ଦ କେରଲା ଷ୍ଟୋରୀ

ଦ କେରଲା ଷ୍ଟୋରୀ

    " ମୋ ନାଁ ଶାଲିନୀ ଉନ୍ନି କ୍ରିଷ୍ଣନ୍ ଥିଲା। ମୋ ଘର କେରଲାରେ। ମୁଁ ନର୍ସ ହୋଇ ଲୋକଙ୍କ ସେବା କରିବାକୁ ଚାହୁଁଥିଲି। କିନ୍ତୁ ଏବେ ମୁଁ ଫାତିମା ବା। ଜଣେ ISIS ଆତଙ୍କବାଦୀ। ଆଫଗାନିସ୍ତାନର ଜେଲରେ ବନ୍ଦ ଅଛି। ଆଉ ମୋ ଭଳି ୩୨୦୦୦ ଝିଅଙ୍କୁ ଆଫଗାନିସ୍ତାନ, ସିରିଆ ଓ ୟେମନରେ ହତ୍ୟାକରି ମରୁଭୂମିରେ ପୋତି ଦିଆ ଯାଇଛି। ସାଧାରଣ, ନିଷ୍ପାପ ହିନ୍ଦୁ ଏବଂ ଖ୍ରୀଷ୍ଟୀଆନ୍ ଝିଅ ମାନଙ୍କୁ ଏମିତି ବହଲେଇ ଫୁସଲେଇ ଆତଙ୍କବାଦୀରେ ପରିଣତ କରିବାର ଅତ୍ୟନ୍ତ ଭୟଙ୍କର ଖେଳ/ଷଡ଼ଯନ୍ତ୍ର ଚାଲିଛି କେରଲାରେ। ସମସ୍ତଙ୍କ ଆଖି ସାମନାରେ। କ'ଣ ଏ ଷଡ଼ଯନ୍ତ୍ରକୁ କେହି ରୋକିବେନି?"

       ଏ ହେଉଛି ଗତ ଫିଲ୍ମ "ଦ କେରଲା ଷ୍ଟୋରୀ"ର ୧ ମିନିଟ ୨୦ ସେକେଣ୍ଡର ଟିଜର୍, ଯାହା ନଭେମ୍ବର ମାସରେ ପ୍ରଥମେ ସାମନାକୁ ଆସିଥିଲା। ଯେଉଁଥିରେ ଅଭିନେତ୍ରୀ ଅଦା ଶର୍ମା କେରଳର ଜଣେ ସାଧାରଣ ହିନ୍ଦୁ ଝିଅ, ଇସ୍ଲାମ ଧର୍ମ ଗ୍ରହଣ କରି କେମିତି ଷଡ଼ଯନ୍ତ୍ର କ୍ରମେ ISIS ଆତଙ୍କବାଦୀରେ ପରିଣତ ହୋଇଯାଇଛନ୍ତି ତାହା କହୁଛନ୍ତି। ଏବଂ ଟିଜରଟି ନିଜ ଟ୍ବିଟରରେ ସେୟାର କଲା ବେଳେ ଅଦା ଶର୍ମା ହ୍ୟାସଟ୍ୟାଗ୍ ଟ୍ରୁ ଷ୍ଟୋରୀ (ସତ୍ୟ ଘଟଣା) ବୋଲି ଦାବି କରିଥିଲେ। କେବଳ ଅଦା ଶର୍ମା ନୁହନ୍ତି ଆହୁରି ଅନେକ ଲୋକ ଏହି ଟିଜରଟିକୁ #turestory କହି ପ୍ରଚାର ଓ ସେୟାର କରିଥିଲେ। ସେଇ ନଭେମ୍ବର ମାସରେ ତେଣୁ ଅନେକ ବିବାଦ ତଥା ବିରୋଧ ସହ ଫିଲ୍ମ ନିର୍ମାଣକାରୀଙ୍କ ଉପରେ FIR ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇ, ଫିଲ୍ମର ରିଲିଜ ଉପରେ ରୋକ ଲଗାଇବା ପାଇଁ ଦାବି ହୋଇଥିଲା। ୟା ପରେ ଏବେ ପୁଣି ଦୁଇ-ତିନି ଦିନ ହେବ ଏହି ଟିଜର୍, #truestory, ୩୨୦୦୦ ଝିଅଙ୍କ ଇସ୍ଲାମ ଗ୍ରହଣ ଏସବୁକୁ ନେଇ ପୁଣି ଚର୍ଚ୍ଚା ଧରିଛି। କିଛି ମହଲରେ ଏହି ଫିଲ୍ମକୁ ନିଶ୍ଚିତ ଦେଖିବା ପାଇଁ ଅପିଲ୍ କରା ଯାଇଛି। ବାରମ୍ବାର କେରଳର ନିଷ୍ପାପ "୩୨୦୦୦ ଝିଅ" ଭୋଗିଥିବା ଷଡ଼ଯନ୍ତ୍ରକୁ ଦେଖିବା ପାଇଁ ଅପିଲ୍ କରା ଯାଉଛି। ଅଦା ଶର୍ମାଙ୍କ ପରି ସମୁଦାୟ ୬ ଟି ଫ୍ଲପ୍ ଫିଲ୍ମ କରିଥିବା ଅଭିନେତ୍ରୀଙ୍କ ପାଇଁ ଏମିତି ବିବାଦପୂର୍ଣ୍ଣ ବିଷୟବସ୍ତୁର ଫିଲ୍ମରେ କାମ ପାଇବା ନିହାତି ଜୀବନର ଗୋଟିଏ ବଡ଼ ଉପଲବ୍ଧି। ତାଙ୍କ ଅଭିନୟ ଯାହା ହୋଇଥାଉ କିନ୍ତୁ ବିବାଦୀୟ ହେଲେ କିଛି ଲୋକ ଫିଲ୍ମ ଦେଖିବାକୁ ତ ନିଶ୍ଚୟ ଯିବେ। ସେମିତି ଗତ ୧୦ ବର୍ଷ ମଧ୍ୟରେ କେବଳ ଗୋଟିଏ ହିଟ୍ ଫିଲ୍ମ ଦେଇଥିବା ପ୍ରଯୋଜକ ବିପୁଲ ଶାହ ଏବଂ ଅନେକ ବର୍ଷ ହେବ କୌଣସି ସେନ୍ସେସନାଲ୍ ଫିଲ୍ମ ବନାଇ ନଥିବା ନିର୍ଦ୍ଦେଶକ ସୁଦୀପ୍ତୋ ସେନଙ୍କ ପାଇଁ ମଧ୍ୟ ବିଷୟବସ୍ତୁଟି ଗୋଟିଏ "ହଟ୍ କେକ୍" ସଦୃଶ। ଏମିତି ଆତଙ୍କବାଦ, ଷଡ଼ଯନ୍ତ୍ର, ଧର୍ମାନ୍ତରୀକରଣ, ମଧ୍ୟ-ପ୍ରାଚ୍ୟର ଅପରିସ୍ଥିତି ଆଦିକୁ ନେଇ ଫିଲ୍ମ ତିଆରି ହେବା କୌଣସି ନୂଆ କଥା ନୁହେଁ। ଏବଂ କେରଳରେ ଧର୍ମାନ୍ତରୀକରଣ ତଥା ଉଚ୍ଚଶିକ୍ଷିତ ଯୁବକ ମାନଙ୍କର ISIS ଆତଙ୍କବାଦୀ ହେବା ଏସବୁକୁ ନେଇ ବର୍ଷ ବର୍ଷ ଧରି ଆଶଙ୍କା ତଥା ରିପୋର୍ଟ ପ୍ରକାଶ ପାଇ ଆସିଛି। ଏ ପ୍ରକାର ବିଷୟବସ୍ତୁକୁ ନେଇ ମଧ୍ୟ ଆଗରୁ ବଲିଉଡରେ ଫିଲ୍ମ ନିର୍ମାଣ କରାଯାଇଛି। ତା' ହେଲେ ଏଠି ପ୍ରଶ୍ନ ଉଠେ "ଦ କେରଲା ଷ୍ଟୋରୀ"କୁ ନେଇ ଏତେ ବିବାଦ କାହିଁକି? ବିବାଦ ଏଠି ଫିଲ୍ମ କାହିଁକି ତିଆରି ହୋଇଛି ତାକୁ ନେଇକି ନୁହେଁ, ବର° ବିବାଦ ହେଉଛି ଉପସ୍ଥାପନାର ଶୈଳୀକୁ ନେଇ। ଗୋଟିଏ ଫିକ୍ସନ୍ ବା କାଳ୍ପନିକ ସ°ଖ୍ୟାକୁ 'ଭୟଙ୍କର ସତ୍ୟ' କୁହାଯାଉଥିବାକୁ ନେଇ। ବିବାଦ ଏଠି ଅତିରଞ୍ଜିତ ଗୋଟିଏ ସ°ଖ୍ୟା ଉପରେ ଜୋର୍ ଦେଇ, ସାଧାରଣ ଲୋକଙ୍କ ମାନସିକତା, ଚିନ୍ତାଶକ୍ତି ଏବଂ ଭାବନା ସହ କରାଯାଉଥିବା ମ୍ୟାନିପୁଲେନକୁ ନେଇ।

        କିନ୍ତୁ ଯେକୌଣସି କନକ୍ଲୁଜନ୍ ବା ସିଦ୍ଧାନ୍ତରେ ଉପନୀତ ହେବା ଆଗରୁ ନିଜ ମନରେ କୌଣସି ଧାରଣା ବନେଇବା ଆଗରୁ ସବୁ ଦିଗ ଏବଂ ତଥ୍ୟକୁ ବିଚାର ନିହାତି କରିବା ଦରକାର। ନ ହେଲେ ଆମେ ବି ଫିଲ୍ମକୁ ପ୍ରମୋଟ୍ କରୁଥିବା ଗୋଟିଏ ଗୋଷ୍ଠୀ ଏବଂ ବିରୋଧ କରୁଥିବା ଆଉ ଗୋଟିଏ ଗୋଷ୍ଠୀରୁ କୌଣସି ଗୁଣରେ କମ୍ ହେବାନି! ଯେତେବେଳେ ନଭେମ୍ବର ମାସରେ ପ୍ରଥମେ ଟିଜରଟି ରିଲିଜ ହୋଇଥିଲା, ସେତେବେଳେ ANI ସହ ଗୋଟିଏ ବର୍ତ୍ତାଳାପରେ ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍ କହିଥିଲେ ଯେ, "୨୦୦୯ରୁ ଏ ଭିତରେ କେରଳର ୩୨୦୦୦ରୁ ଅଧିକ ହିନ୍ଦୁ ଏବଂ ଖ୍ରୀଷ୍ଟୀଆନ୍ ଝିଅ ମାନଙ୍କୁ ଷଡ଼ଯନ୍ତ୍ର କରି, ଇସ୍ଲାମରେ ପରିଣତ କରାଯାଇଛି। ସେମାନେ ଏବେ ନିଖୋଜ। ସେମାନଙ୍କୁ ପ୍ରଭାବିତ କରି ସିରିଆ, ଆଫଗାନିସ୍ତାନ, ୟେମନ୍ ପରି ISIS ଏବଂ ହକ୍କାନୀ ପ୍ରଭାବିତ ଅଞ୍ଚଳ ଗୁଡିକରେ ଆତଙ୍କବାଦୀ କର୍ଯ୍ୟରେ ନିୟୋଜିତ କରାଯାଉଛି। ଯଦିଓ ଏହା ସମସ୍ତଙ୍କ ଆଖି ସାମ୍ନାରେ ହେଉଛି ଏବଂ ସମସ୍ତେ ଏ ବିଷୟରେ ଅବଗତ କିନ୍ତୁ ସରକାରୀ ସ୍ତରରେ ଏହା ବିରୁଦ୍ଧରେ କିମ୍ବା ଏହାକୁ ରୋକିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନାହିଁ।" ସୁଦୀପ୍ତୋ ସେନ୍ ଦ୍ବାରା ଦିଆ ଯାଇଥିବା ଏହି ବିବୃତିକୁ ସେତେବେଳେ Zee News, OpIndia, Statesman, Outlook, Film Companion, Times of India ଏ ସବୁ ମାଧ୍ୟମ ଗୋଟିଏ ତଥ୍ୟ ପରି ହିଁ ପ୍ରକାଶ କରିଥିଲେ। ସେତେବେଳେ ସୁଦୀପ୍ତୋ ସେନ୍ ଦାବି କରିଥିଲେ ଯେ ସେ ନିଜ ସ୍ତରରେ ଏସବୁକୁ ନେଇ ଯାଞ୍ଚ୍ କରିଛନ୍ତି, ତାଙ୍କ ପାଖରେ ଏସବୁକୁ ନେଇ (୩୨୦୦୦ ଝିଅଙ୍କ ସମ୍ବନ୍ଧିତ)  ପ୍ରମାଣ ମଧ୍ୟ ଅଛି। Festival Of Bharatରେ ଗୋଟିଏ ଅନଲାଇନ୍ ଆଲୋଚନାରେ ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍ କହିଥିଲେ ଯେ, "ଏହି ତଥ୍ୟ (୩୨୦୦୦ ଝିଅଙ୍କ ଇସ୍ଲାମ ଗ୍ରହଣ କରିବା) ମୁଁ ୨୦୧୦ ମସିହାରେ ସେତେବେଳର କେରଳର ମୁଖ୍ୟମନ୍ତ୍ରୀ ଓମ୍ମେନ୍ ଚଣ୍ଡୀଙ୍କ ଦ୍ଵାରା କେରଳ ବିଧାନସଭାରେ ରଖା ଯାଇଥିବା ଗୋଟିଏ ଅଭିଭାଷଣରୁ ହିସାବ ଲଗାଇଛି।" ସୁଦୀପ୍ତୋ ସେନଙ୍କ କହିବା ଅନୁସାରେ ୨୦୧୦ ମସିହାରେ ଓମ୍ମେନ୍ ଚଣ୍ଡୀ ବିବୃତି ଦେଇଥିଲେ ଯେ, "ସେଇ ବର୍ଷ ୨୬୦୦ ରୁ ୩୨୦୦ ହିନ୍ଦୁ ଏବଂ ଖ୍ରୀଷ୍ଟୀଆନ୍ ଝିଅ ଇସ୍ଲାମ ଗ୍ରହଣ କରିଛନ୍ତି।" (ଯେଉଁଥିରୁ କି ସୁଦୀପ୍ତୋ ସେନ୍ ବୋଧେ ହିସାବ ଲଗାଇ ଦେଲେ ଯେ ଯଦି ଏକ ବର୍ଷ ଭିତରେ ୩୨୦୦ଜଣ ଇସ୍ଲାମ ଗ୍ରହଣ କଲେ, ତା' ହେଲେ ୧୦ (୨୦୦୯-୨୦୧୯) ବର୍ଷରେ ୩୨୦୦ × ୧୦= ୩୨୦୦୦ ଝିଅ ଇସ୍ଲାମ ଗ୍ରହଣ କଲେ; ଇସ୍ଲାମ ଗ୍ରହଣ କରି middle-east ରେ ପହଞ୍ଚିଲେ ଏବଂ ସେଠି ସେମାନେ ISISରେ ଯୋଗ ଦେଇ ଆତଙ୍କବାଦୀ ହୋଇଗଲେ! ତା' ହେଲେ ଏହା ସମ୍ପୂର୍ଣ୍ଣ ଏକ ଅନୁମାନ ବା କାଳ୍ପନିକ। ୟାକୁ "ସତ୍ୟ ଘଟଣା" କହି କାହିଁକି ବ୍ୟବସାୟ କରାଯାଉଛି?)

         କିନ୍ତୁ ଅଲ୍ଟ ନ୍ୟୁଜ୍ ଏବଂ ଅନ୍ୟ କିଛି ତଥ୍ୟ ତଥା ସତ୍ୟାସତ୍ୟ ସନ୍ଧାନ ବା fact check କରୁଥିବା ସ°ସ୍ଥା ଟିଜର୍ ରିଲିଜ ହେବା ପରେ ୨୦୦୯ରୁ ଏ ଭିତରେ ସମସ୍ତ ଖବର ଏବଂ ସରକାରୀ ସ୍ତରରେ ପ୍ରକାଶିତ ତଥ୍ୟକୁ ଆଧାର କରି କୌଣସି ମଧ୍ୟ ଜାଞ୍ଚରେ ୩୨୦୦୦ ଝିଅଙ୍କ ଧର୍ମ ପରିବର୍ତ୍ତନ କିମ୍ବା ନିଖୋଜକୁ ନେଇ କୌଣସି ପ୍ରମାଣ ପାଇ ନଥିଲେ। ଏହା ପରେ AltNews ଦ୍ବାରା ଫୋନ୍ କରାଯିବାରୁ, ସୁଦୀପ୍ତୋ ସେନ୍ କହିଥିଲେ - ଉକ୍ତ ତଥ୍ୟ ୨୦୧୦ରେ ପୂର୍ବତନ ମୂଖ୍ୟମନ୍ତ୍ରୀ ଓମ୍ମେନ୍ ଚଣ୍ଡୀ, କେରଳ ବିଧାନସଭାରେ ଗୋଟିଏ ଅଭିଭାଷଣରେ ଉପସ୍ଥାପନ କରିଥିଲେ। ଏହା ସେତେବେଳେ Times of Indiaରେ ପ୍ରକାଶିତ ହୋଇଥିଲା। ଏହା ତାଙ୍କର ନିଜର ତଥ୍ୟ ନୁହେଁ। ଏହାପରେ ଅନେକ ଖୋଜ ଖବର ପରେ ଓମ୍ମେନ୍ ଚଣ୍ଡୀଙ୍କ ସେହି ଅଭିଭାଷଣ ବିଷୟରେ India Todayର ଜୁନ୍ ୨୦୧୨ ମସିହାର ଏକ ସ°ଖ୍ୟାରେ ତଥ୍ୟ ମିଳିଥିଲା। ପ୍ରକାଶିତ ଖବର ଅନୁସାରେ, ୨୦୧୨ ମସିହାରେ ତତ୍କାଳୀନ କେରଳ ମୂଖ୍ୟମନ୍ତ୍ରୀ ଓମ୍ମେନ୍ ଚଣ୍ଡୀ ବିଧାନସଭାରେ ଗୋଟିଏ ଅଭିଭାଷଣରେ କହିଥିଲେ ଯେ "କେରଳରେ ବର୍ଷ ୨୦୦୬ରୁ ୨୦୧୨ ମଧ୍ୟରେ ୨୫୦୦ରୁ ଅଧିକ ହିନ୍ଦୁ ଏବଂ ଖ୍ରୀଷ୍ଟୀଆନ୍ ଝିଅ ଇସ୍ଲାମ ଗ୍ରହଣ କରିଛନ୍ତି।" ଅର୍ଥାତ ୨୦୦୬ରୁ ୨୦୧୨, ଛ'ଅ ବର୍ଷ ମଧ୍ୟରେ ସମୁଦାୟ ୨୫୦୦ଜଣ ମହିଳା ଧର୍ମ ପରିବର୍ତ୍ତନ କରିଥିଲେ କିନ୍ତୁ ଓମ୍ମେନ୍ ଚଣ୍ଡୀ କୌଣସି ଗୋଟିଏ ମଧ୍ୟ ଥର ଉକ୍ତ ଝିଅ ମାନଙ୍କ ଦ୍ବାରା ISISରେ ଯୋଗ ଦେବା କିମ୍ବା ଆତଙ୍କବାଦୀ ହେବା କଥା କହିନଥିଲେ। ଏହା ପରେ ନିର୍ଦ୍ଦେଶକ ସୁଦୀପ୍ତୋ ସେନ ତାଙ୍କ ପାଖରେ ଥିବା ପ୍ରମାଣର ଅନ୍ୟ ଏକ ସ୍ରୋତ ବିଷୟରେ କହିଥିଲେ। ତାଙ୍କ କହିବା ଅନୁସାରେ ୧୪ ଜୁଲାଇ ୨୦୧୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭି ଏସ୍ ଅଚ୍ୟୁତାନନ୍ଦ ଗୋଟିଏ ପ୍ରେସ୍ କନ୍ଫରେନ୍ସରେ କହିଥିଲେ, " କେରଳ ଗୋଟିଏ ଇସ୍ଲାମିକ ରାଜ୍ୟରେ ପରିଣତ ହୋଇଯିବ"। ଭି ଏସ୍ ଅଚ୍ୟୁତାନନ୍ଦଙ୍କ ଏହି ପ୍ରେସ୍ କନ୍ଫରେନ୍ସର ଭିଡିଓ କ୍ଲିପର କିଛି ଅ°ଶ "ଦ କେରଲା ଷ୍ଟୋରୀ" ଫିଲ୍ମର ପ୍ରୋମୋରେ ମଧ୍ୟ ବ୍ୟବହାର କରାଯାଇଛି। ସମ୍ପୂର୍ଣ୍ଣ ପ୍ରେସ୍ କନ୍ଫରେନ୍ସ ଭି ଏସ୍ ଅଚ୍ୟୁତାନନ୍ଦ PFI (ଯାହା ବର୍ତ୍ତମାନ ବ୍ୟାନ୍) ଉଦ୍ଦେଶ୍ୟରେ କହିଥିଲେ ଯେ "PFI ଯୁବକ-ଯୁବତୀ ମାନଙ୍କୁ ପଇସାର ଲୋଭ ଦେଖାଇ ଇସ୍ଲାମ ଧର୍ମ ଗ୍ରହଣ କରିବାକୁ ଫସେଇ ଦେଉଛି।" ଅବଶ୍ୟ ଭି ଏସ୍ ଅଚ୍ୟୁତାନନ୍ଦ ନିଜ ଅଭିଭାଷଣରେ "ଲଭ୍ ଜିହାଦ" ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, PFI ଅଧିକରୁ ଅଧିକ ହିନ୍ଦୁ ଝିଅ ମାନଙ୍କୁ ବିବାହ କରି ବ°ଶବୃଦ୍ଧି କରିବା ପାଇଁ ପ୍ରବର୍ତ୍ତାଉଛି। ସେତେବେଳେ ତାଙ୍କର ଏହି ଉକ୍ତି ପାଇଁ କ°ଗ୍ରେସ ପକ୍ଷରୁ ଭର୍ତ୍ସନା ମଧ୍ୟ କରା ଯାଇଥିଲା। କିନ୍ତୁ ଭି ଏସ୍ ଅଚ୍ୟୁତାନନ୍ଦ ମଧ୍ୟ ନିଜ ଭାଷଣରେ କୌଣସି ସ୍ଥାନରେ ଝିଅ ମାନଙ୍କର ISISରେ ଯୋଗ ଦେଇ ଆତଙ୍କବାଦୀ ହେବା କୁହାଯାଇ ନଥିଲା। ସୁଦୀପ୍ତୋ ସେନଙ୍କ ଦ୍ବାରା ଦାବି କରାଯାଇଥିବା ଏବଂ ପେସ୍ କରାଯାଇଥିବା ଦୁଇଟି ଯାକ ସ୍ରୋତ କୌଣସି ମତେ ପ୍ରମାଣ କରେନି ଯେ କେରଳରେ ୩୨୦୦୦ ଝିଅ ନିଖୋଜ ଅଛନ୍ତି, ଇସ୍ଲାମ ଗ୍ରହଣ କରି middle-east ଯାଇଛନ୍ତି କିମ୍ବା ISISର ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଅଛନ୍ତି।

         ଏଥର ଆମେ ସରକାରୀ ତଥା ବିଭିନ୍ନ ଅନ୍ତରାଷ୍ଟ୍ରୀୟ ଅନୁସନ୍ଧାନ ତଥା ବିଶେଷଜ୍ଞ ସ°ସ୍ଥା ଦ୍ବାରା ଦିଆ ଯାଇଥିବା ତଥ୍ୟ ବା fact ବା data ଉପରେ ଟିକେ ନଜର ପକାଇବା। ଶ୍ରୀ ଅମିତ୍ ଶାହଙ୍କ ଅଧିନରେ ଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଭାରତରେ ସମୁଦାୟ ୧୫୫ pro-IS case ରହିଛି। Pro-ISର ଅର୍ଥ IS ସହ ଦେଶର କୌଣସି ତଥ୍ୟ ସେୟାର କରିବା, ସେମାନଙ୍କ ଚିନ୍ତାଧାରା ଏବଂ ବିଚାରକୁ ପ୍ରଚାର କରିବା ପାଇଁ ଚେଷ୍ଟା କରିବା, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପଶ୍ଚିମ ଏସିଆ ବା ମଧ୍ୟ-ପ୍ରାଚ୍ୟ ଯିବା ପାଇଁ ଚେଷ୍ଟାରତ ଥିବା, IS ରେ ଯୋଗ ଦେଇଥିବା। ସେହିପରି  ବିଶ୍ବସ୍ତରୀୟ ଖ୍ୟାତିସମ୍ପନ୍ନ ସ°ସ୍ଥା ORF (Observer Research Foundation) ଦ୍ବାରା ୨୦୧୯ ମସିହାରେ ଜାରି କରାଯାଇଥିବା ଗୋଟିଏ ରିସର୍ଚ୍ଚ ରିପୋର୍ଟ "The Islamic State in India's Kerala: A Primer" ଏଥିରେ ମଧ୍ୟ ଦର୍ଶା ଯାଇଛି ଯେ ଭାରତରେ ବର୍ଷ ୨୦୧୪ରୁ ୨୦୧୮ ଭିତରେ ସମୁଦାୟ ୧୮୦ -୨୦୦ଟି pro-IS case ଦେଖାଯାଇଛି।  ସେହିପରି ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ୨୦୨୦ରେ ଆତଙ୍କବାଦ ଉପରେ ପ୍ରକାଶିତ ରିପୋର୍ଟ (US department of country reports on terrorism) ଅନୁସାରେ, ISISରେ ଯୋଦ୍ଧା ହିସାବରେ ଯୋଗ ଦେଇଥିବା ସମୁଦାୟ ଭାରତୀୟ ଆତଙ୍କବାଦୀଙ୍କ ସ°ଖ୍ୟା ହେଉଛି ୬୬, ଉଭୟ ପୁରୁଷ ଏବଂ ମହିଳା।  ଜୁନ୍, ୨୦୨୧ ରେ The Hindu ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସମୁଦାୟ ୪ ଜଣ ଭାରତୀୟ ମୂଳର ମହିଳା ଆତଙ୍କବାଦୀ ଆଫଗାନିସ୍ତାନର ଜେଲରେ ବନ୍ଦ ଅଛନ୍ତି, ଯେଉଁମାନେ କି ସେମାନଙ୍କ ସ୍ବାମୀଙ୍କ ସହ ଇସ୍ଲାମିକ ଦେଶକୁ ଯାତ୍ରା କରିଥିଲେ। ଭାରତୀୟ ସରକାର ସେମାନଙ୍କ ଆମ ଦେଶରେ ଦାଖିଲ ହେବା ଉପରେ ରୋକ ଲଗାଇ ସାରିଛି। ଏହା ଛଡା ରିପୋର୍ଟ ଅନୁସାରେ ଏବେ ସୁଦ୍ଧା ସମଗ୍ର ବିଶ୍ବର ୧୧୦ଟି ଦେଶରୁ ସମୁଦାୟ ୪୦୦୦୦ ଲୋକ, ଉଭୟ ପୁରୁଷ ଏବଂ ମହିଳା ISISରେ ବିଦେଶୀ ଯୋଦ୍ଧା ବା foreign fighter ହିସାବରେ ଯୋଗ ଦେଇଛନ୍ତି। ISIS ଏବଂ ସେମାନଙ୍କ ପ୍ରଚାରତନ୍ତ୍ର ଉପରେ ଗବେଷଣା କରୁଥିବା ବିଶେଷଜ୍ଞ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି ଯେ, ଅଦ୍ଭୁତ ଭାବରେ ସେମାନେ ଭାରତୀୟ ମୁସଲମାନ କିମ୍ବା ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ପ୍ରଭାବିତ କରିବାରେ କେମିତି ବିଫଳ ହୋଇ ଆସୁଛନ୍ତି!  ଏ ସମସ୍ତ ସରକାରୀ ଏବଂ ରିସର୍ଚ୍ଚ ରିପୋର୍ଟରେ କେଉଁଠି ବି ପଢିଲେ କି 'ଦ କେରଲା ଷ୍ଟୋରୀ'ରେ ଦର୍ଶା ଯାଇଥିବା "୩୨୦୦୦" ସ°ଖ୍ୟା? କିନ୍ତୁ ହଁ, ଭାରତ କ'ଣ କୌଣସି ବି ଦେଶରୁ କିମ୍ବା ଇରାକ ଆଉ ସିରିଆରୁ ମଧ୍ୟ କୌଣସି ଜଣେ ବି ବ୍ୟକ୍ତି କେବଳ ISIS ନୁହେଁ କୌଣସି ମଧ୍ୟ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ ହେବା ନିହାତି ମାନବ ସମାଜ ପାଇଁ ଲଜ୍ଜାର ବିଷୟ। ନିଶ୍ଚିତ ଭାବରେ ଭାରତରୁ କୌଣସି ଜଣେ ମଧ୍ୟ ବ୍ୟକ୍ତି କେବଳ ISIS ନୁହେଁ ବରଂ କୌଣସି ମଧ୍ୟ ମୌଳବାଦୀ ଗୋଷ୍ଠୀରେ ସାମିଲ ହେବା କଥା ନୁହେଁ। ଆମ ଭାରତରୁ କେହି ଜଣେ ବି ଆତଙ୍କବାଦୀ ଗୋଷ୍ଠୀରେ ସାମିଲ ହେବା ନିଶ୍ଚିତ ନିନ୍ଦନୀୟ! କିନ୍ତୁ ଆଗରୁ ହିଁ ଗୋଟିଏ ସମ୍ବେଦନଶୀଳ ମାମଲାକୁ ଅତିରଞ୍ଜିତ କରି ଅତିବେଶିରେ ୨୦୦ ମଣିଷଙ୍କ ସ°ଖ୍ୟାକୁ ୩୨୦୦୦ ଦେଖାଇବାର କ'ଣ ଅର୍ଥ?

         ସବୁ ରିପୋର୍ଟ ଏବଂ ତଥ୍ୟପରେ ଏବେ ନିଜେ ଗୋଟିଏ ଛୋଟିଆ ହିସାବ କରନ୍ତୁ: କେରଳର ସମୁଦାୟ ଜନସଂଖ୍ୟା ହେଉଛି ୩୩୪୦୬୦୬୧, ସେଥିରୁ ପୁରୁଷଙ୍କ ସ°ଖ୍ୟା ୧୬୦୨୯୭୮୦ ଏବଂ ମହିଳାଙ୍କ ସ°ଖ୍ୟା ୧୭୩୭୬୨୮୧। ଯଦି ଆମେ ଧର୍ମ ଆଧାରରେ କେରଳର ଜନସଂଖ୍ୟା ଦେଖିବା ତା' ହେଲେ ସମୁଦାୟ ଜନସଂଖ୍ୟାର ୫୪.୭୩% ଅର୍ଥାତ ୧୮୨୮୨୪୯୨ ଜଣ ହିନ୍ଦୁ; ୨୬.୫୬% ମାନେ ୮୮୭୩୪୭୨ ଜଣ ମୁସଲମାନ ଏବଂ ୧୮.୩୮% ଅର୍ଥାତ୍ ୬୧୪୧୨୬୯ ଜଣ ଖ୍ରୀଷ୍ଟୀଆନ୍ ଅଟନ୍ତି। ଏହା ଛଡା ୮୮୧୫୫ ଜଣଙ୍କର କୌଣସି ନିର୍ଦ୍ଦିଷ୍ଟ ଧର୍ମ ଲେଖା ନଥିବା ବେଳେ ବୌଦ୍ଧ, ଜୈନ ଏବଂ ଶିଖ ସମ୍ପ୍ରଦାୟର ପ୍ରତ୍ୟେକ ୪୦୦୦-୫୦୦୦ ରହିଛନ୍ତି। ଏବେ ଥରେ ଚିନ୍ତା କଲେ, ସମୁଦାୟ ୧୮୨୮୨୪୯୨ ହିନ୍ଦୁ ଜନ ସ°ଖ୍ୟାର ଯଦି ଅଧା ମହିଳା ଜନସଂଖ୍ୟା ହୋଇଥାଏ ତା' ହେଲେ ସମୁଦାୟ ହିନ୍ଦୁ ମହିଳାଙ୍କ ସ°ଖ୍ୟା ପାଖାପାଖି ୯୧୪୧୨୪୬ ହେବ…..ତା' ହେଲେ ବିଚାର କଲେ, ସେଥିରୁ ଯଦି ୩୨୦୦୦ ମହିଳା ନିଖୋଜ ହୋଇ ଯାଆନ୍ତି ତେବେ କ'ଣ ଦେଶରେ ହଇଚଇ ସୃଷ୍ଟି ହୋଇଯିବନି? ଆଉ ଯଦି ସତରେ ୩୨୦୦୦ ଝିଅ ଇସ୍ଲାମ ଗ୍ରହଣ କରି କେରଳରୁ ଉଭେଇ ଯାଇଛନ୍ତି ତା' ହେଲେ କୌଣସି ମିଡ଼ିଆରେ ୟାକୁ ନେଇ ଖବର କାହିଁକି ନାହିଁ? ଭାରତ ସରକାରଙ୍କ ପାଖରେ ଡାଟା କାହିଁକି ନାହିଁ? ଆଉ ଯଦି ଆମେ ନିଖୋଜ ବ୍ୟକ୍ତିଙ୍କ ଡାଟାକୁ ଦେଖିବା ତା' ହେଲେ ଗତ ୬ ବର୍ଷ ମଧ୍ୟରେ କେରଳରେ ସମୁଦାୟ ୬୬୮୩୮ଟି ନିଖୋଜ ବ୍ୟକ୍ତି ମାମଲା ରହିଛି (ଉଭୟ ମହିଳା, ପୁରୁଷ, ଶିଶୁ)। ୨୦୧୬ -୨୦୧୮ ଭିତରେ ସମୁଦାୟ ୧୬୬୩୭ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ ୧୩୭୬୫ଜଣ ଫେରି ଆସିଛନ୍ତି। ୨୦୨୨ରେ ସେପ୍ଟେମ୍ବର ସୁଦ୍ଧା ସମୁଦାୟ ୭୪୦୮ଟି ନିଖୋଜ ବ୍ୟକ୍ତି ମାମଲା ଦର୍ଜ ହୋଇଥିବା ବେଳେ ସେଥିରୁ ୮୦% ଫେରି ଆସିଥିଲେ। ତା' ହେଲେ 'ଦ କେରଳା ଷ୍ଟୋରୀର' ସେ ୩୨୦୦୦ ମହିଳାଙ୍କ ଖବର କୌଣସି ଡାଟାରେ, ରିପୋର୍ଟରେ ରହିଲାନି କେମିତି? ଯେଉଁ ତଥ୍ୟ ଭାରତର ଗୃହ ମନ୍ତ୍ରଣାଳୟ ପାଖରେ ନାହିଁ ତାହା କେବଳ ଗୋଟିଏ ଫିଲ୍ମ ନିର୍ମାତାଙ୍କ ପାଖରେ ଆସିଲା କେଉଁଠୁ? ଆଉ ଯଦି ଫିଲ୍ମ ନିର୍ମାତାଙ୍କ ପାଖରେ ସତରେ ସବୁ ତଥ୍ୟ-ପ୍ରମାଣ ଅଛି ତା' ହେଲେ ସେ ସରକାରଙ୍କୁ କାହିଁ ଦେଲେନି? ଫିଲ୍ମ କରି ବ୍ୟବସାୟ କରିବା ଆଗ ନା' ଦେଶକୁ ରକ୍ଷା କରିବା ଆଗ? ଆଉ ଫିଲ୍ମ ନିର୍ମାତାଙ୍କ ଦ୍ଵାରା ଦେଖା ଯାଇଥିବା କଥା ଯଦି ସତ, ତା' ହେଲେ କେବଳ କେରଳରେ ଥିବା ବାମପନ୍ଥୀ ସରକାର ନୁହେଁ କେନ୍ଦ୍ରରେ ଥିବା ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ କ°ଗ୍ରେସ ତଥା ୨୦୧୪ରୁ ଏପର୍ଯ୍ୟନ୍ତ ଶାସନଭାରରେ ଥିବା ଭାରତୀୟ ଜନତା ପାର୍ଟିର ସରକାର ମଧ୍ୟ ଏହା ପାଇଁ ଦାୟୀ।

        ଅବଶ୍ୟ ଆଜି ଯେଉଁଠି ଦେଶରେ ରାଜ୍ୟସଭା ସା°ସଦ ପି ଟି ଉଷା, ଯୌନନିର୍ଯାତନା ତଥା ଶୋଷଣର ବିରୋଧ କରି ଧାରଣାରେ ବସିଥିବା ମହିଳା କୁସ୍ତି ଖେଳାଳିଙ୍କ ଉଦ୍ଦେଶ୍ୟରେ ଏତେ ଅସମ୍ବେଦନଶୀଳ ମନ୍ତବ୍ୟ ଦେଇ ପାରନ୍ତି; ଯେଉଁଠି ଯୌନ ନିର୍ଯାତନା ଉପରେ ରାୟ ଦେଇ କୋର୍ଟ "a sexual harassment case, observing that the complaint is invalid when the woman (complainant) was wearing "sexually provocative dress" ମତ ଦେଇ ପାରନ୍ତି ଏବଂ ଖ୍ରୀଷ୍ଟୀଆନ୍ ଝିଅ ମାନଙ୍କ ଇସ୍ଲାମ ଗ୍ରହଣ କରିବାକୁ ନେଇ କେରଳର ଗୋଟିଏ ଚର୍ଚ୍ଚରେ ପାଦ୍ରୀ "ଲଭ-ଜିହାଦ" ଶବ୍ଦ ପ୍ରୟୋଗ ଆରମ୍ଭ କରି ପାରନ୍ତି; ସେଭଳି ପରିସ୍ଥିତିରେ ସାଧାରଣ ନିଷ୍ପାପ ଝିଅ ଏମିତି ଷଡ଼ଯନ୍ତ୍ରର ଶିକାର ହୋଇ ମଧ୍ୟ-ପ୍ରାଚ୍ୟରେ ପହଞ୍ଚି ସେକ୍ସ-ଲେବର କିମ୍ବା ISIS ଆତଙ୍କବାଦୀରେ ପରିଣତ ହେଉଥିବା ଥିଓରୀକୁ ସତ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିବା କିଛି ଅସମ୍ଭବ ନୁହେଁ!

         ମୁଁ କୌଣସି କଟ୍ଟର ବିରୋଧୀ ଲୋକଙ୍କ ପରି ଆଦୌ କହୁନି ଯେ କୌଣସି ରାଜ୍ୟରେ ଯୁବପିଢ଼ି ଆତଙ୍କବାଦୀରେ ପରିଣତ ହେବାକୁ ଚେଷ୍ଟାରତ, ଏହା ଉପରେ ଫିଲ୍ମ ବନିବା କଥା ନୁହେଁ, କିମ୍ବା ଆଦୌ କୌଣସି boycot gang ପରି ଫିଲ୍ମ କୁ ନଦେଖିବା ପାଇଁ ଅପିଲ୍ କରିବି। କାରଣ ସେ ଫିଲ୍ମ ହେଉ କିମ୍ବା ଗୀତ ହେଉ କିମ୍ବା ନାଟକ କିମ୍ବା ଚିତ୍ର କିମ୍ବା କବିତା କିମ୍ବା ଗପ କିମ୍ବା ଆଲେଖ୍ୟ….କଳାର ଉଦ୍ଦେଶ୍ୟ ହିଁ ସମାଜରେ ଘଟିଯାଉଥିବା, ଲୁଚି ରହିଥିବା ମନ୍ଦ ଚିଜ ଓ ଉଦ୍ଦେଶ୍ୟକୁ ସବୁ ବର୍ଗ ପାଖରେ ସହଜ, ସରଳ, କଳାତ୍ମକ ଢଙ୍ଗରେ ପରସି ଦେବା। କଳାର ଉଦ୍ଦେଶ୍ୟ ହିଁ ହେଉଛି ସମାଜିକ ବ୍ୟବସ୍ଥାରେ ସୁଧାର ଆଣିବା ଓ ଶାନ୍ତି ପ୍ରତିଷ୍ଠା କରିବା; ଅଶାନ୍ତି-ଅରାଜକତା କିମ୍ବା ଦଙ୍ଗା ପରିସ୍ଥିତି ସୃଷ୍ଟି କରିବା ନୁହେଁ। କିଛି ଲୋକ ଏତେ କଷ୍ଟ କରି ଫିଲ୍ମଟି ବନାଇଛନ୍ତି। ସେମାନଙ୍କ ପରିଶ୍ରମରେ ତିଆରି ଫିଲ୍ମକୁ ନଦେଖିବା ପାଇଁ ମୁଁ କେବେ ବି ପରାମର୍ଶ ଦେବିନି। କିନ୍ତୁ ଫିଲ୍ମ ନିର୍ମାତାଙ୍କର ମଧ୍ୟ ଧର୍ମ ଯେ କାଳ୍ପନିକ କଥାକୁ କାଳ୍ପନିକ ବୋଲି ହିଁ ପ୍ରଚାର କରନ୍ତୁ। ଆଉ ଯଦି କେହି ଆପଣଙ୍କୁ କୁହେ ଯେ "ଝିଅ ମାନଙ୍କ ବିରୁଦ୍ଧରେ କେମିତି ଷଡ଼ଯନ୍ତ୍ର ହେଉଛି ତାହା ଦେଖିବ ଯା'!" ତା' ହେଲେ ସେମାନଙ୍କୁ ପଚାରିବେ ନିହାତି - NCRB ରିପୋର୍ଟ ଅନୁସାରେ ଭାରତରେ ଯେଉଁ ୨୦୨୧ ମସିହାରେ ମୋଟ୍ ୪, ୨୮, ୨୭୮ ମହିଳାବିରୋଧୀ ଅପରାଧ ଘଟିଥିବା ନେଇ ମାମଲା ଦର୍ଜ କରାଯାଇଛି; ସେଇ ୪ଲକ୍ଷରୁ ଅଧିକ ମହିଳାଙ୍କ ବିରୋଧରେ ଯେଉଁ ଷଡ଼ଯନ୍ତ୍ର ହୋଇଛି ବା ହେଉଛି ତାହା ସେମାନଙ୍କୁ ଦେଖା ଯାଉନାହିଁ କାହିଁକି? ସେମାନଙ୍କ ପାଇଁ ଦାୟୀ କିଏ?

          ବେଶି ପଛକୁ ଯିବାନି। ଆପଣଙ୍କ ଜାଣତରେ ଯେତେ ଜଣ ବି ବର୍ତ୍ତମାନ "ଦ କେରଲା ଷ୍ଟୋରୀ"କୁ ଭୟାନକ ସତ କହି ଦେଖିବା ପାଇଁ ପ୍ରଚାର ଚଲାଉଛନ୍ତି, ଟିକେ ଧ୍ୟାନ ଦେଇ ଦେଖିବେ ତ

ଏଇ ଆମ ଆଖି ସାମ୍ନାରେ ବର୍ତ୍ତମାନ ଦିଲ୍ଲୀର ଯନ୍ତର-ମନ୍ତରରେ ବସିଥିବା ମହିଳା କୁସ୍ତିଯୋଦ୍ଧାଙ୍କ ପାଇଁ ସେମାନେ ଥରେ ବି ଚିନ୍ତା ପ୍ରକଟ କରିଛନ୍ତି କିମ୍ବା ସପକ୍ଷରେ କିଛି #truestory ଚଲାଇଛନ୍ତି? ଆପଣ ଭାବୁଛନ୍ତି ଯେଉଁ ଲୋକ ମାନେ ଆଖି ସାମ୍ନାରେ ରାସ୍ତା ଉପରେ ବସିଥିବା ଝିଅ ମାନଙ୍କ ପାଇଁ ସାମାନ୍ୟ ସମ୍ବେଦନଶୀଳତା ଦେଖାଉ ନାହାନ୍ତି, ସେମାନଙ୍କ ହୃଦୟ ଫିଲ୍ମର କାଳ୍ପନିକ ଝିଅ ମାନଙ୍କ ପାଇଁ ଲହୁ-ଲୁହାଣ ହୋଇଗଲା??

         ଦେଶକୁ ଟୁରିଜିମ୍ ମାଧ୍ୟମରେ ସବୁଠାରୁ ଅଧିକ ବିଦେଶୀ ମୁଦ୍ରା କେରଳ ରାଜ୍ୟ ମାଧ୍ୟମରେ ଆସେ। ଯଦି ସେ ରାଜ୍ୟକୁ ନେଇ ଏମିତି ଗୋଟାଏ ଭୟାନକ ଛବି ପ୍ରସ୍ତୁତ କରାଯିବ ତା' ହେଲେ କ୍ଷତି କାହାର ହେବ? ନିଜର ବ୍ୟବସାୟ ଚଳାଇବା ପାଇଁ, ଅର୍ଥ ଏବଂ ସ୍ବାର୍ଥ ହାସଲ ପାଇଁ ଦେଶରେ ଏମିତି ଭ୍ରମାତ୍ମକ ଚାଞ୍ଚଲ୍ୟକର ଏବଂ ଭୟର ବାତାବରଣ ସୃଷ୍ଟି କରିବା କେତେ ଦୂର ଯୁକ୍ତିଯୁକ୍ତ? ଦେଶ ଭିତରେ ଏବଂ ସମାଜରେ ହି°ସା, ଅସହିଷ୍ଣୁତା ଏବଂ ଅରାଜକତାକୁ ବଢାଉଥିବା ଫିଲ୍ମ କିମ୍ବା ଲେଖା କିମ୍ବା ଚିତ୍ର କୌଣସି ଗୁଣରେ ଆତଙ୍କବାଦୀ କାର୍ଯ୍ୟକଳାପ ଠାରୁ କମ୍ ନୁହେଁ ନିଶ୍ଚୟ!