ପୁରୀ
ପୁରୀ ଗଲେ ପୂରି ଉଠେ ମୁଁ
ଯେଉଁଠି ଥା’ନ୍ତି ଜଗନ୍ନାଥ ଓ ସମୁଦ୍ର
ଥା’ନ୍ତି ସୁରେନ୍ଦ୍ର ମହାନ୍ତି ଓ ନୀଳଶୈଳ
ସେଥିପାଇଁ ବୋଧେ,
ପୁରୀ, ମୋ ପ୍ରିୟ ସହର ।
ଲାଗେ ଯେମିତି
ତା’ସହ ସମ୍ପର୍କ ମୋର
ଜନ୍ମଜନ୍ମାନ୍ତରର ।
ଯଦିଓ ଜଗନ୍ନାଥ ମୋର ଅତ୍ୟନ୍ତ ପ୍ରିୟ
ତଥାପି ମନ୍ଦିରରେ ରହିପାରେନା ବେଶୀ ସମୟ ।
ସବୁ ସଂକୀର୍ଣ୍ଣତା ଓହ୍ଲେଇ ନ ଯିବା ଯାଏ ଦେହରୁ
ମୁଁ ଫେରିପାରେନା ବେଳାଭୂମିରୁ ।
ପାପ-ପୁଣ୍ୟର ଲଢ଼େଇରେ
ମୋ କ୍ଷେତ୍ରରେ କିନ୍ତୁ
ପୁଣ୍ୟର ପରାଜୟ ଥୟ ।
ଗୋଟେ ବିଚିକିଟିଆ ଆଇଁଷିଣିଆ
ଗନ୍ଧଭର୍ତ୍ତି ପବନ
ଅନାୟାସରେ ଲିଭେଇ ଦିଏ
ମୋ ଭିତରେ ଜଳୁଥିବା
ଛଳ ଓ ମିଛର ଘିଅଦୀପ ।
ମନ୍ଦିରରୁ ଆସିବା ପରେ ପ୍ରେମ ପାପ
କହି, ଠକିଥିଲ ସେଦିନ
ଆଉ ଦିନେ କହିଲ, ଭଲନାହିଁ ଦେହ ।
ଓହୋ! ପବନ ବୋହି ଆଣୁଛି
କାହା ଦେହର ଏ ଉତ୍କଟ ଗନ୍ଧ
ପୂରି ଉଠୁଛି ମୁଁ, ଭରି ଯାଉଛି ମନ
ତମେ ତ ଏଥର
ପୁରୀ ଆସି ନ ଥିଲ ମୋ ସହ?
ମୋ : ୯୭୭୮୦୩୫୭୬୭