ବହୁମତ

ବହୁମତ

ମୁଁ ଏକା 
ମୁଁ ଏକା
ମୁଁ ଏକା

ମୁଁ ବାରମ୍ବାର ଦୋହରାଏ ମୋ କଥା

ସେମାନେ ଗୋଟାଏ ଦଳ
ସେମାନଙ୍କ ହାତରେ ହତିଆର
ସେମାନେ ବହୁସଂଖ୍ୟକ, ପ୍ରମତ୍ତ,ପ୍ରବଳ।

ସେମାନେ ଘେରିଯାନ୍ତି ମତେ ଆଉ ପଚାରନ୍ତି,
ଏତେ ସବୁ ଲୋକ ଯେତେବେଳେ ଏକାଠି 
ତମେ କେମିତି ରହିପାରିବ ଏକାକୀ?
ତମେ ଗୋଟେ ସଭ୍ୟ ରାଷ୍ଟ୍ରର ଅଂଶୀଦାର
କେଉଁ ଜଙ୍ଗଲରେ ନୁହେଁ ତୁମର ଘର।

ଏମିତି ଏକା ରହିବାର ଅର୍ଥ କଣ ଜାଣ?
ବହୁମତର ବିରୁଦ୍ଧରେ ତୁମେ ଅସ୍ତ୍ରରେ ଦେଉଚ ଶାଣ।

ଏକା ରହିବା ଏକପ୍ରକାର ଷଡ଼ଯନ୍ତ୍ର
ଏକା ରହିବା ଅର୍ଥ ବହୁମତ ପାଇଁ ତୁମେ ହିଁ ସବୁଠୁ ବଡ ବିପଦ।

ନିଜକୁ ଏକାକୀ କହିଲେ କେମିତି ମାନିନେବୁ ଆମେ?
ଆମେ ଦେଖୁଚୁ ତୁମ ସହ ଅଛି ଶବ୍ଦ,ସାହିତ୍ୟ,ଆକାଶ,ପାହାଡ ଓ ଗୀତ,
ଏମାନେ ସବୁବେଳେ ଆମର ବିପକ୍ଷ।

ତେଣୁ ମାନି ନିଅ ବହୁସଂଖ୍ୟକଙ୍କର ତୁମେ ବି ଗୋଟେ ଅଂଶ,
ମାନି ନିଅ ଆଉ ଆଶ୍ବସ୍ତ ରୁହ।

ମୁଁ ଏକା
ମୁଁ ଏକା
ମୁଁ ଏକା
ମୁଁ ବାରମ୍ବାର ଦୋହରାଏ ମୋ କଥା।

ସେମାନେ ଚିତ୍କାର କରନ୍ତି
କେମିତି ଏକା ତୁମେ
ଗୁଳିରେ,ବନ୍ଧୁକରେ ତ ମରୁନି ତୁମର ଏକକ?
ନିଅ ଭୋଗ ଅଳ୍ପମତର ଭାଗ୍ୟ।

ମୁଁ ଦେଖେ କେତେ ବିକଳ ସେମାନେ
କେତେ ଭୟଭୀତ,
ସଂଖ୍ୟାରେ ବିରାଟ,ଅନେକ
ଅଥଚ ଅନାସ୍ୱସ୍ତ, କାକୁସ୍ଥ,ସନ୍ତ୍ରସ୍ତ।