ରାମନବମୀର ହିଂସା ଓ ରାଜନୀତି

ରାମନବମୀର ହିଂସା ଓ ରାଜନୀତି

ସାରା ଦେଶରେ ଗୋଟେ ଅଦ୍ଭୁତ ପାଗଳାମୀ ଚାଲିଛି । କିଛି ଲୋକ ଯୁକ୍ତି କରୁଛନ୍ତି-ଧର୍ମର ସୁରକ୍ଷା ପାଇଁ ବନ୍ଧୁକ ଦରକାର । ଧର୍ମକୁ ନେଇ ରକ୍ତପାତ, ହିଂସା, ଦଙ୍ଗା ଏବଂ ଗୁଣ୍ଡାଗିରିର ଗୋଟେ ବିଷାକ୍ତ ସମୀକରଣ ସାରା ଦେଶରେ ଚାଲିଛି । ଗତ କିଛି ବର୍ଷ ହେଲାଣି ରାମନବମୀ ଏବଂ ହନୁମାନ ଜୟନ୍ତୀ ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ଘଟିବା ଏକ ପରମ୍ପରା ପାଲଟି ଯାଇଛି । ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ମର୍ଯାଦା ପୁରୁଷୋତ୍ତମ ବୋଲି ଆମେ ପୂଜା କରିଆସୁଛୁ ।  ମର୍ଯାଦା ହେଉଛି ମାନବିକତାର ସବୁଠୁ ବଡ ଧର୍ମ । ଅଥଚ ଧର୍ମ ଏବଂ ମାନବିକତାର  ମର୍ଯାଦା ଉଲ୍ଲଂଘନ କରି ଆମେ ରାଜନୈତିକ ଭାବରେ ଧର୍ମର ଦୁରୁପଯୋଗ କରୁଛେ । ଗୋଟେ ଧର୍ମ ବିରୋଧରେ ଆଉ ଏକ ଧର୍ମକୁ ଲଢାଇ ଭୋଟ ହାସଲ କରିବାର ଏକ ଅଶ୍ଳୀଳ ପ୍ରୟୋଗକୁ ଆମେ ଧର୍ମ ବୋଲି କେମିତି କହିବା । ହାତରେ ବନ୍ଧୁକ ଓ ଛୁରୀ ଧରି, ପ୍ରବଳ ମଦ୍ୟପାନ କରି, ଅଶ୍ଳୀଳ ଭାଷାରେ ଚିତ୍କାର କରି, କାନଫଟା ଡିଜେ ବଜାଇ ଏବଂ ଅନ୍ୟ ଏକ ଧର୍ମକୁ ଗାଳି କରି ଏ ଯେଉଁ ରାମନବମୀ ଶୋଭାଯାତ୍ରା ସବୁ ଚାଲିଛି, ଏହା କଣ ଶ୍ରୀରାମଙ୍କର ଉପାସନା ? ସବୁଠୁ ସୁନ୍ଦର ଓ ସବୁଠୁ ରମଣୀୟ ବୋଲି ସେ ଶ୍ରୀରାମ । ତାଙ୍କର ଉପାସନାକୁ ଘୃଣା ଓ ରକ୍ତପାତର ପାର୍ବଣ କରିବା ଆଦୌ ହିନ୍ଦୁଧର୍ମର ବିଚାର ନୁହେଁ । ଦଳେ ରାଜନୈତିକ ଭୋଟ ଲାଳସା ହିନ୍ଦୁଧର୍ମର ଦାସରହ ବା ବିଚାର ହୋଇପାରିବ ନାହିଁ ।

ଗତ କିଛି ବର୍ଷ ହେଲା ରାମନବମୀ ସମୟରେ ଉଦ୍ଦେଶ୍ୟମୂଳକ ଭାବରେ କେତୋଟି ସଂଗଠନ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିବାଦ ତେଜାଇବାକୁ ଉଦ୍ୟମ କରି ଆସୁଛନ୍ତି । ଆମ ଦେଶର ସୌନ୍ଦର୍ୟ ହେଉଛି, ଏକା ସମୟରେ ଏଠି ରାମନବମୀ ଓ ରମଜାନ ପାଳିତ ହୁଏ । ଧାର୍ମିକ ସହାବସ୍ଥାନର ସୁନ୍ଦର ସାଂସ୍କୃତିକ ପରିବେଶ ଭାରତର ଗୌରବ । ସେହି ଗୌରବାକୁ ଏବେ ନଷ୍ଟ କରିବାର ରାଜନୈତିକ ଉଦ୍ୟମ ଚାଲିଛି ।

ଏଥର ରାମନବମୀ ସମୟରେ ତିନୋଟି ରାଜ୍ୟରେ ସର୍ବାଧିକ ଦଙ୍ଗା ଓ ହିଂସାକାଣ୍ଡ ଘଟିଛି । ଏହି ତିନୋଟି ରାଜ୍ୟ ମଧ୍ୟରୁ ପଶ୍ଚିମବଙ୍ଗ ଏବଂ ବିହାରରେ ବିଜେପି ବିରୋଧୀ ସରକାର ରହିଛି ଓ ମହାରାଷ୍ଟ୍ରରେ ଶିବସେନା-ବିଜେପି ସରକାର ରହିଛି । ଆସନ୍ତା ଲୋକସଭା ନିର୍ବାଚନରେ ଏହି ତିନୋଟି ରାଜ୍ୟର ଗଣିତ ବିଜେପିର ଭବିଷ୍ୟତ ନିର୍ଣ୍ଣୟ କରିବ । ଏହି ତିନୋଟି ରାଜ୍ୟର ମୋଟ ଲୋକସଭା ଆସନ ସଂଖ୍ୟା ୧୩୦ । ୨୦୧୯ ନିର୍ବାଚନରେ ବିହାରରେ ବିଜେପି ଏବଂ ସହଯୋଗୀ ୪୦ ରୁ ୩୯, ମହାରାଷ୍ଟ୍ରରେ ୪୮ ରୁ ୪୧ ଏବଂ ପଶ୍ଚିମବଙ୍ଗରେ ୪୨ ରୁ ୧୮ ଆସନ ପାଇଥିଲେ । ୧୩୦ ରୁ ବିଜେପି ଓ ସହଯୋଗୀଙ୍କୁ ଏହି ତିନୋଟି ରାଜ୍ୟରୁ ୯୮ ଆସନ ମିଳିଥିଲା । ସେତକ ଆସନ ବଜାୟ ରଖିବାକୁ ଏବେ ବିଜେପି ପାଇଁ ଆଦୌ ସହଜ ବ୍ୟାପାର ନୁହେଁ । ସେତେବେଳେ ବିଜେପିର ସହଯୋଗୀ ଥିବା ସଂଯୁକ୍ତ ଜନତା ଦଳ ଓ ଶିବସେନା ବିଜେପି ସାଙ୍ଗରେ ନାହାନ୍ତି । ଶିବସେନାରେ ବିଭାଜନ ପରେ ବିଧାୟକ ବିଜେପି ସାଙ୍ଗରେ ଥିଲେ ମଧ୍ୟ ଶିବସେନା କର୍ମୀ ଉଦ୍ଧବ ଥାକରେଙ୍କ ସହିତ ଅଛନ୍ତି ।  ଏହି ତିନୋଟି ରାଜ୍ୟର ରାଜନୀତିରେ ଧାର୍ମିକ ଧୃବୀକରଣ ଲାଗି ରାମନବମୀକୁ ଏକ ସୁଯୋଗ ଭାବରେ ସଂଘ ପରିବାର ବ୍ୟବହାର କରୁଛନ୍ତି ।

ଏହି ତିନୋଟି ଯାକ ରାଜ୍ୟରେ ହିଂସ୍ର ଶୋଭାଯାତ୍ରାର ନେତୃତ୍ଵ ସଂଘ ପରିବାର ଓ ଏହା ସହିତ ଜଡିତ ସଂଗଠନ ନେଇଛନ୍ତି । ଓଡିଶାରେ ମଧ୍ୟ ଏହାର କିଛିଟା ପ୍ରଭାବ ସେଦିନ ଆମେ ଦେଖିଥିଲୁ । ବିହାର ଏବଂ ପଶ୍ଚିମବଙ୍ଗରେ ହିଂସାକାଣ୍ଡକୁ ବଢାଇ ତାର ରାଜନୈତିକ ଫାଇଦା ଉଠାଇବାର ଉଦ୍ୟମ ବିଜେପି କରୁଛି । ଅଣବିଜେପି ସରକାରକୁ ହିଂସାକାଣ୍ଡ ଲାଗି ଦାୟୀ ବୋଲି ଦେଖାଇବା ସହିତ ଏମାନେ ହିନ୍ଦୀ ବିରୋଧୀ ବୋଲି ଏକ ଧାରଣା ସଂଘ ପରିବାର ତିଆରି କରିବାର ଚେଷ୍ଟା କରୁଛନ୍ତି ।

୯ ବର୍ଷ ଶାସନରେ ରହିଲା ପରେ ମଧ୍ୟ ବିଜେପି ନିଜର କୌଣସି ସଫଳତା ଦେଖାଇ ଭୋଟ ମାଗୁନାହିଁ । ଏବେ ମଧ୍ୟ ଧାର୍ମିକ ଧୃବୀକରଣ ବିଜେପିର ଏକମାତ୍ର ଭୋଟ ଆଧାର । ସେହି ଭୋଟ ଆଧାରକୁ ବଞ୍ଚାଇବାକୁ ଯାଇ ରାମନବମୀରେ ଏ ପ୍ରକାର ପରିସ୍ଥିତିକୁ ତେଜାଇ ରଖିବାର ରାଜନୈତିକ ଉଦ୍ୟମ ଚାଲୁ ରହିଛି ।