ଇମୋଜି-ମଣିଷଂକୁ ସ୍ବତଂତ୍ର କବିତା ଉପହାର
ଚାହିଁଲେ ସଇଁତିରିଶ, ପାଟି ସିଲେଇ
ଅଂଡିରା ମାଈ ମିଶେଇ
ହସିଲେ ପନ୍ଦର ଲୁହବୁହା ଚଉଦ
ଗୋଟାଏ ଥିଲା ବିଚରା ହୁରୁଦ !
ହାୟରେ କବିତା ମୋର
ମଲୁନାଇଁ ଯା ହେଲୁ ଦହଗଂଜ।
କବିତା କଲା ରଡ :
ଇଏ କାଳଭିତରେ କାଳ
କଳିକାଳ!
ତେଲ ନଲଗେଇଲେ
ହବ ଗୋଳମାଳ
ନୁଖୁରାକୁ କିଏ କରିବ ଗେଲ !
ଦୁଧିଆଳୀ ଗାଈ ଗୁହାଳରେ ଭିଡ଼େ ଭିଡ଼
କି ଅଛି ତୋଠେଇଁ
ନାଇଁ ବଳ ନାଇଁ ତୋଡ଼ !
ରହରହ ଆରେ କବିତା ମୋର
ଶୁଣିବାଆଗରୁ
କଳିକାଳ କହି ତୁ ବି ଭିଡ଼ୁଚୁ ଗୋଡ଼ !
ଓଲଟ ଦେଲାସେ ଗାଳି
ଗାଳି ନୁହଁ ପୂରା ଗୁରାଳି :
ଶଳାବୁଢ଼ା ଯଉ ହିଇଟି ହେଲା
ଆର୍ ର୍ ର୍ ତହୁଁ ଝୁମେଇଦେଲା
ବିନାଟିକିଟିରେ କଣ କୋଟି ଆସିଲା !
ମୁଂଡରେ ନାଇଁ ତୋ ମସଲା ।
ତତଲା ବାଲିରେ ପକେଇଲେ ଧାନମୁଠା
ଫୁଟିଫୁଟେଇବ ଲିଆ ସିନା ଗୋଟାଗୋଟା
ଅଗାଧୁଆ ମୁଂଡେ କୁଂଡେଇଲେ କାନ
ଛାଡ଼ିବ କି ଅବଧାନ !
କଳିକାଳ ଇଏ ଧନ
ଚାହିଁବୁ ତେଢ଼େଇ ଚାଲିବୁ ଆଗେଇ
ଲୁଣ ନଖାଇ ବି ଗାଇବେ ଗୁଣ ।
ବାହାନ ନଥାଇ ବାହା ଥିଲା ଦଶଦଶଟା
ଶବଦେ ଶବଦେ ମରୁଥିଲେ ବକ ଶକଟା
ଏମିତି କରିଲୁ ଚକଟା
କଦଳୀ ରହିଲା ଗୋଟା
କଉପିନୀ ମାରି କଲମ ଫୋପାଡ଼ି ଚାଲିଯା !
ନାଇଁ,ପେଟପିଠିଓଠ ଶୁଖେଇ ଶୁଖେଇ ଥା' ।
ବୁଝିଲେ ବୁଝିକି ଚଳ
ନିଜର ଯୋଉଟି ଭାରି ନିଚିପର
ସେଇଟି ଅସଲି କ୍ଷୁର ।
କବିତାକୁ ଦେଇ ଗାଂଧୀମୁଂଡିଆ
ବୋଇଲିରେ ଆଜ ଦେଲୁ ମହାଶିଖିଆ
ସଭିଏଁ ତ ନିଜ କିଏ ମୂଳ କିଏ ମାଳ
ହୋଇଲେ ହଅଂତୁ ଯିଏ ମହାକାଳ ଫଳ
ଆଂବଟିକୁ ଚାହିଁ ସୁମାରିକରନା ବଉଳ
କଳିକାଳ ବୋଲି କଂଟି ନପାରିଲି ଥଳ !
ଏଣିକି ଦେଖାଅ କୂଳ
କୁଳ ବୁଡ଼ିଯାଉ ତମେ ଥାଅ ଜାମୁଡାଳ !