ନିର୍ଲଜ ସାମ୍ବାଦିକତାକୁ ଦୂରୁ ଜୁହାର
ଆମ ସାମ୍ବାଦିକଙ୍କୁ ଯେତେ ଧିକ୍କାର କରିବେ, ସେମାନେ ସେତେ ଅଧିକ ନିର୍ଲଜ ହୋଇଚାଲିବେ । ଆମର ନିର୍ଲଜ ସାମ୍ବାଦିକ ବନ୍ଧୁମାନଙ୍କୁ ଦୂରୁ ଜୁହାର ।
୧୭୮୦ ମସିହାରେ ଯେତେବେଳେ ଭାରତର ପ୍ରଥମ ସଂବାଦପତ୍ର “ବେଙ୍ଗଲ ଗେଜେଟ” ପ୍ରକାଶ ପାଇଲା, ସେତେବେଳେ ଏହାର ଆଦର୍ଶକୁ ଗୋଟେ ଟ୍ୟାଗଲାଇନ ଦେଇ କୁହା ଯାଇଥିଲା “ Open to all parties but influenced by none”- ଅର୍ଥାତ ଆମେ ସମସ୍ତଙ୍କ ପାଇଁ ହେଲେ କାହା ଦ୍ଵାରା ପ୍ରଭାବିତ ନୋହୁ । ପ୍ରାୟ ୨୪୫ ବର୍ଷ ପରେ ସଂବାଦପତ୍ର ଓ ଗଣମାଧ୍ୟମର ଟ୍ୟାଗଲାଇନ କିନ୍ତୁ ଅଲଗା । ଆମେ କେବଳ ଆମ ନିଜର ଓ ନିଜକୁ ବିକ୍ରୀ କରିବାକୁ ଯାଇ ଆମେ କାହାକୁ ବି କିଛି ବି କରି ଦେଇପାରିବୁ । ଗଣମାଧ୍ୟମର ମୁଖ୍ୟ ଉଦ୍ଦେଶ୍ୟ ଅନ୍ୟାୟ ଓ କ୍ଷମତାର ଦୁରୁପଯୋଗ ବିପକ୍ଷରେ ସାଧାରଣ ମଣିଷର ସ୍ଵର ବୋଲି ଆମେ ଶୁଣିଆସିଛୁ । ହେଲେ ସେ କଥା ଏବେ କେବଳ ପାଠ ବହିରେ ରହିଯାଇଛି । ଅବିକା ଗଣମାଧ୍ୟମର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପେଣ୍ଡାଲ ଉପରେ ମାଙ୍କଡ ହୋଇ ନାଚିବା ଓ ଆବଶ୍ୟକ ପଡିଲେ ନିଜ ବିବେକକୁ ନିଲାମ କରି ତାମସା କରିବା । ଆଜିର ସାମ୍ବାଦିକତା ମୂଳତଃ ତାମସାବାଜି ଓ ମାଙ୍କଡନାଚ ବୋଲି କୁହାଗଲେ କିଛି ଅସୁବିଧା ନାଇଁ ।
ଗତ କିଛି ମାସ ଧରି ଓଡିଶାରେ ସାମ୍ବାଦିକତାର ଅସଲ ପ୍ରସଙ୍ଗ କଣ ? ସରକାର ବା ରାଜନୀତି ବିଷୟରେ ଆମର ବିଶେଷ କିଛି କହିବାର ନାଇଁ । ଗଣମାଧ୍ୟମର ରାଜନୀତି ହେଉଛି, ମାଲିକ ଯେଉଁ ଦଳର ଆମର ରାଜନୀତି ମଧ୍ୟ ସେହି ଦଳର ସ୍ଵାର୍ଥ ଲାଗି ଉଦ୍ଦିଷ୍ଟ । ଆମେ ମାଲିକର ଟିକଟ ଓ ଚୌକି ବଞ୍ଚାଇବାର ଠିକାଦାର ମାତ୍ର । ଆମର ରାଜନୈତିକ ବିଚାରରେ ଆଉ କିଛି ଥାଉ କି ନଥାଉ, ସ୍ଵାଧୀନତା ବିଲକୁଲ ନାଇଁ । ମାଲିକର ରାଜନୀତି ଆମର ରାଜନୀତି ହୋଇଥିବାରୁ ଏ ପ୍ରସଙ୍ଗରେ ଲୋକେ ଆମକୁ ଚିହ୍ନି ସାରିଛନ୍ତି । ଲୋକ ଟିଭିର ଲୋଗୋ ଦେଖି କହିଦେବେ – ଏ ବାବୁ କେଉଁ ଦଳର ଭାଟ । ତେଣୁ ରାଜନୀତି ଆଉ ଟିଭି ପରଦାରେ ବିଶେଷ ଚାଲୁନି । ଲୋକ ନେତାଙ୍କ ବାଇଟ ଶୁଣି ଶୁଣି ମୁହଁ ଫେରାଇବା ଆରମ୍ଭ କଲେଣି । ଅନୁସନ୍ଧାନ ବା ଗବେଷଣା କରି ଖବର ପରିବେଷଣ କରିବାର ସାହସ ତ କେବଠୁ ମରିସାରିଛି । ମାଲିକର ଦଳକୁ ପ୍ରଶଂସା ଓ ବିରୋଧୀଙ୍କୁ ନିନ୍ଦା ଶୁଣିବାକୁ କିଏ ବା କାହିଁକି ଚାହିଁବ । ରାଜନୀତିରେ ଯେହେତୁ ମସଲା କମ ଓ ମାଲିକର ଅଙ୍କୁଶ ପ୍ରବଳ, ତେଣୁ ଆମେ ମସଲା ଖୋଜିବାକୁ ସାଧାରଣ ଲୋକଙ୍କ ଜୀବନକୁ ଏଥିପାଇଁ ସହଜ ଉପାଦାନ ବୋଲି ଭାବୁଛୁ ।
ଗତ ବର୍ଷେ ଭିତରେ ଓଡିଶାର ସବୁଠୁ ବଡ ଖବର ହେଉଛି – ୧. ବ୍ରହ୍ମପୁରର ଡାକ୍ତର ସୁମିତ ଓ ତାଙ୍କ ପତ୍ନୀଙ୍କ ପାରିବାରିକ ବିବାଦ, ୨. ବର୍ଷା –ଅନୁଭବ ଛାଡପତ୍ର ମାମଲା ୩. ଟୁଙ୍ଗୁରୁ ଭୋଳ ପ୍ରେମ କାହାଣୀ, ୪. ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟାର କାରଣ ୫. ବାବୁଶାନ-ପ୍ରକୃତି ଓ ତୃପ୍ତିଙ୍କ ତ୍ରିକୋଣ ପ୍ରେମାକାହାଣୀର ଝଗଡା ୬. ଅର୍ଚ୍ଚନା ନାଗର ହନିଟ୍ରାପ ଏବଂ ଏବେ ସବୁଠୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ରହସ୍ୟ । କେବଳ ମନ୍ତ୍ରୀ ନବ ଦାସଙ୍କ ହତ୍ୟା କାଣ୍ଡକୁ ବାଦ ଦେଲେ ଅନ୍ୟମାନଙ୍କ ପ୍ରସଙ୍ଗରେ ଟେଲିଭିଜନରେ ଘଣ୍ଟା ଘଣ୍ଟା ଧରି ଆଲୋଚନା ହେଉଛି, କାରଣ ଏମାନେ କେହି ସରକାର ବା ରାଜନୀତିରେ ଖୁବ ପ୍ରଭାବଶାଳୀ ନୁହନ୍ତି ।
ଏମାନେ ଆମ ସମାଜର ସାଧାରଣ ଲୋକ । (ଯଦିଓ ଅନୁଭବ, ବାବୁସାନ କିମ୍ବା ରାଇମୋହନଙ୍କୁ ସେଲେବ୍ରିଟି ବୋଲି କୁହାଯାଇଛି, ଏମାନେ ନାମକୁ ମାତ୍ର ତାରକା । ୧୫ ଲକ୍ଷ ଟଙ୍କା ବଜେଟରେ ହେଉଥିବା ଓଡିଆ ସିନେମାରେ ସିନେ ତାରକା ଯେ କେତେ ଟଙ୍କା ପାଉଥିବ ଓ ତାର ତାରକା ମୂଲ୍ୟ କେତେ ସେକଥା ନ କହିବା ଭଲ । ) ଏମାନଙ୍କ ବ୍ୟକ୍ତିଗତ ଜୀବନକୁ ଫୁଟବଲ ଭଳି ଖେଳିବା ସହଜ । ଏମାନେ କେହି ଆମ ପଛରେ ପୁଲିସ, ଇଡି ବା ସିବିଆଇ ଲଗାଇ ପାରିବେ ନାଇଁ । ଏମାନେ କେହି ଆମ ମାଲିକର ରାଜନୈତିକ ମାଲିକ ନୁହନ୍ତି । ତେଣୁ ଏମାନଙ୍କ ଜୀବନକୁ ଅଳିଆ କରିବାରେ ଆମର କିଛି ଅସୁବିଧା ନାଇଁ । ଆମେ ସାମ୍ବାଦିକ ମାନେ ହେଲୁ କାଣି ବିରାଡି, ତେଣୁ ଆମର ସ୍ଵାଭାବିକ ତୋଡ କୁଜି ଅସରପାଙ୍କ ଉପରେ । ଆମେ ପ୍ରକୃତି ମିଶ୍ରକୁ ରାତାରାତି ଖଳନାୟିକା ସଜାଇ ଦେଇ ତାଙ୍କ ଜୀବନ ଓ ଜୀବିକାକୁ ବିପନ୍ନ କରିଦେଇପାରୁ । ଆମେ ଗୋଟେ ସାଧାରଣ ରିକ୍ସାବାଲାର ପ୍ରେମକାହାଣୀକୁ ମାସ ମାସ ଧରି ସୁଆଙ୍ଗ ଭଳି ପରିବେଷଣ କରିପାରୁ । ଆମେ ବ୍ୟକ୍ତିଗତ ଜୀବନକୁ ରାସ୍ତାଘାଟରେ ଲଙ୍ଗଳା କରି ପରିବେଷଣ କରିବାରେ ଆନନ୍ଦିତ ହେଉ ।
ଚର୍ଚ୍ଚିତ ବାବୁସାନ-ପ୍ରକୃତି-ତୃପ୍ତି ପ୍ରସଙ୍ଗରେ ଆମ ସମ୍ପାଦକମାନଙ୍କ ନିର୍ଲଜ ଚରିତ୍ର ପଦାରେ ପଡିଯାଉଛି । ସ୍ଵାମୀ-ସ୍ତ୍ରୀ – ପ୍ରେମିକାର ତ୍ରିକୋଣ ସଂଘର୍ଷ ଆଜିର ସବୁଠୁ ବଡଖବର କାରଣ ଆମ ସମ୍ପାଦକମାନେ ସବୁ ଅପାରଗ ଓ ରାଜନୈତିକ ଭାବରେ ଛେରୁଆ । ସେମାନେ ରାଜନୀତିରେ ଏମିତି କିଛି ଦେଖାଇବାରସାହସ ରଖନ୍ତି ନାଇଁ । ଗତ କିଛି ଦିନ ଭିତରେ ପ୍ରକୃତି ମିଶ୍ରଙ୍କ ଚରିତ୍ର ସଂହାର କରି ଯେତେ ପ୍ରକାର ଖବର ହୋଇଛି, ସେଥିରୁ ଆମ ସାମ୍ବାଦିକତାର ଅଶ୍ଳୀଳ ଚେହେରା ଆପେ ଆପେ ଫୁଟି ଉଠୁଛି । ଏପରିକି ବାବୁ ସାନ ଓ ପ୍ରକୃତିଙ୍କ ବ୍ୟକ୍ତିଗତ କଥାବାର୍ତ୍ତାର ଟ୍ୟାପ ବି ଟିଭିରେ ବାଜୁଛି । ନିର୍ଲଜ ଭାବରେ କୁହାଯାଉଛି, ଏ ଟ୍ୟାପର ସତ୍ୟାସତ୍ୟ ଆମେ ଜାଣୁନା, ହେଲେ ତାକୁ ଆମ ଟିଭିରେ ବଜାଇ ଚାଲିଛୁ । କାହାର ବ୍ୟକ୍ତିଗତ କଥାବାର୍ତ୍ତାକୁ ସର୍ବ ସାଧାରଣରେ ପ୍ରକାଶ କରିବା ଏକ ଅପରାଧ ଓ ଆଜି ଓଡିଶାର ପ୍ରାୟ ଟିଭି ଚ୍ୟାନେଲ ନିମ୍ନସ୍ତରର ଅପରାଧୀ ।
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଓଡିଶା ରାଜନୀତିର ସବୁଠୁ ବିରଳ ଘଟଣା । ଏ ପ୍ରକାର ଜଘନ୍ୟ ହତ୍ୟାକାଣ୍ଡ ଓଡିଶା ରାଜନୀତିରେ ଭୟ ଓ କ୍ଷୋଭର ବାତାବରଣ ସୃଷ୍ଟି କରିଛି । ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସଂବେଦନଶୀଳ ଏହି ଘଟଣାର ପୁଲିସ ତଦନ୍ତ ଚାଲିଥିବା ବେଳେ ଏହାକୁ ନେଇ ଓଡିଆ ଗଣମାଧ୍ୟମର କାହାଣୀ ପେଡି ଖୋଲିଯାଇଛି । ଅତ୍ୟନ୍ତ କୁତ୍ସିତ ବ୍ୟକ୍ତିଗତ ଆରୋପ ଏବଂ ମାନହାନୀ କଳା ଭଳି ବିଚିତ୍ର କାହାଣୀ ସବୁ ଏବେ ଖବର ନାଁରେ ଘୂରି ବୁଲୁଛି । କୌଣସି ଠୋସ ପ୍ରମାଣ ନଥାଇ ଭିନ୍ନ ଭିନ୍ନ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଛି ଓ ହତ୍ୟାକାରୀ ସପକ୍ଷରେ ଏକପ୍ରକାର ଦୟାର ଭାବନା ତିଆରି କରାଯାଉଛି ।
ଏ ପ୍ରକାର ସାମ୍ବାଦିକତାକୁ ଯେତେ ଧିକ୍କାର କଲେ ବି କମ ହେବ । ହେଲେ ଆମ ସାମ୍ବାଦିକଙ୍କୁ ଯେତେ ଧିକ୍କାର କରିବେ, ସେମାନେ ସେତେ ଅଧିକ ନିର୍ଲଜ ହୋଇଚାଲିବେ । ଆମର ନିର୍ଲଜ ସାମ୍ବାଦିକ ବନ୍ଧୁମାନଙ୍କୁ ଦୂରୁ ଜୁହାର ।