ଲଦ୍ଦାଖ କଥା ୦୨: ଅନଶନରୁ ଜେନ୍-ଜି ଆନ୍ଦୋଳନ
ଜାଣିଛି, ଆପଣ ନିଶ୍ଚୟ ଭାବୁଥିବେ ଯେ ୨୪ ସେପ୍ଟେମ୍ବର ଦିନ ଲଦ୍ଦାଖରେ ପ୍ରଦର୍ଶନକାରୀ ଛାତ୍ର ଓ ଯୁବ ସମାଜର, ଗୋଟିଏ ରାଜନୈତିକ ଦଳର କାର୍ଯ୍ୟାଳୟରେ ନିଆଁ ଲଗାଇବା ଘଟଣା ପରେ ମୁଁ ଏଇ ପ୍ରବନ୍ଧ ଲେଖିବା ପାଇଁ ନିଷ୍ପତ୍ତି ନେଇଥିବି ବୋଲି। ନା’! କାରଣ ପ୍ରକୃତରେ ଏଇ ଘଟଣା ନୁହେଁ, ବରଂ କାରଣ ହେଉଛି ଗୋଟିଏ ଦେଶ ଓ ଗୋଟିଏ ସମାଜ ହିସାବରେ ଆମର ଉଦାସୀନତା!
୨୨ ମାର୍ଚ୍ଚ ୨୦୨୪ରେ ଶ୍ରୀ ସୋନମ୍ ଓ୍ବାଙ୍ଗଚୁକ୍ଙ୍କ ୨୧ ଦିନିଆ ଅନଶନ ସମୟରେ “ଲଦ୍ଦାଖ କଥା: ଆମ ପାଇଁ ମାନେ ରଖେ ନା’ ନାହିଁ?” ଏଇ ଶୀର୍ଷକରେ ଗୋଟିଏ ପ୍ରବନ୍ଧ ଲେଖିଥିଲି (The Samataର ବିଶେଷ ପ୍ରସଙ୍ଗ ଶ୍ରେଣୀରେ ଉପଲବ୍ଧ)। ଏଥର ମଧ୍ୟ ୧୦/୯/୨୦୨୫ରୁ ସେ ଗୋଟିଏ ୩୫ ଦିନିଆ ଅନଶନ ବା hunger strike ରେ ବସିଥିଲେ। ଏବଂ ଗତ ତିନି ବର୍ଷ ମଧ୍ୟରେ ଏହା ତାଙ୍କର ପଞ୍ଚମ ଅନଶନ ଥିଲା। ସ୍ଥାନ ସେଇ ସମାନ, ଲେହର ସହିଦ ସ୍ମୃତି ସ୍ଥଳ। ଏହି ସ୍ମୃତି ସ୍ଥଳରେ ୧୯୮୯ ମସିହାରେ ଲଦ୍ଦାଖ୍ ଉପରେ କାଶ୍ମୀରର ପ୍ରାଦୁର୍ଭାବ କମ (ସେବେ ଲଦ୍ଦାଖ୍, ଜମ୍ମୁ ଏବଂ କଶ୍ମୀର ଗୋଟିଏ ରାଜ୍ୟ ଥିଲେ) କରିବା ଦାବିରେ ଅନୁଷ୍ଠିତ ପ୍ରଦର୍ଶନ ସମୟରେ ତିନିଜଣ ଲଦ୍ଦାଖି ମୃତ୍ୟୁବରଣ କରିଥିଲେ। ଆହୁରି ମଧ୍ୟ ଉକ୍ତ ସ୍ଥାନରେ ୧୯୮୧ ମସିହାରେ ଲଦ୍ଦାଖିଙ୍କୁ ‘ଜନଜାତି’ ଦର୍ଜା ଦେବା ଦାବିରେ ଅନୁଷ୍ଠିତ ଏକ ପ୍ରଦର୍ଶନୀ ସମୟରେ ଦୁଇଜଣ ଲଦ୍ଦାଖିଙ୍କର ମୃତ୍ୟୁ ହୋଇଥିଲା। ପ୍ରଦର୍ଶନର ସ୍ଥାନ ପରି ଦାବି ମଧ୍ୟ ସମାନ: ଲଦ୍ଦାଖ୍କୁ ରାଜ୍ୟ ଘୋଷଣା କରି ସେଠି ନିର୍ବାଚନ ମାଧ୍ୟମରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ପ୍ରଶାସନ ବାଛିବା ଏବଂ ଲଦ୍ଦାଖ୍କୁ ସିଡ୍ବୁଲ୍-6ରେ ସାମିଲ୍ କରିବା। ୟା ଭିତରେ ଭାରତ ସରକାରଙ୍କ ସହ ଅନେକଥର ଆଲୋଚନା ହେବା ସହ ଏହି ସମାନ ଦାବି ନେଇ ଶ୍ରୀ ସୋନମ୍ ଓ୍ବାଙ୍ଗଚୁକ୍ ଦିଲ୍ଲୀ ଯାତ୍ରା କରିଥିବା ବେଳେ ତାଙ୍କୁ ଦିଲ୍ଲୀର ସୀମା ପାଖରୁ ଫେରାଇ ମଧ୍ୟ ଦିଆ ଯାଇଛି।
ବୁଧବାର, ୨୪/୯/୨୦୨୫ ଦିନ ଲଦ୍ଦାଖରେ ଦେଖା ଯାଇଥିବା ଜେନ୍-ଜି ଆନ୍ଦୋଳନକୁ ଦେଖି ହୁଏତ ଆପଣଙ୍କ ମନକୁ ଆସିପାରେ ଯେ ଏଇ ନିକଟ ଅତୀତରେ ପଡୋଶୀ ଦେଶ ନେପାଳର ଜେନ୍-ଜି ଆନ୍ଦୋଳନ ଦ୍ବାରା ଏହା ପ୍ରଭାବିତ। କିନ୍ତୁ ଲଦ୍ଦାଖର ଏ ବିରୋଧ ପ୍ରଦର୍ଶନ, ଏ ଜନ ଆନ୍ଦୋଳନ ଆଜିର ନୁହେଁ, ଏହା ଲଗାତାର ୨୦୨୧ ମସିହାରୁ ଚାଲି ଆସିଛି। ୨୦୧୯ ମସିହାରେ ଯେତେବେଳେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ, ଲଦ୍ଦାଖକୁ ଜମ୍ମୁ-କାଶ୍ମୀରରୁ ଅଲଗା କରି ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଗଲା, ସେତେବେଳେ ଲଦ୍ଦାଖର ଜନତା ଖୁବ୍ ଖୁସି ହୋଇଥିଲେ ଏବଂ କେନ୍ଦ୍ରସରକାରଙ୍କ ଏହି ନିର୍ଣ୍ଣୟକୁ ସମର୍ଥନ ମଧ୍ୟ କରିଥିଲେ। ୨୦୧୯ ପରଠାରୁ କେନ୍ଦ୍ରଶାସିତ ଅଞ୍ଚଳ ଲଦ୍ଦାଖର ଗଭର୍ନାନ୍ସ ବା ପ୍ରଶାସନ ସିଧାସଳଖ ଦିଲ୍ଲୀରୁ ନିୟୋଜିତ ସରକାରୀ ଅଧିକାରୀଙ୍କ ଦ୍ଵାରା ହୋଇ ଆସୁଛି। ତେଣୁ ଲଦ୍ଦାଖକୁ ଗୋଟିଏ ରାଜ୍ୟ ଘୋଷିତ କରି ତା’ର ଗୋଟିଏ ସ୍ଥାନୀୟ ନିର୍ବାଚିତ ସରକାର ଓ ପ୍ରଶାସନର ଦାବି ଲଗାତାର ଉଠି ଆସୁଛି। ଏହାଛଡା ଲଦ୍ଦାଖର ଲୋକସଭା ଆସନକୁ ୧ରୁ ବଢ଼ାଇ ୨ କରିବା ପାଇଁ ମଧ୍ୟ ଦାବି ରହିଛି।
ବର୍ତ୍ତମାନର ଶାସନତନ୍ତ୍ର ଦ୍ବାରା ଆପଣା ଯାଇଥିବା ନିୟମ ଅନୁସାରେ ଯେକୌଣସି ବ୍ୟକ୍ତି ବାହାରୁ ଯାଇ ଲଦ୍ଦାଖ ଅଞ୍ଚଳରେ ବସବାସ କରିବା ସହ ଶିଳ୍ପ ଏବଂ ଔଦ୍ୟୋଗିକ ସ°ସ୍ଥା ଓ ବ୍ୟବସାୟ ପ୍ରତିଷ୍ଠା କରି ପାରିବେ। ଶୀତଳ ମରୁଭୂମି ବା cold desert ଭାବରେ ପରିଚିତ ଲଦ୍ଦାଖରେ ଖୁବ୍ କମ୍ ବର୍ଷା ଏବଂ ବର୍ଷର ଅଧିକାଂଶ ସମୟ ବରଫାବୃତ୍ତ ରହୁଥିବା କାରଣରୁ ଏଠି କୃଷିର ସମ୍ଭାବନା କମ୍, କାଁ ଭାଁ ବଡ଼ ବୃକ୍ଷ ଦୃଶ୍ୟମାନ ହେଉଥିବା ବେଳେ, ସାଧାରଣତଃ ଚାରଣ ବା ଘାସଭୂମି ଦେଖାଯାଏ। ତେଣୁ ବାହାରୁ ଶିଳ୍ପପତି ପ୍ରବେଶ କରି ବ୍ୟବସାୟ ପ୍ରତିଷ୍ଠାନ ଗଢ଼ିବା ଦ୍ବାରା, ସ୍ଥାନୀୟ ପଶୁପାଳକଙ୍କ ମନରେ ନିଜର ଯୁଗଯୁଗର ପ୍ରାକୃତିକ ଚାରଣ ଭୂମିକୁ ହରାଇବାର ଭୟ ରହିବା ସ୍ବାଭାବିକ। ଏଠାରେ ମହଜୁଦ ଥିବା ବରଫାବୃତ୍ତ ହିମାଳୟ ଶୃଙ୍ଗ, ବରଫର ହ୍ରଦ (glaciers and glacial lakes) ଏହି ଅଞ୍ଚଳର ଜଳର ମୁଖ୍ୟ ସ୍ରୋତ। ହିମାଳୟ ଅଞ୍ଚଳରୁ ଉତ୍ପନ୍ନ ଅନେକ ନଦୀକୁ ଏହି glacier ଗୁଡିକ ବର୍ଷ ତମାମ୍ ଜଳ ଯୋଗାଇଥା’ନ୍ତି। ପୃଥିବୀ ପୃଷ୍ଠରେ ଗଚ୍ଛିତ ଥିବା ମଧୁରଜଳ ଭଣ୍ଡାର ଗୁଡିକ ମଧ୍ୟରୁ ହିମାଳୟର ଏହି ଗ୍ଲାସିୟର ଗୁଡିକ ଅନ୍ୟତମ। କିନ୍ତୁ ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଗ୍ରୀନ୍-ହାଉସ୍ ଇଫେକ୍ଟ ଏହି ଅଞ୍ଚଳର ଜଳସ୍ରୋତ ବା ଗ୍ଲାସିୟର ଉପରେ କୁପ୍ରଭାବ ପକାଉଛି, ଯାହା ଏହି ଅଞ୍ଚଳରେ ପାଣିର ଉପଲବ୍ଧିକୁ ଅଭାବରେ ପରିଣତ କରିଛି। ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ଦିନୁଦିନ ବଢୁଥିବା ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଉପଲବ୍ଧ ସ୍ବଳ୍ପ ପ୍ରାକୃତିକ ସ°ସାଧନ ଉପରେ ଅତ୍ୟଧିକ ଚାପ ପକାଉଛି। କେନ୍ଦ୍ରସରକାରଙ୍କ ସ୍ଥାନୀୟ ପର୍ଯ୍ୟଟନ ଉଦ୍ୟୋଗକୁ ଆହୁରି ବିକଶିତ କରିବାର ଯୋଜନା ଗୁଡିକ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ଆତଙ୍କିତ କରୁଛି। ଏହା ଦ୍ବାରା ଯେ ଖାଲି ସେଠି ଉପଲବ୍ଧ ଖାଦ୍ୟ-ପାନୀୟ- ପ୍ରାକୃତିକ ସ°ସାଧନର ଦୁରୂପଯୋଗ ହେବ ତା’ ନୁହେଁ, ବର° ଗୋଟିଏ ଶୀତଳ ମରୁଭୂମିର ଇକୋସିଷ୍ଟମ୍କୁ ଧ୍ବ°ସ କରି, ପ୍ରଳୟ ଆଣିବା ପାଇଁ ଏହା ଯଥେଷ୍ଟ।
କିନ୍ତୁ ଜେନ୍-ଜିଙ୍କ ମଧ୍ୟରେ ଦେଖା ଯାଇଥିବା ଅସନ୍ତୋଷର କାରଣ ଯେ କେବଳ ଲଦ୍ଦାଖକୁ ରାଜ୍ୟ ପାହିୟା ନମିଳିବା କିମ୍ବା କେନ୍ଦ୍ର ସରକାରଙ୍କ ନୀତି ଯୋଗୁଁ ସେଠିକାର ଇକୋ ସିଷ୍ଟମ୍ ନଷ୍ଟ ହୋଇଯିବାର ଭୟ ତା’ ନୁହେଁ। ଏହାର ପଛରେ ଲଦ୍ଦାଖକୁ ସିଡ୍ବୁଲ୍-6ରେ ସାମିଲ କରିବାର ଦାବି ଏବଂ ବେରୋଜଗାରୀ ମଧ୍ୟ ରହିଛି। ସିଡ୍ବୁଲ୍-6 ଆମ ସମ୍ବିଧାନର ଧାରା Articles 244(2) and 275(1) ଅନ୍ତର୍ଭୁକ୍ତ। ବର୍ତ୍ତମାନ ଏହି ସିଡ୍ବୁଲ୍ରେ ଉତ୍ତର -ପୂର୍ବ ଭାରତର ସମୁଦାୟ ୧୦ଟି ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି। ଏହି ସିଡ୍ବୁଲ୍ ଅଧିନରେ ସ୍ଥାନୀୟ ଜନଜାତିର ଲୋକେ ସେମାନଙ୍କ ଦ୍ବାରା ନିର୍ବାଚିତ Autonomous District/ Region Council ଗଢ଼ି ନିଜ ଅଞ୍ଚଳର ଶାସନତନ୍ତ୍ରକୁ ନିଜ ହାତରେ ରଖିପାରିବେ। ଏହି କାଉନସିଲ୍ ସ୍ଥାନୀୟ ଜଳବାୟୁ, ପ୍ରାକୃତିକ ସ°ସାଧନ ଓ ଜନଜାତିର ପରମ୍ପରାକୁ ନଜରରେ ରଖି ଭୂମି ଅଧିଗ୍ରହଣ, ଜଙ୍ଗଲ, ଜଳସେଚନ, କୃଷି, ଗ୍ରାମୀଣ ପ୍ରାଶାସନିକ ବ୍ୟବସ୍ଥା, ବିବାହ ଓ ବିଚ୍ଛେଦ, ଉତ୍ତରାଧିକାରୀ ନିୟମ ଆଦି ଲାଗୁ କରି ପାରିବ। ଏହାଛଡା ଉକ୍ତ ଅଞ୍ଚଳରେ ବିଦ୍ୟାଳୟ, ଚିକିତ୍ସାଳୟ, ହାଟବଜାର ପ୍ରତିଷ୍ଠା, ରାସ୍ତା ନିର୍ମାଣ ଓ ଜଳଯୋଗାଣ ଆଦି ବିଷୟରେ ମଧ୍ୟ ନିଷ୍ପତ୍ତି ନେଇ ପାରିବ। ସ୍ଥାନୀୟ ବାସିନ୍ଦା ମାନେ ଏଇ କାଉନସିଲ୍ ମାଧ୍ୟମରେ ନିଜ ଅଞ୍ଚଳ ପାଇଁ ବଜେଟ୍ ପ୍ରସ୍ତୁତ କରିବା, ଟିକସ ଆଦାୟ କରିବା ଏବଂ ବାହାରୁ ଆସୁଥିବା ବ୍ୟାବସାୟିକ ପ୍ରତିଷ୍ଠାନକୁ ଅନୁମତି ଦେବା ନଦେବା ଆଦିର ନିଷ୍ପତ୍ତି ନେଇପାରିବେ। ଲଦ୍ଦାଖର ମୋଟ ଜନସ°ଖ୍ୟାର ପାଖାପାଖି ୯୦% ଜନଜାତି ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥାବା କାରଣରୁ, ଲଦ୍ଦାଖକୁ ଭାରତୀୟ ସମ୍ବିଧାନର ସିଡ୍ବୁଲ୍-6 ଅର୍ନ୍ତଭୁକ୍ତ କରିବାର ଲଗାତାର ଦାବି ଯୁକ୍ତିଯୁକ୍ତ କି ନୁହେଁ ତାହା ବିଚାର କରିବା ଦାୟିତ୍ବ ଆମର ମଧ୍ୟ।
୨୦୧୯ ପର୍ଯ୍ୟନ୍ତ ଲଦ୍ଦାଖ୍, ଜମ୍ମୁ ଏବଂ କଶ୍ମୀର ଗୋଟିଏ ରାଜ୍ୟ ଥିବା ସମୟରେ ଯାହା ବି ନିଯୁକ୍ତିର ସୁଯୋଗ ଉପଲବ୍ଝ ରହୁଥିଲା, ସେଥିରୁ ବର୍ତ୍ତମାନର ଯୁବପିଢି ବା ଜେନ୍-ଜି ସମ୍ପୂର୍ଣ୍ଣ ଭାବରେ ବଞ୍ଚିତ ଅଛନ୍ତି। ଭାରତରେ ରାଷ୍ଟ୍ରୀୟ ଶିକ୍ଷା ହାର ୮୦% ରହିଥିବା ବେଳେ ଲଦ୍ଦାଖରେ ଶିକ୍ଷା ହାର ୯୭% ରହିଛି। କିନ୍ତୁ ୨୦୨୩ରେ କରା ଯାଇଥିବା ଏକ ସର୍ଭେ ଅନୁସାରେ ପାଖାପାଖି ୨୬.୫% ଲଦ୍ଦାଖୀ ଶିକ୍ଷିତ ଯୁବକ ବେକାର ଅଟନ୍ତି, ଯାହାକି ଆମ ରାଷ୍ଟ୍ରୀୟ ବେକାରୀ ହାର ଠାରୁ ପାଖାପାଖି ଦୁଇ ଗୁଣ। ସେଠିକାର ଜଳବାୟୁ, ସ°ସାଧନ, ଇକୋ ସିଷ୍ଟମ୍, ଲୋକଙ୍କ ଜୀବନଶୈଳୀ ତଥା ନିଯୁକ୍ତି ସୁଯୋଗ ପାଇଁ ସ୍ଥାନୀୟ ବାସିନ୍ଦା ଲଦ୍ଦାଖକୁ ସ୍ବତନ୍ତ୍ର ରାଜ୍ୟ ଘୋଷଣା କରିବା ସହ ତାଙ୍କ ରାଜ୍ୟର ସ୍ବତନ୍ତ୍ର ପ୍ରାଶାସନିକ ସେବା ପରୀକ୍ଷା କରାଇବା ପାଇଁ ଦାବି ରଖି ଆସୁଛନ୍ତି (ଯେମିତି ଆମ ରାଜ୍ୟରେ OPSC ରହିଛି)। ଏହା ଦ୍ବାରା ତାଙ୍କ ଅଞ୍ଚଳର ଶାସନ ତଥା ପଲିସିମେକି°ର ପାଓ୍ବାର ସେମାନଙ୍କ ନିଜ ହାତରେ ରହିବ ବୋଲି ସେମାନେ ମତ ରଖୁଛନ୍ତି। ଗୋଟିଏ ଅଞ୍ଚଳର ଅଧିବାସୀଙ୍କୁ ବର୍ଷ ବର୍ଷ ଧରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ଏବ° ରୋଜଗାରର ସୁଯୋଗରୁ ବଞ୍ଚିତ କରିବାର ପରିଣତି ବୁଧବାରର ଜେନ୍-ଜି ଆନ୍ଦୋଳନ ଭାବରେ ସାମ୍ନାକୁ ଆସିଛି ବୋଲି ଶ୍ରୀ ଓଙ୍ଗଚୁକ୍ ମତ ରଖିଛନ୍ତି। କେବଳ ଯେ ଲଦ୍ଦାଖରେ ଯୁବପିଢି ବା ଜେନ୍-ଜି ଭିତରେ ଏ ପ୍ରକାର ଅସନ୍ତୋଷ କିମ୍ବା ଆନ୍ଦୋଳନ ଦେଖା ଯାଇଛି ତା’ ନୁହେଁ, ଉତ୍ତରାଖଣ୍ଡରେ ମଧ୍ୟ UKSSSC ଭର୍ତ୍ତି ପରୀକ୍ଷାର ପେପର୍-ଲିକ୍ ଏବଂ ପରୀକ୍ଷା ପୂର୍ବରୁ ପୁଲିସ୍ ଦ୍ବାରା ଗୋଟିଏ ରାଜନୈତିକ ଦଳର ଦୁଇ ପୂର୍ବତନ କର୍ମୀଙ୍କୁ ପରୀକ୍ଷାର୍ଥୀଙ୍କ ଠାରୁ ୧୫ଲକ୍ଷ ଟଙ୍କା ନେବା ମାମଲାରେ ଗିରଫ କରିବାକୁ ନେଇ ହଲଦ୍ବାନୀରେ ଯୁବ ପିଢି ଆନ୍ଦୋଳନରେ ଅଛନ୍ତି। ସବୁଠାରୁ ଦୁଃଖ ଏବଂ ଚିନ୍ତାର ବିଷୟ ହେଉଛି ସ୍ଥାନୀୟ ସରକାର ଏହା ନେପାଳ ଜେନ୍-ଜି ଆନ୍ଦୋଳନକୁ ନକଲ କରି କରା ଯାଇଛି ବା ‘ନକଲ ଜିହାଦ୍’ ବୋଲି କହିଛନ୍ତି ସେହିପରି ଏଇ ସେପ୍ଟେମ୍ବର ୨୦୨୫ରେ ହିଁ ବିହାରରେ ଶିକ୍ଷକ ନିଯୁକ୍ତିକୁ ନେଇ ବେରୋଜଗାର ଯୁବ ପିଢିଙ୍କ ଆନ୍ଦୋଳନ ଏବଂ ଆସାମର ତିନସୁକିଆଠାରେ ମୋରନ୍ ସ°ମ୍ପ୍ରଦାୟ ଦ୍ବାରା ସେମାନଙ୍କୁ ଜନଜାତି ଆଖ୍ୟା ଦିଆଯାଇ ସିଡ୍ବୁଲ୍-6ରେ ସାମିଲ୍ କରିବା ପାଇଁ ପାଖାପାଖି ୨୦୦୦୦ ଯୁବକ-ଯୁବତୀ ଏକାଠି ହୋଇ ଆନ୍ଦୋଳନ କରିଛନ୍ତି।
କେବଳ ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ନୁହେଁ ୨୦୨୧ରୁ ଆରମ୍ଭ ହୋଇଥିବା କୌଣସି ମଧ୍ୟ ଅନଶନ କିମ୍ବା ଆନ୍ଦୋଳନ ସମୟରେ ଲଦ୍ଦାଖରେ ଅସହିଷ୍ଣୁତା କିମ୍ବା ହି°ସା ଦେଖାଯାଇ ନାହିଁ। କିନ୍ତୁ ଚଳିତ ଆନ୍ଦୋଳନ ସମୟରେ ଯେତେବେଳେ ୨୩ ତାରିଖ ସନ୍ଧ୍ୟାରେ ଦୁଇ ଜଣ ୬୨ ଏବଂ ୭୧ ବର୍ଷୀୟ ପ୍ରଦର୍ଶନକାରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ, ସେବେ ଆନ୍ଦୋଳନକାରୀ ଯୁବ ପିଢିର ଧୈର୍ଯ୍ୟଚ୍ୟୁତି ଘଟିଥିଲା ଏବଂ ସେମାନେ ବୁଧବାର ଦିନ ରାଜନୈତିକ ଦଳର କାର୍ଯ୍ୟାଳୟ, ପୁଲିସ୍ ଭ୍ୟାନ୍ ଆଦିରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ପୁଲିସ ପକ୍ଷରୁ ପାଲଟା ଗୁଳି ଚାଳନା କାରଣରୁ ଚାରି ଜଣଙ୍କର ମୃତ୍ୟୁ ଏବଂ ନବେ ଜଣ ଆହତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ଶାନ୍ତିବାର୍ତ୍ତା ପାଇଁ ଗଠିତ କମିଟିର ଜଣେ ସଦସ୍ୟ ସାଜିଦ୍ କାର୍ଗିଲିଙ୍କ ମତରେ, “ଆଜି ଲଦ୍ଦାଖରେ ଜେନ୍-ଜିର ଯେଉଁ ଆକ୍ରୋଶ ଓ ପଦକ୍ଷେପ ଦେଖିବାକୁ ମିଳିଲା ତାହା ସେମାନଙ୍କର ବର୍ଷ ବର୍ଷର ହତାଶା ଓ କ୍ଷୋଭର ରୂପ। ଅତି କମ୍ରେ ଏବେ ଭାରତ ସରକାର ଏ ପରିସ୍ଥିତିକୁ ଅଣଦେଖା ନକରି ସମାଧାନର ରାସ୍ତା ଖୋଜିବା ଦରକାର ।”
ବୁଧବାର ଲଦ୍ଦାଖର ଜେନ୍-ଜି ଆନ୍ଦୋଳନ ହି°ସ୍ର ରୂପ ନେଲା ପରେ ଶ୍ରୀ ସୋନମ୍ ଓ୍ବାଙ୍ଗଚୁକ୍ ଅନଶନରୁ ହଟିବା ସହ, ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ସ୍ଥଗିତ କରି ଦେଇଛନ୍ତି ଏବଂ ସରକାରଙ୍କ ତରଫରୁ ସେଠି କର୍ଫ୍ୟୁ ଜାରି କରା ଯାଇଛି। ଶ୍ରୀ ଓ୍ବାଙ୍ଗ୍ଚୁକଙ୍କ ବିପକ୍ଷରେ ସିବିଆଇ ତଦନ୍ତ ପାଇଁ ପ୍ରସ୍ତାବ ରଖା ଯାଇଛି। କିନ୍ତୁ ଏ ସବୁ ପଦକ୍ଷେପ କ’ଣ ଲଦ୍ଦାଖର ଜେନ୍-ଜିର ମନରେ ଥିବା କ୍ଷୋଭ, ହତାଶା ଓ ଅସୁରକ୍ଷାର ଭାବନାକୁ ଶାନ୍ତ କରିଦେବା ପାଇଁ ଯଥେଷ୍ଟ? ମୋର ଆଜି ପୁଣି ଦୁଇ ବର୍ଷ ପୂର୍ବରୁ ଦେଖିଥିବା ଲଦ୍ଦାଖି ଝିଅ, ଛାତ୍ର ଓ ରାପର୍ ଲା-ଡୋଲଙ୍କ ରାପ୍-ସଙ୍ଗ୍ ମନେ ପଡି ଯାଉଛି…….ହେ କୈସା ରାଜ୍ୟ, ଜିସମେ ବୋଲନେ କା ଭି ହକ୍ ନା ହୋ…….ୟୁହିଁ ନ ବୋଲତେ ହମ୍, କି ଖତରେ ମେ ହୈ ହମାରା ଘର୍…..ନଦେଖା ହୋ ତୋ, ଯାକେ ଦେଖଲୋ ୟୁଟ୍ୟୁବ୍ ପର୍…….