କଥା

କଥା

ମୋ ପାଖରେ ଆଜି କିଛି କଥା ନାହିଁ

ଏକଦମ ନିଃସ୍ୱ

ଯେମିତି ଦେହ ଥାଇ ସରିଯାଏ ଆୟୁଷ

 ଲାଗିବ ଜୀବନ ଇ ନାହିଁ

ହେଲେ  ଛିଡ଼ା ହେଇଛି ଆକାଶମୁହାଁ

ତମ ସଭ୍ୟତାର ଅଗଣାରେ

ଆଂଜୁଳାଏ ବର୍ଷାର କେବଳ ଅପେକ୍ଷା ।

 

ଦେଖିବ ମୁଁ ପୁଣିଥରେ ପତ୍ର ହେଇ ଗଜୁରିବି

ଫୁଲ ହେଇ ଫୁଟିବି

 ଡ଼ାକିବି ମହୁମାଛି ଚଢେଇ ମେଘଙ୍କୁ

ମଲା ପରେ ତାରା ହେଇଥିବା ମଣିଷଙ୍କୁ ।

 

ଫଳ ହେବି ମଂଜି ହେଇ ଛିଟିକି ପଡ଼ିବି ମାଟିରେ

ତାପରେ ଦେଖିବ କେତେ କଥା ଫୁଟିବ ମୁହଁରେ

ଶୁଣିବାକୁ ଆସିବତ?

 

ନ ହେଲେ ମୁଁ ଯିବି

ତମେ ପଚାରିବ ଗଛ କ’ଣ ଚାଲିପାରେ ?

ଆରେ କ’ଣ କହିବି ତମକୁ

 ଗଛ ହିଁ  ତ ଚାଲିଆସିଛି

ତା ପାଦ କାଟୁଥିବା ମଣିଷ ସହ

ସଭ୍ୟତା ପରେ ସଭ୍ୟତା ।

 

ଖାଲି ମୋର ଗୋଟିଏ ବୋଲି ଚିନ୍ତା

ବର୍ଷା ବର୍ଷା ଆଉ ମାଟି ମାଟି ହେଇ ରହିବ ତ

ଏଇମିତି ଜଳୁଥିଲେ ତମ ଭୋଗର ସଳିତା ।