ଓଡିଶା ସାହିତ୍ୟ ଏକାଡେମୀର କାଙ୍ଗାଳ ମାନସିକତା ଓ ଅଭାବୀ ସୌଜନ୍ୟ

ଓଡିଶା ସାହିତ୍ୟ ଏକାଡେମୀର କାଙ୍ଗାଳ ମାନସିକତା ଓ ଅଭାବୀ  ସୌଜନ୍ୟ

ଗତ ଦୁଇ ମାସରେ ଓଡିଶା ସାହିତ୍ୟ ଏକାଡେମୀ  (ଓସାଏ) ଦୁଇଟି ଦିନିକିଆ ରାଜ୍ୟସ୍ତରୀୟ ଯୁବଲେଖକ ସମାବେଶ, ୧୧ ଏପ୍ରିଲରେ ୮୦ରୁ ଅଧିକ ଯୁବକବି ଓ ୨୪ ମେ ରେ  ୮୫ରୁ ଅଧିକ ଯୁବ ଗାଳ୍ପିକଙ୍କୁ ନେଇ, ଆୟୋଜନ କରିଥିବାରୁ ମୁଁ ଏହାର କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ ଓ ସଚିବ, ସାହିତ୍ୟ ଏକାଡେମୀ ଯୁବପୁରସ୍କାର ପ୍ରାପ୍ତ ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା ଏବଂ ଅନ୍ୟ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ଦୁଇ ବିଶାଳ ସମାବେଶରେ ଭାଗନେଇ ଏହାକୁ ସଫଳ କରିଥିବା ଯୁବପ୍ରତିଭାମାନଙ୍କୁ ମଧ୍ୟ ଧନ୍ୟବାଦ।

ବହୁବର୍ଷ ତଳେ ୨୦୦୭-୮ରୁ ୩ ବର୍ଷ ପାଇଁ ମୁଁ ଓସାଏର ସଦସ୍ୟ ଭାବେ ଏମିତି ବହୁ କାର୍ଯ୍ୟକ୍ରମ ସହିତ ଜଡିତ ଥିଲି ଓ ଏହାର ଆୟୋଜନରେ ପ୍ରତ୍ୟକ୍ଷ୍ୟ/ପରୋକ୍ଷ ଭାବେ ସମସାମୟିକ ସାହିତ୍ୟିକ ମାନଙ୍କ ସହ ସାମିଲ ଥିଲି।  ଏତେ ସଂଖ୍ୟକ ଲେଖକ ଙ୍କୁ ନେଇ ପରିକଳ୍ପିତ ଦିନିକିଆ ସମାବେଶରେ ଯୋଗ ଦେଇନଥିଲେ ମଧ୍ୟ, କିଛି ନିମନ୍ତ୍ରିତ ଲେଖକମାନଙ୍କ ସହ ଅତିଥି ରୂପେ ଓଡ଼ିଶାର ବିଭିନ୍ନ ଜାଗାରେ ଓସାଏ ତରଫରୁ ଆୟୋଜିତ ସଭାରେ ମଧ୍ୟ ଯୋଗଦେଇଛି।

କିନ୍ତୁ ଏହି ଦୁଇଟି ସମାବେଶ, ଗତ କିଛି ବର୍ଷ ଧରି ଶଯ୍ୟାଶାୟୀ ଥିବା ଓସାଏ, ଯିଏ ପ୍ରାୟତଃ ଦିବଂଗତଙ୍କ ଶ୍ରାଦ୍ଧସଭା ଆୟୋଜନ କରୁଥିଲେ, ସେଥିରୁ ତାଙ୍କୁ ସାମୟିକ ମୁକ୍ତି ଦେଇଛି। ପୁଣିଥରେ ନିଜର ଉପସ୍ଥିତି ଜାହିର କରିବା ପ୍ରୟାସରେ ଏ ସରକାରୀ ସଂସ୍ଥା ବିଭିନ୍ନ ସାହିତ୍ୟିକ ମାନଙ୍କ ସହ ସଂପୃକ୍ତ ହୋଇ ନୂଆ ଯୋଜନା ହାତକୁ ନେଉଛନ୍ତି । ଏହାକୁ ସ୍ୱାଗତ। ଏ ସଭାର ଉନ୍ମୋଚନରେ ରାଜନେତାମାନଙ୍କୁ ସାମିଲ/ଖୁସି ନକରି କେବଳ ବିଭାଗୀୟ ମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ରରେ ଅତିଥି ସ୍ଥାନଦେବା ମଧ୍ୟ ଓସାଏର ଏକ ଭଲ ଉଦ୍ୟମ। ସେଥିପାଇଁ ସଚିବଙ୍କୁ ବିଶେଷ ଶୁଭେଚ୍ଛା।

ଓସାଏକୁ ମୋର ପ୍ରଶ୍ନ,

୧) ଏହି ଦୁଇଟି ସମାବେଶରେ ଯୋଗ ଦେଇଥିବା ଯୁବ ପ୍ରତିଭାମାନଙ୍କୁ କୌଣସି ପାରିତୋଷିକ ଦିଆଯାଇ ନାହିଁ କାହିଁକି? ନବ ନିର୍ବାଚିତ ସଭ୍ୟବୃନ୍ଦ ଓ ସଚିବ କଣ ଏପରି ଅଭିନବ ସମାବେଶ ଆୟୋଜନକୁ ମୋହର ଦେଇଛନ୍ତି?

                   ୟା ପୂର୍ବରୁ ଓସାଏର ସମସ୍ତ କାର୍ଯ୍ୟକ୍ରମରେ ଲେଖକମାନଙ୍କୁ/ଅତିଥି କବି, ଗାଳ୍ପିକ ଓ ବକ୍ତାମାନଙ୍କୁ ଅନୁଷ୍ଠାନର ଅନୁମୋଦିତ ପାରିତୋଷିକ ମିଳୁଥିଲା ଓ ମଞ୍ଚରେ ସମ୍ବର୍ଦ୍ଧିତ ମଧ୍ୟ କରାଯାଉଥିଲା। ପ୍ରତିଟି ସଂପାନର କାର୍ଯ୍ୟସୂଚୀରେ କବି, ଲେଖକ ଓ ସଭାମୁଖ୍ୟଙ୍କ ନାମ ଉଲ୍ଲେଖ ରହୁଥିଲା।  ଆଞ୍ଚଳିକ ସଂଗଠନମାନଙ୍କ ସହିତ ଓସାଏର ସହଭାଗୀତାରେ ମଧ୍ୟ ଏହି ପ୍ରକ୍ରିୟାର ଦୃଷ୍ଟାନ୍ତ ଅଛି। ହେଲେ ଏହି ଦୁଇଟି ସଭାରେ ଅଯତ୍ନର ସହିତ ସେମିତି କିଛି କାର୍ଯ୍ୟସୂଚୀ ରଖାଯାଇ ନଥିଲା।

୨) ସମାବେଶରେ ନିମନ୍ତ୍ରିତ ଲେଖକ/ଲେଖିକାମାନଙ୍ ପାଇଁ ଗସ୍ତ ଖର୍ଚ୍ଚ ବା ରହଣୀ ବ୍ୟବସ୍ଥା ନାହିଁ କାହିଁକି ?

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସେମାନେ ନିଜ ହାତରୁ ଗାଡିଭଡା ଓ ହୋଟେଲ ରହଣୀ ଖର୍ଚ୍ଚ ଦେଇ ଭୁବନେଶ୍ୱର ରେ ସରକାରୀ ମାନପତ୍ର/ଉତ୍ତରୀୟ ପାଇବା ଏକାଡେମୀ ସୌଜନ୍ୟର ଅଭାବର ପରିଚୟ ନୁହେଁ କି?

                    ପୂର୍ବରୁ ନିମନ୍ତ୍ରିତ ଲେଖକମାନଙ୍କ ପାଇଁ ଓସାଏ ତରଫରୁ ବିଧିବଦ୍ଧ ଭାବେ ଅନୁମୋଦିତ ଗସ୍ତ ଖର୍ଚ୍ଚ ସହିତ ହୋଟେଲ ଅବା ପାନ୍ଥନିବାସରେ ରହିବା, ଖାଇବାର ବନ୍ଦୋବସ୍ତ ହେଉଥିଲା। ଏମିତିକି ସ୍ଥାନୀୟ/ଭୁବନେଶ୍ୱର ଅତିଥି ମାନଙ୍କ ପାଇଁ ମଧ୍ୟ ଅନୁମୋଦିତ TA  ରହିଥିଲା। ଏହା ବାଦ ଅନ୍ୟ ରାଜ୍ୟ ସହିତ ଓସାଏର ବିଭିନ୍ନ ଭାବ ଓ ଭାଷାର ଆଦାନପ୍ରଦାନ କାର୍ଯ୍ୟକ୍ରମରେ ଲେଖକମାନଙ୍କୁ ବାହାର ରାଜ୍ୟ ପାଇଁ ବିମାନ/ରେଳ ଭଡା ଓ ରହଣୀ ସୁବିଧା ପ୍ରଦାନ କରାଯାଉଥିଲା।

ଓସାଏ ନିଜର ଭୁଲିଯାଇଥିବା ସୌଜନ୍ୟ ଓ ଅଭ୍ୟାସ ଫେରି ପାଇବା ପାଇଁ ସାହିତ୍ୟ ଅକାଦମୀ (କେନ୍ଦ୍ର)ର ଦୃଷ୍ଟାନ୍ତ ନେଇପାରନ୍ତି । ଏହାର ସୁଯୋଗ ପ୍ରାୟତଃ ସାହିତ୍ୟ ସହିତ ଜଡିତ ଓସାଏର କର୍ମକର୍ତ୍ତାମାନେ ନେଇଥିବାର ମନେଥିବ। Sahitya Akademi (କେନ୍ଦ୍ର ସାହିତ୍ୟ ଅକାଦେମୀ) କେବେବି ଲେଖକମାନଙ୍କୁ ମର୍ଯ୍ୟାଦାଦେବାରେ କୁଣ୍ଠା କରିନାହାନ୍ତି, ଏମିତିକି ବିମାନ/ରେଳ ଭଡା ସହ ଘରୁ ଷ୍ଟେଶନ/airport ପୁଣି ହୋଟେଲ ପହଂଚିବା ର ଅଟୋଭଡା ପର୍ଯ୍ୟନ୍ତ ହିସାବ ରଖି ଏହାକୁ ପୈଠ କରନ୍ତି। ୟା ପରେ ତାଙ୍କ ପତ୍ରିକାରେ ମୁଦ୍ରଣର remuneration ସିଏ ଦୋଷରା କଥା, ଏହା ସମାବେଶରେ ଥିବା ଏବଂ କେନ୍ଦ୍ର ସାହିତ୍ୟର କାର୍ଯ୍ୟକ୍ରମରେ ଯୋଗଦେଇଥିବା ଆମ ଯୁବପ୍ରତିଭାମାନଙ୍କୁ ଏବଂ ଓସାଏର ବରିଷ୍ଠ କର୍ମକାର୍ତ୍ତା ଓ ସଚିବଙ୍କୁ ମାଲୁମ୍ ଥିବ। ଏମିତିକି ଅନେକ ବେସରକାରୀ ସଂସ୍ଥାମାନଙ୍କ ଦ୍ୱାରା ଆୟୋଜିତ ସାହିତ୍ୟ ଉତ୍ସବରେ ମଧ୍ୟ ଲେଖକମାନଙ୍କ ପାଇଁ ଆନୁଷଙ୍ଗିକ ବନ୍ଦୋବସ୍ତ ଥାଏ ଯାହାକି ଅତିଥି ସାହିତ୍ୟିକ ମାନଙ୍କୁ ସଂଖୋଳିବାର ଏବଂ ସମ୍ମାନ ଜଣେଇବାର ପରମ୍ପରା। କିଛି ପାରିତୋଷିକ ଅବା ପୁରସ୍କାର ରାଶି, ମାନପତ୍ର ଅବା ଉତ୍ତରୀୟ କି ଗସ୍ତଖର୍ଚ୍ଚ ଲେଖକଙ୍କୁ ଧନୀ କରିଦିଏନା, ବରଂ ଏକ ନ୍ୟୁନତମ ଔପଚାରିକତା ବୋଲି ବିବେଚନା କରାଯାଏ।

ମୋର କହିବା କଥା, ଧୀରେଧୀରେ ନିଜର ପୁନଃଅବସ୍ଥିତି ଓ ଅଭ୍ୟାସ ଫେରି ପାଇବାପାଇଁ ଚେଷ୍ଟା କରୁଥିବା ଓସାଏ, ଖାଲି ବିଶାଳ ସମାବେଶର ଆୟୋଜନ କରି ଲେଖକ ମାନଙ୍କ ଦ୍ୱାରା ଅନୁଷ୍ଠାନକୁ ବିଜ୍ଞାପିତକରି ଶସ୍ତା ଲୋକପ୍ରିୟତା ( ସାମାଜିକ ଗଣମାଧ୍ୟମରେ like, comment, share, tag, reels, bytes, photo, news clip, wow, amazing, mind blowing etc) ପଛରେ ନପଡ଼ି, ନିଜର କାର୍ଯ୍ୟପନ୍ଥା, କର୍ତ୍ତବ୍ୟ, ଦାୟିତ୍ୱ ଏବଂ ଔଚିତ୍ୟବୋଧ ପାଇଁ ଉତ୍ତରଦାୟୀ ରହନ୍ତୁ, ସାହିତ୍ୟ ସଙ୍ଗଠନରେ ନିଜର ଭୂମିକା ଓ ସୌଜନ୍ୟ ପ୍ରତି ସଚେତନ ରହନ୍ତୁ। କୌଣସି ପୁରସ୍କାର/ସ୍ୱୀକୃତି ଲେଖକ ଅପେକ୍ଷା  ପ୍ରଦାନକାରୀ ସଂସ୍ଥାପାଇଁ ଅଧିକ ଦାୟିତ୍ୱବୋଧ ଓ ଗୁରୁତ୍ତ୍ୱ ରଖେ ଏବଂ ସାହିତ୍ୟ/ସାହିତ୍ୟିକ/ ବୁଦ୍ଧିଜୀବୀଙ୍କୁ ସୁସ୍ଥ ସମାଜ ଗଠନକ୍ଷେତ୍ରରେ ଉତ୍ସାହିତ କରିପାରେ। ଲେଖକ, ପାଠକ ମାନଙ୍କର ପ୍ରଶ୍ନ ପଚାରିବାର ଅଧିକାର ଓ ସ୍ବାଧୀନତା; ସରକାରୀ କଳ ଅବା ବେସରକାରୀ ସଂସ୍ଥାର କାର୍ଯ୍ୟଦକ୍ଷତା ଏବଂ ସେମାନଙ୍କର ଶିଷ୍ଟତା ଓ ସୌଜନ୍ୟକୁ ରୁଦ୍ଧିମନ୍ତ କରିବ।