ବିଶ୍ଵଗୁରୁଙ୍କୁ ସାଧାରଣ ନାଗରିକର ଗୁହାରି
ବିଶ୍ୱର ଏକମାତ୍ର ଗୁରୁ ନରେନ୍ଦ୍ର ମୋଦୀ ବିଶ୍ବ ସଙ୍କଟ ସମୟରେ ଚୁପ୍ ବସିଥିଲେ। ଏବେ ନିର୍ବାଚନରେ ନିର୍ବାଚନ କମିଶନଙ୍କୁ ଲଗାଇ ଅଙ୍ଗ, ବଙ୍ଗ, କଳିଙ୍ଗ ଜୟ କଲା ପରେ, ହଠାତ୍ ତାଙ୍କର ମନେ ପଡିଲା ଯେ କିଛି ଗୋଟେ ବଡ଼ ସଙ୍କଟ ଅଛି। ହଠାତ୍ ବିଶ୍ୱଗୁରୁ ସାତୋଟି ଉପଦେଶ ଦେଇ ଆମକୁ ବଳିର ଛାଗଳ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଆମର ମଧ୍ୟ ମୋଦିଙ୍କ ପାଇଁ ସାତୋଟି ପ୍ରସ୍ତାବ ରହିଛି। ଫେସବୁକରେ ମୋଦିଙ୍କ ପାଇଁ ନିର୍ଜଳା ଉପବାସ ରହୁଥିବା ଭକ୍ତମାନଙ୍କୁ ଆମର ନିବେଦନ, ଯଦି ସେମାନେ ଆମ ବାର୍ତ୍ତାଟି ଟିକେ ପହଞ୍ଚେଇ ଦିଅନ୍ତି ଆମେ ତାଙ୍କ ପାଖରେ କୃତଜ୍ଞ ରୁହନ୍ତୁ। ( ଯଦିଓ ଆମେ ଜାଣୁ, ମୋଦି ଭକ୍ତଙ୍କୁ ମୋଦି ସାହେବ ବାସି ପାଣିରେ ପଚାରନ୍ତି ନାହିଁ)
ଆମ ପ୍ରସ୍ତାବ:
୧. ଓ୍ବାର୍କ ଫ୍ରମ୍ ହୋମକୁ ଜାତୀୟ ନୀତି ଘୋଷଣା କରି ଦେଶର ସବୁ ସରକାରୀ ଓ ବେସରକାରୀ ଅଫିସ ସବୁଦିନ ପାଇଁ ବନ୍ଦ କରି ଦିଅନ୍ତୁ। ୫୦ ହଜାର କୋଟି ଖର୍ଚ୍ଚ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର କି ଆବଶ୍ୟକତା ରହିଛି କହିଲେ !!
୨. ସୁନା ଓ ହୀରା ଦୋକାନ ସବୁ ଗୋଟିଏ ବର୍ଷ ପାଇଁ ବନ୍ଦ କରିଦିଅନ୍ତୁ। ପ୍ରଧାନମନ୍ତ୍ରୀଙ୍କ ଦଳର ମନ୍ତ୍ରୀ, ସାଂସଦ ଓ ବିଧାୟକ ଯଦି ସୁନା କିଣନ୍ତି, ତା ହେଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରି ଦିଅନ୍ତୁ!! ଆମ ଭଳିଆ ଲୋକଙ୍କ ପାଇଁ ସୁନା ଦୋକାନର କି କାମ। ପ୍ରଥମେ ମୋଦି ତାଙ୍କ ଗୁଜୁରାଟୀ ବଣିଆଙ୍କ ଦୋକାନ ଆଗରେ ତାଲା ପକାଇବାର ସାହସ ଦେଖାନ୍ତୁ।
୩. ଦେଶରେ ଶଗଡ଼ ଗାଡ଼ିର ବ୍ୟବହାର ବଢ଼ାଇବା ପାଇଁ ଏକ ସ୍ବତନ୍ତ୍ର ଯୋଜନା କରନ୍ତୁ। ସବୁ ପେଟ୍ରୋଲ ଡିଜେଲ କେବଳ ବିଜେପି ନିର୍ବାଚନ ରାଲିରେ ବ୍ୟବହାର ହେବ, ଆମେ ସବୁ ପେଟ୍ରୋଲ ବ୍ୟବହାର କରିବା ଦଣ୍ଡନୀୟ ଅପରାଧ। ସବୁ ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଷ୍ଟେସନ୍ ରେ ତାଲା ପକାଇ ରଖନ୍ତୁ। ଦେଶର ସବୁ କାର ଓ ଅଟୋ ଶିଳ୍ପରେ ତାଲା ପଡୁ ।
୪. ଖାଇବାରେ ତେଲ କଣ ଦରକାର। ତେଲ ଖାଇବା ଅପେକ୍ଷା ତେଲ ମାରିବା କାମରେ ଭକ୍ତ ମଣ୍ଡଳୀର ପ୍ରତିଯୋଗିତା ଆୟୋଜନ କରନ୍ତୁ।
୫. ସାର ଆଉ ନାହିଁ। ଚାଷୀ ଭାଇ ଏକଥା ବୁଝି ଯାଆନ୍ତୁ ଓ ଚାଷ କାମ ଛାଡି "ଫାର୍ମ ଫ୍ରମ୍ ହୋମ୍" କରନ୍ତୁ!! ସାର ସରିଗଲା ପରେ ଆମ ପ୍ରଧାନମନ୍ତ୍ରୀ ଟ୍ରମ୍ପ ଙ୍କୁ କହି କିଛି ରିହାତି ନିଶ୍ଚୟ ଆଣନ୍ତୁ!!
୬. ସବୁ ବିଦେଶୀ ବ୍ରାଣ୍ଡ ପ୍ରଧାନମନ୍ତ୍ରୀ ଓ ତାଙ୍କ ଦଳ ପାଇଁ ସ୍ବତନ୍ତ୍ର ଭାବେ ସୁରକ୍ଷିତ ରହୁ। ଆମେ ସବୁ ଖଦଡରେ କାମ ଚଳେଇ ନେବୁ। ମୋଦି ଏଣିକି ସ୍ବଦେଶୀ ଜ୍ଞାନକୌଶଳର ପ୍ରଚାର ପାଇଁ ଦିନକୁ ଦଶ ଥର ପରିବର୍ତ୍ତେ ଶହେ ଥର ପୋଷାକ ବଦଳାନ୍ତୁ। ମୋଦି ଭକ୍ତଙ୍କ ମତରେ ମୋଦି ଯାହା ପିନ୍ଧିବେ ତାହା ହିଁ ସ୍ବଦେଶୀ।
୭. ବିଦେଶ ଯିବା ଉପରେ ପ୍ରତିବନ୍ଧକ ଲଗାଇ ଦେଶର ସବୁ ଆନ୍ତର୍ଜାତିକ ବିମାନ ବନ୍ଦରକୁ ତାଲା ପକାନ୍ତୁ। ପ୍ରଧାନମନ୍ତ୍ରୀଙ୍କ ଛଡ଼ା ଆଉ କାହାର ବିଦେଶ ଗସ୍ତ ଉପରେ କଟକଣା ଲାଗୁ କରାଯାଉ। ଦେଶରେ ଆନ୍ତର୍ଜାତିକ ବିମାନ ଉଡ଼ାଣ ବର୍ଷକ ପାଇଁ ବନ୍ଦ ରହୁ।
ଏହା ହିଁ ଦେଶପ୍ରେମର ଇସ୍ତାହାର ଭାବରେ ଗୃହୀତ ହେଉ ବୋଲି ଆମେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଭକ୍ତଙ୍କ ଜରିଆରେ ସବିନୟ ନିବେଦନ କରୁଅଛୁ।
ମଣିମା ଶୁଣିମା ହେଉ ଗରିବ ଡାକ !!!!!