ଖୁସିରେ ବଞ୍ଚିବା ପାଇଁ ମଣିଷକୁ ସାମାଜିକ ସମ୍ପର୍କ ଗୁଡିକର ଆବଶ୍ୟକତା ରହିଥାଏ l ମାତ୍ର ଆଜିକାଲି ଦେଖାଯାଉଛି ମଣିଷ ସବୁ ସମ୍ପର୍କ ଛିନ୍ନ କରି ଏକାକୀ ଜୀବନ ବିତେଇବାକୁ ପସନ୍ଦ କରୁଛି l ବିଶେଷ କରି ଯୁବବର୍ଗ ; ଯେଉଁମାନଙ୍କ ଜୀବନ ଉତ୍ସାହ, ଫୁର୍ତ୍ତି ଏବଂ ଜୀବନୀଶକ୍ତିରେ ଭରପୁର ହେବା କଥା, ସେମାନଙ୍କ ଭିତରେ କ୍ରମଶଃ ସମାଜ ଠାରୁ ଦୂରେଇ ରହିବା ପ୍ରବୃତ୍ତି ଲକ୍ଷ୍ୟ କରାଯାଉଛି l ତଥ୍ୟ ରହିଛି ଯେ ବିଶ୍ୱରେ ୬ ଜଣଙ୍କ ମଧ୍ୟରୁ ଜଣେ ଏକୁଟିଆପଣର ଶିକାର ହୁଅନ୍ତି, ଯାହା ଘଣ୍ଟା ପ୍ରତି ୧oo ଟି ମୃତ୍ୟୁ ଏବଂ ବାର୍ଷିକ ୮, ୭୧, ooo ମୃତ୍ୟୁ ସହ ସମ୍ପୃକ୍ତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (ଡବ୍ଲୁଏଚଓ ) ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ସମାଜିକ ସମ୍ପର୍କ ଭିତରେ ବସବାସ କରୁଥିବା ଲୋକମାନେ ସୁସ୍ଥ ଏବଂ ଦୀର୍ଘ ଜୀବନ ବଞ୍ଚନ୍ତି l
ଏକୁଟିଆପଣ ସବୁବର୍ଗର ଲୋକଙ୍କୁ ପ୍ରଭାବିତ କରୁଥିଲେ ମଧ୍ୟ ଯୁବଗୋଷ୍ଠୀ, ମଧ୍ୟବିତ୍ତ ଏବଂ ନିମ୍ନମଧ୍ୟବିତ୍ତ ବର୍ଗଙ୍କୁ ଏହା ସର୍ବାଧିକ କ୍ଷତି ପହଞ୍ଚାଇଥାଏ l ୧୩ ରୁ ୨୯ ବର୍ଷ ବୟସ୍କମାନଙ୍କ ମଧ୍ୟରୁ ୧୭% ରୁ ୨୧% ଏକୁଟିଆପଣ ଭୋଗୁଥିଲେ ମଧ୍ୟ ୧୩ ରୁ ୧୯ ବର୍ଷ ବା କିଶୋର ବର୍ଗଙ୍କ ଭିତରେ ଏହା ସର୍ବାଧିକ l ଏହି ବୟସସୀମାରେ ଥିବା ପିଲାମାନଙ୍କର ଏହା ଥାଏ ପଢ଼ିବାର ବୟସ ; ମାତ୍ର ପରିସଂଖ୍ୟନ କହେ ଏକାକୀ ରହିବା କାରଣରୁ ଶିକ୍ଷା କ୍ଷେତ୍ରରେ ସଫଳତା ନ ପାଇବାର ସମ୍ଭାବନା ମଧ୍ୟ ଏମାନଙ୍କ ଠାରେ ସାଧାରଣ ପିଲାଙ୍କ ଅପେକ୍ଷା ୨୨ % ଅଧିକ l ତେବେ ଚିନ୍ତା କରନ୍ତୁ ନିଜକୁ ସମାଜ ଠାରୁ ବିଛିନ୍ନ କରି ଏ କୋମଳ ବୟସର ପିଲାମାନେ ପାଉଛନ୍ତି କଣ ? ଆହୁରି ମଧ୍ୟ ଦେଖାଯାଇଛି ଅନ୍ୟାନ୍ୟ ବର୍ଗ ଯେପରିକି ଭିନ୍ନକ୍ଷମ, ଶରଣାର୍ଥୀ ବା ପ୍ରବାସୀ, ଏଲ.ଜି.ବି.ଟି.କ୍ଯୁ. ବ୍ୟକ୍ତି, ଆଦିବାସୀ ସମୂହ ଏବଂ ଜାତୀୟ ଅଳ୍ପସଂଖ୍ୟକ ଗୋଷ୍ଠୀ ଯେଉଁମାନେ ଅସମାନତାକୁ ସାମନା କରନ୍ତି, ସେମାନଙ୍କ ଜୀବନଶୈଳୀରେ ମଧ୍ୟ ସାମାଜିକ ସୁଧାର ଆସିବା ଜଟିଳ ହୋଇଥାଏ l ପରିଣାମ ସେମାନେ ସହଜରେ ସମସ୍ତଙ୍କ ସହ ମିଶି ନ ପାରି ସମାଜ ଭିତରେ ରହି ମଧ୍ୟ ଏକୁଟିଆ ବ୍ୟକ୍ତି ଭଳି ଜୀବନଯାପନ କରନ୍ତି l
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ପରସ୍ପର ସହ ଯୋଡିହେବାର, ପରସ୍ପର ସହ ମିଳାମିଶା କରିବାର ଉନ୍ନତ ଏବଂ ଏକାଧିକ ବିକଳ୍ପ ଥିବା ସତ୍ତ୍ୱେ ଏଭଳି କିଛିଜଣ ଏକାକୀ ରହି ନିରାଶା ଏବଂ ରଙ୍ଗହୀନ ଜୀବନ ବଞ୍ଚୁଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ଲାଗେ l ଏହାଦ୍ୱାରା ସେହି ବ୍ୟକ୍ତିର କେବଳ ପରିବାର ବା ସମୂହ କ୍ଷତିଗ୍ରସ୍ତ ହେଉନାହାନ୍ତି ; ବରଂ ସାମାଜିକ ସମ୍ପର୍କ ଛିନ୍ନ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ରୋଜଗାର ମଧ୍ୟ ବାଧାପ୍ରାପ୍ତ ହେଉଛି l ଏକାକୀ ଜୀବନ ବିତେଇବା ବା ଘର ଭିତରେ ଆବଦ୍ଧ ହୋଇ ସମୟ ଅତିବାହିତ କରିବା ବର୍ତ୍ତମାନ ସମୟର ଏକ ବଡ଼ ସଂଘର୍ଷ l ଏହି ବର୍ଗର ଲୋକମାନେ ଆର୍ଥିକ ଭାବରେ ସ୍ୱଚ୍ଛଳ ତ ହୁଅନ୍ତି ନାହିଁ ବରଂ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଆଧାରରେ ମଧ୍ୟ ଦୁର୍ବଳ ପ୍ରମାଣିତ ହୁଅନ୍ତି l ଯାନ୍ତ୍ରିକ ଯୋଗାଯୋଗରେ ପୃଥିବୀରେ ବସବାସ କରୁଥିବା ଲୋକମାନେ ପାହାଚ ପରେ ପାହାଚ ଆଗକୁ ଯାଉଥିବା ବେଳେ, ଯୁବଗୋଷ୍ଠୀ ଏକାକୀ ଅନୁଭବ କରିବା କେବଳ ଦୁଃଖ ନୁହେଁ ଚିନ୍ତାର ମଧ୍ୟ ବିଷୟ l ପ୍ରଯୁକ୍ତିବିଦ୍ୟା ଯେମିତି ଆମ ଜୀବନଶୈଳୀଙ୍କୁ ନୂତନ ଆକାର ଦେଇଛି, ତାକୁ ଅନୁଧ୍ୟାନ କଲେ ପରସ୍ପର ସହ ଆମର ସମ୍ପର୍କ ଦୁର୍ବଳ ନୁହେଁ ବରଂ ଆହୁରି ଦୃଢ଼ ହେବା ଉଚିତ l
ତେବେ କଣ ହୋଇଥାଇପାରେ ଏହା ପଛର କାରଣ ? ଯେଉଁ ଦୁଇଟି କାରଣ ଏହା ପାଇଁ ଦାୟୀ, ସେଥିରୁ ଗୋଟିଏ ହେଉଛି, ଏବେର ଯୁବସମାଜ ନିଜକୁ ପରିବାର, ପାଖପଡୋଶୀ ସାଙ୍ଗସାଥୀ ଠାରୁ ଦୂରେଇ ଦେଇ ସାମାଜିକ ଗଣମାଧ୍ୟମ ସହ ଅଧିକ ସମୟ ବିତାଉଛନ୍ତି l ଆଭାସୀ କଥାବାର୍ତ୍ତା, ଆଭାସୀ ସାଙ୍ଗସାଥୀ ସେମାନଙ୍କୁ ଅଧିକ ସନ୍ତୋଷ ପ୍ରଦାନ କରୁଛି l ଏହା ପଛର କାରଣ ଏହା ବି ଯେ, ସେମାନଙ୍କ ବ୍ୟକ୍ତିଗତ ପରିଚୟ ଏଥିରେ ଗୋପନ ରହୁଛି, ଦୁନିଆର ଯେକୌଣସି କୋଣଅନୁକୋଣରୁ ନିଜ ସାମାନ ଚିନ୍ତାଧାରା ଥିବା ସାଥୀ ସେମାନେ ଚୟନ କରି ବନ୍ଧୁତ୍ୱ ରଖୁଛନ୍ତି l ବାହାରକୁ ନ ଯାଇ ପାଠପଢ଼ା ଠାରୁ ଆରମ୍ଭ କରି ଚାକିରୀ, ବ୍ୟବସାୟ, ମନୋରଞ୍ଜନ, କିଣାବିକା, ଵିଜ୍ଞାପନ, ରୋଜଗାର ଆଦି ସବୁ ସମ୍ଭବ ହୋଇପାରୁଛି l ଲୋକଙ୍କ ପାଖକୁ ସଶରୀରେ ନ ଯାଇ ମଧ୍ୟ ସବୁପ୍ରକାର କାମ ସମ୍ଭବ ହୋଇପାରୁଥିବାରୁ ସେମାନେ ଏକୁଟିଆ ରହିବାକୁ କିଛି ଭୁଲ ଭାବୁନାହାନ୍ତି l
ଦ୍ଵିତୀୟ କାରଣ ହେଉଛି ଯୁବବର୍ଗଙ୍କ ଭିତରେ ପରସ୍ପରକୁ ନେଇ ହେଉଥିବା ତୁଳନା l ଦେଖାଯାଏ ଯେ ସମାନ ବୟସର ପିଲାମାନଙ୍କୁ ବାପାମାଆ ଓ ପରିବାର ସଦସ୍ୟ ତୁଳନା କରନ୍ତି ସେମାନଙ୍କ ସଫଳତା, ଆଚରଣ, ବ୍ୟବହାର, କାର୍ଯ୍ୟଶୈଳୀ ଓ କ୍ୟାରିଅର ଚୟନ ନେଇ l ପିଲାମାନେ ଯେତେ ସମାଜରେ ଚଳପ୍ରଚଳ ହେବେ ଲୋକଙ୍କ ପ୍ରଶ୍ନ, ' ତୋ ସାଙ୍ଗ ଏତେ ଭଲ ନମ୍ବର କେମିତି ରଖିଲା ? ', ' ତାକୁ କେମିତି ଏତେ ଭଲ ଜାଗାରେ ଚାକିରୀ ମିଳିଲା ? ', ' ତୁ କାହିଁକି ତୋ ସାଙ୍ଗ ଭଳି ସବୁକାମ ଠିକ ସମୟରେ କରୁନାହୁଁ ?', ର ଉତ୍ତର ସେମାନଙ୍କୁ ଦେବାକୁ ହୁଏ l ଏହି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ସେମାନେ ବରଂ ଏକୁଟିଆ ରହିବାକୁ ପସନ୍ଦ କରୁଛନ୍ତି l ମାତ୍ର ଚିନ୍ତାର ବିଷୟ ଏହା ଯେ ଏକାକୀ ରହିବା ଦ୍ୱାରା ସେମାନେ ମାନସିକ ଏବଂ ଶାରୀରିକ ଅସୁସ୍ଥତା ଭୋଗୁଛନ୍ତି l ମାନସିକ ଚାପ ସହି ନ ପାରି ଅବସାଦଗ୍ରସ୍ତ ଜୀବନ ବଞ୍ଚିବା ଦ୍ୱାରା ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଛନ୍ତି l ମାନସିକ ଭାରସାମ୍ୟ ହରେଇ ସମାଜ ପାଇଁ କ୍ରମେ ଅଯୋଗ୍ୟ ମଣିଷ ରୂପେ ପରିଚିତ ହେଉଛନ୍ତି l ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି, ହୃଦଘାତ୍, ହୃଦରୋଗ, ମଧୁମେୟ, ସ୍ମୃତି ଏବଂ ବୋଧଶକ୍ତି ହ୍ରାସ ପାଇବା ଏବଂ ଅକାଳ ମୃତ୍ୟୁ ହେବାର ମଧ୍ୟ ଅନେକ ଉଦାହରଣ ରହିଛି l
ଏଣୁ ଆବଶ୍ୟକତା ଅଛି ପିଲାମାନଙ୍କୁ ବିଶେଷ କରି କିଶୋର ଅବସ୍ଥାରେ ଥିବା ପିଲାଙ୍କୁ ପରିବାର ଏବଂ ମାତାପିତାଙ୍କ ଠାରୁ ବିଶେଷ ଧ୍ୟାନ, ଯତ୍ନ, ସ୍ନେହ ଓ ଆଦର ମିଳିବା ଉଚିତ l ସେମାନେ ଚାହିଁଲେ ହିଁ ପିଲାମାନେ ସାମାଜିକ ସମ୍ପର୍କ ରଖିବାକୁ ଆଗ୍ରହୀ ହେବେ l କେଉଁ ପିଲାକୁ କେଉଁ ସମୟରେ କଣ ଦରକାର ପରିବାର ଠାରୁ ଅଧିକ କିଏ ଅବା ଜାଣେ ! ଏକଲାପଣ ଏକ ଗମ୍ଭୀର ସମସ୍ୟା, ଏହାର ସମାଧାନ ପାଇଁ ଯୁବବର୍ଗ ସାମାଜିକ ସମ୍ପର୍କ ଦୃଢ଼ କରିବା, ଆତ୍ମ- ବିକାଶ ଏବଂ ପରିବାର ସହ ଅଧିକରୁ ଅଧିକ ସମୟ ବିତେଇବା ଭଳି କିଛି ପଦକ୍ଷେପ ନେଲେ ନିଶ୍ଚୟ ସୁଫଳ ମିଳିବ l
Mobile :6370516478