କଲମ

କଲମ

ଅନେକ କଥା ଲେଖିବାର ଥିଲା ମୋର

ଅନେକ ଘଟଣା କୁ ଭେଦ କରିବାର ଥିଲା

ମୋ କଳ୍ପନାରେ କଲମ ଚଳାଇ

ଭବିଷ୍ୟତ କୁ ଗୁନ୍ଥିବାର ଥିଲା।

 

କି ହାସ୍ୟକର ଏ ଚିନ୍ତା ସବୁ ଏଇନା

ଯେତେବେଳେ ମୋର ଝରକା ରେ

ପର୍ଦା ବଦଳ ରେ ଝୁଲୁଚି କଠିନ ନୀରବତା।

 

ଯେତେବେଳେ ଆଖି ବନ୍ଦ କଲେ

ନ ଦେଖୁଥିବା ଦୃଶ୍ୟସବୁ ଦିଶୁଛି ମୋତେ।

ସେଠି କେତେଜଣ ତରୁଣ ତରୁଣୀ

 

କେଉଁ ବିଷୟ ରେ ଗପ କରି ଏତେ ଖୁସି?

ମୁଁ ବି ସେମିତି ନଥିଲି କି ଦିନେ।

 

ଏବେ ସିନା ମୋ ସାଙ୍ଗ ସୁଲୁ ଖୁସି ରେ ଘର 

ସଂସାର କରୁଛି।ଦିନେ ତ କଲେଜ କ୍ୟାମ୍ପସରେ ଥିବା

 

କୃଷ୍ଣଚୁଡା ଗଛ ସାକ୍ଷୀ ଥିଲା

ଆମର ଗୋପନୀୟ କୌତୁକର।

ଆମର ଭୁଲର ମିଛ ମିଛ କଳି ଗୋଳର

ଆମର ତଥାକଥିତ ପାପର।

 

ମୋର ଅର୍ଧେକ ଜୀବନ କାହାଣୀ

ଲେଖା ଥିବା କାଗଜ ଗଦାକ ଏବେ ନାହିଁ ଏଠି।

 

ପ୍ରତିଟି ନିଃଶ୍ବାସ ସହିତ ଉଡି ଯାଉଛି

ମୋର ପ୍ରତିଟି ପ୍ରଗାଢ ଅନୁଭୂତି।

 

"ଭଲ କବିତା କିଛି ଲେଖିବ"ବୋଲି

ଅନୁରୋଧ କରି ଜଣେ ପ୍ରିୟ ଲେଖକ

ମୋତେ ଯେ କଲମ ଟି ଦେଇଥିଲେ

ଅନେକ ବର୍ଷ ତଳେ ସେଥିରୁ କାଳି ଶୁଖି ଯାଇଛି।

 

ମୋର ଖଟ ତଳେ ପଡି ରହିଛି ସେ 

ନିଃଶବ୍ଦ ବନ୍ଧୁକ ଟିଏ ଯେମିତି।