ସଂଖ୍ୟା ଯାହାର ଯେତେ - ଭାଗ ପାଇବ ସେ ସେତେ : ମୁଖ୍ୟମନ୍ତୀଙ୍କୁ ଶ୍ରୀକାନ୍ତ ଜେନାଙ୍କ ଚିଠି

ସଂଖ୍ୟା ଯାହାର ଯେତେ - ଭାଗ ପାଇବ ସେ ସେତେ : ମୁଖ୍ୟମନ୍ତୀଙ୍କୁ ଶ୍ରୀକାନ୍ତ ଜେନାଙ୍କ ଚିଠି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଓଡିଶା ସରକାର ସାମାଜିକ ନ୍ୟାୟ ପ୍ରତିଷ୍ଠା ଲାଗି ନିର୍ଦ୍ଦିଷ୍ଟ କେତୋଟି ପଦକ୍ଷେପ ନେବାକୁ ଦାବୀ କରିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ କଥାକୁ ଆଉ ପାଦେ ଆଗକୁ ନେଇ ଶ୍ରୀ ଜେନା ଓଡିଶାରେ “ସଂଖ୍ୟା ଯାହାର ଯେତେ - ଭାଗ ପାଇବ ସେ ସେତେ” ନୀତି ଗ୍ରହଣ କରିବାକୁ ଦୃଢ ଦାବୀ କରିଛନ୍ତି । ଓଡ଼ିଶାର ସମୁଦାୟ ଲୋକ ସଂଖ୍ୟାର ୫୪ ପ୍ରତିଶତ ପଛୁଆବର୍ଗ ହେଲେ ସରକାରୀ ଚାକିରୀରେ ସେମାନଙ୍କର ଭାଗୀଦାରୀତା ମାତ୍ର ମାତ୍ର ୧୧.୦୫% । ଓଡ଼ିଶାର ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତି ୩୮.୫ ପ୍ରତିଶତ, ହେଲେ  ସଂରକ୍ଷଣ ପାଉଛନ୍ତି ଶିକ୍ଷାରେ-୨୦% - ଚାକିରୀ କ୍ଷେତ୍ରରେ - ୩୮.୦୫% । 

ରାଜ୍ୟରେ ପଛୁଆବର୍ଗଙ୍କୁ ଚାକିରୀ କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦୀର୍ଘବର୍ଷ ହେଲା ବନ୍ଦ କରିବା ଦ୍ୱାରା ଗତ ୨୦ ବର୍ଷରେ ଏହି ବର୍ଗର ପ୍ରାୟ ୫ଲକ୍ଷ ପିଲା ଚାକିରୀ ହରାଇଛନ୍ତି । ଅଧିକଂଶ ଶିକ୍ଷିତ ହୋଇ ମଧ୍ୟ ଚାକିରୀ ନମିଳିବା ଫଳରେ ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି ।  ଏହି ବର୍ଗର “୫ଲକ୍ଷ ପିଲାଙ୍କୁ ଏକ ସ୍ୱତନ୍ତ୍ର ଯୋଜନା” ମାଧ୍ୟମରେ ସରକାରୀ ଚାକିରୀରେ ଭର୍ତି କରାଯାଉ ବୋଲି ଶ୍ରୀ ଜେନା କହିଛନ୍ତି ।

ଓଡିଶା ସରକାର ଉଚ୍ଚଶିକ୍ଷା ବିଶେଷକରି ମେଡ଼ିକାଲ୍ ଶିକ୍ଷାରେ ଅର୍ଥନୈତିକ ଭାବେ ପଛୁଆବର୍ଗର ପିଲାମାନଙ୍କ ପାଇଁ ସିଟ୍ ବଢାଇ ଯଦି ୨୦୦ ପିଲାଙ୍କୁ ସୁଯୋଗ ଦେଇପାରିଲେ ଠିକ୍ ସେହିଭଳି ପଛୁଆବର୍ଗ ଓ ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତି ବର୍ଗର ପିଲା ମାନଙ୍କ ପାଇଁ ଚଳିତ ବର୍ଷ ସିଟ୍ ବଢାଇ ଏହି ବର୍ଗର ସଂଖ୍ୟା ଆଧାରରେ ଡ଼ାକ୍ତରୀ ପଢ଼ିବାର ସୁଯୋଗ ସୃଷ୍ଟି କରାଯାଉ । ଏହା ନକରିବା ଦ୍ୱାରା ଆପଣଙ୍କର ସାମାଜିକ ନ୍ୟାୟ ପ୍ରତି କି ପ୍ରକାର ଅଂଗୀକାରବଦ୍ଧତ୍ତା ଅଛି ତା’ ସ୍ପଷ୍ଟ ହେଉଛି । ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା ନଦେବାଦ୍ୱାରା ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ୱ ଡ଼ାକ୍ତର ହେବାରୁ ବଞ୍ଚିତ ହୋଇଛନ୍ତି । ଠିକ୍ ସେହିଭଳି ଏସସି ଏସଟି ଛାତ୍ର ଛାତ୍ରୀ ମଧ୍ୟ ୨ ହଜାରରୁ ଉର୍ଦ୍ଧ୍ୱ ଡ଼ାକ୍ତର ହେବାରୁ ବନଚିତ ।

ପଛୁଆ ବର୍ଗଙ୍କୁ ସଂଖ୍ୟାନୁପାତରେ ଉଭୟ ଚାକିରୀ ଓ ଉଚ୍ଚଶିକ୍ଷାରେ ୫୪ ପ୍ରତିଶତ ସଂରକ୍ଷଣ ତୁରନ୍ତ ଘୋଷଣା  କରନ୍ତୁ । ଅନ୍ୟ ବର୍ଗଙ୍କୁ ମଧ୍ୟ ସଂଖ୍ୟାନୁପାତରେ ସଂରକ୍ଷଣ ଦିଆଯାଉ ବୋଲି ଶ୍ରୀ ଜେନା କହିଛନ୍ତି। 

 ଗତ ଦୁଇଟି ଉପନିର୍ବାଚନ ସମୟରେ (ପଦ୍ମପୁର ଓ ଝାରସୁଗୁୁଡ଼ା) ଆପଣଙ୍କ ସରକାର ୩ଟି ସମାଜ ତଥା - କୁଲତା, ବୁଣାକାର ଓ ଅଘରିଆ ସମାଜକୁ ଭୁବନେଶ୍ୱର ଓ ପୁରୀଠାରେ ଜମି ଓ ପ୍ରାୟ ୩ ରୁ ୫ କୋଟି ଟଙ୍କା ପ୍ରତ୍ୟେକ ସମାଜକୁ ଦେଇ ସେହି ସମାଜର ଭବନ ପ୍ରତିଷ୍ଠା କରାଉଛନ୍ତି । ଏହା ସ୍ୱାଗତ ଯୋଗ୍ୟ । ଠିକ୍ ସେହିଭଳି ପଛୁଆବର୍ଗର ବିଭିନ୍ନ ସମାଜ ଓ ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତିର ମଧ୍ୟ ବିଭିନ୍ନ ସମାଜକୁ ଜମି ଓ ଟଙ୍କା ତାଙ୍କର ସଂଖ୍ୟାନୁପାତରେ ତୁରନ୍ତ ଦେବାର ନିଷ୍ପତିି ନେବେ ବୋଲି ଆଶା କରୁଛି ତାଙ୍କ ଚିଠିରେ ଶ୍ରୀ ଜେନା ଲେଖିଛନ୍ତି।  । ଏତତ୍ ବ୍ୟତୀତ “ବ୍ରାହ୍ମଣ ସମାଜ”, “କରଣ ସମାଜ” ଭଳି ଅନ୍ୟ ସମାଜକୁ ମଧ୍ୟ ଜମି ଦେବାର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ  ନେବେ ବୋଲି ଆଶା କରୁଛି ବୋଲି ସେ କହିଛନ୍ତି। ।

          ରାଜ୍ୟରେ  ଗୋଟିଏ ଟଙ୍କା ପଛୁଆବର୍ଗ, ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତି ଓ ସଂଖ୍ୟାଲଘୁ ପିଲାଙ୍କୁ ଋଣ ନଦେବା ଦ୍ୱାରା ସେମାନେ କୌଣସି ଛୋଟ ବ୍ୟବସାୟ କରିବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟ ରାଜ୍ୟ ମାନଙ୍କରେ ଏହି ବର୍ଗର ପିଲାମାନଙ୍କ ପାଇଁ ହଜାର ହଜାର କୋଟି ଟଙ୍କା ଖୁବ୍ କମ୍ ସୁଧରେ ଦେଉଥିବା ବେଳେ କାହିଁକି ଓଡିଶାରେ ଏହି ବର୍ଗର ପିଲାମାନଙ୍କୁ କାହିଁକି ଅବହେଳିତ  କରି ରଖାଯାଇଛି ବୋଲି ଶ୍ରୀ ଜେନା ପଚାରିଛନ୍ତି । 

ତୁରନ୍ତ ଅତି କମ୍‌ରେ ୧ ହଜାର କୋଟି ଟଙ୍କାର ସବସିଡ଼ି ଦେଇ ବ୍ୟାଙ୍କ ମାନଙ୍କ ମାଧ୍ୟମରେ ଏହି ବର୍ଗର ପିଲାମାନଙ୍କୁ ଋଣ ଦେଇ ଉଦ୍ୟୋଗୀ କରଣରେ ସାମିଲ କରାନ୍ତୁ ବୋଲି ଶ୍ରୀକାନ୍ତ ଜେନା ଦୃଢ ଦାବୀ କରିଛନ୍ତି ।