ସୌମ୍ୟ ବାବୁଙ୍କୁ ଉତ୍ତର ଦେଉ ବିଜେଡି

ସୌମ୍ୟ ବାବୁଙ୍କୁ ଉତ୍ତର ଦେଉ ବିଜେଡି

ନିଜ ଜନ୍ମଦିନ ଅବସରରେ “ସମ୍ବାଦ”ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମ୍ବାଦପତ୍ରରେ ଏକ ଅଗ୍ରଲେଖ ଲେଖି ଏମିତି କିଛି ମତ ରଖିଛନ୍ତି, ଯାହାକି ଓଡିଶାର ରାଜନୀତିକୁ ଚଳଚଞ୍ଚଳ କରିଦେଇଛି । ସୌମ୍ୟ ବାବୁ କେବଳ ଏକ ପ୍ରତିଷ୍ଠିତ ସଂବାଦପତ୍ରର ସମ୍ପାଦକ ନୁହନ୍ତି, ସେ ରାଜ୍ୟ ଶାସକ ଦଳ ବିଜେଡ଼ିର ଜଣେ ଟାଣୁଆ ବିଧାୟକ ଓ ବରିଷ୍ଠ କର୍ମକର୍ତ୍ତା ମଧ୍ୟ । ଆଜି ସେ ଯେଉଁ ମତ ରଖିଛନ୍ତି, ତାହା ଅବଶ୍ୟ ନୂଆ ନୁହେଁ, ସେ ନିଜର ଏକ ପୁରୁଣା ମତକୁ ଆଉଥରେ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଛନ୍ତି । ବିଜେଡି କ୍ରମଶଃ ଏକ ନିର୍ଦ୍ଦିଷ୍ଟ ଅମଲାଙ୍କ ହାତକୁ ଚାଲିଯାଉଛି ଓ ଏଥିରେ ରାଜନେତାମାନେ ଗୌଣ ହୋଇଯାଉଛନ୍ତି ବୋଲି ସୌମ୍ୟ ବାବୁ ଅଭିଯୋଗ କରୁଛନ୍ତି । ଅବଶ୍ୟ ସୌମ୍ୟ ବାବୁ ଯେତେବେଳେ ବିଜେଡିରେ ଯୋଗଦେଲେ ସେତେବେଳେ ବିଜେଡିରେ ଯେ ଅଲଗା କିଛି ପରିସ୍ଥିତି ଥିଲା ତା ନୁହେଁ । ୬ ବର୍ଷ ତଳେ ବିଜେଡିରେ ଯୋଗଦାନ କରି ସିଧା ସିଧା ରାଜ୍ୟସଭାକୁ ଯାଇଥିବା ସୌମ୍ୟରଞ୍ଜନ କୌଣସି ରାଜନେତାଙ୍କ ଜରିଆରେ ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟ ଜରିଆରେ ହିଁ ବିଜେଡିରେ ପ୍ରବେଶ କରିଥିଲେ । ତାଙ୍କ ରାଜ୍ୟସଭା ଓ ବିଧାନସଭା ଟିକଟ କେଉଁ ସୂତ୍ରରୁ ମିଳିଥିଲା, ସେ ପ୍ରସଙ୍ଗ ମଧ୍ୟ ଲୋକେ ଜାଣନ୍ତି ।  

ଆଜି ପର୍ଯନ୍ତ ସୌମ୍ୟବାବୁଙ୍କୁ ବିଜେଡି ପ୍ରାୟତଃ ଅଣଦେଖା କରି ଆସୁଛି ଓ ବିଭିନ୍ନ ସମୟରେ ସେ ଦଳ ଉପରେ ଆଣିଥିବା ଅଭିଯୋଗକୁ ଗୁରୁତ୍ଵ ଦେଇନାହିଁ । ସୌମ୍ୟବାବୁଙ୍କ କୌଣସି ଲେଖା ବା ବକ୍ତବ୍ୟ ପ୍ରସଙ୍ଗରେ ବିଜେଡି ନୀରବତା ଅବଲମ୍ବନ କରିଆସିଛି । ଏଇ ପ୍ରସଙ୍ଗରେ ଆଜି ବି ଯଦି ବିଜେଡି ନୀରବ ରହେ, ତା ହେଲେ ଏହା ଦଳ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହେବ । ସୌମ୍ୟବାବୁ ଯେଉଁ ଦୁଇଟି ପ୍ରଶ୍ନରେ ବିଜେଡ଼ିକୁ ଘେରିଛନ୍ତି, ସେ ଦୁଇଟି ଯାକ ପ୍ରଶ୍ନ ଅତ୍ୟନ୍ତ ସାଂଘାତିକ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ବାବୁ ଭି କାର୍ତ୍ତିକ ପାଣ୍ଡିୟାନଙ୍କ ଜିଲା ଗସ୍ତରେ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସୌମ୍ୟବାବୁ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ସ୍ପଷ୍ଟୀକରଣର ଆବଶ୍ୟକତା ରଖୁଛି । ଜଣେ ସରକାରୀ ଅଧିକାରୀଙ୍କ ଗସ୍ତ ପଛରେ ରାଜ୍ୟ ସରକାର ଏତେ ଟଙ୍କା ଖର୍ଚ୍ଚ କରିପାରିବେ କେମିତି ? ନିର୍ବାଚନ ପୂର୍ବରୁ ସୌମ୍ୟବାବୁଙ୍କ ଏହି ଅଭିଯୋଗ ବିଜେଡି ଭିତରେ ଥିବା ଅସନ୍ତୁଷ୍ଟମାନଙ୍କୁ ମଧ୍ୟ ବଳ ଦେବ । ବିଜେଡ଼ିର ଆଭ୍ଯନ୍ତରୀଣ ରାଜନୀତିରେ ଅମଲାତନ୍ତ୍ରର ପ୍ରଭାବ ଯେ ବହୁ ଅଧିକ, ଏକଥା ସମସ୍ତେ ଜାଣିଲେ ମଧ୍ୟ କେହି ପାଟି ଖୋଲୁନାହାନ୍ତି । ଏହି ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇ ସୌମ୍ୟ ବାବୁ ନବୀନ ପଟ୍ଟନାୟକଙ୍କ କ୍ଷମତାକେନ୍ଦ୍ର ଆଗରେ ଏକ ବଡ ପ୍ରଶ୍ନବାଚୀ ଲଗାଇଛନ୍ତି ।

ଦ୍ଵିତୀୟ ପ୍ରସଙ୍ଗରେ ମଣିପୁରକୁ ନେଇ ନବୀନ ପଟ୍ଟନାୟକଙ୍କର ନୀରବତା ଓ ବିଜେପିକୁ ବିଜେଡ଼ିର ନିଃସର୍ତ୍ତ ସମର୍ଥନ ପ୍ରସଙ୍ଗ ମଧ୍ୟ ସୌମ୍ୟବାବୁ ଉଠାଇଛନ୍ତି । ଏହା ରାଜ୍ୟବାସୀଙ୍କ ମନର ପ୍ରଶ୍ନ । ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ଵକୁ ସର୍ବାଧିକ ଗୁରୁତ୍ଵ ଦେଉଛି ବୋଲି ବିଜେଡି ବାରମ୍ବାର କହୁଥିଲେ ମଧ୍ୟ ମଣିପୁର ପ୍ରସଙ୍ଗରେ ବିଜେଡି ବିଜେପି ସହିତ ଯୋଡି ହୋଇରହିବା ଏକପ୍ରକାର ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି କରିଛି । ବିଜେଡି ଭିତରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଚାପା ଉତ୍ତେଜନା ରହିଛି । ସୌମ୍ୟବାବୁ ଏହି ପ୍ରସଙ୍ଗରେ ବିଜେଡି ନେତୃତ୍ବକୁ ସିଧା ସିଧା ଆକ୍ରମଣ କରିଛନ୍ତି ।  

ଅନ୍ୟ ସବୁଥର ପରି ବିଜେଡି ଏଥର ମଧ୍ୟ ସୌମ୍ୟବାବୁଙ୍କ ପ୍ରଶ୍ନକୁ ଯଦି ଅଣଦେଖା କରେ, ତାହେଲେ ଏହାର ପରିଣତି ଦଳକୁ ଭୋଗିବାକୁ ପଡିବ । ପୂର୍ବରୁ ଅତି ସାଧାରଣ କଥାରେ ବିଜେଡି ପ୍ରଫୁଲ୍ଲ ଘଡେଇ ଏବଂ ଦାମୋଦର ରାଉତଙ୍କ ଭଳି ପୁରୁଖା ନେତାଙ୍କ ଉପରେ କାର୍ୟାନୁଷ୍ଠାନ ନେଇଥିବା ବେଳେ ସୌମ୍ୟବାବୁଙ୍କୁ ଦଳ ଡରିକି ରହୁଛି ବୋଲି ଏକ ପ୍ରଶ୍ନ ମଧ୍ୟ ଉଠୁଛି । ଓଡିଆ ଗଣମାଧ୍ୟମରେ ବିଜେଡି ତୁଳନାରେ ବିଜେପିର ପ୍ରଭାବ ଅଧିକ, ତେଣୁ ସୌମ୍ୟବାବୁଙ୍କ ଆକ୍ରମଣ ବିଜେଡି ଉପରେ ମିଡିଆର ଚାପକୁ ଅଧିକ ସକ୍ରିୟ କରିବ ।

ସୌମ୍ୟବାବୁଙ୍କୁ ଖଣ୍ଡପଡାରେ ତାଙ୍କର ବିରୋଧୀ ଅନୁଭବ ପଟ୍ଟନାୟକଙ୍କୁ ବାଦ ଦେଲେ ବିଜେଡ଼ିର ଅନ୍ୟ କେହି ଉତ୍ତର ଦେଇନାହାନ୍ତି । ଏ ପ୍ରସଙ୍ଗରେ ବିଜେଡି ଯେତେ ନୀରବ ରହିବ ସୌମ୍ୟଙ୍କ ଶକ୍ତି ସେତେ ବଢିବ ।