୩୭ ଦିନ ଧରି ପବନରେ ଥିଲା କି ଅମୃତପାଲ ସିଂ ?

୩୭ ଦିନ ଧରି ପବନରେ ଥିଲା କି ଅମୃତପାଲ ସିଂ ?

ଗତ ୩୭ ଦିନ ଧରି ପଞ୍ଜାବ ପୁଲିସକୁ ନାକେଦମ କରିଥିବା ଖାଲିସ୍ତାନୀ ସମର୍ଥକ ଏବଂ ନିଜକୁ ଦ୍ଵିତୀୟ ଭିନ୍ଦ୍ରନୱାଲା ବୋଲାଉଥିବା ଅମୃତପାଲ ସିଂ ଆଜି ପୁଲିସ ପାଖରେ ଆତ୍ମ ସମର୍ପଣ କରିଛି । ଗତ ୩୭ ଭିତରେ ଅମୃତପାଲକୁ ନେଇ ୩୭ ହଜାର କାହାଣୀ ଆମେ ଶୁଣିଛୁ । ଆମ ଟେଲିଭିଜନ ଚ୍ୟାନେଲଗୁଡିକ ବିଭିନ୍ନ ସୂତ୍ରରୁ ଆମକୁ କେତେବେଳେ ଅମୃତପାଲକୁ ଦିଲ୍ଲୀରେ, ପୁଣି କେବେ ନେପାଳରେ କିମ୍ବା ଉତ୍ତରାଖଣ୍ଡରେ ଦେଖାଇ ଚାଲିଥିଲେ । ତେବେ ଏ ସମ୍ପର୍କରେ ଜାଣିବାସ ହୁନୋବା ଲୋକେ କହୁଥିଲେ ଯେ ଅମୃତପାଲ ପଞ୍ଜାବରେ ହିନ ରହିଛି ଓ ତାକୁ ସ୍ଥାନୀୟ ଲୋକେ ଲୁଚାଇକି ରଖିଛନ୍ତି । ଅସଲ ସମସ୍ୟା ହେଉଛି ସେଇଆ । ଅମୃତପାଲକୁ ସମର୍ଥନ ମିଳିବାର ଅର୍ଥ ହେଉଛି, ବିଚ୍ଛିନ୍ନତାବାଦ ପ୍ରତି ସମର୍ଥନ ବଢୁଥିବାର ସୂଚନା । ସତୁରୀ ଏବଂ ଅଶୀ ଦଶକରେ ଯେଉଁମାନେ ପଞ୍ଜାବର ସନ୍ତ୍ରାସବାଦ ଦେଖିଛନ୍ତି, ସେମାନେ ଏହି ଘଟଣାକୁ ନେଇ ଅଧିକ ଚିନ୍ତିତ ହେବା ସ୍ଵାଭାବିକ । ଆଜିର ଉଗ୍ରବାଦୀ ଜାତୀୟ ରାଜନୀତିରେ ବିଶ୍ଵାସ କରୁଥିବା ଏବଂ ଭକ୍ତ ଭାବରେ ରାଜନୀତିକୁ ବୁଝୁଥିବା ଲୋକଙ୍କ ଲାଗି ଏଇ ସଙ୍କଟର ଗଭୀରତା ଜାଣିବା ସହଜ ନୁହେଁ ।

ଅମୃତପାଲ ସିଂ ପୁଲିସ ହାତରେ ନିଜ ସର୍ତ୍ତରେ ଇ ଧାରା ଦେଇଛି । ସେ ଭିନ୍ଦ୍ରନୱାଲାର ଗାଁକୁ ଇ ନିଜ ଆତ୍ମ ସମର୍ପଣର ସ୍ଥାନ ଭାବରେ ବାଛିଛି । ଆତ୍ମ ସମର୍ପଣ ପୂର୍ବରୁ ସେ ଖଲିସ୍ତାନ ସପକ୍ଷରେ ଭାଷଣ ମଧ୍ୟ ଦେଇଛି । ଯଦିଓ ପଞ୍ଜାବ ପୁଲିସ କହୁଛି ଯେ ଅମୃତପାଲକୁ ପୁଲିସ ଘେରାଓ କରି ସାରିଥିବାରୁ ସେ ବାଧ୍ୟ ହୋଇ ଆତ୍ମ ସମର୍ପଣ କରିଛି, ସତ୍ୟ କିନ୍ତୁ ଅଲଗା । ନିଜ ବିଚ୍ଛିନ୍ନତାବାଦୀ ଏଜେଣ୍ଡାକୁ ସଠିକ ଢଙ୍ଗରେ ଅମୃତପାଲ ପ୍ରଚାର କରିବାର ସୁଯୋଗ ପାଇଛି । ସବୁଠୁ ଚିନ୍ତାର ବିଷୟ ହେଉଛି, ପଞ୍ଜାବରେ ପ୍ରାୟ ମରି ସାରିଥିବା ଖାଲିସ୍ତାନୀ ଆନ୍ଦୋଳନ ପୁଣି ଠାରେ ଜୀବନ୍ୟାସ ପାଉଛି । ସଂଘ ପରିବାରର ହିନ୍ଦୁ ରାଷ୍ଟ୍ର ବିରୋଧରେ ଶିଖ ରାଷ୍ଟ୍ର ବା ଖାଲିସ୍ତାନ ଦାବୀର ଯଥାର୍ଥତା କଥା ଏବେ ଲୋକଙ୍କ ମୁଣ୍ଡରେ ପଶୁଛି । ଏହା ଦେଶ ଲାଗି ସବୁଥି ବଡ ଚିନ୍ତାର କାରଣ ।

ଅମୃତପାଲ ପାକିସ୍ତାନର ସହଯୋଗରେ ଖାଲିସ୍ତାନୀ ଆନ୍ଦୋଳନକୁ ଆଗକୁ ନେଉଛି ବୋଲି ପୁଲିସ କହୁଛି । ଜାତୀୟ ସଂହତି ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ଅମୃତପାଲକୁ ୩୭ ଦିନ ଧରି ଯେଉଁ ସମର୍ଥନ ଓ ସୁରକ୍ଷା ମିଳିଲା ଏହା ଦେଶର ଭବିଷ୍ୟତ ସମ୍ପର୍କରେ ଆଦୌ ଶୁଭ ସୂଚନା ଦେଉନାଇଁ ।  ଆପାତତଃ ଶାନ୍ତ ପଡି ଆସୁଥିବା ପଞ୍ଜାବରେ ଅମୃତପାଲର ଅଭ୍ୟୁଦୟ ଦେଶର ରାଜନୈତିକ ଭବିଷ୍ୟତକୁ ଅନ୍ଧାର ଆଡକୁ ନେଇଯିବ । ଜାତୀୟ ସୌରକ୍ଷା ସହ ସମ୍ପର୍କିତ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ହାତ ବାନ୍ଧି ବସିବା ଆଶ୍ଚର୍ୟଜନକ ।

ଏକଦା ଜର୍ଣ୍ଣେଲ ସିଂ ଭିନ୍ଦ୍ରନୱାଲାକୁ ଇନ୍ଦିରା ଗାନ୍ଧୀ ପ୍ରାଥମିକ ପର୍ଯାୟରେ ବେଶ ସୁରକ୍ଷା ଦେଉଥିଲେ । ପରବର୍ତ୍ତୀ ସମୟରେ  ଜର୍ଣ୍ଣେଲ ସିଂ ଭିନ୍ଦ୍ରନୱାଲା ଇ ଇନ୍ଦିରାଙ୍କ ମୃତ୍ୟୁର କାରଣ ହୋଇଥିଲା । ଜାତୀୟ ସୁରକ୍ଷା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଭୂମିକା ରାଜ୍ୟ ପୁଲିସ ତୁଳନାରେ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ଅମୃତପାଲ ସିଂ ୩୭ ଦିନ ଧରି ପବନରେ ମିଳେଇକି ରହିବା ପଛରେ କାହାର ସମର୍ଥନ  ଓ ସହଯୋଗ ରହିଥିଲା, ତାହା ସ୍ପଷ୍ଟ ହେବା ଜରୁରୀ ।