ବିଜେଡି ସାଜିଛି ବୈଷ୍ଣବଙ୍କ ସୁରକ୍ଷା କବଚ

ବିଜେଡି ସାଜିଛି ବୈଷ୍ଣବଙ୍କ ସୁରକ୍ଷା କବଚ

କରମଣ୍ଡଳ ରେଳ ଦୁର୍ଘଟଣା ଘଟିବା ପରେ ଚାରି ଦିନ ବିତିଗଲାଣି । ୨୮୮ ଯାତ୍ରୀ ( କେହି କହୁଛନ୍ତି ୨୭୫, ଆଉ କିଏ ୨୭୮- ସାଧାରଣ ମଣିଷର ମୃତ୍ୟୁ ସରକାରୀ ଖାତାରେ ଏକ ସଂଖ୍ୟା ମାତ୍ର।) ମୃତ ଏବଂ ହଜାରରୁ ଅଧିକ ଆହତ ହୋଇଥିବା ଏହି ଭୟଙ୍କର ରେଳ ଦୁର୍ଘଟଣା ପାଇଁ ରେଳ ବିଭାଗ କିମ୍ବା ଭାରତ ସରକାରଙ୍କର କେହି ଜଣେ ବି ଏପର୍ଯ୍ୟନ୍ତ ଉତ୍ତରଦାୟୀ ହୋଇ ନାହାନ୍ତି। ସାଧାରଣତଃ କୌଣସି ଦୁର୍ଘଟଣା‌ ଘଟିଲେ ପ୍ରଥମେ ଏଥି ସହ ସମ୍ପୃକ୍ତ କର୍ମଚାରୀଙ୍କୁ ବଦଳି କିମ୍ବା ନିଲମ୍ବନ କରାଯାଇଥାଏ। ଆଜି ପର୍ଯ୍ୟନ୍ତ ରେଳ ବିଭାଗର କେହି ବି ଏଥିପାଇଁ ଦାୟୀ ହୋଇନାହାନ୍ତି କିମ୍ବା କାହା ବିରୋଧରେ କିଛି ବି ଶ୍ରୁଙ୍ଖଳାଗତ କାର୍ୟାନୁଷ୍ଠାନ ହୋଇନାହିଁ ।

ଦୁର୍ଘଟଣା ଘଟିବାର ପର ଦିନ ପ୍ରଧାନମନ୍ତ୍ରୀ ସିନେମା ଡାଗଲଗ୍ ମାରିବା ଶୈଳୀରେ କହିଲେ- ଏଥିପାଇଁ ଦାୟୀ ସମସ୍ତଙ୍କୁ କଠୋର ଦଣ୍ଡ ଦିଆଯିବ। ତେବେ କ'ଣ ସେ ଦଣ୍ଡ? ଚାରିଦିନରେ ଯିଏ ଯେଉଁଠି ଥିଲେ ସେଇଠି ଅଛନ୍ତି। ଟ୍ରାଫିକ, ସିଗନାଲ୍, ସୁରକ୍ଷା ଅଧିକାରୀ ନିଜ ନିଜ ଜାଗାରୁ ହଟି ନାହାନ୍ତି । ରେଳମନ୍ତ୍ରୀ ନୈତିକ ଦାୟିତ୍ବ ଅପେକ୍ଷା ନିଜ ବିଜ୍ଞାପନରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ଯିଏ ଦାୟୀ ସେକଥା ଜଣାପଡିଛି ବୋଲି ଦୁଇଦିନ ତଳେ ରେଳମନ୍ତ୍ରୀ କହିଥିଲେ । ହଠାତ୍ ସନ୍ଧ୍ୟାରେ କୁହାଗଲା, ଏହାର ତଦନ୍ତ ସିବିଆଇ କରିବ। ଅର୍ଥାତ ରେଳମନ୍ତ୍ରୀ ନିଜ ବକ୍ତବ୍ୟକୁ ନିଜେ ଖଣ୍ଡନ କରି ଅନୁସନ୍ଧାନକୁ ଟାଳି ଦେଇଛନ୍ତି ।

ଘଟଣାର ଚାରିଦିନ ଆଜିର ଖବର ହେଉଛି ଦୁର୍ଘଟଣାରେ ମରିଥିବା ଶତାଧିକ ଶବ ଚିହ୍ନଟ ହୋଇପାରିନାହିଁ । ଏହି ଦୁର୍ଘଟଣାରେ ଶତାଧିକ ନାମହୀନ ଯାତ୍ରୀଙ୍କୁ ବେଓ୍ବାରିସ୍ ଲାସ୍ ଭାବରେ ପୋଡ଼ି ଦିଆଯିବ। ଏଥିପାଇଁ କେହି ଦାୟୀ ରହିବେ ନାହିଁ। ଯିଏ ଏଥିପାଇଁ ଦାୟୀ ରହିବା କଥା, ତାଙ୍କୁ "ହିରୋ" ଭାବରେ ଗଣମାଧ୍ୟମରେ ସିନେମା ତିଆରି ହେଉଛି। ଜଣେ ସାମ୍ବାଦିକ ଭାବରେ ସାମ୍ବାଦିକତା ଜୀବନରେ ସାମ୍ବାଦିକ ଭୂମିକାରେ ଏତେ ସଂଖ୍ୟକ ଭାଟଙ୍କୁ ଆମେ କେବେ ଦେଖିନଥିଲୁ । ରେଳମନ୍ତ୍ରୀଙ୍କୁ ହିରୋ ଭାବରେ ବର୍ଣ୍ଣନା କରି ସାମ୍ବାଦିକମାନଙ୍କର ଉଚ୍ଛ୍ବସିତ ପ୍ରଶଂସା ଦେଖି ମନେ ହେଉଛି- ଏହି ଦୁର୍ଘଟଣା ବୋଧେ ମନ୍ତ୍ରୀଙ୍କ ଜୀବନର ସବୁଠାରୁ ବଡ଼ ସଫଳତା। ଲୋକ ମଲେ, ସେଟା ତାଙ୍କର ଦୁର୍ଭାଗ୍ୟ। ମନ୍ତ୍ରୀ ଦୁର୍ଘଟଣା ସ୍ଥଳରୁ ଭାଷଣ ଦେଲେ, ଫଟୋ ଉଠାଇଲେ, ସ୍ଳୋଗାନ ଦେଲେ-ସେଟା ତାଙ୍କର କୃତିତ୍ବ।

ଏବେ ଏହି ଭୟଙ୍କର ଦୁର୍ଦ୍ଦଶା ପାଇଁ ରେଳ ବିଭାଗକୁ କେହି ଦାୟୀ କରୁନାହାନ୍ତି। ଏଥିପାଇଁ ଦୋଷୀକୁ ଖୋଜା ଯାଉଛି, ଯିଏ ଅଦୃଶ୍ୟ। ଗୋଟେ ଷଡ଼ଯନ୍ତ୍ରର ଗପ ଦେଶବାସୀଙ୍କୁ ଶୁଣାଯାଉଛି। ଷଡ଼ଯନ୍ତ୍ର ଭିତରେ ଧର୍ମ, ମନ୍ଦିର ଓ ମସଜିଦକୁ ଟାଣି ଓଟାରି ପୂରାଯାଉଛି। ସିଧାସଳଖ ଏହି ଘଟଣାରେ ବିଜେପି ନିର୍ଲଜ ରାଜନୀତି ଆରମ୍ଭ କରିଛି। ସର୍ବାଧିକ ମୃତ୍ୟୁ ବରଣ କରିଥିବା ପଶ୍ଚିମ ବଙ୍ଗରେ ଏହାକୁ ନେଇ ରାଜନୀତି ଅତି ନିକୃଷ୍ଟ ସ୍ତରରେ ପହଞ୍ଚିଛି। ଏହି ଦୁର୍ଘଟଣା ପାଇଁ ବିଜେପିର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ଦାୟୀ ବୋଲି କହିଛନ୍ତି । ଏହା ବୋଧହୁଏ ନିର୍ଲଜ ରାଜନୀତିର ଶେଷ ସୀମା। ଏହା ସହିତ ଏହି ଦୁର୍ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଦେବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ବାହାନଗା ରେଳ ଷ୍ଟେସନ ଦାୟିତ୍ଵରେ ଥିବା ଷ୍ଟେସନ ମାଷ୍ଟର ଏସବି ମହାନ୍ତିଙ୍କୁ ସଂଖ୍ୟା ଲଘୁ ସମ୍ପ୍ରଦାୟର ବୋଲି କହି ବିଷାକ୍ତ ପରିବେଶ ସୃଷ୍ଟି କରାଯାଉଛି। ଏ ସମ୍ପର୍କରେ ଓଡ଼ିଶା ପୁଲିସ କେବଳ ଏକ ଟୁଇଟ୍ କରି ଦେଇ ଚୁପଚାପ୍ ବସିଛି। ସୋସିଆଲ ମିଡିଆରେ ଏହି ଘଟଣାରେ ଜାଣିଶୁଣି ସାମ୍ପ୍ରଦାୟିକ ରଙ୍ଗ ଦେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଓଡ଼ିଶା ପୁଲିସ ଚୁପ୍ ରହିବା ସହିତ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ମଧ ଚୁପ୍ ବସିଛି। ଅବଶ୍ୟ ଆଇଟି ବିଭାଗର ମନ୍ତ୍ରୀ ଖୋଦ୍ ଅଶ୍ବିନୀ ବୈଷ୍ଣବ ।

ଓଡ଼ିଶା ରାଜନୀତିରେ ଏହି ଦୁର୍ଘଟଣା ବିଜେପି - ବିଜେଡି ସମ୍ପର୍କର ନିବିଡତାକୁ ଆଉ ପାଦେ ଆଗକୁ ନେଇଛି। ଏହି ଦୁର୍ଘଟଣାରେ ଆହତଙ୍କୁ ବଞ୍ଚାଇବା ଓ ଅତ୍ୟାବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେବାରେ ଓଡ଼ିଶା ସରକାର ବେଶ୍ ପ୍ରଶଂସନୀୟ କାମ କରିଛନ୍ତି। ଓଡ଼ିଶା ସରକାରଙ୍କ ଭଲକାମର ଶ୍ରେୟ ପରୋକ୍ଷରେ ରେଳମନ୍ତ୍ରୀଙ୍କୁ ଦିଆଯାଇଛି। ଓଡ଼ିଶାର ଶାସକ ଦଳ ଏହି ଦୁର୍ଘଟଣା ପାଇଁ କାହାକୁ ଦାୟୀ କରିନାହିଁ। ସ୍ପଷ୍ଟ ଭାବରେ ବିଜେଡି ଅଶ୍ବିନୀ ବୈଷ୍ଣବଙ୍କ ସୁରକ୍ଷା କବଚ ଭାବରେ କାମ କରୁଛି।‌ ଓଡ଼ିଶା ରାଜନୀତିରେ ଏହି ଦୁର୍ଘଟଣା ବିଜେଡି -ବିଜେପି ସମ୍ପର୍କକୁ ଅଧିକ ମଜବୁତ କରିପାରିଛି। ଅବଶ୍ୟ ଏକଥା ସତ ଯେ ଅଶ୍ବିନୀ ବୈଷ୍ଣବ ମୋଦୀ ସରକାରର ମନ୍ତ୍ରୀ ହୋଇଥିଲେ ମଧ୍ୟ ଅସଲରେ ସେ ବିଜେପି ଭିତରେ ବିଜେଡି ପ୍ରତିନିଧି ଭାବରେ କାମ କରୁଛନ୍ତି। ତେଣୁ ତାଙ୍କର ବିଫଳତାକୁ ଘୋଡେ଼ଇ ଘାଡେଇ ବିଜେଡି ଏହି ଭୟଙ୍କର ଦୁର୍ଦ୍ଦଶା ପାଇଁ କାହାକୁ ଉତ୍ତର ଦାୟୀ କରିବାକୁ ବିଲକୁଲ ଚେଷ୍ଟା କରୁନାହିଁ ।