ପ୍ରତ୍ୟୟ

ପ୍ରତ୍ୟୟ

ତୁମକୁ ଦେଖିବା କ୍ଷଣି 
ଜଳଶୂନ୍ୟ ସହର ଭିତରେ
ଅକସ୍ମାତ୍ ସମୁଦ୍ର ଗୋଟିଏ ଜଳି ଉଠିଥିଲା,
ଅକସ୍ମାତ ପ୍ରତ୍ୟୁଷର ସୁର୍ଯ୍ୟ କିରଣ ରେ।

ଜୁଆର ପରେ ଜୁଆର ମାଡି ଗଲା ଚାରିଆଡେ
ଅନେକ ବୋଇତ ପବନ ବେଗରେ
ଆସି ପହଁଚିଲେ,
ଶତାବ୍ଦୀ ଶତାବ୍ଦୀ ଧରି ପଡିଥିବା ଅପନ୍ତରା
ଭରିଗଲେ ପ୍ରସ୍ତ ପ୍ରସ୍ତ ସବୁଜ ରଙ୍ଗରେ।

ସମୟ ଚମକି ଉଠି ସ୍ଥିର ହୋଇ ଗଲା।
ସମଗ୍ର ଜୀବନ ମୋର ମିଶିଗଲା ଗୋଟିଏ ବିନ୍ଦୁରେ।
ମନେ ହେଲା ଚରମ ମୁହୂର୍ତ୍ତ ଇଏ,
ଏଇ ମୁହୂର୍ତ୍ତରେ ପ୍ରାର୍ଥନା କରିବା ମାତ୍ରେ
ଅବତାର ଜନ୍ମ ନେବେ,
କୃଶ ରୁ ଯନ୍ତ୍ରଣାବିଦ୍ଧ ଈଶ୍ୱର ନିଶ୍ଚୟ
ଓଲ୍ହାଇ ପଡିବେ ଆସି 
ମଣିଷ ଙ୍କ ସମ୍ବର୍ଦ୍ଧନା ସ୍ବୀକାର ଭିତରେ।

ଅତୀତ ଦିଶିଲା ମୋତେ
ସତେଅବା ନିଛାଟିଆ ଦୂର ଟିଣ ଘର
ଚାହୁଁ ଚାହୁଁ ଭାଙ୍ଗି ଗଲା ଚୁନା ହୋଇଗଲା।
ଚିହ୍ନା ଚିହ୍ନା  ଛାଇଟିଏ କା'ର
ତା ଭିତରୁ ବାହାରିଲା,
ଇତସ୍ତତଃ ହୋଇ, ଘେରି ଆସୁଥିବା
ଏଇ ଭବିତବ୍ୟ ଉଦ୍ଦେଶ୍ୟରେ 
ନଇଁ ପଡି ପ୍ରଣିପାତ କଲା।

ଆଉ କିଛି ଘଟୁଥିଲା ,ଘଟିଥାନ୍ତା
ତମେ ତ ଅଦ୍ଭୁତ ଭାବେ ସବୁ ଘଟଣାର
ଆରଂଭ କୁ ଚାଲିଗଲ,
ସେଇଠାରେ ରହି ମୋର ସବୁ ଅଭାବ କୁ
ଛୁଇଁ ଛୁଇଁ ପୂର୍ଣ କରିଦେଲ।

ମାଗିଥିଲେ ମାଗିଥାନ୍ତି ତମକୁ ମୁଁ
ଏ ଗୋଟିକ ମୁହୂର୍ତ୍ତ ର ଅମରତ୍ୱ
ତା ବି ହେଲା ନାହିଁ,
ତମେ ମୋ ମନଠୁ ଦୂର ବହୁଦୂର
ଦିଗ୍ ବଳୟ ନିକଟକୁ ଭାସିଗଲ।

ମୁଁ ଚାହିଁଛି ହଠାତ୍ , ଏପାଖେ ଉଇଁଲ
ଆଉ ସେ ପାଖରେ ଅସ୍ତ ହୋଇ ଗଲ।
.