ଜୟନ୍ତ ମହାପାତ୍ର ମରିପାରିବେ ନାହିଁ !!!

ଜୟନ୍ତ ମହାପାତ୍ର ମରିପାରିବେ ନାହିଁ !!!

ମୁଁ ଯେଉଁ ଜୟନ୍ତ ମହାପାତ୍ରଙ୍କୁ ଜାଣିଛି, ସେ କେବେ ହେଲେ ମରିବେ ନାହିଁ ମୋ ଲାଗି ତାଙ୍କର ମୃତ୍ୟୁ ଖବର ଏକପ୍ରକାର ଗୁଜବ କିମ୍ବା ଅପପ୍ରଚାର ଜୟନ୍ତ ମହାପାତ୍ର ହୋଇ ଜନ୍ମହେବା ଗୋଟେ ସାଧାରଣ ଘଟଣା, ହେଲେ ଜୟନ୍ତ ମହାପାତ୍ର କବିତା ଲେଖିବା- ଏକ ବିଷ୍ଫୋରକ ସମୟର ସୂଚନା ଜୟନ୍ତ ମହାପାତ୍ରଙ୍କ କବିତା ଆମ ସମୟର ଏକ ବିଗବ୍ୟାଙ୍ଗ ସବୁକିଛି ଚୁରମାର ହୋଇ ଆଉ ଗୋଟେ ନୂଆ ପୃଥିବୀ ନିର୍ମାଣ କରିବାର ଏକ ଅପୂର୍ବ କଳା ତାଙ୍କର କବିତା । ଜୟନ୍ତ ମହାପାତ୍ର ଭାରତୀୟ ଇଂରାଜୀ କବିତାର ଯୁଗପୁରୁଷ ହେଲେ ମୁଁ ଓଡିଆ କବି ଜୟନ୍ତ ମହାପାତ୍ରଙ୍କୁ ଅଧିକ ଭଲପାଏ ଯେତେବେଳେ ତାଙ୍କର ସମକାଳୀନମାନେ ଜୟନ୍ତ ମହାପାତ୍ରଙ୍କ ଓଡିଆ କବିତାକୁ ଭାଷାଦୃଷ୍ଟିରୁ ପିଲାଳିଆ ଓ ଅପରିପକ୍ଵ ବୋଲି କହନ୍ତି, ସେତେବେଳେ ମୁଁ ଅଧିକ ପାଟିକରି ଜୟନ୍ତ ମହାପାତ୍ରଙ୍କ ଓଡିଆ କବିତାକୁ ପଢେ ଅନେକେ କହନ୍ତି ସେ ଇଂରାଜୀରେ ଭାବି ଓଡିଆରେ କବିତା ଲେଖନ୍ତି- ମୁଁ କିନ୍ତୁ ବୁଝେ, ସେ ନିଜ ଭାଷାରେ ଇ କବିତା ଲେଖନ୍ତି । ତାଙ୍କ କବିତାରେ ସେ ନିଜେ ଇ ଥାନ୍ତି ଗୋଟାପଣେ ତାଙ୍କ ଭିତରେ ଗୋଟେ ବିରାଟ ବିଶ୍ଵରୂପ ସବୁବେଳେ ଗଢା ହେଉଥାଏ ଓ ଭାଙ୍ଗି ଯାଉଥାଏ- ତାହା ହିଁ ଜୟନ୍ତ ମହାପାତ୍ରଙ୍କ ଓଡିଆ କବିତାର ବିଶେଷ ଗୁଣ

ଜୟନ୍ତ ମହାପାତ୍ରଙ୍କ ଓଡିଆ କବିତାର ପାଞ୍ଚୋଟି ବିଶେଷ ବିନ୍ଦୁକୁ ପ୍ରଥମେ  ଚିହ୍ନିବା ଆସନ୍ତୁ –

୧- ଜୟନ୍ତ ମହାପାତ୍ର ନିଜକୁ ନେଇ ଡଜନେରୁ ଅଧିକ କବିତା ଲେଖିଛନ୍ତି ଆତ୍ମଜୀବନୀକୁ ନେଇ କବିତା ଲେଖିବା ଏକ ଦୁଃସାହସ ନିଜ ଜୀବନ ବିଷୟରେ ଲେଖିବା ବେଳେ ତାରି ଭିତରେ ସମୟ ଓ ପୃଥିବୀର ଜୀବନ କାହାଣୀ ଲେଖିପାରିବାର ପ୍ରଚଣ୍ଡ ଦୁଃସାହସ ଜୟନ୍ତ ମହାପାତ୍ର କରିଛନ୍ତି “ଜୟନ୍ତ ଯାହା ଜାଣେ ନାହିଁ” ଓ, “ଆଇନା ସେପାଖେ ଜୟନ୍ତ ମହାପାତ୍ର”, କବିତା ଆମକୁ ଗୋଟେ କବିର ସେଇ ପୃଥିବୀକୁ ଦେଖାଏ ଯେଉଁ ପୃଥିବୀରେ ଭୟ, ଗ୍ଳାନି, ଲଜ୍ଜା, ଧିକ୍କାର, ଆତ୍ମସମୀକ୍ଷା ଏବଂ ଅସହାୟତାର ଗୋଟେ ବିଶାଳ ଆୟତନ ଉନ୍ମୋଚିତ ହୋଇଯାଏ

୨- ଭୋକ ଜୟନ୍ତ ମହାପାତ୍ରଙ୍କ କବିତାର ସବୁଠୁ ବଡ ଉପଦାନ । ନ ଅଙ୍କ ଦୁର୍ଭିକ୍ଷରେ ଭୋକ ସମ୍ଭାଳି ନ ପାରି ଧର୍ମ ଛାଡିଥିବା ତାଙ୍କ ଜେଜେବାପା ଚିନ୍ତାମଣି ମହାପାତ୍ରଙ୍କ ଇତିହାସ ତାଙ୍କ କବିତାରେ ମଣିଷଜାତିର କ୍ଷୁଧା ପାଲଟିଯାଇଛି ୧୮୬୬ ମସିହାର  ନ ଅଙ୍କ ଦୁର୍ଭିକ୍ଷ କେବଳ ଗୋଟେ ପରିବାରର ଈଶ୍ଵରଙ୍କୁ ବଦଳାଇ ଦେଇନାହିଁ, ବରଂ ସବୁ ଭୋକୀ ମଣିଷ ନିଜ ଈଶ୍ଵରଙ୍କୁ ମୁଖା ବଦଳାଉଥିବାର ଚିତ୍ର ଜୟନ୍ତ ମହାପାତ୍ରଙ୍କ କବିତାରେ ଦେଖିଛନ୍ତି

୩- ଜୟନ୍ତ ମହାପାତ୍ର ଆମ ସମୟର ଏକମାତ୍ର କବି ଯିଏ ସମୟକୁ ନିଜ କବିତା ରେ କ୍ଯଲେଣ୍ଡର ତାରିଖ ଅନୁଯାୟୀ ଲିପିବଦ୍ଧ କରନ୍ତି । ତାଙ୍କ କବିତାରେ ଗୋଟେ ସମୟ ସାରଣୀ ଥାଏ । ଆମ ସମୟର ଯୁଦ୍ଧ, ରକ୍ତପାତ ଏବଂ ଅନ୍ୟାୟକୁ ସେ ରକ୍ତର ଅକ୍ଷରରେ ଲେଖିଛନ୍ତି । 

୪- ଏକାନ୍ତ ବ୍ୟକ୍ତିଗତ କବିତା ଯେ କେତେ ପରିମାଣରେ ସାର୍ବଜନୀନ ହୋଇପାରେ, ତାର ବିଚକ୍ଷଣ ସୂତ୍ର ଜୟନ୍ତ ମହାପାତ୍ରଙ୍କ କବିତାରେ ରହିଛି ଅନେକ ସମୟରେ ପ୍ରତିକ୍ରିୟାରୁ ସେ କବିତା ଲେଖିଛନ୍ତି (କବିତାର ଆଲୋଚକମାନେ ଆମକୁ ବୁଝାଇ ଦେଇଛନ୍ତି, ପ୍ରତିକ୍ରିୟାରୁ ଜନ୍ମ ନେଉଥିବା କବିତା ନିକୃଷ୍ଟ) ଜୟନ୍ତ ମହାପାତ୍ର ପ୍ରତିକ୍ରିୟାକୁ କବିତାର କଳାରେ ରୂପାନ୍ତରିତ କରିପାରନ୍ତି (ଶାହୀନବାଗ, କଳିଙ୍ଗନଗର, କନ୍ଧମାଳ ଦଙ୍ଗା, ଗୁଜରାଟ ଦଙ୍ଗା, ସାମ୍ପ୍ରଦାୟିକ ବିଭାଜନ, ନିର୍ବାଚନ, ଗଣତନ୍ତ୍ରର ଅବକ୍ଷୟ, ସ୍ଵାଧୀନତା ଆନ୍ଦୋଳନ, ଗାନ୍ଧୀ ଓ ପୁରସ୍କାର ଫେରାଇବା ଭଳି ଅତ୍ୟନ୍ତ ରାଜନୈତିକ ପ୍ରସଙ୍ଗକୁ ନେଇ ସେ କବିତା ଲେଖିଛନ୍ତି, ହେଲେ ସେସବୁ କବିତାର ରାଜନୀତି ଏକ ଉଚ୍ଚତର ଜୀବନବୋଧ ନିର୍ମାଣ କରିଛି

୫- ଜୀବନ ପ୍ରତି ପ୍ରଚଣ୍ଡ ଆସକ୍ତି ତାଙ୍କ କବିତାର ଆଉ ଏକ ବିଶେଷ ଗୁଣ । ତାଙ୍କ କବିତାର ଚରିତ୍ରମାନେ ଅଭାବୀ, ହେଲେ ପ୍ରଚଣ୍ଡ ସ୍ଵପ୍ନଦର୍ଶୀ ଅନ୍ଧାର ଭିତରେ ଗୋଟେ ସ୍ଵପ୍ନର ସହର ନିର୍ମାଣ କରିବା ତାଙ୍କ କବିତାର ବିଶେଷ ସଫଳତା । ଗୋଟେ ଦୁର୍ଦ୍ଦାନ୍ତ ହତାଶା ଭିତରେ ଆଶାର କବିତା ଲେଖିବାର ସାହସ ଇ ତାଙ୍କର କବିତା ଏକ ଉଦାହରଣ ଭାବରେ ନେଇ ହେବ “ଆଜି ଯେବେ ମୁଁ ଭାରତବର୍ଷ କଥା ଭାବେ” କବିତାକୁ ଏ କବିତାର ଶେଷଧାଡି ସବୁ ଅଥୟ କରିଦିଏ ଆତ୍ମାକୁ –

ଭାରତବର୍ଷ, ତୋ ନାଁରେ କଣ ଲେଖିବି ବୃଥା ଆଶାର କବିତାଟିରେ?

କଣ ଲେଖିବିରେ ଭାରତବର୍ଷ ?

ସତରେ ମୁଁ ଟ ଦୀପର ସଳିତାଟିଏ

ଜଳୁଥିବା ଲିଭୁଥିବା ନିଆଁ ଖଣ୍ଡେ

ଯିଏ ଜଳି ଜଳି ଯାଉଥାଏ

ଅନ୍ଧାରକୁ ଟିକେ ଦୂରକୁ ଠେଲିଦେବାର ଚେଷ୍ଟାରେ

ଯେବେ ମୁଁ ଭାରତ ବର୍ଷ କଥା ଭାବେ

କବିତାଟି ପରି ହୋଇଯାଏ ମୁଁ

ଯେଉଁ କବିତା ଗାଇବାକୁ କେବେ ଇଚ୍ଛା କରେନି

ଅନ୍ଧାରକୁ ଟିକେ ଠେଲିଦେବାର ଦୁଃସାହସରେ ଜୀବନ ତମାମ କବିତାକୁ ଜଳାଇଥିବା କବି ଜୟନ୍ତ ମହାପାତ୍ର

**

ଯେଉଁ ଜୟନ୍ତ ମହାପାତ୍ରଙ୍କୁ ଆଜି ଆମେ ହରାଇଛେ ବୋଲି ଖବର ପଢୁଛେ, ତାଙ୍କୁ ୯୫ ବର୍ଷ  ବୟସରେ ବି ଦେଖିଲେ, ପ୍ରଥମେ ଗୋଟେ ସନ୍ଦେହର ଭାବନା ମନକୁ ଆସୁଥିଲା- ନା ମ, ତାଙ୍କୁ ଏତେ ବୟସ ହୋଇନଥିବ। ମୃତ୍ୟୁ ଯାଏଁ ବୟସ ତାଙ୍କୁ ଛୁଇଁ ପାରିନାହିଁ । ସେଥିଲାଗି ମୋର ବିଶ୍ଵାସ, ମରଣର ସେ ଶକ୍ତି ନାଇଁ ଯିଏ ତାଙ୍କର ତାରୁଣ୍ୟକୁ ଛୁଇଁ ପାରିବ ! ନବେ ପରବର୍ତ୍ତୀ ବୟସରେ  ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସାହିତ୍ୟ ପତ୍ରିକା ପ୍ୟାରିସ ରିଭ୍ୟୁରେ ତାଙ୍କର କବିତା ବାହାରିଛି ଡାକ୍ତରଖାନାରେ ସେ ନିଜର ଶେଷ କବିତା ବହି “ଝାଞ୍ଜି”ର ଉନ୍ମୋଚନ କରୁଛନ୍ତି ।  ତାଙ୍କ ଲାଗି ଲେଖିବାର ଆଗ୍ରହ ସେହି ତାରୁଣ୍ୟ ବେଳାରେ ହିଁ ରହିଛି। ବେଳେ ବେଳେ ମୋତେ ଲାଗେ ଜୟନ୍ତ ମହାପାତ୍ରଙ୍କ ତାରୁଣ୍ୟ ତାଙ୍କ ଭିତରେ ଘର କରି ରହିଯାଇଛି। ସେ ବହୁତ ଡେରିରେ ଲେଖାଲେଖି ଆରମ୍ଭ କଲେ-ପ୍ରାୟ ୪୫ ବର୍ଷ ବେଳକୁ ତାଙ୍କର ପ୍ରଥମ କବିତା ବାହାରିଲା। ସତେକି ସେଇ ପରିପକ୍ଵ ବୟସରୁ ସେ ବାରମ୍ବାର ଯୌବନକୁ ଫେରି ଯାଉଛନ୍ତି। ଇଂରାଜୀ ଭାଷାରେ ଭାରତୀୟ କବିତାର ଶିଖର ପୁରୁଷ ସିଏ। ଏ.କେ.ରାମାନୁଜନ, ନିସିମ ଏଜକିଲଙ୍କ ପରେ ଭାରତୀୟ ଇଂରାଜୀ କବିତାର ସବୁଠୁ ସଫଳ ସ୍ଵର। ତେବେ କେବଳ ସେ ଯେ ପ୍ରସିଦ୍ଧ ଇଂରାଜୀ କବି ତା ନୁହେଁ, ସେ ଓଡିଆ କବିତାରେ ମଧ୍ୟ ଅନ୍ୟତମ ଉଜ୍ଜଳ ସ୍ଵର।

ତେବେ ଜୟନ୍ତ ମହାପାତ୍ରଙ୍କ ପରିଚୟ କଣ, ସେ କେବଳ କବି? ଜୟନ୍ତ ମହାପାତ୍ରଙ୍କୁ ଏଯାଏ ଓଡିଆ ଜାତି ଚିହ୍ନି ପାରିନି। ୧୯୮୧ରେ ତାଙ୍କୁ ଯେତେବେଳେ ପ୍ରଥମ ଇଂରାଜୀ କବି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଗଲା, ସେତେବେଳେ ଓଡିଆ ଗଳ୍ପର ଅନ୍ୟତମ ମହାନାୟକ ସ୍ଵର୍ଗତ ଅଖିଳ ମୋହନ ପଟ୍ଟନାୟକ ଏକ ଲେଖା ଲେଖିଥିଲେ, ଯାହାର ଶୀର୍ଷକ ଥିଲା- ଶ୍ରୀ ଜୟନ୍ତ ମହାପାତ୍ର; ଏକ ପ୍ରାୟ ଅନାବିଷ୍କୃତ ପ୍ରତିଭାଅତ୍ୟନ୍ତ ପ୍ରଭାବଶାଳୀ ସ୍ଵରରେ ଓଡିଆଙ୍କର ପ୍ରତିଭା ଚିହ୍ନଟ କରି ନପାରିବାର ଅବଗୁଣ ସମ୍ପର୍କରେ ପ୍ରହାର କରି ଅଖିଳ ମୋହନ ଲେଖିଥିଲେ- ଜଣେ ଓଡିଆ କବି ଯିଏ କି ୧୯୬୫-୬୬ ମସିହାରୁ ନିରବଛିନ୍ନ କବିତା ଲେଖି ନିଜକୁ ବିଦେଶରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ କରି ସାରିଲେଣି, ତାଙ୍କ ସମ୍ପର୍କରେ ଓଡିଆ ପାଠକଙ୍କୁ ବାଦ ଦିଆଯାଉ, ଓଡିଆ ଲେଖକମାନଙ୍କୁ ମଧ୍ୟ କୌଣସି ସମ୍ବାଦ ବିଦିତ ନୁହେଁ। ତାଙ୍କର ପୁସ୍ତକ ରିଲେଶନଶିପ୧୯୮୧ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରଷ୍କାର ପାଇବା ପରେ କେହି କେହି ଲେଖକ ନିଜସ୍ଵ ଲେଖାର ଏଣ୍ଡିପୋକ ଖୋସା ଭିତରୁ ମୁଣ୍ଡ କାଢି କହି ପାରନ୍ତି, “କାହିଁକି, ଆମେ ତ ଜାଣୁ, ଜୟନ୍ତ ବାବୁ କଣ ସବୁ ଇଂରାଜୀରେ ଲେଖାଲେଖି କରନ୍ତି’, କିନ୍ତୁ ଜୟନ୍ତ ବାବୁଙ୍କ କବିତାର ଆଲୋଚନା ବା ଅନୁବାଦ ଆଜିଯାଏ ଅନ୍ତତଃ ମୁଁ କୌଣସି ଓଡିଆ ପତ୍ରିକାରେ ଦେଖିବାକୁ ପାଇନାହିଁ।” (ସମାବେଶ- ପ୍ରଥମ ସଂଖ୍ୟା-୧୯୮୨)

୪୨ ବର୍ଷ ତଳେ ଅଖିଳ ମୋହନ ପଟ୍ଟନାୟକ କବି ଜୟନ୍ତଙ୍କ ସମ୍ପର୍କରେ ଯାହା କହିଥିଲେ, ତାକୁ ଆଜି ବି ସେମିତି କହିଦେଲେ କିଛି ଅସୁବିଧା ହେବନାହିଁ। ଯଦିଓ ୟା ଭିତରେ ପ୍ରଚୁର ଓଡିଆ କବିତା (ବଳି, ବାୟାରଜା, କହିବି ଗୋଟିଏ କଥା ଇତ୍ୟାଦି)  ଓ ନିଜ ଆତ୍ମ ଜୀବନୀକୁ ସେ ଓଡିଆରେ ଲେଖିଛନ୍ତି। (ଭୋର ମୋତିର କାନ ଫୁଲ ) ତାଙ୍କ କବିତାର କାନଭାସ ଆଜି ମଧ୍ୟ ମୌଳିକ ଭାବରେ ଓଡିଆ। ସେ ଇଂରାଜୀରେ ଲେଖନ୍ତୁ ବା ଓଡିଆରେ, ସେ ଓଡିଶାର ମଣିଷ ଓ ଜୀବନ କଥା ଲେଖନ୍ତି। ଭୋକ ଓ ପୀଡାର ଗୋଟେ ଅପୂର୍ବ ସୌନ୍ଦର୍ୟବୋଧ ତାଙ୍କ କବିତାରେ ତିଆରି ହୋଇଛି। ସେ ମଣିଷର ପୀଡା ସହିତ ନିଜକୁ ଏକାକାର କରିବା ସହିତ ଏକଲା ମଣିଷ ପାଇଁ କବିତାରେ ଏକ ନୂଆ ଭାଷାର ନିର୍ମାଣ କରି ପାରନ୍ତି।

ତାଙ୍କ ଅବର୍ତ୍ତମାନରେ ତାଙ୍କୁ ଚିହ୍ନିବା ଓ ଚିହ୍ନେଇବାର ଆବଶ୍ୟକତା ସବୁଠୁ ବେଶୀ । କାରଣ ଅନେକ ସମୟରେ ଆମେ ଆମର ପାଖ ଲୋକଟିକୁ ଚିହ୍ନି ନଥାଉ। ଓଡିଶା ଯଦି କେବେ ପୃଥିବୀରେ ନିଜର ପରିଚୟ ଖୋଜିବ, ତେବେ ତାକୁ ଜୟନ୍ତ ମହାପାତ୍ରଙ୍କ କବିତା ପାଖକୁ ଫେରିବାକୁ ପଡିବ। ଖାଲି କବିତା ନୁହଁ, ଓଡିଶାର ଜୀବନବୋଧ, ପର୍ୟଟନ ଓ କଳାର ଇତିହାସ ମଧ୍ୟ ସେ ଲେଖିଛନ୍ତି। ଶହ ଶହ ଓଡିଆ କବିତାକୁ ଇଂରାଜୀରେ ଅନୁବାଦ କରିଛନ୍ତି। ବାସ୍ତବର ତାଙ୍କ ଅବଦାନର ଭୂମି ଏତେ ବିଶାଳ ଯେ, ତାକୁ ଆକଳନ କରିବା ସହଜ ନୁହେଁ।

ତେବେ ତାଙ୍କର ସବୁଠୁ ବଡ ପରିଚୟ ହେଉଛି, ସେ ଓଡିଆ କବିତାର ସବୁଠୁ ବିନମ୍ର ବିପ୍ଳବୀ। ସେ କୌଣସି ଶୋଭାଯାତ୍ରା ବା ପତାକାର କଥା ଯଦିଓ କହି ନାହାନ୍ତି, ଓଡିଆ ଜନ ଜୀବନରେ ଯେତେବେଳେ ବି ସାଧାରଣ ମଣିଷ ଉପରେ ଆକ୍ରମଣ ହୋଇଛି, ତାରି ବିରୋଧରେ ସେ ନିଜର କଲମ ଧରି ଠିଆ ହୋଇଛନ୍ତି। ଦେଶରେ ବଢି ଚାଲିଥିବା ଅସହିଷ୍ଣୁତା ବିରୋଧରେ ସେ ଓଡିଶାର ଏକମାତ୍ର ଲେଖକ ଭାବରେ ନିଜର ପଦ୍ମ ପୁରସ୍କାର ଫେରାଇ ଦେଇଥିଲେ। ସେ କଳିଙ୍ଗ ନଗରର ଆଦିବାସୀ ଗୁଳିକାଣ୍ଡ ହେଉ ବା ଲୋକଙ୍କ ଉପରେ ପୋଲିସ ଦମନ, ଯେତେବେଳେ ବି କେଉଁଠି ମଣିଷ ଉପରେ କ୍ଷମତାର ଅହଂକାର ପ୍ରବଳ ହୋଇଛି, ସେଠି ଜୟନ୍ତ ମହାପାତ୍ର ବିନମ୍ର ପ୍ରତିବାଦ କରି ଅବିଚଳିତ ଭାବରେ ଠିଆ ହୋଇଛନ୍ତି।

**

ଆଜି ଜୟନ୍ତ ମହାପାତ୍ରଙ୍କ ବିଷୟରେ ଏତେ କଥା ଗଣମାଧ୍ୟମରେ ଓ ସୋସିଆଲ ମିଡିଆରେ ପଢିଲା ବେଳେ ଲାଗୁଛି, ମୁଁ ତ ତାଙ୍କୁ ବିଶେଷ କିଛି ଜାଣେନାଇଁ । ଜୟନ୍ତ ମହାପାତ୍ରଙ୍କୁ ଯେତିକି ମୁଁ ପଢୁଛି, ସେ ସେତିକି ଶୋଷ ବଢାଇ ଚାଲିଛନ୍ତି । ମୋ ପରେ ମୋର ପରବର୍ତ୍ତୀ ଅନେକ ପିଢୀ ଯାଏଁ ଜୟନ୍ତଙ୍କୁ ପଢିବାର ଶୋଷ ଅବ୍ୟାହତ ରହିବ । ଜୟନ୍ତ ମହାପାତ୍ରଙ୍କୁ ନେଇ ବ୍ୟକ୍ତିଗତ କିଛି ଲେଖୁନି । ବ୍ୟକ୍ତିଗତ ଭାବରେ ସେ ମୋ ଲାଗି ଯାହା, ତାହା ବିଜ୍ଞାପନର ବିଷୟ ନୁହେଁ । ତାଙ୍କ କବିତାକୁ ନେଇ ତାଙ୍କ ସାଙ୍ଗରେ ମୋର କଥାବାର୍ତ୍ତା ମୁଁ ବଞ୍ଚିଥିବା ଯାଏଁ ଚାଲିବ । ମୁଁ ବଞ୍ଚିଥିବା  ଯାଏଁ ମୋର ପ୍ରିୟ କବି ଜୟନ୍ତ ମହାପାତ୍ର ମରିପାରିବେ ନାହିଁ ।