ସ୍ମୃତିରେ ମନୋରଞ୍ଜନ ଦାସ , କ୍ଲାନ୍ତ ପ୍ରଜାପତିର ଶେଷଯାତ୍ରା
୧୯୫୮ ମସିହାରେ ଗାଁ ସ୍କୁଲ୍ରୁ ମାଟ୍ରିକ୍ ପାସ୍ କରି ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଆଇ.ଏ ଶ୍ରେଣୀରେ ନାମ ଲେଖାଇବା ପରେ କୌଣସି କାରଣ ନଥାଇ ମୋ ପ୍ରତି ଇର୍ଷାନ୍ୱିତ ହୋଇପଡିଥିବା କେତେକ ସହଧ୍ୟାୟୀ ମତେ ଅପମାନିିତ କରାଇବା ପାଇଁ ବିପ୍ଲବୀ ବକ୍ସି ଜଗବନ୍ଧୁ ନାଟକର ଖଳନାୟକ ଚରଣ ପଟ୍ଟନାୟକ ମୋ ପରିବାରର ଥିଲେ ବୋଲି କହି ବାରମ୍ବାର ଆଘାତ ଦେବାକୁ ଚେଷ୍ଟା କରୁଥିଲେ । ପିଲାଦିନୁ ମଫସଲ ସ୍କୁଲରେ ଏବଂ ମଫସଲି ବାତାବରଣରେ ବଢ଼ି ଉଠିଥିବା ମୁଁ ସେମାନଙ୍କ କଥାର ଦୃଢ଼ ପ୍ରତିବାଦ କରୁଥିଲି ଏବଂ ନିମକହାରାମ୍ ଚରଣ ପଟ୍ଟନାୟକଙ୍କ ସହ ମୋର ବା ମୋ ପରିବାରର କୌଣସି ସମ୍ପର୍କ ନଥିଲା ବୋଲି କହୁଥିଲେ ମଧ୍ୟ ସେମାନେ ସୁଯୋଗ ପାଇଲେ ଅଯଥା ମତେ ଆଘାତ କରିବା ପାଇଁ ଭୁଲୁନଥିଲେ । ସେହି ଦୃଷ୍ଟିରୁ ମୁଁ ଏହି ନାଟକର ଲେଖକ ଶ୍ରୀ ମନୋରଞ୍ଜନ ଦାସଙ୍କ ସହ ସୁଯୋଗ ପାଇଲେ ସାକ୍ଷାତ କରି ତାଙ୍କ ଠାରୁ ପ୍ରକୃତ ତଥ୍ୟ ସଂଗ୍ରହ କରିବି ବୋଲି ନିଷ୍ପତ୍ତି କରିଥିଲି । ମାତ୍ର ପୁରୀ କଲେଜ୍ର ଛାତ୍ର ଥିବା ସମୟରେ ମତେ ସେ ସୁଯୋଗ ମିଳିନଥିଲା ।
ପରବର୍ତ୍ତୀ କାଳରେ ଗବେଷକ ଶ୍ରୀ ନୃସିଂହ ଚରଣ ଜଗଦେବ୍ଙ୍କ ସହ ପରିଚୟ ହେବାରୁ ସେ ସଂଗ୍ରହ କରିଥିବା ଐତିହାସିକ ତଥ୍ୟ ସହ ମତେ ଜଣାଇ ଦେଇଥିଲେ ଯେ ସଂଗ୍ରାମୀ ବକ୍ସି ଜଗବନ୍ଧୁ ଓ ସେ ବିଶ୍ୱାସଘାତକତା କରିଥିବା ଚରଣ ପଟ୍ଟନାୟକଙ୍କ ଗୃହ ଜଟଣୀ ନିକଟବର୍ତ୍ତୀ ରଥିପୁର ଗ୍ରାମରେ ଏବଂ ସେହିଠାରେ ହିଁ ତାଙ୍କୁ ବିଦ୍ରୋହୀମାନେ ହତ୍ୟା କରିଥିଲେ । ଏହି ବିବାଦୀୟ ଚରଣଙ୍କ ସହ ଓଳସିଂହ ଗ୍ରାମର ପଟ୍ଟନାୟକ ପରିବାରର କୌଣସି ସମ୍ପର୍କ ନଥିଲା ।
ଶ୍ରୀ ଜଗଦେବଙ୍କ ଠାରୁ ଏହି ତଥ୍ୟ ପାଇବା ପରେ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ସହ ସାକ୍ଷାତ କରି ଏ ସମସ୍ତ ତଥ୍ୟ ତାଙ୍କୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି କରିଥିଲି ଏବଂ ୧୯୬୧ ମସିହାରେ ରେଭେନ୍ସା କଲେଜ୍ରେ ବି.ଏ ଶ୍ରେଣୀରେ ନାମ ଲେଖାଇବା ପରେ ଶ୍ରୀ ଦାସଙ୍କ ସହ ସାକ୍ଷାତ ହେବାର ସୁଯୋଗ ମତେ ମିଳିଥିଲା । ତାଙ୍କ ସହ ପରିଚିତ ହେବା ପରେ ମୁଁ ଯେତେବେଳେ ଚରଣ ପଟ୍ଟନାୟକଙ୍କ ପ୍ରସଙ୍ଗ ଉଠାଇ ତାଙ୍କ ନିକଟରେ ସମସ୍ତ ଐତିହାସିକ ତଥ୍ୟ ଉପସ୍ଥାପନ କଲି ଶ୍ରୀ ଦାସ ମୋ ମୁହଁକୁ ଚାହିଁ ନାଟକୀୟ ଢ଼ଙ୍ଗରେ ହସି ହସି କହିଲେ- ବକ୍ସି ଜଗବନ୍ଧୁ ଐତିହାସିକ ତଥ୍ୟ ଉପରେ ଆଧାରିତ ଏକ ନାଟକ ଏହା ସମ୍ପୂର୍ଣ୍ଣରୂପେ ଇତିହାସ ନୁହେଁ ଅଥବା ଏହାର ସମସ୍ତ ଚରିତ୍ର ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହନ୍ତି । ତା ଛଡା କୌଣସି ସ୍ଥାନରେ ଏହି ନାଟକରେ ଖଳନାୟକ ଚରଣ ପଟ୍ଟନାୟକଙ୍କ ଗୃହ ଓଳସିଂହରେ ବୋଲି ମଧ୍ୟ ଉଲ୍ଲେଖ କରିନାହିଁ । ତେଣୁ ତୁମକୁ ଆଘାତ ଦେବା ପାଇଁ ଯେଉଁ ବନ୍ଧୁମାନେ ଅଯଥା ପ୍ରୟାସ କରୁଛନ୍ତି ଏହା ସେମାନଙ୍କୁ ସ୍ପଷ୍ଟ ଭାବରେ କହିଦେଇପାର ।
ସେହି ପ୍ରଥମ ଦେଖା ଓ ଆନ୍ତରିକ ଆଳାପ ପରେ ଶ୍ରୀ ଦାସଙ୍କ ପ୍ରତି ମୋ ମନରେ ଗଭୀର ଶ୍ରଦ୍ଧା ଓ ଭକ୍ତି ସୃଷ୍ଟି ହୋଇଥିଲା । ପରବର୍ତ୍ତୀ କାଳରେ ମୁଁ ରେଭେନ୍ସା କଲେଜରେ ବିଏ ଓ ଏମ୍.ଏ ପଢ଼ିବା ସମୟରେ ସହରର ସାହିତ୍ୟ, ସଂସ୍କୃତି ଓ ନାଟ୍ୟ ସଂସ୍ଥାମାନଙ୍କ ସହ କ୍ରମେ ସମ୍ପୃକ୍ତ ହୋଇପଡିବାରୁ ବହୁ ଲେଖକ ଲେଖିକା, ଅଭିନେତା ଓ ଅଭିନେତ୍ରୀମାନଙ୍କ ସହ ମଧ୍ୟ ମୋର ଘନିଷ୍ଠତା ବଢ଼ିଥିଲା । ଏମ୍.ଏ ପଢ଼ିବା ସମୟରେ ଅନ୍ୟତମ ଘନିଷ୍ଠ ବନ୍ଧୁ ନଗେନ୍ଦ୍ର ମୋହନ ମହାନ୍ତିଙ୍କ ସହ ମିଶି ସାହିତ୍ୟ, ସଂସ୍କୃତି ଓ କଳା ସଂକ୍ରାନ୍ତୀୟ ପତ୍ରିକା ‘ଚନ୍ଦ୍ରିକା’ ପ୍ରକାଶ କରିବା ସମୟରେ ସହରର ଅଧିକାଂଶ କଳାକାର, କଳାପ୍ରେମୀ ଓ ନାଟ୍ୟ ଜଗତ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ସହ ମୋର ଘନିଷ୍ଠତା କ୍ରମେ ବଢ଼ିବାକୁ ଲାଗିଥିଲା ।
ନଗେନ୍ର ବଡଭାଇ ତଥା ଇଂରାଜୀ ଅଧ୍ୟାପକ ଏବଂ ବିଶିଷ୍ଟ ସମାଲୋଚକ ଭାବରେ ପରିଚିତ ଯତୀନ୍ଦ୍ର ମୋହନ ମହାନ୍ତି ଥିଲେ ଶ୍ରୀ ମନୋରଞ୍ଜନ ଦାସଙ୍କର ଅତ୍ୟନ୍ତ ଘନିଷ୍ଠ । ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟପ୍ରେମୀମାନଙ୍କ ମଧ୍ୟରେ ସେତେବେଳେ ଘନିଷ୍ଠ ସମ୍ପର୍କ ଥାଏ ଏବଂ ଆକାଶବାଣୀର କଟକ କେନ୍ଦ୍ରରୁ ଓଡିଶାର କଳା ସଂସ୍କୃତିର ପ୍ରାଣବିନ୍ଦୁରୂପେ କାର୍ଯ୍ୟ କରୁଥାଏ । ନାଟ୍ୟକାର ଗୋପାଳ ଛୋଟରାୟ, ଗୀତିକାର ନରସିଂହ ମହାପାତ୍ର, ଅଭିନେତା ନିର୍ଦ୍ଦେଶକ ଗୋବିନ୍ଦ ତେଜ୍, ଅନନ୍ତ ମହାପାତ୍ର, ସାମୁଏଲ୍ ସାହୁ (ବାବି), ପୀର ମିଶ୍ର, ଝରଣା ଦାସ, ଉର୍ବଶୀ ତ୍ରିପାଠି, ଅଭିନେତା ଅକ୍ଷୟ ମହାନ୍ତି, ସଙ୍ଗୀତଜ୍ଞ ବାଳକୃଷ୍ଣ ଦାସ, ଭୁବନେଶ୍ୱର ମିଶ୍ର, ଶ୍ୟାମାମଣି ପଟ୍ଟନାୟକ ପ୍ରମୁଖ ନିଜ ନିଜ କ୍ଷେତ୍ରରେ ପରିଚିତି ସୃଷ୍ଟି କରିଥାନ୍ତି । ଏହିଭଳି ଏକ ସାଂସ୍କୃତିକ ଜାଗରଣ ସମୟରେ କଟକ ଆକାଶବାଣୀ କେନ୍ଦ୍ରରେ କାର୍ଯ୍ୟରତ ଶ୍ରୀ ମନୋରଞ୍ଜନ ଦାସ ପ୍ରଥମେ ପରୀକ୍ଷାମୂଳକ ନାଟକ ଲେଖିବା ଆରମ୍ଭ କରିଥିଲେ ଏବଂ ତାହା ମଧ୍ୟ ମଞ୍ଚସ୍ଥ କରାଇଥିଲେ ।
କଟକ କଲେଜ୍ ଛକ ଓ ଷ୍ଟେସନ୍ର ମଧ୍ୟବର୍ତ୍ତୀ ସ୍ଥଳରେ ଅବସ୍ଥିତ ‘ବର୍ଦ୍ଧମାନ୍ କମ୍ପାଉଣ୍ଡ’ରେ ଥିବା ଶ୍ରୀ ଦାସଙ୍କ ବାସଗୃହ ଅନେକ ସମୟରେ ସାହିତ୍ୟ, ସଂସ୍କୃତି ଓ କଳାପ୍ରେମୀମାନଙ୍କର ଆଡ୍ଡାସ୍ଥଳୀରେ ପରିଣତ ହୋଇଥିଲା । ମୁଁ ମଧ୍ୟ ସୁଯୋଗ ପାଇଲେ ସେଥିରେ ଯୋଗ ଦେଉଥିଲି । ସେମାନଙ୍କ ସହ ଆଲୋଚନା କରିବା ଲାଗି ଧ୍ରୁଷ୍ଟତା ନକଲେ ମଧ୍ୟ ସେମାନଙ୍କର ତାତ୍ତ୍ୱିକ ଆଲୋଚନାରୁ ପର୍ଯ୍ୟାପ୍ତ ଆନନ୍ଦ ପାଉଥିଲି ।
ବଙ୍ଗଳା ଓ ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷାର ନାଟ୍ୟକାର, ସାହିତ୍ୟିକ ଓ କଳାକାରମାନେ ଅନେକ ସମୟରେ ଜାତୀୟ ଗଣମାଧ୍ୟମରେ ବହୁ ପରିମାଣରେ ଆଲୋଚିତ ହେଉଥିଲେ ମଧ୍ୟ ଓଡିଶାର ବହୁ ପ୍ରତିଭାବାନ୍ ସାହିତ୍ୟିକ, ଲେଖକ ଓ କଳାକାରମାନଙ୍କ ସମ୍ପର୍କରେ ଜାତୀୟ ସ୍ତରରେ, ବିଶେଷକରି ଇଂରାଜୀ ସମ୍ବାଦପତ୍ରମାନଙ୍କରେ ଆଲୋଚନା ହେଉନଥିବାରୁ ଅଧ୍ୟାପକ ଜତୀନ୍ଦ୍ର ମୋହନ ମହାନ୍ତି ଅନେକ ସମୟରେ କ୍ଷୋଭ ପ୍ରକାଶ କରୁଥିଲେ । ବିଭିନ୍ନ ଭାଷାର ସାହିତ୍ୟକୃତ୍ୱୀ ପାଠ କରିବା ସହ ସେଗୁଡିକର ମୂଲ୍ୟାୟନ କରିବାରେ ସେ ଯଥେଷ୍ଟ ସମୟ ବ୍ୟୟ କରୁଥିଲେ । ତେଣୁ ଅନ୍ୟାନ୍ୟ ଭାଷାଭାଷୀମାନଙ୍କ ସହ ସେ ଓଡିଶାର ସାହିତ୍ୟ ଓ ନାଟକ ସ୍ରଷ୍ଟାମାନଙ୍କୁ ଯେତେବେଳେ ତୁଳନା କରନ୍ତି ସେତେବେଳେ ଓଡିଶାର ସ୍ରଷ୍ଟ୍ରାମାନେ ଯଥେଷ୍ଟ ଉପରେ ଥିଲେ ମଧ୍ୟ ଜାତୀୟ ସ୍ତରରେ ଅବହେଳିତ ହୋଇ ରହୁଛନ୍ତି ବୋଲି ସେ ଅନୁଭବ କରୁଥିଲେ ।
ନାଟ୍ୟକାର ଭାବରେ ଶ୍ରୀ ଦାସଙ୍କ କୃତ୍ୱୀଗୁଡିକ ଅନ୍ୟ ଭାଷାର କୃତ୍ୱୀ ଅପେକ୍ଷା ଯଥେଷ୍ଟ ଉଚ୍ଚକୋଟୀର ହେଇଥିଲେ ମଧ୍ୟ ସେ ସମ୍ପର୍କରେ ଆଲୋଚିତ ହେଉନଥିବାରୁ ତାଙ୍କର ବୈପ୍ଲବିକ ସୃଷ୍ଟିଗୁଡିକ ସମ୍ପର୍କରେ କିଛି ଲେଖା ମୁଁ କାର୍ଯ୍ୟରତ ଥିବା ଦିଲ୍ଲୀରୁ ପ୍ରକାଶିତ ଦୈନିକ ଇଂରାଜୀ ସମ୍ବାଦପତ୍ର ପ୍ୟାଟ୍ରିୟଟ୍, ସାପ୍ତାହିକ ଲିଙ୍କ୍ ପ୍ରଭୃତିର ସାହିତ୍ୟ ପୃଷ୍ଠାରେ ପ୍ରକାଶ କରିବା ପାଇଁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ । ତଦନୁଯାୟୀ ଶ୍ରୀ ଦାସଙ୍କ ସୃଷ୍ଟି ସମ୍ପର୍କରେ ଦୁଇଗୋଟି ଲେଖା ଏବଂ ତାଙ୍କର ଏକ ସାକ୍ଷାତକାର ଉପରୋକ୍ତ ଦୈନିକ ଓ ସାପ୍ତାହିକର ସାହିତ୍ୟ ପୃଷ୍ଠାରେ ପ୍ରକାଶ କରାଇଥିଲି ।
ଇତିମଧ୍ୟରେ ଫେବୃୟାରୀ ୧୮ ତାରିଖରେ ରାତି ୧୧ଟା୪୫ ମିନିଟ୍ ସମୟରେ ବିଶିଷ୍ଟ ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ବୟସାଧିକ ସମସ୍ୟାରେ ପଦ୍ମଶ୍ରୀ ମନୋରଞ୍ଜନ ଦୀର୍ଘ ଦିନରୁ ପୀଡିତ ଥିଲେ ।
ପଦ୍ମଶ୍ରୀ ମନୋରଞ୍ଜନ ଦାସ ୧୯୨୩ ମସିହା ମାର୍ଚ୍ଚ ୧୦ ତାରିଖ ଦିନ କଟକ ଜିଲ୍ଲା ବୟାଳିଶମୌଜା ଅର୍ନ୍ତଗତ ଝରକୋଟା ପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରି ହାସଲ କରିଥିବା ମନୋରଞ୍ଜନ ଦାସ ଅଲ୍ ଇଣ୍ଡିଆ ରେଡିଓର ଆଞ୍ଚଳିକ ବାର୍ତ୍ତା ବିଭାଗରେ ସହ ସମ୍ପାଦ, ଅଲ୍ ଇଣ୍ଡିଆ ରେଡିଓରେ ଡ୍ରାମାର ବରିଷ୍ଠ ପ୍ରଯୋଜକ ଭାବେ କାର୍ଯ୍ୟ କରିବା ସହିତ ଓଡିଶା ସାହିତ୍ୟ ଏକାଡେମୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡିଶା ଲଳିତକଳା ଏକାଡେମୀର ସମ୍ପାଦକ ରୂପେ କାର୍ଯ୍ୟ କରିଥିଲେ । ୨୦୦୪ରେ ପଦ୍ମଶ୍ରୀ ସମ୍ମାନ ପାଇଥିବା ସ୍ୱର୍ଗତ ଦାସ ୧୯୪୬ରେ ଓଡିଶା ସାହିତ୍ୟ (ଛୋଟ ନାଟକ), ୧୯୭୧ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅରଣ୍ୟ ଫସଲ), ୧୯୭୮ରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୧ରେ କେନ୍ଦ୍ର ସାହିତ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୯ରେ ସାରଳା ସମ୍ମାନ (ନନ୍ଦିକାକେଶରୀ), ୧୯୯୨ରେ ରାଜ୍ୟପାଳଙ୍କ ସମ୍ମାନ ପାଇବା ସହିତ ୧୯୮୩ରେ ସଂସ୍କୃତି ବିଭାଗର ଫେଲୋସିପ୍ ପାଇଥିଲେ ।
ମନୋରଞ୍ଜନ ଓଡିଆ ନବନାଟ୍ୟ ଆନ୍ଦୋଳନର ପୁରୋଧା ଥିଲେ ଏବଂ ବହୁ ପରୀକ୍ଷାମୂଳକ ନାଟକ ଲେଖି ଓଡିଆ ନାଟ୍ୟସାହିତ୍ୟକୁ ବହୁ ଭାବରେ ସମୃଦ୍ଧ କରିଥିଲେ । ସେ ଲେଖିଥିବା ‘ଯୌବନ’, ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’, ‘ଅଗଷ୍ଟ ନଅ’, ‘ବକ୍ସି ଜଗବନ୍ଧୁ’, ଆଦି ନାଟକ ମଞ୍ଚରେ ପ୍ରଦର୍ଶିତ ହୋଇ ଯେପରି ସଫଳତା ପାଇଥିଲା, ‘ଆଗାମୀ’, ‘ବନହଂସୀ’, ‘ଅରଣ୍ୟ ଫସଲ’, ‘ଅମୃତସ୍ୟ ପୂତ୍ରଃ’, ‘କାଠଘୋଡା’, ‘କ୍ଲାନ୍ତ ପ୍ରଜାପତି’ ଓ ‘ବିତର୍କିତ ନାଟକ’ ଆଦି ପରୀକ୍ଷାମୂଳକ ନାଟକ ଭାବେ ପ୍ରସିଦ୍ଧିଲାଭ କରିଥିଲା । କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓଡିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଅତିବଡି ଜଗନ୍ନାଥ ଦାସ ପୁରସ୍କାର ଓ ଶାରଳା ପୁରସ୍କାର ଆଦି ତାଙ୍କ ନାଟ୍ୟ ପ୍ରତିଭାର ଆଉ କେତୋଟି ପ୍ରଧାନ ସ୍ୱୀକୃତି । ତାଙ୍କ ଆତ୍ମ ଜୀବନୀ ‘ସ୍ମୃତି ସଂଳାପ’ କେବଳ ଓଡିଶାରେ ନୁହେଁ, ଇଂରେଜି ଓ ଅନ୍ୟ ଭାରତୀୟ ଭାଷାକୁ ଅନୁଦିତ ହୋଇ ବିଶେଷ ଆଦର ଲାଭ କରିଛି । କଟକ ଆକାଶବାଣୀର ପ୍ରଡ୍ୟୁସର୍ ଏମିରିଟସ ଭାବେ ଓଡିଆ ବେତାର ନାଟକକୁ ସେ ଏକ ନୂଆ ଦିଗ ଦେଇଥିଲେ ।
ଶ୍ରୀ ଦାସ ତାଙ୍କର ସାମଗ୍ରିକ ଅମରକୃତି ପାଇଁ ଓଡିଶାବାସୀଙ୍କ ନିକଟରେ ଚିରସ୍ମରଣୀୟ ହୋଇ ରହିବେ । ଜୀବନ ବ୍ୟାପୀ ସାହିତ୍ୟସୃଷ୍ଟିରେ ନିଜକୁ ଉତ୍ସର୍ଗ କରୁଥିବା ଶ୍ରୀ ଦାସଙ୍କ ପରିପକ୍ୱ ବୟସରେ ମୃତ୍ୟୁ ସମ୍ବାଦ ମତେ ଦାରୁଣ ଆଘାତ ଦେଇଥିଲା କାରଣ ଆରମ୍ଭରୁ ହିଁ ସେ ମତେ ଛୋଟ ଭାଇ ଭଳି ସ୍ନେହ ଶ୍ରଦ୍ଧା କରି ଆସୁଥିଲେ । ତାଙ୍କ ମୃତ୍ୟୁ ସମ୍ବାଦ ପାଇ ମନେ ହେଲା କ୍ଲାନ୍ତ ପ୍ରଜାପତି ଯେମିତି ଶେଷ ଯାତ୍ରାରେ ଚାଲିଯାଇଛି ।