ଭୋକିଲାପେଟର କାହାଣୀ

ଭୋକିଲାପେଟର କାହାଣୀ
ସକାଳ ପହରୁ ସାରିଆ କୁଆଡେ ଯାଇଛି ଯେ ଯାଇଛି । ଘରେ ଏକୁଟିଆ ଶାଶୁ ବୁଢ଼ୀକୁ ପାଞ୍ଚବର୍ଷର ଝିଅ । ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲେଣି । ଭୋକରେ ହଂସା ଉଡ଼ିଲାଣି ବୁଢ଼ୀର ।
  -- ସାରିଆ ....ଆଲୋ , ଏ ପୋଡାମୁହିଁ ସାରିଆ ....  କୁଆଡେ ଗଲୁ...
          ବୁଢ଼ୀ ଡାକି ଡାକି ଆସି ବସି ପଡ଼ିଲା ବାରଣ୍ଡାରେ ଖୁଣ୍ଟକୁ ଆଉଜି । ମନ ଭିତରେ ଗାରୁଗାରୁ ହେଲା ବହେ । "କୁଆଡେ ଗଲା କେଜାଣି ସେ ପୋଡାମୁହିଁ । କାହିଁ ସକାଳୁ ନାଲି ଚାହାରେ ଖୁଦଭଜା ଟିକେ ପକେଇ ପିଇଥିଲି ଯେ ସେ କୁଆଡେ ପେଟ ତଳେ ଯାଇ ପଡ଼ିଲାଣି । ଭୋକରେ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଲାଣି । କେତେବେଳେ ଖାଇବାକୁ ଦବ ଆଜି କେଜାଣି ? କହିଥିଲା ତ ଚୁଡା କି ଚାଉଳ ମୁଠାଏ କୋଉଠୁ ଯୋଗାଡିକି ଆଣିବ ବୋଲି ।"   କହି କହି ବୁଢ଼ୀ ଭାତ ହାଣ୍ଡି ପାଖକୁ ଗଲା । ଦେଖିଲା ବାସି ଭାତ ଗଣ୍ଡାଏ ଆଉ ତୋରାଣି ଅଧ ହାଣ୍ଡିଏ ଅଛି । ବୁଢ଼ୀ ସେଥିରୁ ଗଣ୍ଡାଏ ଭାତ ଆଣି ତେନ୍ତୁଳି ଟିକେ ଦଳି ଦେଇ ଖାଇବାକୁ ବସିଲା । ଦି ଗୁଣ୍ଡା ଭାତ ପାଟିକି ନେଇଛି କି ନାହିଁ ସାରିଆ ଆସି ପହଞ୍ଚିଲା ଘରେ। ତା'ର ଶୁଖିଲା ଆଉ ହତାଶିଆ ମୁହଁକୁ ଦେଖି ବୁଢ଼ୀ ଜାଣିଦେଲା ଯେ ଆଜି ଏ ବେଳା ରୋଷେଇ ବନ୍ଦ । କିଛି ପଚାରି ପାରିଲାନି ମଧ୍ୟ ବୋହୂକୁ। ଚୁପ ରହିଲା। ସାରିଆ ମଧ୍ୟ ଚୁପଚାପ ଯାଇ କୂଅମୂଳରେ ଧୁଆଧୋଇ ହେଲା ଆଉ ଢକଢକ କରି ପାଣି ଢାଳେ ପିଇଗଲା । ତା' ପରେ ଗଲା ଝିଅ ପାଖକୁ । ପାଞ୍ଚ ବର୍ଷର ଛୁଆଟି ବିଚାରି ଶୋଇ ପଡିଛି ଭୋକରେ । ତାକୁ ନିଦରୁ ଉଠେଇ ବଳକା ଭାତତକ ବାଢ଼ିଦେଲା ଆଉ ଥକ୍କା ମାରି ବସି ପଡ଼ିଲା। ଝିଅ ଭୋକ ବିକଳରେ ଖାଉଥିବା ବେଳେ ତା ପଖାଳ କଂସାକୁ ଲୋଭିଲା ଆଖିରେ ଚାହିଁ ରହିଥାଏ ସାରିଆ । ତାକୁ ଲାଗୁଥାଏ ଯେମିତି ତାର ଭୋକ ଚାରିଗୁଣ ବଢି ଯାଇଛି । ତା'ର ମନ କହୁଥାଏ ଝିଅ ଭାତ ଗୁଣ୍ଡାଏ କି ତୋରାଣି ଢୋକେ କଂସାରେ ଛାଡି ଯାଆନ୍ତା କି , ସେତକ ମଧ୍ୟ ଯଥେଷ୍ଟ ହୁଅନ୍ତା ତା ତଣ୍ଟି ଓଦା କରିବାକୁ ଆଉ ପେଟର ଭୋକକୁ ସାନ୍ତ୍ୱନା ଦେବାକୁ । କିନ୍ତୁ ଝିଅ ପେଟକୁ ବି ସେତକ ନିଅଣ୍ଟ । ତୋରାଣି ଠୋପେ ବି ବଳି ନଥିଲା ଆଉ କଂସାରେ ।
ପର ମୁହୂର୍ତ୍ତରେ ପୁଣି ନିଜକୁ ସମ୍ଭାଳି ନେଲା ସାରିଆ ଆଉ ଭାବିଲା ଏ ବେଳକ ଭୋକ ସମ୍ଭାଳି ଦେଲେ ରାତିରେ ସାହୁଘର ଝିଅ ବାହାଘର। ଭଲ ହଉ କି ମନ୍ଦ ହଉ ଗଣ୍ଡେ ଖାଇବାକୁ ତ ମିଳିଯିବ । ତା ପରେ ରାତି ପାହିଲେ ପୁଣି ଦେଖିବା । କାହା ଘରେ ଦି' ପାଇଟି କରିଦେଲେ ଦି' ପଇସା ମିଳିଯିବନି କି।
        ସଞ୍ଜ ଯାଇ ରାତି ହେଲା । ବାଣ , ରୋଷଣୀ ଆଉ ବରଯାତ୍ରୀଙ୍କ ନାଚରେ ସାହୁଘର ଦାଣ୍ଡ କମ୍ପୁଛି । କିନ୍ତୁ ଏଥିପ୍ରତି ଆଦୌ ନିଘା ନାହିଁ ସାରିଆର । ତାକୁ ଖାଲି ଦିଶି ଯାଉଛି ଭଳିକି ଭଳି ଖାଦ୍ୟ ଆଉ ନାକକୁ ବାସି ଯାଉଛି ଖିରି, ପୁରି , ବେସର ଆଉ ମହୁରର ବାସ୍ନା । ବୁଢ଼ୀ ଆଉ ଝିଅକୁ ଧରି ସାରିଆ ପହଞ୍ଚିଲା  ସାହୁଘର ଖଳାବାଡ଼ିରେ । ସାହୁଘର ମୂଲିଆ ମାନଙ୍କ ସହ ପତ୍ର ପକେଇ ଅପେକ୍ଷା କଲା ଖାଦ୍ୟକୁ । ତା ପରେ ପେଟେ ଖାଇ ଫେରିଲା ଘରକୁ । ଆରାମରେ ଶୋଇ ପଡ଼ିଲା ଝିଅକୁ ଧରି । ସକାଳୁ ଉଠିଲେ ପୁଣି କାମ ଖୋଜିବାକୁ ପଡିବ । 
         କାଉର କା' ଡାକରେ ନିଦ ଭାଙ୍ଗିଲା ସାରିଆ ର। କିନ୍ତୁ ଏ କଣ ? ଝିଅଟାର ଦେହ ଯେ ତାତିରେ ଖଇ ଫୁଟୁଛି । ଜରରେ ବାଉଳି ହେଉଛି ପିଲାଟା । ଛାନିଆରେ ଯାଇ ବୁଢ଼ୀକୁ ଉଠାଇଲା ସାରିଆ । ବୁଢ଼ୀ ଉଠି ହାତ ମାରି ଦେଖିଲା ଝିଅର ଦେହକୁ । ସତରେ କାହିଁରେ କେତେ ତାତି । ବାଡିରୁ କିଛି ଗଙ୍ଗଶିଉଳି ପତ୍ର ଆଣି ଛେଚି ତା' ରସକୁ  ପିଆଇଦେଲା ନାତୁଣୀକୁ ବୁଢ଼ୀ । ଉତ୍କଟ ପିତାକୁ ସମ୍ଭାଳି ନପାରି ଭକଭକ ବାନ୍ତି କରି ପକେଇଲା ପିଲାଟା । କ'ଣ କରିବ ବିଚାରି ସାରିଆ ବୁଝିପାରୁ ନ ଥାଏ କିଛି । ପାଖରେ ଔଷଧ ପାଇଁ କାଣିକଉଡ଼ିଟିଏ ବି ନାହିଁ । ସ୍ଵାମୀ ଛାଡି ଗଲା ଦିନଠାରୁ ପରଘରେ ପାଇଟି କରି ମାଗି ଯାଚି ଚଳୁଛି । ବେଳାଏ ଖାଇଲେ ଦି' ବେଳା ଉପାସ । ଅଧିକା କୋଉଠୁ ଆସିବ ଯେ ସେ ସଞ୍ଚିବ । ଏ ବୁଢ଼ୀ ବି ତାରି ବେକରେ ବନ୍ଧା ଆଉ ସେ ବି ତ ବୁଢ଼ୀ ଭରସାରେ ଅଛି । ବୁଢ଼ୀ ଘର ଦୁଆର ମୁହଁରେ ବସି ରହୁଛି ବୋଲି ତ ସେ ଛୁଆଟାକୁ ଭରସି କରି କୁଆଡେ ଛାଡିକି ଯାଇ ପାରୁଛି ।  
        ଆଜି ଆଉ କୁଆଡେ କାମକୁ ଯାଇପାରିନି ସାରିଆ ଝିଅକୁ ଛାଡି । ଝିଅ ପାଖରେ ବସି ମୁଣ୍ଡରେ ପାଣିପଟି ପକାଉଛି । ଦିନ ଯାଇ ସଞ୍ଜ ହେଲାଣି ।ଭୋକରେ ମୁଣ୍ଡ ବୁଲେଇଲାଣି । ଘରେ ଖୁଦଭଜା ଗଣ୍ଡେ ଥିଲା ତାକୁ ଖାଇ ତିନି ଜଣ ଯାକ ଶୋଇବାକୁ ଗଲେ। ସାରିଆ ଆଖିରେ ନିଦ ନାହିଁ । କାଲି ରାତି ପାହିଲେ କେମିତି ଦି' ପଇସା ଯୋଗାଡ କରି ଔଷଧ ଆଣିବ ।
       ରାତି ପାହି ସକାଳ ହେଲା। ଝିଅ ପାଖରେ ବୁଢ଼ୀକୁ ଜଗେଇ ଦେଇ ସାରିଆ ଗଲା ପ୍ରଧାନ ଘରକୁ । ପ୍ରଧାନଘର ବୋହୂର ଗୋଡହାତ ଧରି କାମ କରି ସବୁ ସୁଝିଦେବି ବୋଲି କାକୁତି ମିନତି କରି କିଛି ପଇସା ଧାର ଆଣି ଗଲା ଔଷଧ ଆଣିବାକୁ । ଔଷଧ ଆଣି ଝିଅକୁ ଦି' ଠିପି ଦେଇଛି କି ନାହିଁ ପୁଣି ବାନ୍ତି କରି ପକେଇଲା ପିଲାଟା । କଣ କରିବ ବିଚାରୀ । ବାନ୍ତି କରି କରି ପିଲାଟା ମଲା ପରି ପଡ଼ିଲାଣି । ଟିକେ ବି ତାତି ଖସୁନି ଦେହରୁ । ଖରା ଲେଉଟିଲାଣି । ପାଖରେ ପଇସାଟିଏ ନାହିଁ। ଏବେ ଆଉ ତାକୁ କିଏ କାମ ଦବ । କାଲି ଯେମିତି ହେଲେ କିଛି ବ୍ୟବସ୍ଥା କରି ଝିଅ କୁ ଡାକ୍ତର ପାଖକୁ ନେବାକୁ ପଡିବ।
         ରାତିଅଧରେ ନିଦ ଭାଙ୍ଗିଗଲା ସାରିଆର । ଝର୍କା ଫାଙ୍କରେ ଦେଖିଲା ଜହ୍ନ ପଡିଛି । ରାତି ଆହୁରି ଦି' ଘଡି ବାକି ଅଛି ବୋଧେ । ସାରିଆ ଉଠି ଝିଅ ଦେହରେ ହାତ ପକାଇଲା । ଏ କଣ, ଝିଅର ଦେହ ପୂରା ଥଣ୍ଡା । ମନେ ମନେ ଖୁସି ହୋଇଗଲା ସାରିଆ।  ଯାହାହେଉ ଜରଟା ଖସିଗଲା ବୋଧେ । ପୁଣି ପରମୁହୂର୍ତ୍ତରେ ଚମକି ପଡିଲା ନିଜକୁ ନିଜେ । ଛାତିଟା ଧଡ଼ କରି ହେଲା । ମନକୁ ପାପ ଛୁଇଁଲା ତା'ର । ଧିରେ ଧିରେ ହଲାଇଲା ସେ ଝିଅକୁ। ଝିଅର ଛାତି ଉପରେ ମୁଣ୍ଡ ରଖି କିଛି ଜାଣିବାକୁ ଚେଷ୍ଟା କଲା। ପାଦ ତଳୁ ମାଟି ଖସିଗଲା ତା'ର। ତା' ମୁଣ୍ଡଟା ବୁଲେଇ ଦେଉଛି ନା ଆକାଶଟା ଘୁରୁଛି ତା ମୁଣ୍ଡ ଉପରେ ! ତା' ଛାତିରେ ଛାତିଏ କୋହ କିନ୍ତୁ ଆଖି ପୂରା ଶୁଖିଲା । କ୍ଷୁଧା ଆଉ ରୋଗର ଯନ୍ତ୍ରଣା ସହ ଲଢ଼ି ଲଢ଼ି ହାରିଗଲା ପିଲାଟା । ତାହେଲେ ତାକୁ ଆଉ ପେଟ ଚାଖଣ୍ଡକ ପାଇଁ ପ୍ରତିମୁହୂର୍ତରେ ସଂଗ୍ରାମ କରିବା କଣ ଦରକାର । ସେ ବି ତ ହରିଯାଇଛି ।  ଛାତିଟା ଫାଟି ଯିବକି ଆଉ ତା'ର । ନା, ନିଜକୁ ଦମ୍ଭ କଲା ସାରିଆ। ସେ ଆଜି ମୁକ୍ତ। ସବୁ ଚିନ୍ତାରୁ ମୁକ୍ତ । ସବୁ ବନ୍ଧନରୁ ମୁକ୍ତ । ସବୁ ଜଞ୍ଜାଳରୁ ବି ମୁକ୍ତ । ଆଉ କାହା ପାଇଁ ଚିନ୍ତା ? କ'ଣ ପାଇଁ ବି ଚିନ୍ତା ? 
       ଝିଅକୁ କାନ୍ଧରେ ପକାଇ ବାହାରି ପଡ଼ିଲା ସିଏ ଘରୁ ପଦାକୁ । ବୁଢ଼ୀ ଶୋଇଛି ବାରଣ୍ଡାରେ । ବୁଢ଼ୀକୁ ଡେଇଁ ଆଗେଇ ଚାଲିଲା ସାରିଆ । ନଈକୁଳ ମଶାଣି ପାଖରେ ଝିଅକୁ ପକେଇଦେଇ ଚାଲିଲା ଆଗକୁ ଆଗକୁ । କୁଆଡେ ଯିବ ସେ ଜାଣିନି । ସେ ଆଜି ଲକ୍ଷ୍ୟହୀନ । ଆଜି ତାକୁ ଭୋକ ଲାଗୁନି । ତା'ର ଆଜି ଆଉ କାମ ଖୋଜି ଯିବାର ନାହିଁ କି ପ୍ରଧାନ ଘର ବୋହୂ ଆଗରେ ହାତ ପତେଇବାର ନାହିଁ । 
ନା ତାର ଅଛି ଆଉ ଜୀବନକୁ ଲୋଭ ନା ଅଛି ମୃତ୍ୟୁକୁ ଭୟ । ସେ ଚାଲିଛି ଆଗକୁ ଆଗକୁ ଅନ୍ଧାରକୁ ଖାତିର ନକରି ।  ପଛରୁ ଶୁଭି ଯାଉଛି ବିଲୁଆ କୁକୁରଙ୍କ ରଡି । ସେମାନେ ବି କରୁଛନ୍ତି ବୋଧେ ଖାଦ୍ୟ ପାଇଁ ସଂଘର୍ଷ । ସେ ସବୁକୁ ନିଘା ନକରି ସାରିଆ ଆଗେଇ ଚାଲିଛି ଗୋଟେ ଲକ୍ଷ୍ୟହୀନ ପଥର ପାଷାଣ ପଥିକ ସାଜି।
ଭି ଏସ୍ ଏସ୍ ନଗର
ମୋ: ୮୮୯୫୩୨୬୪୩୪