କୌଣସି ରାଜନୈତିକ ଦଳ ସହିତ ଆମର ସଂପର୍କ ନାହିଁ : ଜଗଦୀଶ ପ୍ରସାଦ ନାୟକ

କୌଣସି ରାଜନୈତିକ ଦଳ ସହିତ ଆମର  ସଂପର୍କ ନାହିଁ : ଜଗଦୀଶ ପ୍ରସାଦ ନାୟକ

ଗତ କିଛିଦିନ ହେଲା ଓଡିଶାରେ ଡିଏନ ଗୃପ ପ୍ରସଙ୍ଗରେ ଓଡିଶାର ଗଣମାଧ୍ୟମରେ ଏକପାଖିଆ ଆଲୋଚନା ଚାଲିଛି । କେନ୍ଦ୍ର ସରକାରଙ୍କ ଆୟକର ଚଢାଉ ପରେ ସରକାରୀ ଭାବରେ ଯାହା କୁହାଯାଇଛି, ଗଣମାଧ୍ୟମ କେବଳ ତାର ରିପୋର୍ଟ କରୁନାହିଁ । ଏଥିରେ ନିଜର କଳ୍ପନା ଓ ମସଲା ମିଶାଇ ମନଗଢା ଅନେକ କାହାଣୀ ଆମେ ଶୁଣିଚାଲିଛୁ । ଆଜି ପର୍ଯନ୍ତ ଆୟକର ବିଭାଗ ଯେଉଁ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରି ଯାହା ରିପୋର୍ଟ କରିଛନ୍ତି, ତାହା ଯେ ସମୂର୍ଣ୍ଣ ସତ୍ୟ- ତା’ ନୁହେଁ । ଆୟକର ବିଭାଗର ଅଭିଯୋଗକୁ ଅଦାଲତରେ ଅପିଲ କରାଯାଇଛି ଓ ଅନେକ ସମୟରେ ଆୟକର ବିଭାଗ ହାରିଛି ମଧ୍ୟ । କେବଳ ଆୟକର ବିଭାଗର ସୂତ୍ରକୁ ନେଇ ଖବର କରିବା ସାମ୍ବାଦିକତା ନୁହେଁ ବୋଲି ଆମେ ବିଶ୍ଵାସ କରୁ । ସେଥିପାଇଁ ଆମେ ଡିଏନ ଗୃପର ମୁଖିଆ ଜଗଦୀଶ ପ୍ରସାଦ ନାୟକଙ୍କୁ ଏ ପ୍ରସଙ୍ଗରେ କେତୋଟି ସ୍ପଷ୍ଟ ପ୍ରଶ୍ନ ପଚାରିଥିଲୁ । ଗଣମାଧ୍ୟମରେ ଆସିଥିବା ବିଭିନ୍ନ ଅଭିଯୋଗ ସମ୍ପର୍କରେ ସମତା ତରଫରୁ ସମ୍ପାଦକ କେଦାର ମିଶ୍ର ପଚାରିଥିବା କେତୋଟି ସିଧା ସିଧା ପ୍ରଶ୍ନର ଉତ୍ତର ରଖିଛନ୍ତି ଶ୍ରୀ ଜଗଦୀଶ ପ୍ରସାଦ ନାୟକ -       

ପ୍ରଶ୍ନ୧.  ଆପଣଙ୍କ ବ୍ୟବସାୟ ପ୍ରତିଷ୍ଠାନ ଓ ଘର ଉପରେ ଆୟକର ବିଭାଗ ଚଢାଉ କରି ଆପଣ ପ୍ରାୟ ୯୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ବୋଲି କହିଛନ୍ତି । ପ୍ରାୟ ୨୧୦ କୋଟି ଟଙ୍କାର ଲେନଦେଣ କାରବାରକୁ ଆପଣ ଲୁଚାଇଥିଲେ ବୋଲି ଆୟକର ବିଭାଗ ଯାହା କହିଛି, ସେ ସମ୍ପର୍କରେ ଆପଣଙ୍କର ମତ କଣ ? 

ଉତ୍ତର: ଏସବୁ ବିଭ୍ରାନ୍ତିକର ତଥ୍ୟ । ଆୟକର ବିଭାଗ ଏହାର ତଦନ୍ତ କରୁଛନ୍ତି । ସେମାନେ ଏପର୍ଯ୍ୟନ୍ତ ଏନେଇ ଆମକୁ କୌଣସି ସୂଚନା ଦେଇନାହାନ୍ତି ।

ପ୍ରଶ୍ନ୨. ଆପଣଙ୍କର ଜଣେ କର୍ମଚାରୀଙ୍କ ଘରୁ ପ୍ରାୟ ୩୦ କୋଟି ଟଙ୍କାର ନଗଦ ଜବତ ହୋଇଥିବାର ଖବର ବେଶ ଚର୍ଚ୍ଚାରେ ରହିଥିଲା । ପରେ ଏହା ପ୍ରାୟ ୯ କୋଟି ବୋଲି ଜଣା ପଡିଥିଲା । ବାସ୍ତବରେ ଜବତ ହୋଇଥିବା ଟଙ୍କାର ଏ ସଂଖ୍ୟା କେତେ ? ଏତେ ପରିମାଣରେ ନଗଦ ଟଙ୍କା ରଖିବା ବେଆଇନ ନୁହେଁ କି ?

ଉତ୍ତର: ବିଭିନ୍ନ ଗଣମାଧ୍ୟମ ବିଭିନ୍ନ ପ୍ରକାରର ଫିଗର କହୁଛନ୍ତି । ସେସବୁ ସଂପୂର୍ଣ୍ଣ ମିଥ୍ୟା ଏବଂ ମନଗଢ଼ା । ଏପର୍ଯ୍ୟନ୍ତ ଆୟକର ବିଭାଗ ପାଖରୁ ଆମକୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ ।                                                                                                                                                                            

ପ୍ରଶ୍ନ୩. ଆୟକର ବିଭାଗ ଜବତ କରିଥିବା ନଗଦ ଟଙ୍କା ଆପଣଙ୍କର କି ?

ଉତ୍ତର: ଆମ କଂପାନୀର କୌଣସି ଟଙ୍କା ଜବତ ହୋଇନାହିଁ । ଆୟକର ବିଭାଗ ଘଟଣାର ତଦନ୍ତ କରୁଛି ।

ପ୍ରଶ୍ନ୪. ଜବତ ହୋଇଥିବା ନଗଦ ଟଙ୍କା ମଧ୍ୟରେ ଏକ କୋଟି ଟଙ୍କାର ଜାଲି ନୋଟ ରହିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହା କେତେ ଦୂର ସତ୍ୟ? 

ଉତ୍ତର: ଏ ବିଷୟରେ ଆମ ପାଖରେ କୌଣସି ସୂଚନା ନାହିଁ ।

ପ୍ରଶ୍ନ୫. ଏ ସମ୍ପର୍କରେ କୌଣସି ସରକାରୀ ସୂତ୍ର କିଛି କହିନଥିବା ବେଳେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏହାକୁ ପ୍ରଚାର କରିବା ପଛରେ ତାଙ୍କର କି ଉଦ୍ଦେଶ୍ୟ ରହିଛି ?

ଉତ୍ତର:  ସେମାନଙ୍କର କଣ ଉଦ୍ଦେଶ୍ୟ ରହିଛି ସେମାନେ ହିଁ କହିପାରିବେ । ଏ ବିଷୟରେ ଆମେ କିଛି କହବା ଉଚିତ ହେବ ନାହିଁ ।

ପ୍ରଶ୍ନ୬. ବିଜେପି ଆପଣଙ୍କ ସହିତ ଓଡିଶାର ଶାସକ ବିଜେଡି ଦଳର ବିଶେଷ ସମ୍ପର୍କ ରହିଛି ବୋଲି କହୁଛି । ଏ ସମ୍ପର୍କରେ ଆପଣ କଣ କହିବେ ? ଶାସକ ଦଳର କିଛି ନେତା ଓ ଅଫିସରଙ୍କ ଅର୍ଥ ଆପଣଙ୍କ କମ୍ପାନୀରେ ଲାଗିଛି କି ?

ଉତ୍ତର: କୌଣସି ରାଜନୈତିକ ଦଳ ସହିତ ଆମର କୌଣସି ସଂପର୍କ ନାହିଁ । କିମ୍ବା କୌଣସି ନେତା ଏବଂ ଅଫିସରଙ୍କ ଟଙ୍କା ଟିଏ ବି ଆମ କଂପାନିରେ ଲାଗିନାହିଁ  । ଏହି ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ।

ପ୍ରଶ୍ନ୭. ଆୟକର ଚଢାଉ ପରେ ଆପଣଙ୍କ କାରବାର ଉପରେ ଇଡି ଅନୁସନ୍ଧାନ କରିବ ବୋଲି ଖବର ବାହାରିଛି । ସେ ସମ୍ପର୍କରେ ଆପଣଙ୍କର ପ୍ରତିକ୍ରିୟା କଣ ? 

ଉତ୍ତର: ଏହା ଟିକସ ଜନିତ ଘଟଣା ଏଥିରେ ଇଡିର କୌଣସି ଭୂମିକା ରହିଥିବା ଭଳି ଆମର ମନେ ହେଉନାହିଁ ।

ପ୍ରଶ୍ନ୮. ଶହୀଦ  ନଗରରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ତିଆରି ଲାଗି ଆପଣଙ୍କୁ ଶାଗମାଛ ଦରରେ ରାଜ୍ୟ ସରକାର ଜମି ଦେଇଛନ୍ତି ବୋଲି ଅଭିଯୋଗ ହେଉଛି । ସେ ସମ୍ପର୍କରେ ଆପଣ କଣ କହିବେ ?

ଉତ୍ତର: ଶହୀଦ ନଗର ଆପାର୍ଟମେଣ୍ଟ ନିର୍ମାଣ ନିମନ୍ତେ ସରକାର ଆମକୁ କୌଣସି ଜମି ଦେଇନାହାନ୍ତି । 2016 ମସିହାରେ ବିଡିଏ ସେଠାକାର ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ନିମନ୍ତେ ଏକ ପ୍ରକଳ୍ପ “ଶାନ୍ତି ନଗର ଆୱାସ ଯୋଜନା” ପାଇଁ ବିଜ୍ଞାପନ ବାହାର କରିଥିଲେ । ଯେଉଁଥିରେ କି ଅନ୍ୟାନ୍ୟ ବହୁ କଂପାନି ସମେତ ପାରମିତ୍ରା ସ୍ମାର୍ଟ ଇନଫ୍ରା ନାମକ କଂପାନି ସର୍ବାଧିକ ମୂଲ୍ୟ କୋଟ୍ କରି ସେହି ଜମିକୁ ନେଇଥିଲା । ସେଠାରେ 840 ବାସଗୃହ ନିର୍ମାଣ କରିକି ବିଡିଏକୁ ଦେଲେ ତା ବଦଳରେ ବିଡ଼ିଏ ତାଙ୍କୁ 2.10 ଏକର ଜମି ପ୍ରଦାନ କରିଥିଲେ । ପରବର୍ତ୍ତି ସମୟରେ କରୋନା ମହାମାରୀ ଯୋଗୁଁ  ଉକ୍ତ କଂପାନିର ଆର୍ଥିକ ଅବସ୍ଥା ଭଲ ନରହିବାରୁ ସେମାନେ ଡିଏନ୍ ହୋମକୁ 49% Share holder କରିଥିଲେ । ପାରମିତ୍ରା କଂପାନି ସେହି ପ୍ରକଳ୍ପର ନିର୍ମାଣ କରୁଛି ଓ ବର୍ତ୍ତମାନ ସୁଦ୍ଧା 560 ବାସଗୃହ ନିର୍ମାଣ କାର୍ଯ୍ୟ ସାରି ବିଡିଏକୁ ହସ୍ତାନ୍ତର କରିବା ନିମନ୍ତେ ପ୍ରକ୍ରିୟା ଚାଲୁ ରହିଛି ।

ପ୍ରଶ୍ନ୯. ରାଜଧାନୀରେ ବିଭିନ୍ନ ପ୍ରକଳ୍ପ ଲାଗି ଆପଣଙ୍କ କମ୍ପାନୀକୁ ରାଜ୍ୟ ସରକାର କେତେ ଜାଗା ଦେଇଛନ୍ତି ? ଏହି ସବୁ ଜାଗା ଆପଣଙ୍କୁ ଆପଣଙ୍କ ବିଜେଡି ସମ୍ପର୍କ ଯୋଗୁଁ ମିଳିଛି ବୋଲି ହେଉଥିବା ଅଭିଯୋଗ ସତ୍ୟ କି ?

ଉତ୍ତର: ରାଜଧାନୀରେ ଆମ କଂପାନି ଯେଉଁସବୁ ଜମି ନେଇଛି ତାକୁ ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ହୋଇଥିବା E-Auction ପ୍ରୋସେସ୍ ରେ ଅଂଶଗ୍ରହଣ କରି ସର୍ବାଧିକ ମୂଲ୍ୟ କୋଟ୍ କରି ନେଇଛୁ । ବିଜେଡି ସହିତ ସଂପର୍କ ଏବଂ ସରକାର ଯୋଗୁଁ ଜାଗା ମିଳିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ।

ପ୍ରଶ୍ନ୧୦. ଆପଣ କେନ୍ଦ୍ରାପଡାରୁ ଲୋକସଭା ସଦସ୍ୟ ଭାବେ ବିଜେଡି ଟିକେଟ ପାଇବା ଲାଗି ଆଶାୟୀ କି ?

ଉତ୍ତର: ନା, ଏଥିରେ କୌଣସି ସତ୍ୟତା ନାହିଁ ।

ପ୍ରଶ୍ନ୧୧. ଆପଣଙ୍କ ବ୍ୟବସାୟ ଓ ବ୍ୟକ୍ତିଗତ ଜୀବନ ଉପରେ ହେଉଥିବା ଆକ୍ରମଣ ପଛରେ କୌଣସି ରାଜନୈତିକ ଅଭିସନ୍ଧି ରହିଛି ବୋଲି ଆପଣ ଭାବୁଛନ୍ତି କି ?

ଉତ୍ତର: ମୋ ପାଖରେ କୌଣସି ସଠିକ୍ ତଥ୍ୟ ନାହିଁ । ତେଣୁ ମୁଁ ସେ ବିଷୟରେ କିଛି କହିବା ଭୁଲ୍ ହେବ ।