିଲା ତନ୍ତ୍ର। ଘନିଷ୍ଠ ବନ୍ଧୁତ୍ଵରେ ଆବଦ୍ଧ ସେ ଦିହେଁ ଅଦ୍ୟାବଧି ତନ୍ତ୍ରରାଜ୍ୟର ଅଦୃଶ୍ୟ ଶକ୍ତି ସହ ଜଡ଼ିତ ଥିଲେ। ଏଲି ଯାଦୁକରୀ ଜ୍ଞାନର ଉଚ୍ଚତମ ଡିପ୍ଲୋମା ପାସ୍ କରିଥାଏ ଓ ମୁନ୍ନା ଅଭ୍ୟାସ ଦ୍ଵାରା ବେଳେବେଳେ ସମୟର ଗତିରୋଧ କରିଦିଏ। ସୂର୍ଯ୍ୟଙ୍କୁ ହଠାତ୍ ବାଦଲ ଭିତରେ ଘଣ୍ଟାଏ ନିଖୋଜ କରାଇ ଦେଇପାରେ ସେ। ଆଶ୍ଚର୍ଯ୍ୟରେ ମଣିଷର ନିଃଶ୍ବାସ ଅଟକିଯାଏ କିଛିକ୍ଷଣ।
ସେଦିନ କମଳା ରଙ୍ଗର ଫୁଟବଲ ଆକାରର ସୂର୍ଯ୍ୟ ଯେମିତି ଦିଗବଳୟ ଉହାଡରେ ଅସ୍ତଗଲେ ଓ ମୁଣ୍ଡିଆ ପାହାଡ଼ ସାରା ସୁନାରଙ୍ଗର କିରଣ ବିଞ୍ଚିଦେଲେ, ହଠାତ୍ ସୂକ୍ଷ୍କଲୋକରୁ ଏକ ବୈଦ୍ୟୁତିକ ବାର୍ତ୍ତା ପଢିପାରିଲା ଏଲିନା। ଧ୍ୟାନରେ ପରମାତ୍ମାଙ୍କ ସହ ଯୋଗ ସଂଯୁକ୍ତ ହେଲାବେଳେ ଏମିତି ବାର୍ତ୍ତାସବୁ ଆସେ। କ୍ୟୁନିଫର୍ମ ପରି ଅସ୍ଷଷ୍ଟ ଭାଷାରେ ଲିଖିତ ସେ ବାର୍ତ୍ତା ପଢି ହେଉ ନଥିଲା। ସେ ଅକ୍ଷର ଥିଲା ଢେଉଢେଉକା। ଏକ ଅନାଗତ ବିପଦ ବିଷୟରେ ଉଲ୍ଲେଖ ଥିଲା ସେ ବାର୍ତ୍ତାରେ। ସେ ଅନୁମାନ କଲା, ନଶ୍ବରଲୋକରେ ଥିବା ସର୍ବ ପ୍ରାଚୀନ ଘଡ଼ି ଏବେ ଅଚଳ ହୋଇପଡିଛି।
ସେ ଘଣ୍ଟାର ନିରନ୍ତର ନିନାଦ ସହ ଅଭ୍ୟସ୍ତ ନଶ୍ବର ସହର ଅଚିରେ ଏକ ଶବପେଟିକା ରୁପରେ ପରିଣତ ହୋଇଯିବ ଯଦି ଏହି ଘଡ଼ି ନିରବି ଯାଏ। ମହାକାଶରେ ଦୃଶ୍ୟମାନ ସେ ସହରକୁ ଗୌତମ ବୁଦ୍ଧ ନାମକରଣ କରିଥିଲେ 'ନିର୍ବାଣଧାମ'। ଘଡ଼ି ଚାଲିଲେ ସେ ସୂକ୍ଷ୍ମ ସହରର ଆଠଲକ୍ଷ ଆତ୍ମା ଶାନ୍ତିରେ ଶୋଇପାରନ୍ତି । ସେମାନଙ୍କ ହୃତକ୍ରିୟା ଯଥାବିଧି ଚାଲେ। ନହେଲେ ସେମାନଙ୍କ ବିନିଦ୍ର ଆତ୍ମା ବ୍ୟତିବ୍ୟସ୍ତ ହୋଇ ସାକାର ପୃଥିବୀ ଆଡ଼କୁ ଅଗ୍ରସର ହୁଅନ୍ତି ଓ ଅଗମ୍ୟର ଜନସଂଖ୍ୟା ବୃଦ୍ଧି ହୁଏ। କଳ୍ପରେ ଅର୍ଥାତ୍ ପ୍ରତି ପାଞ୍ଚ ହଜାର ବର୍ଷରେ ଥରେ ମହାକାଶ ଘଡ଼ି ମରାମତି ଦରକାର କରେ।
କ୍ଷୀପ୍ରଗତିରେ ଏଲି ଓ ଶୋଭନ ଯାଦୁକର ମୁନ୍ନାର କର୍ମଶାଳା ଦିଗରେ ବଢିଲେ। ଦେଖିଲେ ମୁନ୍ନା ତା ଗ୍ୟାରେଜର ଏକ ଯନ୍ତ୍ର ଉପରେ ମୁହଁ ମାଡି ଶୋଇ ପଡିଛି। ଆଖି ବନ୍ଦ କରିଥିବା ମୁନ୍ନାର କପାଳ କୁଞ୍ଚିତ ଦିଶୁଥିଲା।
"ଆରେ ହେ ମୁନ୍ନା," ଚିଲ୍ଲେଇଲା ଏଲି। "ଆମକୁ ନଶ୍ବର ସହରର କାଳଚକ୍ର ଘଡି ଠିକ୍ କରିବାର ଅଛି।"
ମୁନ୍ନା ସଚେତନ ହେଲା ଓ ଯାଦୁଲୋକର ବାର୍ତ୍ତା ଶୁଣି ତାର ଆଖି ବିସ୍ଫାରିତ ହୋଇଗଲା।
"ତମେ କେମିତି ନିର୍ବାଣ ଲୋକର ଘଡ଼ି ମରାମତି କରିବ?"
"ମହାକାଶର ଘଡ଼ି ଅକାମୀ ହୋଇଯିବା ଅର୍ଥ ଅଗମ୍ୟ ଗାଆଁର ଜୀବଜଗତ ଆସନ୍ନ ବିପଦରେ। ବାୟୁମଣ୍ଡଳ ସଂକ୍ରମିତ ବା ପ୍ରଦୂଷିତ ହେଲେ ଭୂଲୋକରେ ଅମ୍ଳଜାନ ହ୍ରାସ ପାଏ ଯାହାଦ୍ବାରା ଘଡି ଅଚଳ ହୋଇ ମରାମତି ଦରକାର କରେ। ସେହି କାଳଚକ୍ରର ଘଡ଼ି ନଚାଲିଲେ ମଣିଷ ଜାତି ମୃତ୍ୟୁମୁଖରେ ପଡେ।
ତା କେମିତି ହୁଏ?
ଅଳ୍ପ ଅମ୍ଳଜାନରେ ପକ୍ଷୀ, ସରୀସୃପ, ମୁଷା ଓ ଠେକୁଆ ପରି କ୍ଷୁଦ୍ର ଜୀବ ତିଷ୍ଠି ଯିବେ, କିନ୍ତୁ ମଣିଷ ନୁହେଁ। କାରଣ ଏ କ୍ଷୁଦ୍ର ଜୀବ ମଣିଷର ଖାଦ୍ୟଶସ୍ୟ ଖାଇଯିବେ। ଅଥଚ ସୀମିତ ଶସ୍ୟ ଓ ସ୍ବଳ୍ପ ଅମ୍ଳଜାନ କାରଣରୁ ମଣିଷର ମୃତ୍ୟୁ ଅବଶ୍ୟମ୍ଭାବୀ। ଅମ୍ଳଜାନ ଅଭାବରୁ ଉତ୍କଟ ଜଳାଭାବ ହେଲେ ସହର ସବୁ କେମିତି ଜନଶୂନ୍ୟ ହୋଇଯିବ ତମେ ଜାଣିଛ। ସେମିତି ଅମ୍ଳଜାନ ବିନା ଯନ୍ତ୍ରପାତି ବି ଶୀଘ୍ର ଅଚଳ ହୋଇଯିବେ।
ଏଠୁ ଚାବିଦେଇ କାଳଚକ୍ର ଘଡିକୁ ତମେ କେମିତି ଚଲାଇବ?
ରିମୋଟ ଦ୍ବାରା ଅନ୍ତରୀକ୍ଷ ଯାନ କର୍ମକ୍ଷମ ହୁଏକି ନାହିଁ? ଉପଗ୍ରହ କ୍ଷେପଣ କେନ୍ଦ୍ରରେ ରିମୋଟ୍ ଦ୍ବାରା ରକେଟ୍ ନିୟନ୍ତ୍ରିତ ହୁଏ କେମିତି? ବାସ୍। ଆମକୁ ସେମିତି କିଛି କରିବାକୁ ହେବ ତୁରନ୍ତ। ବିଳମ୍ବ ନକରି ମରାମତି କାମରେ ଲାଗିବାକୁ ହେବ.... ସଂଯୋଗ କଲା ଘଡ଼ି ବିଶାରଦ ଶୋଭନ।
ଚାଲ, ତାହେଲେ ସମୟ ସ୍ତମ୍ଭ ଆଡ଼କୁ। ତିନି ଜଣ ତୁରନ୍ତ ଘଡ଼ି ସଂପୃକ୍ତ ମୀନାର ଦିଗରେ ଦୌଡ଼ିଲେ।
ଅଟକି ଯାଇଥିବା ପୁରାତନ ଲିଭର୍ ଘଡି ଭିତରୁ ରହିରହି ଶୁଭୁଥାଏ ଆଧୁନିକ କାଳର ଆର୍ତ୍ତନାଦ । ସମୁଦ୍ର କୂଳରେ ଥିଲା ମୀନାର ଯାହାର ହୃଦଭାଗରେ ଥିଲା ଜଟିଳ ଯନ୍ତ୍ରପାତି। ଚକ୍ର, ଚେନ୍ ଓ ଲିଭରରେ ଭରା ପ୍ରାଚୀନ କାରିଗରୀ କୌଶଳ। ଘଡିର ପେଟପାଖ ଝର୍କା ଖୋଲିଲେ ସମସ୍ୟା ସ୍ପଷ୍ଟ ଦିଶିଲା। ଏହି ସମୟରେ ଦଲକାଏ ପବନ ସୁଁସୁଁ କରି ପଶି ଆସିଲା କକ୍ଷ ଭିତରକୁ। ସେ ପବନରେ ଥିଲା ସହରର ଉତ୍ତେଜନା। ସମୁଦ୍ରର ଲୁଣା ପବନରେ ଯନ୍ତ୍ରପାତି ଆକ୍ରାନ୍ତ ହୋଇଯାଇଛି। ସନ୍ଧ୍ୟାର ରକ୍ତିମ ଆଲୋକରେ ଚକମକ୍ କରୁଥିବା ଏକ ଗିଅର୍ ଫାଟି ଯାଇଥିଲା।
ଏଲି ଆଗକୁ ବଢିଲା ଓ ଗିଅର ଦେହରେ ଖୋଦିତ ଧାଡିକୁ ଛୁଇଁଲା ଆଙ୍ଗୁଠିରେ। ନା, ଏହା ମରାମତି ହୋଇ ପାରିବନି, ସେ କହିଲା ନିଜକୁ।
ଏହାର ଅବିକଳ ଚିତ୍ର ଆଙ୍କି କୌଣସି ବଡ ଇଂଜିନିୟରଙ୍କୁ ଦେଖାଇଲେ ସେ ସମସ୍ୟାର ସମାଧାନ କରିପାରିବେ ହୁଏତ, କହିଲା ଶୋଭନ।
ମୁନ୍ନା ସମ୍ମତିରେ ପେଣ୍ଡୁଲମ୍ ପରି ହଲାଇଲା ମୁଣ୍ଡ। ଚାହିଲେ ଅବଶ୍ୟ ଆମେ ବ୍ରହ୍ମାଣ୍ଡର ସମୟକୁ ମନ୍ଥର କରିଦେଇ ପାରିବା ଯୋଗ ଦ୍ବାରା। ଇତିମଧ୍ୟରେ ତମେ ଘଡିର ମରାମତି କାମ ଚାଲୁ ରଖିପାରିବ। ପାରିବ ଶୋଭନ?
ଚେଷ୍ଟା କରିବି। କିନ୍ତୁ ପ୍ରଥମେ ଏ ଘରର ଦୁଆର ସବୁ ଖୋଲିଦିଅ। ଯଥେଷ୍ଟ ଅମ୍ଳଜାନ ଅଭାବରୁ ଘଡିର ମୋଟର ଘୁରି ପାରୁନାହିଁ। ଏହାର କମ୍ବଷ୍ଟିବଲ ଇଞ୍ଜିନ ଅକାମୀ ହୋଇ ପଡ଼ିଛି। କିଛି ଅଲୌକିକ ନଘଟିଲେ ହୁଏତ ଘଡି ମରାମତି ହେବନାହିଁ।
ଏକ ଦୀର୍ଘଶ୍ବାସର ସହିତ ମୁନ୍ନା ଆଖି ବନ୍ଦକଲା। ସେ କେଇକ୍ଷଣ ଏକାଗ୍ର ହେଲା। ମହାକାଳ ସମୟର ଟିକଟିକ୍ ଶବ୍ଦ ଧିମେଇ ଯାଇ ଅସ୍ପଷ୍ଟ ହେବାକୁ ଲାଗିଲା। କିଛିକ୍ଷଣ ପରେ କାନକୁ ଶୁଭିବ ନାହିଁ ଘଡିର ନିଃଶ୍ବାସ ପ୍ରଶ୍ବାସ। ଶେଷରେ ଅଗମ୍ୟର ଜୀବ ଅମ୍ଳଜାନ ଅଭାବରୁ କେତେବେଳେ ନିରବି ଯିବେ । ଛଅ ଲେନ୍ ରାସ୍ତା ସଂପ୍ରସାରଣ ଓ ପ୍ରଗତି ନାମରେ ତିରିଶ ହଜାର ବୃହତ ପାଦପ ମାନଙ୍କୁ ମୂଳୋତ୍ପାଟନ କରାଯିବାରୁ ବାୟୁରେ ଅମ୍ଳଜାନ ହ୍ରାସ ପାଇ ଆସିଥିଲା । ବହୁଳ ଫସିଲ୍ ଇନ୍ଧନ ବ୍ୟବହାର ଦ୍ବାରା ପରିବେଶରେ ବଢୁଥିଲା ଅଙ୍ଗାରକାମ୍ଳ।
ଏଲିର ତୂଳୀଧରା ହାତ ସ୍ଥିର ହୋଇ ଘଡ଼ିର ଅବୟବ ଆଙ୍କିବାକୁ ଲାଗିଲା। ଫାଟି ଯାଇଥିବା ଗିଅରର ଚିତ୍ର ଆଲୋକ ଓ ଶକ୍ତିରେ ଭରପୁର କରାଗଲା। ଯଥେଷ୍ଟ ସହନଶୀଳତାର ସହ ଚିତ୍ରକୁ ବହୁବର୍ଣ୍ଣା କରି ତୋଳିଲା ଏଲି। ତୁଳୀର ଶେଷ ସ୍ପର୍ଶ ଦେବା ପୂର୍ବରୁ ଏଲିର ହାତ କମ୍ପିବାକୁ ଲାଗିଲା। ପରକ୍ଷଣରେ ଘଡ଼ି ଏକ ଅପୂର୍ବ ରୋମାଞ୍ଚରେ ଚମକିଲା।
ଏଲି ଓ ମୁନ୍ନା ଦୁଇପାଦ ପଛେଇ ଆସିଲେ। ଯାଦୁକରୀ ଶକ୍ତିର ଆଲୋକ ସେମାନଙ୍କ ଭିତରେ ନୂତନ ଆଶାର ସଂଚାର କଲା। ନଶ୍ବରର ଘଡ଼ି ଚାଲିଲେ ଅଗମ୍ୟ ଗାଆଁର ଜନବସତି ଶାନ୍ତିରେ ନିଶ୍ୱାସ ମାରି ପାରିବେ । ଅଗମ୍ୟ ଜାତିର ଆତ୍ମା ନଶ୍ବର ସହର ଉପରେ ନିର୍ଭରଶୀଳ।
ପାଞ୍ଚ ହଜାର ବର୍ଷର ଘଡ଼ି ଏବେ ହଠାତ ଅକାମୀ ହୋଇଯିବାର କାରଣ କଣ ଶୋଭନ ?
କାହିଁକି? ପୁରାତନ ସଭ୍ୟତାର ପତନ ହୁଏ ନାହିଁକି? କାଳଘଡ଼ି ହେଉଛି ଜୀବଜଗତର ଅମ୍ଳଜାନ, ଜଳ, ଆଲୋକ, ମହାକାଶ ଓ ମାଟିର ପ୍ରତିଫଳନ। ସେ ପଞ୍ଚତତ୍ତ୍ବ ଉପରେ ନିର୍ଭରଶୀଳ । ପ୍ରଦୂଷଣ ଓ ପାରମାଣବିକ ବିସ୍ଫୋରଣ ଦ୍ବାରା ଏହି ତତ୍ତ୍ବ କ୍ଷୀଣ ହୋଇଯାଏ। କ୍ରମେ ପୃଥିବୀର ମନ୍ତ୍ରତନ୍ତ୍ର ଓ ଅଲୌକିକ ଶକ୍ତିବି ନିସ୍ତେଜ ହୋଇଯିବ, ମୁନ୍ନା ଘୋଷଣା କଲା।
ସେଇ ମୁହୂର୍ତ୍ତରେ ଘଡିରେ ବାଜିଲା ବାର। ଏଲି ଇତିମଧ୍ୟରେ ମହାକାଶ ଘଡିର ଚିତ୍ର ଆଙ୍କି ସାରିଥିଲା। ସମୟ ସଚେତନ ଶୋଭନ ଦେଖିଲା ପବନରେ ଅମ୍ଳଜାନ ସ୍ତର କ୍ଷୀଣ ହୋଇ ଆସୁଛି।
ହଠାତ୍ ଘଡିର ଡାଏଲ ଅଦ୍ଭୁତ ଗ୍ରହାନ୍ତରର ଆଲୋକରେ ଚମକିଲା। ମହାକାଶର ଭଙ୍ଗା ସମୟ ସାରିଣୀ ଚଳମାନ ହେବାପରି ଦିଶିଲା। ଘଡିର ସ୍କେଚ ତିନି ଥାକିଆ ନୌକା ପରି ଟେବୁଲ ଉପରେ ଭାସମାନ ହେବାକୁ ଲାଗିଲା। ଚିତ୍ରକୁ ମହାକାଶ ବି ସମର୍ଥନ କଲାପରି ଲାଗିଲା।
ଘଡ଼ି ମଧ୍ୟସ୍ଥ ରୌପ୍ୟ ହଲମାର୍କ ଉପରେ ଆଙ୍ଗୁଠି ସ୍ପର୍ଶ କରିବା ମାତ୍ରେ ଆଲୋକର ସହସ୍ର ରେଣୁ ପରି କକ୍ଷଭର୍ତ୍ତି ଭୂମାଳି ଘୂର୍ଣାୟମାନ ହେଲା। ତା ଭିତରୁ ଉତ୍ପନ୍ନ ହୁଁ ହୁଁ ଶବ୍ଦ ମହାକାଶର ସ୍ନାୟୂସତ୍ତାକୁ ଯେମିତି ଦୋହଲାଇ ଦେଲା ॐ...ॐ କରି।
"ଏଲି, ତୁମ ଚିତ୍ରର ପ୍ରତିକ୍ରିୟା ଏବେ ଆସୁଛି। ହୁଏତ ସେ ଚିତ୍ର ଭିତରେ କିଛି ସମାଧାନ ଲୁଚିଛି," ଆଗକୁ କିଛି ଅଲୌକିକ ଘଟିବାର ସଂଭାବନା ଦେଖିଲା ମୁନ୍ନା।
ଚିତ୍ରିତ ଘଡିରେ ବହୁବର୍ଣ୍ଣା ମୁରୁଜ ପଡ଼ିବା କ୍ଷଣି ମେସିନ ଘଡିରେ ଜୀବ ସଞ୍ଚାର ହେଲା। ଏହା କୁହୁକ ନୁହେଁତ? ଘଡ଼ି ଧିରେ ସ୍ବୟଂକ୍ରିୟ ହେଲା। ତା ସ୍ପନ୍ଦନ ପୁଣି ଦୃତତର ହେଲା।
ଅନ୍ତରୀକ୍ଷ ଘଡିର ଯନ୍ତ୍ରାଂଶ ଗୋଟିକ ପରେ ଗୋଟିଏ ସକ୍ରିୟ ହେବା ଆରମ୍ଭ କଲା। ସମୟଚକ୍ର ଭିତରୁ ଭୁଁଭୁଁ ଶବ୍ଦ ସଫଳତାର ଉଚ୍ଚାରଣ ପରି ଘରସାରା ବ୍ଯାପ୍ତ ହେଲା। ଏଲି ତା ଚିତ୍ର ଉପରେ ଯେମିତି ସ୍ବାକ୍ଷର କଲା, ଏକ ବିଜୂଳୀ ଚମକ ସେମାନଙ୍କୁ ଆକ୍ରାଂତ କରିଦେଲା।
ଆଲୋକ ନିର୍ବାପିତ ହେବାମାତ୍ରେ ମହାକାଶ ଘଡ଼ି ସ୍ବଦେହରେ ଅବତୀର୍ଣ୍ଣ ହେଲା ଯେମିତି! ସମୟ ଓ ଜୀବନ ଭିତରେ ସନ୍ତୁଳନ ରକ୍ଷା ଏହାର ଲକ୍ଷ୍ୟ। ମୁନ୍ନା ଘଡିର ସେକେଣ୍ଡ କଣ୍ଟା ମଧ୍ୟସ୍ଥ ଅନ୍ତରକୁ ଅନୁଭବ କଲା ହୃଦୟରେ। ବାୟୁମଣ୍ଡଳରେବି ଅମ୍ଳଜାନ ସ୍ତର ସ୍ବାଭାବିକ ହେଲା କ୍ରମଶଃ ।
ଶୋଭନ ଧିରେ ଉଚ୍ଚାରଣ କଲା: ଆମେ ଘଡ଼ି ସଜାଡି ଦେଇଛୁ। କିନ୍ତୁ କାହାଣୀର ଶୀର୍ଷବିନ୍ଦୁ ଏଯାଏଁ ସମାହିତ ହୋଇନାହିଁ।
କାହିଁକି ? ଆଉ କ'ଣ ଦରକାର? ଏଲି ମୁହଁରେ ପ୍ରଶ୍ନ।
ଏ ଘଡ଼ି ଚାଲିବା ପାଇଁ ଆମ ମସ୍ତିଷ୍କରୁ ପ୍ରକମ୍ପ ସୃଷ୍ଟି ହେବା ଦରକାର। ତାହା ହେଲା ଆମ ସକାରାତ୍ମକ କଳ୍ପନା ଓ ସଦ୍ଦିଚ୍ଛା, କହିଲା ମୁନ୍ନା।
ଆମ ସାମୂହିକ ଇଚ୍ଛାର ପ୍ରକମ୍ପିତ ଧ୍ବନି ଅଗମ୍ୟରେ ନୂଆ ସରକାର ସ୍ଥାପନ କରିପାରିବ। ବୃକ୍ଷ ସଂପଦରେ ଭରିଯିବ ଅଗମ୍ୟର ପାହାଡ ଓ ସମତଳ ଭୂଇଁ। ଶୁଷ୍କ ହୋଇ ପଡ଼ୁଥିବା ମହାନଦୀ ଗର୍ଭବତୀ ହୋଇ ତାର ଦୁଇ କୂଳ ଲଙ୍ଘିବ।
ଏଠି ସଜୀବ ଗଛପତ୍ର ସ୍ବତଃ ହଲଚଲ ହେବା ଆରମ୍ଭ କରିବେ ଓ ଅଣନିଃଶ୍ବାସୀ ମଣିଷ ମାନଙ୍କ ଜୀବନ ଧାରଣ ସଂଭବ ହେବ। ଖୁବ୍ ଶୀଘ୍ର।
ଏବଂ ଏକ ସତ୍ୟବଦ୍ଧ ଜୀବନର ନିଶାରେ ଅଭ୍ୟସ୍ତ ଏଲି, ମୁନ୍ନା ଓ ଶୋଭନ ଠିଆ ହୋଇପଡିଲେ ଅଗମ୍ୟର ପୂର୍ବ ଦିଗରେ। ସମ୍ଭ୍ରମତାରେ।
Phone: 8249527758