ମୋଦୀଙ୍କ ଲାଗି ସଂକଟମୋଚନ ନବୀନ

ମୋଦୀଙ୍କ ଲାଗି ସଂକଟମୋଚନ ନବୀନ

ଯେତେବେଳେ ବି ପ୍ରଧାନମନ୍ତ୍ରୀ ମୋଦୀ କୌଣସି ଅସୁବିଧାରେ ପଡନ୍ତି, ସେତେବେଳେ ତାଙ୍କର ସବୁଠୁ ବଡ ଢାଲ ଭାବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭା ହୁଅନ୍ତି । ଗୋଟେ ପକ୍ଷରେ ରାଜ୍ୟରେ ବିଜେପି ବିଜେଡି ଲଢେଇ ଘମାଘୋଟ ଚାଲିଥିବା ବେଳେ ଅପର ପକ୍ଷରେ ନବୀନ-ମୋଦୀ ସମ୍ପର୍କ ବଡ ନିବିଡ ହୋଇ ଚାଲିଛି। ଏହା ଓଡିଶା ରାଜନୀତିରେ ସବୁଠୁ ବଡ ନାଟକ ବୋଲି ଆମେ କହିପାରିବା । ସଂସଦରେ ସବୁ ଅଡୁଆ ପ୍ରସଙ୍ଗରେ ବିଜେଡି ମୋଦୀଙ୍କ ସାଙ୍ଗରେ ଠିଆ ହୋଇଆସୁଛି । ରାଜ୍ୟର ବିଜେପି ନେତାମାନେ ନବୀନଙ୍କ ବିରୋଧରେ ପ୍ରତିଦିନ ଗର୍ଜନ ତର୍ଜନ କରୁଛନ୍ତି, ହେଲେ ଉପର ମୁଣ୍ଡରେ ମୋଦୀଙ୍କ ସଙ୍କଟ ମୋଚନ ଭାବେ ନବୀନ ନିଜର ଦାୟିତ୍ଵ ସୁଚାରୁ ରୂପେ ତୁଲାଇ ଚାଲିଛନ୍ତି । ସବୁଠୁ ମଜାର କଥା ହେଲା, ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଅତି ଅସହାୟ ଭାବେ ହାରିବା ପରେ ମଧ୍ୟ, ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଓଡିଶା ଉପରେ କୌଣସି ଦୃଷ୍ଟି ଦେଇ ନାହାନ୍ତି । ରାଜ୍ୟ ବିଜେପି ନେତାଏ ଯେତେ ନବୀନ ବିରୋଧୀ ବୟାନ ଦେଲେ ମଧ୍ୟ କେନ୍ଦ୍ରୀୟ ନେତୃତ୍ଵ ଏ ପ୍ରସଙ୍ଗରେ ଚୁପ । ଏହାର କାରଣ ଅତ୍ୟନ୍ତ ସ୍ପଷ୍ଟ । ନବୀନଙ୍କୁ କୌଣସି ପ୍ରକାରେ ବିଜେପି ନେତୃତ୍ଵ ଅସନ୍ତୁଷ୍ଟ କରିବାକୁ ଚାହାନ୍ତି ନାଇଁ । 

ପଞ୍ଜାବ ବିଧାନସଭା ନିର୍ବାଚନ ଆଗରୁ ମୋଦୀଙ୍କ ଗସ୍ତ ସମୟରେ ଘଟିଥିବା ତଥାକଥିତ ସୁରକ୍ଷା ସଙ୍କଟ ବିଷୟରେ ଟୁଇଟ କରି ନବୀନ ଲେଖିଥିଲେ ଯେ, “ପ୍ରଧାନମନ୍ତ୍ରୀ ଏକ ଜାତୀୟ ଅନୁଷ୍ଠାନ ଓ ତାଙ୍କର ସୁରକ୍ଷା ସବୁ ରାଜ୍ୟର ଦାୟିତ୍ଵ”ଅବଶ୍ୟ ପ୍ରଧାନମନ୍ତ୍ରୀ ଏକ ଜାତୀୟ ଅନୁଷ୍ଠାନ, ହେଲେ ଖୋଦ ପ୍ରଧାନମନ୍ତ୍ରୀ ଏ ଅନୁଷ୍ଠାନର ଗରିମା ବଜାୟ ରଖୁଛନ୍ତି କି ? ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଯେଉଁ ଭାଷାର ପ୍ରୟୋଗ କରିଥିଲେ, ସେତେବେଳେ ନବୀନ ତାର ପ୍ରତିବାଦ କରିଥିଲେ କି ? ଏପରିକି ଓଡିଶା ନିର୍ବାଚନ ପୂର୍ବରୁ ନବୀନଙ୍କ ବିରୋଧରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପି ନେତାମାନେ ଯେଉଁ ଭାଷାର ପ୍ରୟୋଗ କରନ୍ତି ତାହା ମୁଖ୍ୟମନ୍ତ୍ରୀ ଅନୁଷ୍ଠାନର ଅବମାନନା ନୁହେଁ କି ? ଏ ସବୁ ପ୍ରଶ୍ନର କୌଣସି ଉତ୍ତର ବିଜେପି ବା ବିଜେଡି ନେତାମାନେ ଦେବେ ନାହିଁ ।

ଇତି ମଧ୍ୟରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା  ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ସ୍ଥାନ ପାଇବ ନାହିଁ ବୋଲି କେନ୍ଦ୍ର ସରକାର ଲାଗ ଲାଗ ଦୁଇ ବର୍ଷ ହେଲା   ନିଷ୍ପତ୍ତି ନେଇଛନ୍ତି । କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ଭଳି ରାଜ୍ୟର ପ୍ରସ୍ତାବ ମଧ୍ୟ କେନ୍ଦ୍ର ସରକାର ଖାରଜ କରିଛନ୍ତି । ଏହି ପ୍ରସଙ୍ଗରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କ ପ୍ରଜ୍ଞାପନ ମେଢ ସାରା ଦେଶ ଭ୍ରମଣ କରିବ ବୋଲି ଘୋଷଣା କରିଛନ୍ତି । କେବଳ ଓଡିଶା ସରକାର କେନ୍ଦ୍ରର ଏହି ନିଷ୍ପତ୍ତିକୁ ଚୁପଚାପ ମାନି ନେଇଛନ୍ତି । ଏ ପ୍ରସଙ୍ଗରେ ରାଜ୍ୟ ବିଜେଡି ତରଫରୁ ପଦେ ପ୍ରତିବାଦ ମଧ୍ୟ ହୋଇନାହିଁ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ନବୀନ କେନ୍ଦ୍ର ସରକାରଙ୍କ ସହ କୌଣସି ପ୍ରକାର ମୁକାବିଲାମୂଳକ ପରିସ୍ଥିତି ତିଆରି କରିବାକୁ ଚାହୁଁ ନାହାନ୍ତି ।

ମୋଦୀଙ୍କ ଶାସନ କାଳରେ ଦେଶର ସଙ୍ଘୀୟ ଢାଞ୍ଚା ଉପରେ ନିରନ୍ତର ଆକ୍ରମଣ ବଢି ଚାଲିଛି । ଉଦ୍ଦେଶ୍ୟ ମୂଳକ ଭାବରେ ବିଭିନ୍ନ ବିରୋଧୀ ଶାସିତ ରାଜ୍ୟ ଗୁଡିକ ଉପରେ କେନ୍ଦ୍ର ସରକାର ଓ  ଖୋଦ ପ୍ରଧାନମନ୍ତ୍ରୀ ବୈମାତୃକ ଆଚରଣ ପ୍ରଦର୍ଶନ କରୁଛନ୍ତି । ଓଡିଶା ମଧ୍ୟ ଏହି ସମାନ ଆଚରଣର ଶିକାର ହେଉଛି । ଓଡିଶାର ବିଭିନ୍ନ ଦାବୀ  କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ଓଡିଶାରେ ବିଧାନ ପରିଷଦ ଗଠନ ଲାଗି ଓଡିଶା ବିଧାନସଭାରେ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ ହୋଇସାରିଛି । ସେ ସମ୍ପର୍କରେ କେନ୍ଦ୍ର ସରକାର ସଂସଦରେ କୌଣସି କଥା ଇ ଉଠାଉ ନାହାନ୍ତି ।

କେନ୍ଦ୍ରର ଉପେକ୍ଷା ପ୍ରସଙ୍ଗରେ ୨୦୧୯ ନିର୍ବାଚନ ପୂର୍ବରୁ କଥା କଥାକେ ବିଜେଡି କେନ୍ଦ୍ର ଉପରେ ଦୋଷାରୋପ କରୁଥିଲା । ଏବେ କିନ୍ତୁ କେନ୍ଦ୍ର ସରକାରର ସବୁ ନିଷ୍ପତ୍ତିକୁ ନବୀନ ପ୍ରଥମେ ସ୍ଵାଗତ କରୁଛନ୍ତି । ଏପରିକି ବିଜେପି ନେତୃତ୍ବରେ ପରିଚାଳିତ ଏନଡିଏ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନବୀନଙ୍କ ପଛରେ ପଡି ଯାଉଛନ୍ତି ।

ଏବେ ହଠାତ ସାଧାରଣ ନିର୍ବାଚନ ପାଖେଇ ଆସିବା ବେଳକୁ ବିଜେପି ଓ ବିଜେଡି ମଧ୍ୟରେ କଳି ତକରାଳ ଟିକେ ବଢିଛି । ରାଜ୍ୟ ବିଜେପି ନେତାମାନେ ନବୀନଙ୍କୁ ଟିକେ ବଡପାଟିରେ କଥା କହିବା ଆରମ୍ଭ କରିଛନ୍ତି। ଆଗକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟ ଗସ୍ତରେ ଆସୁଛନ୍ତି । ୨୦୧୯ ପୂର୍ବରୁ କଥାକଥାରେ “ନବୀନବାବୁଙ୍କୁ ଉଖାଦି ଫୋପାଡି ଦିଅ” ବୋଲି ଚିତ୍କାର କରୁଥିବା ଅମିତ ଶାହ ଇତିମଧ୍ୟରେ କେତେଥର ନବୀନ ନିବାସରୁ ପଖାଳ ଖାଇ ସନ୍ତୁଷ୍ଟ ଚିତ୍ତରେ ଫେରି ସାରିଲେଣି । ଅନ୍ୟ ବିରୋଧୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ କେନ୍ଦ୍ର ସରକାର ଓ ତାଙ୍କର ଏଜେନ୍ସି ସବୁ ହଲାପଟା କରୁଥିବା ବେଳେ ନବୀନ ବାବୁଙ୍କ ପ୍ରତି ମୋଦୀ-ଶାହ ମାତ୍ରାଧିକ ଉଦାର ।

ଏହାର କାରଣ, ଯଦି ୨୦୨୪ରେ ବିଜେପି ଲାଗି ସଂଖ୍ୟାର ସଙ୍କଟ ଆସେ, ତା ହେଲେ ସଙ୍କଟ ମୋଚନ କେବଳ ନବୀନ ।