ମୋଦୀ ବିରୋଧ ଯୋଗୁଁ ରାହୁଲ ଗାନ୍ଧୀଙ୍କୁ ଜେଲ ଓ ସାଂସଦ ପଦ ରଦ୍ଦ !!!
ଲୋକଙ୍କ ଦ୍ଵାରା ନିର୍ବାଚିତ ଦେଶର ସବୁଠୁ ଲୋକପ୍ରିୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଯାଇଛି କାରଣ ତାଙ୍କୁ ଗୁଜରଟର ଏକ ଅଦାଲତ ଏକ ମାନହାନୀ ମାମଲାରେ ଦୁଇ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି । ଭାରତର ଗଣତନ୍ତ୍ର ଯେ ସମୂର୍ଣ୍ଣ ଭାବରେ ଧ୍ଵସ୍ତ ହୋଇସାରିଛି, ଏହା ତାର ସବୁଠୁ ବଡ ଉଦାହରଣ ।
ଆମ ଦେଶରେ ଦୁଇ ପ୍ରକାର ଆଇନ ଅଛି କି ? ଆଉ ଟିକେ ସ୍ପଷ୍ଟ କରି ପଚାରିଲେ, ଆମ ଦେଶର ଆଇନର ଦୁଇଟି ମୁହଁ ଅଛି କି ? ସମାନ ଦୋଷ ଲାଗି ଜଣେ ବ୍ୟକ୍ତିକୁ ଏ ଦେଶର ଅଦାଲତ ନିର୍ଦ୍ଦୋଷ କହୁଥିବା ବେଳେ ଆଉ ଜଣେ ଲୋକକୁ ସେଥିପାଇଁ ସର୍ବାଧିକ ଦଣ୍ଡିତ କରୁଛି କେମିତି ? ଶାସକ ଦଳର ମନ୍ତ୍ରୀମାନେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଖୋଲାଖୋଲି “ଗୋଲି ମାରୋ” ବୋଲି ଆହ୍ଵାନ କଲେ । ଅଦାଲତରେ ସେମାନଙ୍କ ବିରୋଧରେ ମାମଲା ହେଲା । ଅଦାଲତ କହିଲେ ମନ୍ତ୍ରୀମାନଙ୍କର ବାକ ସ୍ଵାଧୀନତା ଅଛି । ଅଦାଲତ ଆଉ ପାଦେ ଆଗକୁ ଯାଇ କହିଲେ ମନ୍ତ୍ରୀ ଯାହା କହିବେ ତାକୁ ସରକାରର ମତ ବୋଲି କୁହାଯାଇପାରିବ ନାହିଁ । ସେମିତି ପ୍ରାୟ ସମାନ ଏକ ମାମଲାରେ ଗୁଜରାଟର ଏକ ଅଦାଲତ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲଦଣ୍ଡ ଦେଇଛନ୍ତି । ଯେଉଁ ସମୟରେ ଏବଂ ଯେଉଁ ଢଙ୍ଗରେ ସୁରଟ ଜିଲା ଜଜ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି, ତାହା ଅତ୍ୟନ୍ତ ଉଦବେଗର ବିଷୟ ।
ଏବେ ବିଚାର କରାଯାଉ କାହିଁକି ରାହୁଲ ଗାନ୍ଧୀ ଦୋଷୀ –
- ଏପ୍ରିଲ ୨୦୧୯ରେ କର୍ଣ୍ଣାଟକର ଏକ ସାଧାରଣ ସଭାରେ ରାହୁଲ ଗାନ୍ଧୀ ଭାଷଣ ଦେଇ କହିଲେ ଯେ ନୀରବ ମୋଦୀ, ଲଲିତ ମୋଦୀ......ଏମିତି ମୋଦୀ ସାଙ୍ଗିଆ ଥିବା ଲୋକ ସବୁ ଚୋରା କାହିଁକି ?
- ଏହି ଭାଷଣରେ ଗୁଜରାଟରା ଜଣେବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ କହିଲା, ଏହା ତାଙ୍କର ମାନହାନୀ ଘଟାଇଛି । ତେଣୁ ରାହୁଲଗାନ୍ଧୀଙ୍କୁ ଦଣ୍ଡିତ କରାଯାଉ ।
- ଘଟଣା ଘଟିଲା କର୍ଣ୍ଣାଟକରେ । ଯିଏ କହିଲେ ତାଙ୍କ ଘର ଦିଲ୍ଲୀରେ । ସେ ଭାଷଣ ଦେଲେ ହିନ୍ଦୀରେ । ଯେଉଁମାନଙ୍କ ନାମ ରାହୁଲ ନେଇଥିଲେ ସେମାନେ ଭାରତ ସରକାରଙ୍କ ଦ୍ଵାରା ଘୋଷିତ ହୋଇଥିବା ଅର୍ଥନୈତିକ ଅପରାଧୀ ବା ଚୋର । ଚୋରଙ୍କୁ ଚୋର ବୋଲି କହିବା ଯୋଗୁଁ ବିଜେପିର ଜଣେ ବିଧାୟକଙ୍କର ମାନହାନୀ ଘଟିଲା ବୋଲି ବିଜ୍ଞ ବିଚାରପତି ବୁଝିଗଲେ ଓ ରାହୁଲ ଗାନ୍ଧୀଙ୍କୁ ଜେଲ ପଠାଇଲେ ।
- ଆଇପିସିର ଧାରା ୪୯୯ ଏବଂ ୫୦୦ ଅନୁଯାୟୀ ରାହୁଲ ଗାନ୍ଧୀଙ୍କୁ ସର୍ବାଧିକ ୨ ବର୍ଷ ଜେଲ ଦଣ୍ଡ ଦିଆଗଲା । ଏହି ସର୍ବାଧିକ ଜେଲଦଣ୍ଡ ଘୋଷଣା କରିବା ପଛରେ ବିଚାରପତିଙ୍କ ଉଦ୍ଦେଶ୍ୟ କଣ ତାହା ବୁଝିବାରେ ଅସୁବିଧା ନାଇଁ । ୨ ବର୍ଷ ଜେଲଦଣ୍ଡ ଘୋଷଣା ପରେ ରାହୁଲଙ୍କ ସଂସଦ ପଦ ଚାଲିଯିବ । ବିଜେପି ବର୍ତ୍ତମାନ ସେଯା ଚାହୁଁଛି ଓ ବିଚାରପତିଙ୍କ ରାୟ ବିଜେପିର ଇଚ୍ଛାକୁ ପୂରଣ କରୁଛି ।
- ମୋଦୀ ସାଙ୍ଗିଆ ଏ ଦେଶର ଲକ୍ଷ ଲକ୍ଷ ଲୋକ ଏବେ ସେମାନଙ୍କ ମାନହାନୀ ହୋଇଛି ବୋଲି ରାହୁଲଙ୍କ ନାଁରେ ମାମଲା କରିବେ ଓ ସେଥିଲାଗି ରାହୁଲଙ୍କୁ ଲକ୍ଷାଧିକ ବର୍ଷ ଏବେ ଜେଲରେ ରଖିବାକୁ ବୋଧେ ଗୋଟେ ନୂଆ ନିୟମ ଆସିବ ।
- ଆଉ ଏ ଦେଶରେ କାହାକୁ ଦୁର୍ନୀତିଗ୍ରସ୍ତ କହିବା ଆଉ ସମ୍ଭବ ନୁହେଁ । କାରଣ ସେ ଲୋକର ଜାତିଭାଇ ସମସ୍ତେ ନିଜର ମାନହାନୀ ହେଉଛି ବୋଲି କହି ଅଭିଯୋଗକାରୀକୁ ଜେଲରେ ପୂରାଇଦେବେ ।
- ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ତାଙ୍କର ଯେ କୌଣସି ଭାଷଣ ପାଇଁ ଯେ କୌଣସି ଜିଲା ଜଜ ମାନହାନେ ମାମଲାରେ ୨ ବର୍ଷ ଦଣ୍ଡ ଘୋଷଣା କରି ତାଙ୍କ ରାଜନୀତିକୁ ଖତମ କରି ଦେଇ ପାରିବେ ।
- ସବୁଠୁ ମଜା କଥା ହେଉଛି, ରାହୁଲ ଗାନ୍ଧୀ ଭାଷଣ ଦେଲେ କର୍ଣ୍ଣାଟକରେ । ମାମଲା ହେଲା ଗୁଜରାଟରେ । ବିଚାରପତି ତାଙ୍କର ୧୬୮ ପୃଷ୍ଠାର ରାୟ ଲେଖିଛନ୍ତି ଗୁଜରାଟୀ ଭାଷାରେ । ରାହୁଲଙ୍କ ବିରୋଧରେ ଆସିଥିବା ରାୟକୁ ବୁଝିବା ପାଇଁ ତାଙ୍କୁ ଜଣେ ଅନୁବାଦକର ଆବଶ୍ୟକତା ପଡିଥିବ । ୧୪୦ କୋଟି ଲୋକଙ୍କର ଏକ ଦେଶରେ ଏ ପ୍ରକାର ମାନହାନୀକୁ ଯଦି ଅପରାଧ ବିବେଚନା କରାଯାଏ ତା ହେଲେ ଏ ଦେଶର କୋଟି କୋଟି ଲୋକ ଜେଲରେ ରହିବା ଦରକାର ।
- ସଂଖ୍ୟାଲଘୁ ବର୍ଗର ସବୁ ଲୋକଙ୍କୁ ସନ୍ତ୍ରାସବାଦୀ ବୋଲି କହୁଥିବା ବିଜେପି ନେତାମାନେ କେବେ ଜେଲ ଯିବେ ?
- ଜେଏନୟୁରେ ପଢୁଥିବା ଓ ପଢାଉଥିବା ସବୁ ଲୋକ ଦେଶଦ୍ରୋହୀ ବୋଲି କହୁଥିବା ଲୋକଙ୍କୁ କେଉଁ ଅଦାଲତ ଜେଲକୁ ପଠାଇବ ?
ରାହୁଲ ଗାନ୍ଧୀଙ୍କୁ ରାଜନୈତିକ ଭାବରେ ଆକ୍ରମଣ କରିବାକୁ ଅଦାଲତକୁ ଯେଉଁ ଭଳି ବ୍ୟବହାର କରାଯାଇଛି, ତାହା ରାହୁଲ ଗାନ୍ଧୀଙ୍କ କଥାକୁ ସତ୍ୟ ପ୍ରମାଣିତ କରିଛି । ସରକାର ବିରୋଧୀଙ୍କୁ ଜେଲ ପଠାଇ ନିଜକୁ ଗଣତନ୍ତ୍ରର ଜନନୀ ବୋଲି କହୁଥିବାର ଛଳନା ଆଜି ପୁଣି ଥରେ ପଦାରେ ପଡିଯାଇଛି ।