ଦେବବ୍ରତ ମଦନରାୟଙ୍କୁ ‘ଜଗଦୀଶ କଥା ସମ୍ମାନ’

ଦେବବ୍ରତ ମଦନରାୟଙ୍କୁ ‘ଜଗଦୀଶ କଥା ସମ୍ମାନ’

‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ଆୟୋଜିତ ‘ଜଗଦୀଶ ଜୟନ୍ତୀ’ ସ୍ଥାନୀୟ ରେଡକ୍ରସ ଭବନଠାରେ ପାଳିତ ହୋଇଯାଇଛି । ଓଡ଼ିଆ କଥାସାହିତ୍ୟର ଜଣେ ଅପ୍ରତିଦ୍ୱନ୍ଦ୍ୱୀ କଥାକାର ଭାବେ ପରିଚିତ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ କଥାକାର ତରୁଣକାନ୍ତି ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବେ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ଯୋଗଦେଇ ଜଗଦୀଶ ମହାନ୍ତିଙ୍କ ସୃଜନକୃତି ଉପରେ ସବିଶେଷ ଆଲୋଚନା କରିଥିଲେ ।


ଏହି ଅବସରରେ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ବିଶିଷ୍ଟ ଲେଖିକା ଦେବବ୍ରତ ମଦନରାୟଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ଯୁବଲେଖକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦିଆଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ଏଥର ଗାଳ୍ପିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କୁ ପ୍ରଦାନ କରାଯାଇଥିଲା । ଉଭୟ ପୁରସ୍କୃତ ଲେଖକ ସେମାନଙ୍କ ଲେଖକୀୟ ବକ୍ତବ୍ୟରେ ଜଗଦୀଶ ମହାନ୍ତିଙ୍କ ଗଳ୍ପର ପ୍ରଭାବ ଉପରେ ଆଲୋକପାତ କରିଥିଲେ । 


ଉତ୍ସବରେ ସଭାପତିତ୍ୱ କରିଥିଲେ କଥାକାର ଡକ୍ଟର ସରୋଜିନୀ ସାହୁ । ‘ଟ୍ରଷ୍ଟ୍‍’ର ସଂପାଦକ ତଥା ଲେଖକ ସରୋଜ ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଉତ୍ସବ ସଂଚାଳନ କରିଥିଲେ । ଉତ୍ସବ ଆରମ୍ଭରେ ବିଶିଷ୍ଟ କଥିକା ପ୍ରାଚୀତାରା ଜଗଦୀଶ ମହାନ୍ତିଙ୍କ ଏକ ଗଳ୍ପର ନାଟକୀୟ ଉପସ୍ଥାପନା କରିଥିଲେ । ଅର୍ପିତା ପତି ଓ ସରୋଜ ବଳ ଜଗଦୀଶଙ୍କ କବିତା ଗାୟନ କରିଥିଲେ ।


ଉତ୍ସବ ପରିଚାଳନାରେ ଅରୁଣ କୁମାର ଦାସ, ଆଶିଷ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିବାବେଳେ ବହୁ ଜଗଦୀଶପ୍ରେମୀ ପାଠକପାଠିକା, ଲେଖକ, ସଂପାଦକ, ପ୍ରକାଶକ ଓ ସାହିତ୍ୟାନୁରାଗୀ ଏଥିରେ ଯୋଗ ଦେଇଥିଲେ ।