ବୋଉ କେବେ ସରେନା , ନାବାଳକ କେବେ ମରେନା

ବୋଉ କେବେ ସରେନା , ନାବାଳକ କେବେ ମରେନା

"ଆମ ମଧ୍ୟବିତ୍ତମାନଙ୍କର ଇତିହାସ କେବେ ଲେଖାହୁଏ ନାହିଁ , ରାଜା , ମହାରାଜା,ପାତ୍ରମନ୍ତ୍ରୀ ନେତା , ଦିବ୍ୟପୁରୁଷ , ଦିବ୍ୟନାରୀ , ଯୋଗୀ , ଯୋଦ୍ଧା ଦାର୍ଶନିକମାନଙ୍କୁ ଇତିହାସରେ ପାଇବେ ହେଲେ ଆମ ମଧ୍ୟବିତ୍ତଙ୍କୁ ପାଇବେ ନାହିଁ । ସେଥିପାଇଁ ଆମ ଆତ୍ମକଥାର ଇତିହାସ ଆମକୁ ଲେଖିବାକୁ ପଡ଼ିବ (ଯଦିଓ ଆମେ ଅମର ହେବାକୁ ଚାହୁଁନା)  ସେ ସବୁକୁ ଇତିହାସ କରିବାର ସାମର୍ଥ୍ୟ ଆମର ନାହିଁ । ଛ'ମାଣ ଆଠ ଗୁଣ୍ଠ, ମାଟିର ମଣିଷ , ଗାଁର ଡାକ ପରି ଅନେକ ବହି ଲେଖା ହୋଇଛି । ମୁଁ ତାକୁ ସାହିତ୍ୟ ନକହି ଇତିହାସ ବୋଲି ଭାବେ ।"  ଏଇ କଥା ପଦକ ହେଉଛି ଅଜୟ ସ୍ବାଇଁଙ୍କ ଜୀବନନାମା ବହିର । କଥାଟି ଶହେରୁ ଶହେ ଠିକ୍ । ସାହିତ୍ୟ କାଳାତୀତ ହେଲେ ବି କାଳାଶ୍ରୟୀ । ସାହିତ୍ୟ ସାର୍ବଜନୀନ ହେଲେ ବି ଦେଶାଶ୍ରୟୀ । ସାହିତ୍ୟିକଟିଏ ରଚନା କରି କଳ୍ପନାର ସ୍ବର୍ଗପୁର ସେଠି ଜୀବନର ଅଭିଷେକ କରିପାରେ କିନ୍ତୁ ଜୀବନଯେ ଏକ ନିର୍ଦ୍ଧିଷ୍ଟ ପାଣିପବନ , ଧୂଳିମାଟିରେ ଗଢା ଏକଥାକୁ ଉପେକ୍ଷା କରା ଯାଇ ନପାରେ । ଯେଉଁ ସମାଜ ଓ ପରିବେଶରେ , ଯେଉଁ ସଭ୍ୟତା ଓ ସାଂସ୍କୃତିକ ପରିମଣ୍ତଳରେ ସ୍ରଷ୍ଟାର ଜନ୍ମ , ଜୀବନ-ଧାରଣ ଏବଂ ଜୀବନାବସାନ ସେଇ ସବୁ ସ୍ମୃତି ଅନୁଭୂତିରେ ହିଁ ସମୃଦ୍ଧ ହୁଏ ଲେଖା । ତେଣୁ ଆମେ କହିପାରିବା ଅଜୟ ସ୍ବାଇଁଙ୍କ ନାବାଳକ ହେଉଛି ଓଡ଼ିଶାର ନିମ୍ନମଧ୍ୟବିତ୍ତ ପରିବାର ଏକ ଇତିହାସ । କେବଳ ଇତିହାସ ? ନାଁ ! ସାଂସ୍କୃତିକ ଇତିହାସ । ଏଥିରେ ଓଡ଼ିଶାର ଯୌଥପରିବାରର ସ୍ନେହ ପ୍ରୀତି ସୁହାଗର କଥା ଅଛି , ଅଛି ପୁଣି କୁଟାଖିଅକର ଘର ଭୁସିଡ଼ି ଯିବାର ଦାରୁଣ ବ୍ୟଥା ।   ଏଇ ସ୍ନେହ ପ୍ରୀତିର କଥା ଓ ଘରଟିଏ ଭାଂଗିଯିବାର ବ୍ୟଥା  କୌଣସି ଇତିହାସ ବହିରେ ଲେଖା  ନାହିଁ , ଅଛି ନାବାଳକରେ । ସୁତରାଂ ନାବାଳକକୁ କିଏ କହିପାରେ ସାହିତ୍ୟ କିଏ କହି ପାରେ ଇତିହାସ । 

ଏବେ ଆସନ୍ତୁ ନାବାଳକ ଉପନ୍ୟାସର ଜୀବନଜାତକ ବିଷୟରେ ସଂକ୍ଷେପରେ  ଜାଣିବା । ଉପନ୍ୟାସଟି ବହି ହେବା ପୂର୍ବରୁ ୨ଟି ଭାଗରେ ଚିତ୍ରାର ପୂଜା ବିଶେଷ‍ାଙ୍କ ଓ ସୁଚରିତାର ଲେଖକ ବିଶେଷାଙ୍କରେ 'କୁଟାଖିଅକର ଘର' ନାମରେ ପ୍ରକାଶିତ ହୋଇଥିଲା । ଏ ଉଭୟ ସ୍ବୟଂସପୂର୍ଣ୍ଣ ଉପନ୍ୟାସ ଭାବରେ ପ୍ରକାଶିତ ହୋଇଥିଲେ । ଯେହୁତୁ ଉଭୟ ଉପନ୍ୟାସ ନଷ୍ଟାଲଜିକ୍ ସେଣ୍ଟିମେଣ୍ଟ୍ ଉପରେ ଆଧାରିତ ତେଣୁ ଏହାକୁ ଏକାଠି କରି ନାବାଳକ ଉପନ୍ୟାସ ପ୍ରକାଶିତ । ଏହାର ପ୍ରଥମ ପ୍ରକାଶ ହୋଇଥିଲା  ୧୯୯୮ ମସିହା କୁମାର ପୂର୍ଣ୍ଣିମା ତିଥିରେ । ଏହାକୁ ପ୍ରକାଶ କରିଥିଲେ ବିଶ୍ବମୁକ୍ତିର ସଂପାଦକ ଅଧ୍ୟାପକ ଶଶାଙ୍କ ଚୂଡ଼ାମଣି  । ପ୍ରଥମ ସଂସ୍କରଣର 'ଯାହା କହି ସାରିଛି ଆଗରୁ ନିଜକ' ଶୀର୍ଷକରେ ଅଜୟ ସ୍ବାଇଁ କୁହନ୍ତି - " ଏହାକୁ ଲେଖିଲାବେଳେ ବେଳେବେଳେ ପିଲା ହୋଇ କାନ୍ଦିଛି । ମୋ ଲୁହକୁ କେବେ ପଣତରେ , କେବେ ପାପୁଲିରେ ପୋଛିଦେଇ ଗହଳ ମାଣ୍ତିଆ କ୍ଷେତର ନିଦ ନାନାବାୟା ଗାଇ ଶୁଆଇଥିବା କେହି ଜଣେ (ଯିଏ ଏବେ ପଥରରୁ କ୍ରମଶଃ ଅନ୍ଧାର) ତା ପାଇଁ ହିଁ କେବଳ ମୋର ନିଦ ଓ ନିରବତା ।"  ଇତି ମଧ୍ୟରେ ନାବାଳକ ପ୍ରକାଶିତ ହେବାର ୨୫ ବର୍ଷ ପୁରି ସାରିଛି । ଆଜି ବି ପାଠକ ନିଜ ଭିତରେ  'ନାବାଳକ'କୁ ଖୋଜି ଲହୁଲୁହାଣ ହେଉଛି । ଅତୀତକୁ ଉଖାରି ତହିଁର ସ୍ମୃତିରେ କ୍ଷତାକ୍ତ ହେବାର ଆନନ୍ଦ  କମିନି ବୋଲି ହୁଏତ ନାବାଳକ ଉପନ୍ୟାସର ଦଶମ ସଂସ୍କରଣ ପକ୍ଷୀଘର ପ୍ରକାଶନ ଦ୍ବାରା ପ୍ରକାଶିତ ହୋଇସାରିଛି । 

ନାବାଳକ ଉପନ୍ୟାସଟି ପ୍ରଥମପୁରୁଷ ଶୈଳୀରେ ରଚିତ । ଏହାକୁ ଆମେ ସ୍ବଗୋକ୍ତିମୂଳକ କିମ୍ବା ଆତ୍ମଚରିତ ମୂଳକ ଶୈଳୀ କହିପାରିବା । ଏପରି ରଚନାକୌଶଳ ଫଳରେ ପାଠକ  ଲେଖକର ଜୀବନପ୍ରତି ବଶମ୍ବଦ ଓ ଅନୁଭବ ପ୍ରତି ବିଶ୍ବସ୍ତ ହୁଏ ଉଠେ । ପୁଣି ଲେଖକ ନିଜେ କଥକ ସାଜି ପାଠକ ଆଗରେ ନିଜର କାହାଣୀ ଶୁଣାଇ ଚାଲେ । ପାଠକ ଲେଖକ ସହ ଆତ୍ମସ୍ଥ ହୋଇ ତାରି ଆଖିରେ ସମସ୍ତ ଘଟଣାବଳୀକୁ ନିକଟରୁ ଅନୁଭବ କରେ । ଅନୁଭବ ସହ ନିକଟତର କରାଇ ପାଠକକୁ କାହଣୀ ସହ ସମତାଳରେ ଚଲାଇ ପାରୁଥିବାରୁ ନାବାଳକ ଉପନ୍ୟାସର ରଚନାଶୈଳୀଟି ନିଆରା । 

ନାବାଳକର କାହଣୀଟି ଖୁବ୍ ସରଳ ଓ ଓଡିଶାର ସମାଜିକ ଜୀବନରେ ଖୁବ୍ ସହଜଲଭ୍ୟ ।ଗୋଟିଏ ନିମ୍ନ ମଧ୍ୟବିତ୍ତ ଓଡିଆ ଘରର ପ୍ରାୟ ପଚିଶି ତିରିଶି ବର୍ଷର ଘଟଣାକୁ ନେଇ ଉପନ୍ୟାସଟି ଗତିଶୀଳ । ଆଇମାଁର ଗପ , ବାପାଙ୍କ ବାପାପଣର ଅଂହକାର , ବୋଉର ଆରତ ଜଣାଣ , ବଡବାପାଙ୍କ ବ୍ରହ୍ମଜ୍ଞାନ ଅନ୍ବେଷଣ , ଛୁଆଙ୍କ ଜିଦିର କିଚିରି ମିଚିରିରେ ଗଢା ପୁରିଲା ସଂସାର କ୍ରମଶଃ ନିସ୍ତବ୍ଧ ହୋଇଯିବାର କଥା ରହିଛି । ମଣିଷ ପାରିବାରିକ ଜୀବନର ସ୍ନେହ ଶ୍ରଦ୍ଧାକୁ ହଜେଇ ଦେଇ ନିଜ ପାଇଁ ତୋଳିଛି ନିର୍ଜନ ଦ୍ବୀପ । ନିଃସଙ୍ଗତାର ଉତ୍ପୀଡ଼ନରେ ବସା ଗଢ଼ିଥିବା ପକ୍ଷୀ ବାହୁନେ -" ତୁ ଚାଲିଗଲେ ଏ ଘରଟା ଶୂନଶାନ୍ ଲାଗିବ । କୁଟାଖିଅକର ବସାରେ ଆମେ ଦି'ଟା ଚଢ଼େଇ ବସିଥିବୁ ପର ଜାକି । ଦୁହିଁଙ୍କ ମୁହଁ ଚୁହାଁଚୁହିଁ ହୋଇ । ଆଉ ତମେ ଶିଖି ଚାଲିଯାଉଥିବ କୋଉ ଦୂର ଆକାଶ ଆଡେ ...ପୁଣି ନୂଆଗଛ ଦେଖି ବସା ବାନ୍ଧୁଥିବ । ବସା ଆହୁରି ମଜବୁତ୍ କରୁଥିବ । ତୁମ ଛୁଆମାନେ ବି ଉଡା ଶିଖିବେ । ସେମାନେ ବି ଦିନେ ତମଠୁ ଉଡ଼ି ଚାଲିଯିବେ । ନୂଆ ଗଛ ଖୋଜିଖୋଜି ... ନୂଆ ମଣିଷ , ନୂଆ ସାଥି  ଖୋଜିଖୋଜି ।" 

ନାବାଳକ'ର ନାୟକ ଅତୀତର ସ୍ମୃତିଚାରଣରେ କରି ସ୍ମୃତିର ସୁରଭିରେ ବିଭୋର୍ ହେଲାବେଳୁ ତାର ବାସ୍ତବତା ଆଗରେ କାକୁସ୍ଥ ହୋଇ ଠିଆହୋଇଛି । ସାବାଳକ ଜୀବନର ସଙ୍କଟ , ସଂଘାତ , ସଂଘର୍ଷମୟ ଜୀବନର ଜଟିଳ  ପରିଧିରୁ ମୁକ୍ତି ଖୋଜି 'ନାବାଳକ' ସ୍ମୃତିରେ ଆତ୍ମଗୋପନ କରିବାକୁ ଚାହିଁଛି । ପୂର୍ବରୁ ସୂଚନା ଦିଆଯାଇଛି ଯେ ନାବାଳକ ଉପନ୍ୟାସ ଦିଓଟି ଅଂଶରେ ବିଭକ୍ତ ।  କୁଟାଖିଅକର ଘର ଅଂଶଟି ସରିବା ପରେ ନାବଳକ ଅଂଶର ଆରମ୍ଭ ହୋଇଛି । ଏ ଉଭୟକୁ ଯୋଡୁଛି ନାୟକର ଅତୀତକୁ ନେଇ ରହିଥିବା ସ୍ମୃତିଚାରଣ । ପ୍ରଥମ ଭାଗରେ ବଡ଼ବାପାଙ୍କ ମୃତ୍ୟୁପରେ ନାୟକ ନିଜ କର୍ମସ୍ଥଳକୁ ଯାଉଛି ଏବଂ ବସରେ ଥାଇ ସ୍ବଗୋକ୍ତି କରୁଛି - " ମୋର ମନେ ହେଉଥିଲା ମୁଁ ସାଙ୍ଗେ ସାଙ୍ଗେ ଓହ୍ଲେଇପଡି ବାପାଙ୍କ ଗୋଡକୁ ଜାବୁଡି ଧରି କାନ୍ଦି କାନ୍ଦି କହନ୍ତି : ମତେ କାହିଁକି ଉଡ଼ା ଶିଖେଇଲ ବାପା । କାଇଁକି ମୋ ପର କାଟି ଦେଲନି । କୋଉ ଆଶାରେ , କୋଉ ଆକାଶ ଛୁଆଁ ସ୍ବପ୍ନ ନେଇ ମୋତେ ପାଠ ପଢ଼ାଇଲ ? କାହିଁକି କାହିଁକି ମୋତେ ହଳ କରିବା , ବିହନ ବୁଣିବା , ବର୍ଷାରେ ଛତା ନେଇ ବିଲର ଗଳିଆ ଦେଖିବା , ପୋଖରୀ ହୁଡ଼ାରେ କଦଳୀ ପୁଆ ଲଗେଇବା , ପୋଖରୀରେ ମାଛ ଜାଆଁଳା ଛାଡିବା ଶିଖେଇଲ ନାହିଁ ? କଣ ପାଇଁ ମତେ ଏ ମିଛି ପାଠ ଶାଠ ପଢେଇଲ ଓ ଉଡେଇ ଦେଲ । "  ଏହି ସ୍ବୀକାରୋକ୍ତି ପୂର୍ବରୁ ଉପନ୍ଯାସରେ ଭାଇର ନିଜ ପସନ୍ଦରେ ପରିବାରର ଅଜାଣତରେ ବାହା ହେବା , ବଡବୋଉର ମୃତ୍ୟୁ , ବଡ଼ବାପାଙ୍କ ମୃତ୍ୟୁ ପରି ଦୁଃଖାନ୍ତକ ଘଟଣ ଗୁଡିକ ଉପନ୍ୟାସକୁ  କରୁଣତାର ଚରମ ସୀମାରେ ପହଂଚାଇଲା ବେଳକୁ ହଠାତ୍ ନାବାଳକ ଅଂଶଟି ଆରମ୍ଭ ହୋଇଛି ଏକ ନଷ୍ଟାଲୋଜିକ୍ ସ୍ମୃତି-ଚାରଣରୁ । ଏହି ସ୍ମୃତିଚାରଣ ଭିତରେ ଆମେ ଦେଖୁ ନିରିମାଖି ନାବାଳକ ପିଲାଦିନ କେମିତି  କଠୋର ସାବାଳକ ଜୀବନକୁ ସାମ୍ନା କରୁଛି  ।  ଦୀର୍ଘ ଷାଠିଏ ବର୍ଷ ବାପା ବସୁଥିବା ଚୌକିରେ ଯେଉଁଠି ବସି ବାପା ଦେଖିଛନ୍ତି ଆଲୁଅ ଓ ଅନ୍ଧାରର ଖେଳ ଏବଂ ଯେଉଁଠି ବସି କଟେଇ ସାରିଛନ୍ତି ଜୀବନ ତମାମର ସୁଖ ଦୁଃଖ ଓ ସ୍ବପ୍ନ ସେଇଠି ବସି ନାବାଳକ ବାପା ନାମକ ଏକ ଅଛିଣ୍ତା ଅଙ୍କକୁ ହିସାବ କରୁଛି । 

ଉପନ୍ୟାସର ଶେଷରେ ବୋଉର ମୃତ୍ୟୁ ହେଉଛି । କ୍ରିୟାକର୍ମ କରି ତିଳତଣ୍ତୁଳ ଅର୍ପଣ କରି ନାୟକ କହିଛି - 'ବୋଉ ତୁ ବାପାଙ୍କ ସହ ସ୍ବର୍ଗରେ ଥା ' । ଅଗଣାସାରା  ବୋଉ ହାତରୁଆ ମଲ୍ଲୀବାସ୍ନାରେ ଏକ୍ଲା ବସି ଥିବା ନାୟକ କୁ ରୂପଶ୍ରୀ ଯେତେବେଳେ କୁହେ 'ଜାଣିଚ ! ମୁଁ , ମାଁ ହେବାକୁ ଯାଉଛି " ନାୟକ ଉତ୍ତର ଦିଏ -"ତମେ ମୋ ବୋଉ ହେବ..... ମୋ ବୋଉ ''  । ଏହି ପରିସମାପ୍ତି ହିଁ ହେଉଛି ଅଜୟ ସ୍ବାଇଁଙ୍କ ଉପନ୍ୟାସର ସ୍ବାତନ୍ତ୍ର୍ୟ । ଚମତ୍କାର ଭାବରେ ନାବାଳକ ନାମକରଣକୁ ସାର୍ଥକତା ପ୍ରଦାନ କରୁଛନ୍ତି । ମୁଣ୍ତ ବୁଡେଇ ନଈରେ ତର୍ପଣ ବେଳେ ଗାଧୋଇବା ବେଳେ ବୋଉର ହାତ ଆଉଁସା ପରି ନଈପାଣି ନାୟକର ପିଠିକି ସାଉଁଳାଇ ଦେଇ କହିଲା - ତୁ କ'ଣ ଆଉ ନାବାଳକ ହେଇ ଅଛୁ ? ଅର୍ଥାତ୍ ବୋଉ ଯେବେ ସରି ଯାଏ ନାବାଳକତ୍ବର ମୃତ୍ୟୁହୁଏ । ନାବାଳକ ଉପନ୍ୟାସର ନାୟକ କିନ୍ତୁ ଚାହେଁନା ନାବାଳକତ୍ବର ମୃତ୍ୟୁ ହେଉ । ତେଣୁ ସେ ରୂପଶ୍ରୀକୁ କହିଛି ତମେ ମୋ ବୋଉ ହେବ ....ମୋ ବୋଉ ... । 

ଦୁନିଆଁର ଚରମ ସତଟିଏ - ବୋଉ କେବେ ସରେନା , ନାବାଳକ କେବେ ମରେନା ।