କବିତା କ'ଣ : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ -୩

କବିତା କ'ଣ : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ -୩

(ତୃତୀୟ ଭାଗ) 

ତାହାହେଲେ ଆମେ କ'ଣ ବୁଝିବା ? ଆମେ କ'ଣ ଏଇଟା ବୁଝିବା ଯେ,ଏଇ କ୍ଷେତ୍ରରେ ଯେଉଁ ପ୍ରିମାଇସ୍ ଅର୍ଥାତ୍ ଆଶ୍ରୟ ବାକ୍ୟ ବା ହେତୁବାକ୍ୟ ର ସୋପାନ ଚଢି ଆମେ ସିଦ୍ଧାନ୍ତ ଆଡକୁ ଅଗ୍ରସର ହେଉଥିଲୁ ,ତାହାରି ଭିତରେ ଗୋଟିଏ ଭ୍ରାନ୍ତି ରହି ଯାଇଥିଲା, ଏବଂ ସେଇ ଭ୍ରାନ୍ତ ଆଶ୍ରୟବାକ୍ୟ ହିଁ ଗୋଟିଏ ଭ୍ରାନ୍ତ ସିଦ୍ଧାନ୍ତ ଆଡକୁ ଆମକୁ ଠେଲି ଦେଇଛି? କହିବା ବାହୁଲ୍ୟ,ତାହା ହିଁ ଆମକୁ ବୁଝିବାକୁ ହେବ । ଆମକୁ ଧରିନେବାକୁ ହେବ ଯେ,ଶବ୍ଦ ଯଦିଓ କବିତାର ମାଧ୍ୟମ,ଏପରି କି କବିତାର ଅସ୍ତିତ୍ୱ ଯଦିଓ ଶବ୍ଦର ଅସ୍ତିତ୍ୱ ଉପରେ ଏକାନ୍ତ ଭାବରେ ନିର୍ଭରଶୀଳ ,ତଥାପି କବିତା ଆଉ ଶବ୍ଦକୁ ତୁଲ୍ୟମୂଲ୍ୟ ବା ସମାର୍ଥକ ବୋଲି ଗଣ୍ୟ କଲେ ଚଳିବ ନାହିଁ ।

କୌଣସି କାଳରେ ହିଁ କୌଣସି କବି କିମ୍ବା ସମାଲୋଚକ ଯେ ତାହା କରିଛନ୍ତି,ସେକଥା ନୁହଁ । କବିତାର ଆଲୋଚନାରେ ଏଇ ଆଭିମୁଖ୍ୟ ତେବେ ପ୍ରାଧାନ୍ୟ ପାଇଥିଲା କାହିଁକି ଯେ,ପୋଏଟ୍ରି ଇଜ୍ ୱାର୍ଡସ? ପ୍ରାଧାନ୍ୟ ଯେଉଁମାନେ ଦେଇଥିଲେ ,କବିତାକୁ ଯେ ସେମାନେ ମୁଖ୍ୟତଃ ଗୋଟିଏ ଭାଷାଶିଳ୍ପ ବୋଲି ଗଣ୍ୟ କରୁଥିଲେ,ସେଥିରେ ସନ୍ଦେହ ନାହିଁ । ସେଥିରେ ଉଲ୍ଲେଖଯୋଗ୍ୟ କଥା ହେଉଛି ,ନିତାନ୍ତ ଭାଷା-ଶିଳ୍ପ  ନ-ଭାବି,କବିତାକୁ ଯେଉଁମାନେ ବିଶେଷ ଏକ ଧରଣର ଭାଷାର ଶିଳ୍ପ ବୋଲି ମନେକରନ୍ତି ,ପ୍ରତିପତ୍ତି ସେମାନଙ୍କର ବି କିଛି କମ୍ ନଥିଲା । ସେମାନେ ଏପରି ମନେକରନ୍ତି ଯେ,କବିତା ହେଉଛି ଏଇପରି  ସୁକୁମାର ଗୋଟିଏ ଶିଳ୍ପ ,ଯାହା ତାହାର ଉପାଦାନ ହିସାବରେ କେବଳ ସୁକୁମାର ଶବ୍ଦ ହିଁ ଦାବୀ କରିଥାଏ । ସମସ୍ତ ଶବ୍ଦ ହିଁ ଯେ କବିତାରେ ବ୍ୟବହୃତ ହେବାର ଯୋଗ୍ୟ,ଏବଂ ଯୋଗ୍ୟଜନର ହାତରେ ପଡିଲେ ,କୌଣସି ଶବ୍ଦକୁ ହିଁ ଯେ କବିତାର ଭିତରେ ଅନଧୀକାର-ପ୍ରବେଶକାରୀ ଭଳି ଅଧୋବଦନ ହୋଇ ଠିଆ ହେବାକୁ ପଡିବ ନାହିଁ ,ଏହି ଉଦାର ଧାରଣା ସେମାନଙ୍କର ପ୍ରଶ୍ରୟ ପାଇନି ।  "ପୋୟେଟିକ୍ ଡିକସନ୍" ବୋଲି ଯେଉଁ ବ୍ୟାପାର ସହିତ ଆମେମାନେ ସମସ୍ତେ ମୋଟାମୋଟି ପରିଚିତ ,ତାହା ପ୍ରତି ଅଷ୍ଟାଦଶ ଶତାବ୍ଦୀ ଇଂଲଣ୍ଡର ଅତ୍ୟଧିକ ଆସକ୍ତିର କଥା ଆମେମାନେ ଶୁଣିଛେ । ତାହାସହିତ ଜାଣିଛୁ ଯେ,ଶେକସପିଅର୍ ରଚିତ ଗୋଟିଏ ସଂଳାପ କାହିଁକି ପରବର୍ତ୍ତିକାଳର ଜଣେ ବିଖ୍ୟାତ ସମାଲୋଚକଙ୍କର ଅନୁମୋଦନ ଲାଭ କରିବାକୁ ବ୍ୟର୍ଥ ହୋଇଥିଲା । ମାକବେଥ୍ ର ଉକ୍ତିର ଭିତରେ "ନାଇଫ୍" ଶବ୍ଦଟା ସାମୁଏଲ୍ ଜନସନ୍ ଙ୍କର ପସନ୍ଦ ହୋଇନାହିଁ,ବସ୍ତୁତଃ ତାଙ୍କର ମତରେ ,ଏଇ ଗୋଟିଏ ଶବ୍ଦ ରହିଥିବା ଯୋଗୁ ପୁରା ସଂଳାପଟା ଝୁଲି ଯାଇଛି । ଏପରି ମନେ ହେବାର କାରଣ ଆଉ କିଛି ହିଁ ନୁହଁ, "ନାଇଫ୍" ନାମକ ଅସ୍ତ୍ରଟି କଂସେଇ ଆଉ ପାଚକ ମାନେ ବ୍ୟବହାର କରିଥାନ୍ତି ,ଏବଂ -ଡଃ ଜନସନ୍ ଙ୍କ ବିବେଚନାରେ -ଏହି "ଇତରଜନସଂସର୍ଗ"ର ଫଳରେ ତାହାର ଶୁଚିତା ନଷ୍ଟ ହୋଇଛି ସୁତରାଂ କବିତାରେ ତାହାର ଉଲ୍ଲେଖ ନିଷିଦ୍ଧ । ଶେକସପିଅର୍ ଙ୍କ କପାଳ ଭଲ,ଡଃ ଜନସନ୍ ଙ୍କ ପାଲ୍ଳାରେ ତାଙ୍କୁ ପଡିବାକୁ ହୋଇନାହିଁ,ସ୍ୱଦେଶୀୟ ସାହିତ୍ୟର ଶବ୍ଦରୂଚି ଅତ୍ୟଧିକ ସଭ୍ୟଭବ୍ୟ ହୋଇ ଉଠିବାର ଅନେକ ଆଗରୁ ସେ ଧରାଧାମ ପରିତ୍ୟାଗ କରି ପାରିଥିଲେ ।

କାବ୍ୟିକ ଶବ୍ଦର ପ୍ରତି ଏଇ ଯେଉଁ ପକ୍ଷପାତ,ଏଇଟି କିନ୍ତୁ ଏକାନ୍ତ ଭାବରେ ଅଷ୍ଟାଦଶ ଶତାବ୍ଦୀର କଥା ନୁହଁ,କିମ୍ବା ବିଶେଷ ଭାବରେ ଇଂରେଜୀ ସାହିତ୍ୟର ବ୍ୟାପାର ନୁହଁ।  ଆମେ ଲକ୍ଷ୍ୟ କରିପାରିବା ଯେ,ସାଧାରଣ ମଣିଷମାନେ ସେମାନଙ୍କର କଥାବାର୍ତ୍ତାରେ ଯେଉଁ ସବୁ ଶବ୍ଦ ପ୍ରାୟତଃ ବ୍ୟବହାର କରିଥାନ୍ତି,ସେହି ସବୁ ସାଦାସିଧା ଦୈନନ୍ଦିନ ଶବ୍ଦ ଗୁଡିକ ସେଥିରେ ବିଶେଷ ପ୍ରଶ୍ରୟ ପାଏନା,ଏବଂ ସାଧାରଣ ମଣିଷମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ନାନା ସାଂସାରିକ ଜିନିଷପତ୍ର ର ସଂପର୍କରେ ବି ସେଇ କବିତା ବଡ ବିସ୍ମୟକର ଭାବରେ ନିରବ ରହିଛି ।

ଅଷ୍ଟାଦଶ ଶତକର ଇଂରେଜ କବି ଟମାସ୍ ଗ୍ରେ କହିଛନ୍ତି, କବିତା କେତେବେଳେ ବି ତାହାର ସମକାଳର ଭାଷାରେ ରଚିତ ହୁଏ ନା। ଏଇଠି ଲକ୍ଷ୍ୟଣୀୟ କଥା ହେଉଛି ,ଇଂରେଜୀ ସାହିତ୍ୟର ହଠାତ୍ -ଭବ୍ୟ -ହୋଇ ଉଠିବା  ପରିବେଶ ର ମଧ୍ୟରେ ସାମୁଏଲ୍ ଜନସନ୍ ଯେତେବେଳେ "ଅକାବ୍ୟିକ" ଶବ୍ଦର ଦିଗରେ ତାଙ୍କର ନିଷେଧର ତର୍ଜନୀଟି ତୋଳି ଧରିଛନ୍ତି,ଟମାସ୍ ଗ୍ରେ ଯେତେବେଳେ ସମକାଳୀନ ଭାଷାରୁ କବିତାର ଭାଷାକୁ ଏକେବାରେକେ ଆଲଗା କରି ଚିହ୍ନିତ କରିଦେଇଛନ୍ତି ,ଏବଂ ଅଲିଭର୍ ଗୋଲଡସ୍ମିଥ୍ ଯେତେବେଳେ ତାଙ୍କର ଏଇ ପ୍ରତ୍ୟୟକୁ ପ୍ରତିଷ୍ଠା ଦେବାର ପ୍ରଚେଷ୍ଟାରେ ଥିଲେ ଯେ,ସବୁ ଶବ୍ଦ ନୁହଁ ,ପ୍ରତିଟି ଭାଷାରେ ହିଁ ଅସଲରେ କବିତାରେ ବ୍ୟବହାର ହେବାର ଯୋଗ୍ୟ ଅଲଗା ଏପରି କିଛି ଶବ୍ଦ ରହିଛି ,ଯାହା ଆମର କଳ୍ପନାକୁ ଦୀପିତ କରେ ଓ କର୍ଣ୍ଣକୁ ଆରାମ ଦିଏ ,ସେତେବେଳେ ଅନ୍ୟଦିଗରେ  ଧୀରେ ଧୀରେ ତିଆରି ହେଉଥିଲା ବିଦ୍ରୋହର ପଟଭୂମୀ । ଆମେମାନେ ଜାଣୁ ଯେ,ଏହାର କିଛିଦିନ ପରେ ହିଁ ଆବିର୍ଭାବ ଘଟିବ ୱାର୍ଡସୱାର୍ଥ ଙ୍କର । ଜାଣିଛୁ ଯେ,ପୋଷାକୀ ଶବ୍ଦକୁ ନିର୍ବାସନରେ ପଠାଇବାର ଆହ୍ୱାନ ଜଣାଇବେ ସେ। କହିବେ ସେ,କେବଳ ସେଇ ଭାଷାରେ କବିତା ଲେଖା ଉଚିତ,ଯାହା କିନା ମଣିଷର ନିତ୍ୟବ୍ୟବହାର୍ଯ୍ୟ ମୁହଁର ଭାଷା ।

କହିବା ବାହୁଲ୍ୟ,ଝୁଙ୍କ୍ ଟି ଏ କ୍ଷେତ୍ରରେ ବିପରୀତ ବିନ୍ଦୁରେ ରହୁଛି ସତ,କିନ୍ତୁ ଏଇଟି ହିଁ ଅସଲରେ ଚରମ ପନ୍ଥା,ଗୋଟିଏ ଧରଣର ଶବ୍ଦକୁ ଯାହାକୁ ସମୂହ ଗ୍ରହଣ କରିବାକୁ କହୁଚି ଓ ଅନ୍ୟ ଧରଣର ଶବ୍ଦ ଯାହାକୁ ସମୂହ ବର୍ଜନ କରିବାକୁ ଶିଖାଏ । ବୁଝିବାକୁ ଚାହୁଁ ନାହିଁ ଯେ,କବିତାର ଉପାଦାନ ହିସାବରେ ସମସ୍ତ ଶବ୍ଦ ହିଁ ଗ୍ରାହ୍ୟ,କିନ୍ତୁ ନିର୍ବିଚାରରେ କୌଣସି ଶବ୍ଦ   ଇ ଗ୍ରାହ୍ୟ ନୁହଁ । ଅସଲରେ ,ଯେ କୌଣସି କବିତାର ମଧ୍ୟରେ କୌଣସି ଶବ୍ଦ କୁ ଅନଧୀକାର-ପ୍ରବେଶକାରୀ ବୋଲି ମନେ ହେବ କି ନାହିଁ,ସେଇଟି ଏକେବାରେ ସର୍ବତୋଭାବେ ହିଁ ନିର୍ଭର କରୁଛି ଶବ୍ଦଗୁଡିକୁ ଯିଏ ବ୍ୟବହାର କରୁଛନ୍ତି ,ତାଙ୍କର ନିଜ ଯୋଗ୍ୟତାର ଉପରେ । ବସ୍ତୁତଃ,କୌଣସି କବିତାର ମଧ୍ୟରେ କୌଣସି ଶବ୍ଦ କିମ୍ବା ଶବ୍ଦଗୁଚ୍ଛ ଯେତେବେଳେ ଅସହଜ,ଅପ୍ରତିଭ ଓ ଅଧୋବଦନରେ ଠିଆ ହୋଇଥାଏ ,ଏବଂ କବିତାକୁ ତାହାର ଲକ୍ଷ୍ୟ ରେ ପହଞ୍ଚାଇବା ବ୍ୟାପାରରେ ଟିକିଏମାତ୍ର ସାହାଯ୍ୟ କରେ ନା,ସେତେବେଳେ ଏଇଟି ହିଁ ଆମକୁ ବୁଝିବାକୁ ହେବ ଯେ,ଶବ୍ଦ-ନିର୍ବାଚନ - ଅନ୍ତତଃ ସେହି କବିତାଟିକୁ ନିର୍ମାଣ କରିବା ସମୟରେ - ତାହା ଯଥେଷ୍ଟ ଯୋଗ୍ୟତା ଦେଖାଇ ପାରିନାହିଁ ।

ସାଧାରଣ-ଶବ୍ଦ -ସଂବଳିତ କଥ୍ୟ ଭାଷାରେ କବିତା ଲେଖିବେ,ୱାର୍ଡସୱାର୍ଥଙ୍କ ଏଇ ଭଳି ପ୍ରତିଜ୍ଞାରେ ତାଙ୍କର ସମସାମୟିକ ଅନ୍ୟ ଏକ କବିର ,କଲରିଜ୍ ଙ୍କର ,ଟିକିଏ ବୋଲି ସମର୍ଥନ ନଥିଲା । ତାହାର କାରଣ," କାବ୍ୟିକ ଶବ୍ଦସୁଷମା" ର ପ୍ରତି ତାଙ୍କର ଆସ୍ଥା ଥିଲା ଅପରିସୀମ। ନିଜର ପ୍ରତ୍ୟୟ ସପକ୍ଷରେ ସେଦିନ ସେ ଅତିଶୟ ଜୋରଦାର୍ ତର୍କ ଚଳାଇଥିଲେ । ପରବର୍ତ୍ତି କାଳର ସାହିତ୍ୟ ଆଲୋଚନାର ଉପରେ ସେହି ତର୍କ ବିତର୍କର ଛାୟା ଯେତେବେଳେ ବାରେ ବାରେ ସଂଚାରିତ ହେଉଥିଲା,ସେତେବେଳେ, ତାଙ୍କ ମଧ୍ୟରୁ ସାର୍ ୱାଲଟର୍ ରାଲେଙ୍କ ମୁହଁରୁ ଆମେ ଏମିତି ଗୋଟିଏ କଥା ଶୁଣିବାକୁ ପାଇଲୁ ,ଯାହା କିନା ଗୋଟିଏ ମୀମାଂସା-ସୂତ୍ରର ଆଭାସ ଆଣି ଦିଏ। କବିତାର ଆଲୋଚନାରେ ଶବ୍ଦର ଗୁରୁତ୍ୱ ଯେ ଅପରିସୀମ,ତାହା ସେ ଅସ୍ୱୀକାର କରିନାହାଁନ୍ତି ,କିନ୍ତୁ ତାହା ସହିତ ଏକଥା ମଧ୍ୟ କହିଛନ୍ତି ଯେ,ୱାର୍ଡ -ଅର୍ଡର ବା ଶବ୍ଦ-ବିନ୍ୟାସର ଗୁରୁତ୍ୱ ବି କିଛି କମ୍ ନୁହଁ ।

ସମ୍ଭବତଃ ଆହୁରି ବେଶି । ରାଲେ ଅବଶ୍ୟ ତାଙ୍କର ସ୍ୱଦେଶୀୟ କବିତାର ଶବ୍ଦବିନ୍ୟାସର କଥା ଭାବୁଥିଲେ । କିନ୍ତୁ କେବଳ ଇଂରେଜୀ କବିତା ନୁହଁ ,ସମସ୍ତ ଭାଷାର କବିତା ସଂପର୍କରେ ହିଁ ଏଇ କଥା ପ୍ରଯୁଜ୍ୟ । ଶବ୍ଦର ସୁଷ୍ଠ ବିନ୍ୟାସ ଅସଲରେ କବିତା ମାତ୍ରକେ ହିଁ  ସେଇ ସାମର୍ଥ୍ୟ ଯୋଗାଏ ,ଯାହା ରହିଥାଏ ବୋଲି ଗୋଟିଏ କବିତା,କିମ୍ବା ତାହାର ଗୋଟିଏ ଅଂଶ ,ସବୁଠାରୁ ଜୋର୍ ରେ ଆମମାନଙ୍କର ଚିତ୍ତରେ ଆଘାତ କରିଥାଏ । ଛନ୍ଦର ଦିଗରୁ ଯେଉଁ ପଂକ୍ତିଟିକୁ ବିଚାର କରି ଦେଖାଇଛନ୍ତି ରବୀନ୍ଦ୍ରନାଥ,ଏବଂ କହିଛନ୍ତି ଯେ,"ଛନ୍ଦର ଝଂକାର ଭିତରେ ଦୋଳାୟିତ କରିପାରିବା ଭଳି କାରଣରୁ ଏଇ ପଂକ୍ତିଟି ଏପରି ଗୋଟିଏ ସ୍ପନ୍ଦନ ସୃଷ୍ଟି କରିବାକୁ ସମର୍ଥ ଯାହା କୌଣସି ଦିନ ଶାନ୍ତ ହେବନାହିଁ  ସେଇ "କେବା ଶୁଣାଇଲା ଶ୍ୟାମନାମ" କୁ ଆଉ କେତେ ଭାବରେ ଆମେ ସଜାଇ ନେଇ ପାରିବା ,ତଳେ ସେଇକଥା ଦେଖା ହୋଇଛି :

(କ) ଶୁଣାଇଲା କେବା ଶ୍ୟାମନାମ
(ଖ) ଶ୍ୟାମନାମ କେବା ଶୁଣାଇଲା
(ଗ)କେବା ଶ୍ୟାମନାମ ଶୁଣାଇଲା
(ଘ)ଶ୍ୟାମନାମ ଶୁଣାଇଲା କେବା
(ଙ)ଶୁଣାଇଲା ଶ୍ୟାମନାମ କେବା

କହିବା ବାହୁଲ୍ୟ,ମୂଳପଂକ୍ତିଟିକୁ ପୁନର୍ବିନ୍ୟସ୍ତ କରି ଏଇ ଭାବରେ ସଜାଇ ନେଲେ ତାହାର ଅର୍ଥ ଏକା ହିଁ ରହିଥାଏ ,ଏବଂ ଛନ୍ଦର ଯାହା ମୂଳ ଗଢଣ, ତାହାର କୌଣସି ହାନୀ ହୁଏ  ନାହିଁ । କିନ୍ତୁ ନବତର ଏଇ ବିନ୍ୟାସ ଗୁଡିକ ଠିକ୍ ସେତେଟା ଦୃଢତା ପାଏ ନାହିଁ , ପଂକ୍ତିଟିର ମୂଳ ବିନ୍ୟାସରେ ଭିତରେ ଯେଉଁ ଦୃଢତା ଟିକୁ ଆମେ ଲକ୍ଷ୍ୟ କରିଥାଉ । ମୂଳ ବିନ୍ୟାସକୁ ସେଇଥିପାଇଁ "ଧ୍ରୁବ ବିନ୍ୟାସ" ବୋଲି କୁହାଯାଏ। ଧ୍ରୁବ ଏଇ ଅର୍ଥରେ ଯେ,ତାହାର ଆଉ କୌଣସି ଅର୍ଥରେ ଏପଟ ସେପଟ ହେବାର ଉପାୟ ନାହିଁ ।

(ବାକି ଆସନ୍ତା କାଲି) 

କବିତା କ'ଣ : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ -୨

କବିତା କ'ଣ : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ -୧