ହେ ଈଶ୍ୱର !

ପାହାନ୍ତିଆ ଚାରିଟାରେ
ଦ୍ୱିତୀୟ ମହଲା ଝରକା ଖୋଲିଲା ବେଳକୁ
‘ଭାବନି’, ସାମନା ଦାସ ବାବୁଙ୍କ ବାଡିରୁ-
ପାଚେରୀ ଏପଟକୁ ଲଟକି ପଡିଥିବା,
ତରାଟ-ମନ୍ଦାର ଫୁଲ-କଢ଼କୁ
ନଗିରେ ଚଟଚଟ କରି ଭିଡି ଆଣି-
ଜରିମୁଣାରେ ଭରି ଦେଉଥାଏ!
ସକାଳ ସାତଟାରେ-
ଖବରକାଗଜ ଉଠେଇବାକୁ-
କବାଟ ଖୋଲିଲା ବେଳକୁ,
ଦାସ ବାବୁଙ୍କ ବାଡିରୁ ଚୋରି ହୋଇଥିବା ଫୁଲ-
ଲଟକି ଥାଏ ଜରିମୁଣାରେ
ଆମ-
ପଡିଶାଘର ଗ୍ରୀଲ୍ ରେ!
ଆଠଟାରେ ପଡିଶାଘର ଧର୍ମପରାୟଣ ମାଉସୀ,
ମୁଣ୍ଡରେ ଓଢଣା ଦେଇ-
ସେଇ ଜରିମୁଣାର ଫୁଲ-
ଚାଙ୍ଗୁଡିରେ ସଜାଡି,
ଚଟି ମଡେଇ ବାହାରନ୍ତି କଲୋନୀ ମନ୍ଦିରକୁ,
ହସିଦେଇ କୁହନ୍ତି-
“କ’ଣ କରିବି, ମନ୍ଦିରଟିକେ ନଗଲେ ଭଲ ଲାଗୁନି”!
ମୋର ବିଶ୍ୱାସ ହୋଇଯାଏ-
ଆଈ କହିଥିବା ହିରଣ୍ୟକଶ୍ୟିପୁ କଥା, ଗପଟେ ବୋଲି;
ଗଛ, ପାଚେରୀ, ନଗୀ, ଖମ୍ବ କି ସବୁଠାରେ ନୁହେଁ
ଈଶ୍ୱରଙ୍କର ବି ଅଛି ଗୋଟିଏ ନିର୍ଦ୍ଦିଷ୍ଟ ଠିକଣା!
ଆଶ୍ଚର୍ଯ୍ୟ-
ଖବରକାଗଜ ପୃଷ୍ଠାରୁ ବି ଗାୟବଥାଏ
“ଦାସବାବୁଙ୍କ ବାଡିରୁ ଫୁଲ ଚୋରି”ର ଖବର!
ପ୍ରଥମ ପୃଷ୍ଠାଟା ଝଟକୁଥାଏ-
ଗତ ସନ୍ଧ୍ୟାର ଭବ୍ୟ ସଭାର ରଙ୍ଗୀନ ଫଟୋରେ;
ଫଟୋର ଠିକ୍ ମଝିରେ-
ପଡିଶାଘର ମାଉସୀ, ବେକରେ ଫୁଲ ମାଳ ପକାଇ
ନମସ୍କାର ମୁଦ୍ରାରେ ଦଣ୍ଡାୟମାନ;
ଶୀର୍ଷକ:
“ଧର୍ମପରାୟଣ ମହିଳାଙ୍କର
ମନ୍ଦିର ପ୍ରାଙ୍ଗଣ ନିର୍ମାଣ ପାଇଁ ପାଞ୍ଚ ଲକ୍ଷ ଦାନ!”
ଖବରକାଗଜ ଚଉତି-
ଗ୍ୟାସ୍-ଚୁହ୍ଲାରେ ଚା’ ବସେଇ,
ମୁଁ ବିସ୍କିଟ ଡବା ଅଣ୍ଡାଳେ;
ଗ୍ୟାସ୍ ଉପରୁ-
ଚା’ ଫୁଟିବା ଶବ୍ଦଟା ଶୂନ୍ ପଡିଯାଏ,
ହଠାତ୍ ଗୋଟିଏ ଉଲ୍ଲସିତ ଶବ୍ଦର ଲହଡିରେ!
ଝରକା ପରଦା ଟେକି ଦେଖେ,
ଦାସ ବାବୁଙ୍କ ନୂଆ ଜିପରେ-
ପଡିଶାଘର ମାଉସୀଙ୍କୁ ଠିଆ କରି,
କଲୋନୀରୁ ବାହାରିଛି ଗୋଟେ ବିଶାଳ ପଟୁଆର,
ଶଙ୍ଖ, ଘଣ୍ଟ, ମାଦଳ ସାଙ୍ଗକୁ ଆବାଳବୃଦ୍ଧବନିତାଙ୍କ
ଜୟ ଜୟ ଧ୍ବନୀ ଭିତରେ,
ଆଉ ଶୁଭୁନି ତୁମ ବ°ଶୀ କି ଚା’ ଫୁଟିବାର ସ୍ବର!
ମୁଁ ଏଥର ନିଶ୍ଚିତ-
ତୁମକୁ ଖୋଜିବା ପାଇଁ ଆଉ ଯିବାକୁ ପଡିବନି
କୌଣସି ହିମାଳୟ ଶୃଙ୍ଗ କି ଅଗନା-ଅଗନି ବନସ୍ତ,
କିମ୍ବା ମୌନହୋଇ ଧ୍ୟାନରେ ବସିବାକୁ ପଡିବନି ବର୍ଷ ବର୍ଷ;
ତୁମ ନୂଆ ଠିକଣା ହେଉଛି ଏଇ ‘ଭିଡ଼’,
ଖାଲି ଟିକେ ଢୋଲ- ପେଁକାଳି ବଜାଇ
ଚିତ୍କାର କରିବାକୁ ପଡିବ
ହେ ଈଶ୍ୱର! ହେ ଈଶ୍ବର….