ସମାଜକୁ କେଉଁ ଦିଗରେ ନେଉଛନ୍ତି ମନୋରଞ୍ଜନର ମାଧ୍ୟମ

କଥାରେ ଅଛି ଆମ ଯାହା ଦେଖିବା ତାହା ଶିଖିବା। ଯୁଗ ଯୁଗ ଧରି ମଣିଷ ନିଜ ପରିବାର, ସମାଜକୁ ଦେଖି ଯେମିତି ବ୍ୟବହାରିକ ଜ୍ଞାନ ହାଲ କରେ ଠିକ୍ ସେମିତି ପୁରାଣ, ସାହିତ୍ୟ, ନାଟକରୁ ବି ଶିଖେ। ସମୟ ସହ ଏସବୁ ସଙ୍ଗରେ ସିନେମା ଏବଂ ବର୍ତ୍ତମାନ ସମୟରେ ଡିଜିଟାଲ ପ୍ଲାଟଫର୍ମ ବା ଓଟିଟି ଯୋଡି ହୋଇଛନ୍ତି। ଯେକୌଣସି କଥା ବହିରେ ପଢିବା କିମ୍ବା କେହି ଖାଲି ବୁଝାଇବା ଅପେକ୍ଷା ଅଡିଓ-ଭିଜୁଆଲ୍ ମାଧ୍ୟମ ଦ୍ବାରା ମଣିଷ ମସ୍ତିଷ୍କ ସେହି କଥାକୁ ଶୀଘ୍ର ଗ୍ରହଣ କରିପାରେ। ଏହି କଥାର ଫାଇଦା ଉଠାଇ ଏବେ କିଛି ଚଳଚ୍ଚିତ୍ର, ଧାରାବାହିକ, ଗୀତ, ଓଟିଟି ପ୍ଲାଟଫର୍ମ, ୱେବ୍-ସିରିଜ ଆଦିରେ ନିର୍ମାତା ଭାରତୀୟ ସମାଜର ପ୍ରତିଷ୍ଠିତ ଏବଂ ପ୍ରଗତିଶୀଳ ଚିନ୍ତାଧାରାକୁ ବିଗାଡିବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର ଚଳାଇଛନ୍ତି। ଏଥିପାଇଁ କିଛି ଅଭିନେତା-ଅଭିନେତ୍ରୀଙ୍କୁ ଆୟୁଧ କରାଯାଉଛି। କେଉଁଠି ନାରୀକୁ କେବଳ ଭୋଗ୍ୟ ବସ୍ତୁ ଭାବେ ଦେଖାଇବା ତ ଆଉ କେଉଁଠି ପ୍ରେମକୁ କେବଳ ଶାରୀରିକ ସମ୍ପର୍କ ଭିତରେ ସୀମିତ ରଖିବା ଆଉ ପୁଣି କେଉଁଠି ହିଂସାତ୍ମକ ଦୃଶ୍ୟରେ ଶିଶୁ ଏବଂ କିଶୋର ମାନଙ୍କୁ ବ୍ୟବହାର କରା ଯାଉଛି। ଏଭଳି ଭିଡିଓ ଦେଖିବା ଦ୍ଵାରା ମନରେ ଏକ କୁତ୍ସିତ ତଥା ହୀନ ଭାବନା ସୃଷ୍ଟି ହୋଇଥାଏ। ସମ୍ପର୍କର ବନ୍ଧ ବାଡ ଭାଙ୍ଗି ଯାଇଥାଏ। ଅନେକଙ୍କ ମନରେ, "ଯଦି ସେମାନେ ଏମିତି କରୁଛନ୍ତି ଆମେ କାହିଁକି କରିବା ନାହିଁ" ବୋଲି ଭାବନା ଆସିଥାଏ। ଶେଷରେ ମଣିଷ ଭୁଲ କାମ କରିଥାଏ ଏବଂ ବଦନାମ ହୋଇଥାଏ।
ଆପଣ ଚିନ୍ତା କରିପାରୁଛନ୍ତି ତ! ସମାଜରେ ଶିଶୁ ବି ଏବେ ସୁରକ୍ଷିତ ନାହାନ୍ତି। ପ୍ରତିଦିନ ଶିଶୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଚି। କିଛି ନଜାଣିବା ଆଗରୁ ଏମାନେ ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହେଉଛନ୍ତି। ୨୦୨୨ର ଏନସିଆରବି ତଥ୍ୟ ଅନୁଯାୟୀ ଉକ୍ତ ବର୍ଷ ଶିଶୁ ଯୌନ ଉତ୍ପୀଡନ ମାମଲା ୨୦୨୧ ତୁଳନାରେ ୮.୭% ବୃଦ୍ଧି ପାଇଥିଲା। ଦେଶରେ ମୋଟ ୧ ଲକ୍ଷ ୬୨ ହଜାର ମାମଲା ସାମ୍ନାକୁ ଆସିଥିଲା। ୨୦୧୬ରୁ ୨୦୨୨ ମଧ୍ୟରେ ଏଭଳି ମାମଲା ୯୬% ବୃଦ୍ଧି ପାଇଥିଲା। ୨୦୨୨ରେ କେବଳ ୩୮,୯୧୧ ଟି ଶିଶୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ୨୦୨୧ରେ ଏହା ୩୬, ୩୮୧ ଥିଲା। ଏଥିରୁ ଆପଣ ଚିନ୍ତା କରନ୍ତୁ ଯେ ମନୁଷ୍ୟ ପ୍ରକୃତରେ କଣ ଆଧୁନିକ ହେଉଚି? ଆଧୁନିକତା ନାମରେ ଶିଶୁଙ୍କ ଅଧିକାରକୁ ଦଳି ଚକଟି ତଳିତଳାନ୍ତ କରି ଦେଉନି ତ? ତେବେ ଚିନ୍ତାର ବିଷୟ ହେଉଛି, ଆଇନ ଥିବା ସତ୍ତ୍ୱେ ଅପରାଧୀଙ୍କ ଉପରେ ଏହାର ପ୍ରଭାବ କାହିଁକି ପଡ଼ି ପାରୁନାହିଁ? ଏଭଳି ମାମଲାରେ ଦଣ୍ଡ ଦେବାର ହାର କାହିଁକି ମନ୍ଥର ରହିଛି? କଣ କଲେ ଏଭଳି କୁତ୍ସିତ ମାମଲା ହ୍ରାସ ପାଇବ ସେ ବିଷୟରେ ସଂସଦ କେବେ ଚିନ୍ତା କରିବ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ତା'ଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଗୋଟିଏ ସମାଜ ହିସାବରେ ଆମର ବ୍ୟବହାର ଓ ଚିନ୍ତାଧାରା। ଆଜି ଅନେକ ୱେବ୍-ସିରିଜ୍ ରହିଛି ଯେଉଁଠି ଶିଶୁ ବିରୋଧୀ ଅପରାଧକୁ ପ୍ରୋତ୍ସାହନ ଦିଆଯାଉଛି। ଖୋଲାଖୋଲି ଏବଂ ସହଜରେ ଏ ସବୁ ଇଣ୍ଟରନେଟରେ ଉପଲବ୍ଧ ହେଉଚି। ତେଣୁ ଶିଶୁ ଯୌନ ଉତ୍ପୀଡନ ମାମଲା ବୃଦ୍ଧି ପାଇଁ ଚଳଚ୍ଚିତ୍ର, ୱେବ୍ ସିରିଜ୍ ଆଦିକୁ ଦାୟୀ କାହିଁକି କରାଯିବ ନାହିଁ?
କ୍ରାଇମ, ଡିଟେକ୍ଡିଭ୍ ଏବଂ ଥ୍ରୀଲର୍ ନାଁରେ ହି°ସ୍ର ଏବଂ ଆପରାଧିକ ମାନସିକତାକୁ ପ୍ରଶ୍ରୟ ଦିଆ ଯାଉଛି। ଏଭଳି ଚରିତ୍ରକୁ ଆୟୁଧ କରି ଅପରାଧୀ ନୂଆ କୌଶଳ ଆପଣାଇ ଥିବାର ନଜିର ରହିଛି। ଉଦାହରଣ ସ୍ୱରୂପ 'ପାତାଳ ଲୋକ' ୱେବ୍ ସିରିଜରେ ଜଣଙ୍କୁ ହାତୁଡ଼ିରେ ପିଟି ପିଟି ମାରୁଥିବା ଦେଖା ଯାଇଥିଲା। ଏହା ମୁକ୍ତିଲାଭ କରିବାର କିଛି ଦିନ ପରେ ଦେଶରେ ଏଭଳି ହତ୍ୟା ମାମଲା ବି ସାମ୍ନାକୁ ଆସିଥିଲା। ଆଉ 'ପୁଷ୍ପା' ଚଳଚ୍ଚିତ୍ର କଥା ତ କାହାକୁ ଅଛପା ନାହିଁ। ଏହି ଚଳଚ୍ଚିତ୍ର ଆସିବା ପରେ ଚୋରି ଓ ଚୋରା ଚାଲାଣ ପାଇଁ କି କି ଉପାୟ ଅବଲମ୍ବନ କରି ଅପରାଧୀ ଧରା ପଡ଼ିଥିଲେ ତାହା ଆପଣମାନେ ଜାଣିଛନ୍ତି। 'ଦୃଷ୍ୟମ' ଚଳଚ୍ଚିତ୍ର ଶୈଳୀରେ ହତ୍ୟାର ଅନେକ ଘଟଣା ମଧ୍ୟ ଗଣମାଧ୍ୟମର ଶିରୋନାମାରେ ରହିଥିଲା।
ଅଶ୍ଳୀଳତା କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳୁଛି। ସମାଜର ପ୍ରତିଷ୍ଠିତ ବ୍ୟବସ୍ଥାକୁ ବିଗାଡିବାକୁ ପ୍ରୟାସ ହେଉଚି। ୨୦୨୩ରେ ମୁକ୍ତିଲାଭ କରିଥିବା 'ଆନିମାଲ' ଚଳଚ୍ଚିତ୍ର ଦେଖନ୍ତୁ ତ। ଏଥିରେ ପରକୀୟାପ୍ରୀତିକୁ ପ୍ରୋତ୍ସାହନ ଦିଆଯାଇଛି। ଜଣେ ମହିଳାଙ୍କୁ ପାଦ ଚାଟିବାକୁ ବାଧ୍ୟ କରାଯାଉଛି। ସ୍କୁଲକୁ ଭାଇ ବନ୍ଧୁକ ନେଇ ଅନ୍ୟକୁ ଭୟଭୀତ କରୁଛି। ଆଉ ହିଂସାକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଇଛି। ଏଭଳି ଚଳଚ୍ଚିତ୍ରକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଜଣେ ପୂର୍ବତନ ଅମଲାତାନ୍ତ୍ରିକ ଅଧିକାରୀ କହିଥିଲେ ଯେ ଏହି ଚଳଚ୍ଚିତ୍ର ସମାଜକୁ ଅନେକ ବର୍ଷ ତଳକୁ ପଛକୁ ନେଇଯିବ। ସେ ସେନ୍ସର୍ ବୋର୍ଡ ଉପରେ ମଧ୍ୟ ପ୍ରଶ୍ନ ଉଠାଇ ଥିଲେ। ଅଶ୍ଳୀଳତା ପ୍ରଚାରପ୍ରସାର କରି ଅପରାଧୀଙ୍କୁ ସହାୟତା କରାଯାଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦିନ ଥିଲା ଚଳଚ୍ଚିତ୍ର ଗୁଡିକରେ ଖାଲି ଦୁଷ୍କର୍ମ ସିନ୍ ରହୁଥିଲା। ଏଭଳି ଦୃଶ୍ୟ ନ ଥିଲେ ଫିଲ୍ମ ଚାଲୁ ନ ଥିଲା। ବାରମ୍ବାର ଏଭଳି ଦୃଶ୍ୟ ପରିବେଷଣ କରି ଲୋକଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରାଯାଉଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏଭଳି ଦୃଶ୍ୟ ଦେଖିବା ପରେ ସମାଜରେ ଦୁଷ୍କର୍ମ ମାମଲା ବଢ଼ି ଚାଲିଥିଲା। ଭାରତୀୟ ସମାଜରେ ଭାଉଜଙ୍କୁ ମା' ସମାନ କୁହାଯାଇଛି। ରାମାୟଣରେ ଆପଣ ପଢିଥିବେ ଯେ ପ୍ରଭୁ ଲକ୍ଷ୍ମଣ କେମିତି ମାତା ସୀତାଙ୍କୁ ଭକ୍ତି ଆଉ ପୂଜା କରୁଥିଲେ। କିନ୍ତୁ ଏବେ ସବୁ ସୋସିଆଲ ସାଇଟରେ ଥିବା ଗଦା ଗଦା ଭିଡିଓରେ ଦିଅର ଭାଉଜ, ଦେଢ଼ଶୁର ଭାଇବୋହୂ ଏବଂ ନିଜଠାରୁ ବୟସ୍କ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିବା ଦେଖାଯାଉଛି। ଏଥିରୁ ପରବର୍ତ୍ତୀ ପିଢ଼ି କି ଶିକ୍ଷା ପାଇବେ? ଚଳଚ୍ଚିତ୍ରକୁ ସମାଜର ଦର୍ପଣ କୁହାଯାଏ। କିନ୍ତୁ ଏବେ ଏହି ଦର୍ପଣର ଛବି ଧୂମିଳ ହୋଇଯାଇଛି। ସମାଜକୁ ବାଟ ଦେଖାଇବା ପରିବର୍ତ୍ତେ ଏହା ଅଧୋଗତି ଆଡ଼କୁ ନେଇ ଯାଉଚି। ପ୍ରାୟ ପ୍ରତ୍ୟେକ ଦିନ କୋଉଠି ନା କୋଉଠି ମହିଳା ବିରୋଧୀ ହିଂସା, ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଚି। ସଂପର୍କକୁ ଖାତିର ନ କରି ଯୌନ ପିପାସୁ କୁକର୍ମ କରି ଚାଲିଛନ୍ତି। ଏଥିପାଇଁ ଟିକେ ଅନୁସୁଚନା ମଧ୍ୟ ନାହିଁ। କିଛି ଦିନ ତଳେ ଜଣେ ମହିଳା ନିଜ ପୁଅକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫୋପାଡି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା। ନିଜର ଜଣେ ସମ୍ପର୍କୀୟଙ୍କ ସହ ଅନୈତିକ ସମ୍ପର୍କ କାରଣରୁ, ସେହି ମା' ଏପରି କୁତ୍ସିତ ଅପରାଧ ଘଟାଇଥିଲେ। ଏଭଳି ଘଟଣାକୁ କଣ କହିବେ ଆପଣ? ମାଆ କଣ ଠିକ୍ କରିଥିଲେ କି? ଚିନ୍ତା କରନ୍ତୁ।
ଆଜି ଯଦି ଲୋକେ ସଚେତନ ହେବେନି କାଲିକୁ ତାହାର ଭୟଙ୍କର ପରିଣତି ଦେଖିବାକୁ ମିଳିବ। ଅବଶ୍ୟ ଏବେଠୁ ଏହାର କରୁଣ ପରିଣତି ମଧ୍ୟ ଦେଖିବାକୁ ମିଳୁଛି। ସେହିପରି ଏବେ ମୁକ୍ତିଲାଭ କରୁଥିବା ଅନେକ ଚଳଚ୍ଚିତ୍ର ଏବଂ ବିଶେଷକରି ଓ୍ବେବ୍-ସିରିଜରେ ଆଧୁନିକତା ଏବଂ ମୁକ୍ତ ଚିନ୍ତାଧାରା ନାଁ ରେ କିଶୋର-କିଶୋରୀଙ୍କଠୁ ଆରମ୍ଭ କରି ପ୍ରାପ୍ତ ବୟସ୍କ ସମସ୍ତଙ୍କ ମାଧ୍ୟମରେ ଅଶ୍ଳୀଳ ଭାଷାର ପ୍ରୟୋଗ ଏବଂ ଶାରୀରିକ ସମ୍ପୂର୍କକୁ ଅତି ସାଧାରଣ ଏବଂ ପ୍ରଚଳିତ ଧାରାର ରୂପ ଆକାରରେ ପରିବେଷଣ କରାଯାଉଛି। ଏ ସବୁ ଦେଖି ଏବଂ ଶୁଣି ପ୍ରେମ କ'ଣ ଜାଣି ନ ଥିବା ୧୦-୧୨ ବର୍ଷର ଶିଶୁଙ୍କ ନଜରରେ ଏହାକୁ ଏଭଳି ଭାବେ ପରିବେଷଣ କରାଯାଉଛି ଯେମିତି ଭଲ ନ ପାଇଲେ ଜୀବନଟା ଅର୍ଥହୀନ ହୋଇଯିବ। ଏସବୁ ପୁଣି ଏବେ କେବଳ ସିନେମା କିମ୍ବା ଓ୍ବେବ୍-ସିରିଜରେ ସୀମିତ ନାହିଁ, ରିଲ୍ସ ଏବଂ ସର୍ଟ୍ସରେ ମଧ୍ୟ ନିତିଦିନିଆ ହୋଇଗଲାଣି। ରାସ୍ତା ଠୁ ରେଳ, ଯେକୌଣସି ସର୍ବସାଧାରଣ ସ୍ଥାନରେ ଅଶାଳୀନ ଅଙ୍ଗଭଙ୍ଗୀ, ନୃତ୍ୟ ଏବଂ ବ୍ୟବହାର ପ୍ରଦର୍ଶନ କରିବା, ଇଣ୍ଟିମେଟ୍ ସମୟର ଫଟୋ ଏବଂ ଭିଡିଓ ବନାଇବା ଏବଂ ସେୟାର କରିବା, ଖୁବ୍ ସାଧାରଣ ଲାଗୁଛି ଏବେର ପିଢିକୁ। ଆଉ ପରେ କଣ ହେଉଚି ଆପଣମାନେ ଜାଣିଛନ୍ତି। ଭିଡିଓ ଭାଇରଲ ହେବା ପରେ ଏମିତି କେତେ ଝିଅ ଆଉ ପୁଅ ଆତ୍ମହତ୍ୟା କରିଥିବାର ନଜିର ରହିଛି। ତେଣୁ ଅସଲ ଭଲ ପାଇବା ଆଉ ବନ୍ଧୁତା କଣ ପିଲାଙ୍କୁ ବୁଝାଇଲେ ଏଭଳି ଅପ୍ରୀତିକର ପରିସ୍ଥିତିରୁ ପିଲାଙ୍କୁ ବଞ୍ଚାଇ ହେବ। ଭଲ ଆଉ ମନ୍ଦ ବିଚାର କରି ପାରୁନଥିବା ପିଲା ଭଲ ପାଇବାର ସଂଜ୍ଞା କଣ ବୁଝି ନ ପାରିବା ନିହାତି ଚିନ୍ତାର ବିଷୟ। ଅବଶ୍ୟ ସିନେମାର ଯେ ଏଦିଗରେ କେବଳ ବଦ୍ ଅବଦାନ ରହିଛି ସେକଥା ନୁହେଁ। ୨୦୨୨ରେ "ସିର୍ଫ ଏକ" ନାମରେ ରିଲିଜ୍ ହୋଇଥିବା ସିନେମା ଖୁବ୍ ଶିକ୍ଷଣୀୟ କିଶୋର-କିଶୋରୀଙ୍କ ପାଇଁ। କ୍ଷଣିକ ଆନନ୍ଦ ଏବଂ ଅନ୍ଧ ଭାବରେ ଟ୍ରେଣ୍ଡ୍ କୁ ଫଲୋ କରିବାର କୁପରିଣାମ ଖୁବ୍ ସୁନ୍ଦର ଭାବରେ ଦେଖା ଯାଇଛି ଏଥିରେ।
ଅବଶ୍ୟ ଏଠି ଅଭିଭାବକ ମଧ୍ୟ ପିଲାଙ୍କୁ ସହାୟତା କରିବା ଉଚିତ। ମୋବାଇଲ ଦେବା ପୂର୍ବରୁ ଏହାର ଉପକାରିତା ଆଉ ଅପକାରିତା ବିଷୟରେ ନିଜେ ସଚେତନ ହୋଇ ପିଲାଙ୍କୁ ସତର୍କ କରାଇବା ଆବଶ୍ୟକ। କିଶୋରାବସ୍ଥାରେ ହେଉଥିବା ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ବିଷୟରେ ଅଭିଭାବକ ଅବଗତ ହେବା ବେଶୀ ଜରୁରୀ। ଏହି ବୟସରେ ପିଲାଙ୍କୁ ଯୌନ ଶିକ୍ଷା ମାଧ୍ୟମରେ ସଚେତନ କରିବା ଦାୟିତ୍ବ କେବଳ ଶିକ୍ଷାନୁଷ୍ଠାନ ନୁହେଁ, ଅଭିଭାବକଙ୍କର ମଧ୍ୟ। ଚାଣକ୍ୟ ନୀତି ଅନୁସାରେ ଏକ ନିର୍ଦ୍ଧିଷ୍ଟ ବୟସ ପରେ ପିଲାଙ୍କୁ ବନ୍ଧୁ ଭାବେ ଦେଖନ୍ତୁ । ତାଙ୍କ ସହ ସମୟ ବିତାନ୍ତୁ, ତାଙ୍କ କଥା ଧୈର୍ଯ୍ୟର ସହ ଶୁଣନ୍ତୁ ଏବଂ ସମସ୍ୟାର ସମାଧାନ କରନ୍ତୁ। ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଆପଣ ସ୍କ୍ରିନରେ ଦେଖିବା ପାଇଁ କ'ଣ ଚୟନ କରୁଛନ୍ତି, ଆପଣଙ୍କ ପସନ୍ଦ ଏବଂ ନାପସନ୍ଦକୁ ମଧ୍ୟ ଆପଣଙ୍କ ସନ୍ତାନ ଲକ୍ଷ୍ୟ କରେ ଓ ଶିଖେ। ଏଦିଗରେ ଆପଣ ହିଁ ତା'ର ସବୁଠାରୁ ବଡ ଗୁରୁ। ଏଥିପ୍ରତି ନିଜେ ସଚେତନ ହୁଅନ୍ତୁ। ନଚେତ ଲେଡି ଗୁଡ଼ କହୁଣୀକୁ ବୋହିଗଲା ପରେ କଣ ହୁଏ ଆପଣ ଜାଣିଛନ୍ତି।
ସରୋଜ କୁମାର ଓତା
ଖଳିଢିପ, ବଡମ୍ବା (୮୨୪୯୮୫୦୭୧୬)