ରଘୁ ରାୟଙ୍କ କ୍ୟାମେରା ; ଭାରତର ଚଳନ୍ତି ଓ ଜୀବନ୍ତ ଇତିହାସ

ରଘୁ ରାୟଙ୍କ କ୍ୟାମେରା ; ଭାରତର ଚଳନ୍ତି ଓ ଜୀବନ୍ତ ଇତିହାସ

ମୂଳ ରଚନା - ସାଗରୀ ଛାବ୍ରା

ଓଡିଆ ଅନୁବାଦ - ସତ୍ୟ ନାରାୟଣ ସାହୁ 

ଭାରତର ମହାନ  ଫଟୋଗ୍ରାଫର ରଘୁ ରାୟ ୧୮ ଡିସେମ୍ବର ୧୯୪୨ରେ ଝାଙ୍ଗ (ବର୍ତ୍ତମାନ ପାକିସ୍ତାନ)ରେ ଜନ୍ମଗ୍ରହଣ କରିଥିଲେ ଏବଂ ୨୬ ଏପ୍ରିଲ ' ୨୦୨୬ ଦିନ ନୂଆଦିଲ୍ଲୀର ଏକ ହସ୍ପିଟାଲରେ କର୍କଟ ରୋଗ ଯୋଗୁଁ ମୃତ୍ୟୁବରଣ କରିଥିଲେ। ଆମ ଦେଶରେ ସେ ଟୋ ଉଠାଇବାରେ ଅଦ୍ଵିତୀୟ କୌଶଳ ଦେଖାଇ ସଫଳତାର ଶୀର୍ଷ ରେ ପହଂଚି  ସେ ଯେଉଁ  କୃତି ଛାଡିଯାଇଛନ୍ତି ତାହାକୁ ସମସାମୟିକ ଭାରତର ଦୃଶ୍ୟମାନ ଇତିହାସ ଭାବରେ ବର୍ଣ୍ଣନା କରାଯାଇପାରିବ, କାରଣ ତାଙ୍କର ପ୍ରତ୍ୟେକ ଫଟୋଗ୍ରାଫ ଦର୍ଶକ ସହିତ କଥା ହୁଏ ଏବଂ ଏକ ଅବିସ୍ମରଣୀୟ ଛାପ ଛାଡିଯାଏ।

ରଘୁ ଜଣେ ଡେଙ୍ଗା, ସୁନ୍ଦର ଏବଂ ଶକ୍ତିଶାଳୀ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ।  ସେ 'ଦର୍ଶନ' ଧାରଣାରେ ବିଶ୍ୱାସ କରି ତାଙ୍କ କ୍ୟାମେରାକୁ ଶରୀର ପାଖରେ ଆଭ୍ୟନ୍ତରୀଣ ଆଖି ପରି ବହନ କରୁଥିଲେ। ସେ ଥରେ କହିଥିଲେ, 'କେହତେ ହେଁ କନ କନ ମେଁ ଭଗବାନ ହେଁ' - ପ୍ରତ୍ୟେକ ଅଣୁରେ ସେହି ଭଗବାନ ବିଦ୍ୟମାନ, ତେଣୁ ଆମର  ଯେକୌଣସି ଜିନିଷ ସହ  ସଂଯୋଗ କରିବାର କ୍ଷମତା ରହିବା ଆବଶ୍ୟକ; ଗୁରୁତ୍ୱପୂର୍ଣ୍ଣ କିମ୍ବା ସାଂସାରିକ, ଅସାଧାରଣ  କିମ୍ବା ସାଧାରଣ'। ସେ ଆହୁରି ମଧ୍ୟ କହିଥିଲେ, 'ଯଦି ତୁମେ ସବୁକିଛିର ଯତ୍ନ ନେବା ଆରମ୍ଭ କର, ତେବେ ତୁମ ଚାରିପାଖରେ ଥିବା ସବୁକିଛି କୌଣସି ନା କୌଣସି ଭାବରେ ତୁମର ଯତ୍ନ ନେବା ଆରମ୍ଭ କରିବ, ଏବଂ ତୁମେ କେବଳ ଭୌତିକ ଜିନିଷ ଛଡା ଭାବନାତ୍ମକ ଆବେଗ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ସହ ଯୋଡି ହୋଇ ରହି ପାରିବ । ଏହି ଚମତ୍କାର ସଂଯୋଗ ରଘୁ ରାୟ ଙ୍କ ଫଟୋଗ୍ରାଫରେ ପ୍ରତିଫଳିତ ହୋଇ ପାରିଥିଲା ।

  ଜଣେ ସିଭିଲ୍ ଇଞ୍ଜିନିୟର ଭାବରେ ଶିକ୍ଷାପ୍ରାପ୍ତ କରି ସେ ଯେଉଁ  ଚାକିରି କଲେ ତାହା ତାଙ୍କୁ ଆତ୍ମ ସନ୍ତୋଷ ଦେଇ ପାରିଲା ନାହିଁ । ତାଙ୍କ ବଡ଼ ଭାଇ ଏସ୍. ପଲ୍ ଯିଏକି ଫଟୋଗ୍ରାଫର ଥିଲେ ରଘୁଙ୍କୁ ୧୯୬୫  ଫ ମସିହାରେ ଟୋଗ୍ରାଫର ହେବାପାଇଁ ପ୍ରେରଣା ଦେଇଥିଲେ। ରଘୁ  ଯେଉଁ  ସଂସ୍ଥାରେ ଟୋଗ୍ରାଫର ଭାବେ କାମ ଆରମ୍ଭ କଲେ ତାହା  ଶୀଘ୍ର ବନ୍ଦ ହୋଇଗଲା ଓ ତାପରେ  ସେ ଇଂରାଜୀ ପତ୍ରିକା ଷ୍ଟେଟ୍ସମ୍ୟାନ ରେ  ଯୋଗଦେଲେ - ଯାହା ସେତେବେଳେ ଏକ ଅଗ୍ରଣୀ ଦୈନିକ ଖବରକାଗଜ ଥିଲା ।  ପରବର୍ତ୍ତୀ ବର୍ଷରେ ସେ ସେହି ଖବରକାଗଜର ମୁଖ୍ୟ ଫଟୋଗ୍ରାଫର ଭାବରେ ନିଯୁକ୍ତି ପାଇଲେ । ଷ୍ଟେଟସମ୍ୟାନ ସପ୍ତାହାନ୍ତରେ ଅଧା ପୃଷ୍ଠାରେ କଳା ଧଳା ଫଟୋ ମୁଦ୍ରଣ କରିବା ଆରମ୍ଭ କରିଥିଲା ଏବଂ ସେଥିମଧ୍ୟରୁ ଅନେକ ରଘୁ ରାୟଙ୍କ ଫଟୋ ଥିଲା।

  ରଘୁ  ବିଭିନ୍ନ ଶ୍ରେଣୀ ର ଲୋକଙ୍କ ସହିତ ଚମତ୍କାର ଭାବେ ସମ୍ପର୍କ ସ୍ଥାପନ କରିପାରୁଥିଲେ  ଏବଂ  ସେମାନଙ୍କ ମଧ୍ୟରୁ କିଛି ମହାନ ବ୍ୟକ୍ତି ଥିଲେ : ଯେମିତିକି ତତ୍କାଳୀନ  ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ମଦର ଟେରେସା , ଦଲାଇ ଲାମା ଏବଂ ସତ୍ୟଜିତ ରାୟ। ଇନ୍ଦିରା ଗାନ୍ଧୀ ରଘୁଙ୍କୁ ଏକ ରାତ୍ରୀଭୋଜନ ପାଇଁ ଥାଳି ଓ ବାସନ  ବାହାର କରୁଥିବା ସମୟରେ  ଫଟୋ ଉଠାଇବାକୁ ଅନୁମତି ଦେଇଥିଲେ । ଏତଦବ୍ୟତୀତ ସେ ଇନ୍ଦିରା ଗାନ୍ଧୀ ଙ୍କ ଟୋ ନେଇଥିଲେ ଯେତେବେଳେ ଇନ୍ଦିରା ନିଜେ ତାଙ୍କର ରାଜନୈତିକ ଜୀବନର ବାହାରେ ଏକାନ୍ତ ଭାବେ ନୀରବରେ ବସିଥିଲେ ।  ଏକ ଐତିହାସିକ ଟୋ ରଘୁ ନେଇଥିଲେ ଯେତେବେଳେ ଇନ୍ଦିରା ଗାନ୍ଧୀ ଏକ ଚୌକି ରେ ବସିଥିଲେ ଓ  ଟେବୁଲ ଚାରିପାଖରେ ସମସ୍ତ ପୁରୁଷ ମନ୍ତ୍ରୀ  ଆଜ୍ଞାଧୀନ ଭଳି ଛିଡା ହୋଇଥିଲେ । ସେହି ଟୋ   ଏକ ପରୁଷ ପ୍ରଧାନ ସମାଜରେ ନାରୀ ଶକ୍ତିର ବାର୍ତ୍ତା ପ୍ରଭାବଶାଳୀ ଭାବେ ଲୋକଙ୍କ ପାଖେ ପହଞ୍ଚାଇ ପାରିଥିଲା ।

ଇନ୍ଦିରା ଗାନ୍ଧୀଙ୍କର ଯେତେ ଟୋ ଉଠାଇଥିଲେ ସେ ସବୁକୁ ନେଇ ରଘୁ ତାଙ୍କର ପ୍ରଥମ ପୁସ୍ତକ, 'ଏ ଲାଇଫ୍ ଇନ୍ ଦି ଡେ ଅଫ୍ ଇନ୍ଦିରା ଗାନ୍ଧୀ' (ଇନ୍ଦିରା ଗାନ୍ଧୀଙ୍କ ଜୀବନ ରେ ଗୋଟିଏ ଦିନ ) ଷ୍ଟେଟସମ୍ୟାନ ର ପ୍ରକାଶନ ସଂସ୍ଥା “ନଚିକେତା ପ୍ରକାଶନ” ଦ୍ୱାରା ପ୍ରକାଶିତ ହୋଇଥିଲା। ମୁଁ ଏପରି କିଛି କଥା କହିବାକୁ ଚାହୁଁଛି ଯାହା ମୋ  ପରିବାର ଏବଂ ଭାରତର ରାଜନୈତିକ ଇତିହାସର ଏକ ଅଂଶ।

୧୯୭୫ ଜୁନ୍ ୨୫ ରାତିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ସାମ୍ବାଦିକ, ସମ୍ପାଦକ, ରାଜନୈତିକ କର୍ମୀ ଏବଂ ଟ୍ରେଡ୍ ୟୁନିଅନ ନେତାଙ୍କୁ  MISA (ଆଭ୍ୟନ୍ତରୀଣ ସୁରକ୍ଷା ଆଇନ) ଅଧୀନରେ ଗିରଫଦାରୀ ହୋଇଥିଲା। MISA ଅଧୀନରେ ଗିରଫ କରାଯାଉଥିବା ଲୋକଙ୍କୁ କୌଣସି ଜାମିନର ବ୍ୟବସ୍ଥା  ନଥିଲା, ବର୍ତ୍ତମାନର ଭୟଙ୍କର UAPA ପରି। ମୋ ବାପା, ବୀରେନ ଛାବ୍ରା, ଯିଏ 'ଷ୍ଟେଟସ୍ମ୍ୟାନ' ପାଇଁ କାମ କରୁଥିଲେ ଏବଂ ନଚିକେତା ପ୍ରକାଶନର ନିର୍ଦ୍ଦେଶକ ହେବା ସହିତ ମୁଦ୍ରଣ ଦାୟିତ୍ୱରେ ଥିଲେ, ସେ ତାଙ୍କ କାର୍ଯ୍ୟାଳୟରେ ବିଳମ୍ବିତ ସମୟରେ କାମ କରୁଥିବା ସମୟରେ ଜଣେ ପୋଲିସ ଅଫିସର ତାଙ୍କ ପାଇଁ ଗିରଫ ୱାରେଣ୍ଟ ନେଇ ଆସିଥିଲେ।

ମୁଁ ସେତେବେଳେ  ପନ୍ଦର ବର୍ଷର ସ୍କୁଲ ଯାଉଥିବା  ଝିଅ ଓ ସେହି ଗିରଫ ୱାରେଣ୍ଟ କୁ ମୋ ବାପା କିପରି ଏଡେଇ ପାରିଥିଲେ ମୁ ତାହା କେବେ ବି  ଭୁଲି ପାରିବି ନାହିଁ । ସେ  ଚିନ୍ତା କଲେ ଯେ ଜରୁରୀକାଳୀନ ପରିସ୍ଥିତିରେ ମିଶା ରେ ଗିରଫ ହେଲେ କୌଣସି ଜାମିନ ମିଳିବ ନାହିଁ । ସେ ପୋଲିସ କର୍ମଚାରୀଙ୍କୁ ରଘୁ ରାୟଙ୍କ ପୁସ୍ତକ 'ଏ ଲାଇଫ୍ ଇନ୍ ଦି ଡେ ଅଫ୍ ଇନ୍ଦିରା ଗାନ୍ଧୀ' ଦେଖାଇବା ଆରମ୍ଭ କଲେ। ସେହି ପୋଲିସ କର୍ମଚାରୀ  ପୁସ୍ତକ ଦେଖି ମୋ ବାପାଙ୍କୁ ଗିରଫ କଲା ନାହିଁ ଓ ସେହି ପୁସ୍ତକ କୁ ଧରି ଚାଲିଗଲା । ଯେବେ ବି  ରଘୁ ଏବଂ ମୁଁ ଦେଖା କରୁଥିଲୁ, ଆମେ ଜରୁରୀକାଳୀନ ସମୟ ଭୟଙ୍କର ପରିସ୍ଥିତି ବିଷୟରେ ଆଲୋଚନା କରୁଥିଲୁ  ଏବଂ ତଥାପି ସେହି ପୁସ୍ତକ କେମିତି ମୋ ବାପାଙ୍କୁ ସୁରକ୍ଷା ଦେଇଥିଲା , ସେକଥା ମାନେ ପକାଉଥିଲୁ

 ନୋବେଲ ବିଜୟିନୀ  ମଦର ଟେରେସା କେବେବି ଫଟୋ ଉଠାଇବାକୁ ପସନ୍ଦ କରୁନଥିଲେ  କାରଣ ସେ ବିଶ୍ୱାସ କରୁଥିଲେ ଯେ ମିଶନାରିଜ୍ ଅଫ୍ ଚାରିଟି ସହିତ ତାଙ୍କର କାମ ଈଶ୍ୱରଙ୍କ ନିକଟରେ ଏକ ନୀରବ ପ୍ରାର୍ଥନା। କିନ୍ତୁ ରଘୁ ତାଙ୍କ ସହିତ ଏପରି ଏକ ସମ୍ପର୍କ ଗଢ଼ି ପାରିଥିଲେ  ଯେ ସେ ପ୍ରାର୍ଥନା କରୁଥିବା ସମୟରେ ମଧ୍ୟ ତାଙ୍କୁ ଉପସ୍ଥିତ ରହି ଫଟୋ ଉଠାଇବା ପାଇଁ ରଘୁଙ୍କ ଅନୁରୋଧକୁ ସ୍ୱୀକାର କରିଥିଲେ । ମଦର ଟେରେସା ବିଶ୍ୱାସ କରୁଥିଲେ ଯେ କୌଣସି ମଣିଷ ଏକା ଏବଂ ଅଣଦେଖା ହୋଇ ମରିବା ଉଚିତ୍ ନୁହେଁ ଏବଂ ସେ ଏବଂ ମିଶନାରିଜ୍ ଅଫ୍ ଚାରିଟି  ର ସିଷ୍ଟର୍ସ ବାସହୀନ ଏବଂ ମୃତ୍ୟୁମୁଖରେ ପଡ଼ିଥିବା ଲୋକଙ୍କୁ ଲାଳନପାଳନ କରୁଥିଲେ; ଏହି ସମ୍ପୂର୍ଣ୍ଣ କରୁଣାରକ ଚିତ୍ର ସବୁକୁ ରଘୁ ରାୟଙ୍କ ମାନବୀୟ ଅନ୍ତର୍ଦୃଷ୍ଟି ସହିତ ଆବଦ୍ଧ କରାଯାଇଥିଲା ତାଙ୍କର କ୍ୟାମେରାରେ । ସେ ମଦର ଟେରେସାଙ୍କ ଯେଉଁ ସବୁ ଫଟୋ ଉଠାଇଥିଲେ ତାହା  ତାଙ୍କର ତିନୋଟି ପୁସ୍ତକ, 'ମଦର ଟେରେସା: ଏକ ଜୀବନ ର ସମର୍ପଣ' ଏବଂ 'ବିଶ୍ୱାସ ଏବଂ କରୁଣାଏବଂ ମଦର ଟେରେସା ଙ୍କ ଜୀବନ ଓ କର୍ମ ' ରେ ପ୍ରକାଶିତ କରିଥିଲେ ।

ରଘୁ ତାଙ୍କୁ କଲିକତା ସହିତ ପରିଚିତ କରାଇବା ପାଇଁ ' ଜୁନିଅର ଷ୍ଟେଟସମ୍ୟାନ' ପ୍ରତିଷ୍ଠାତା-ସମ୍ପାଦକ ଡେସମଣ୍ଡ ଡୋଇଗଙ୍କୁ ଶ୍ରେୟ ଦେଇଥିଲେ। କଲିକତାରେ ସେ ଯେଉଁ  ଫଟୋ ସବୁ ଉଠାଇଥିଲେ ତାହା ସବୁ  ଉଚ୍ଚକୋଟୀର ଏବଂ କାଳଜୟୀ ; ଟ୍ରାମ୍, କାର, ସାଇକେଲ ଚାଳକ ଏବଂ ବସ୍ ଧରିବାକୁ ଦୌଡ଼ୁଥିବା ଲୋକଙ୍କର ବ୍ୟଗ୍ରତା  ଏବଂ ରାସ୍ତାରେ ଜୀବନଯାପନ କରିବାର କଷ୍ଟ ଓ ସଂଘର୍ଷ । ସେହି ଫଟୋ କୁ ନେଇ ସେ ପ୍ରକାଶିତ କଲେ  ପୁସ୍ତକ,  'କଲିକତା' ଯେଉଁଥିରେ ଡେସମଣ୍ଡ ଡୋଇଗଙ୍କ ଦ୍ୱାରା ଏକ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ମୂଲ୍ୟବାନ ଲେଖା ଥିଲା । ଏଠାରେ ଉଲ୍ଲେଖନୀୟ ଯେ ଡେସମଣ୍ଡ ଡୋଇଗ  ଭାରତ କୁ ବହୁତ ଭଲ ପାଉଥିଲେ ଏବଂ ଆମ ଦେଶର ହିତୈଷୀ ଭାବେ ବାସ କରୁଥିଲେ, ଭାରତ ବିଷୟରେ ଲେଖୁଥିଲେ ।

୧୯୭୧ ମସିହାରେ ରଘୁ ତାଙ୍କର ଫଟୋ ମାଧ୍ୟମରେ  ନୂଆ ଦେଶ ବାଂଲାଦେଶ ର  ଜନ୍ମ ବେଦନାକୁ ରେକର୍ଡ କରିଥିଲେ। ତାଙ୍କର ଦୁଇଟି ଫଟୋ - ଗୋଟିଏ  ଫଟୋ ରେ ଦୁଇ ଦୁର୍ବଳ ପୁଅ ସେମାନଙ୍କର ବୃଦ୍ଧା ମାଆ କୁ ବୋହି ବୋହି ନେଉଚ୍ଛନ୍ତି ଓ ଅନ୍ୟଟି ରେ ଜଣେ ବୃଦ୍ଧ ପୁରୁଷ ଓ ବୃଦ୍ଧା ମହିଳା ଯାହାର ଶରୀର ବସ୍ତ୍ର ଅଭାବରୁ ପ୍ରାୟ ନଗ୍ନ - ସବୁଦିନ ପାଇଁ ଆମ ହୃଦୟରେ ଲିପିବଦ୍ଧ ହୋଇ ରହିଛି। ଭାରତ ସେହି ସମୟରେ ଏହି ଶରଣାର୍ଥୀଙ୍କୁ ଖୋଲା ବାହୁରେ ସ୍ୱାଗତ କରିଥିଲା; ଆମେ ସ୍କୁଲ ପିଲା ଭାବରେ ଟଙ୍କା ସଂଗ୍ରହ କରି ସେମାନଙ୍କ ପାଇଁ ରକ୍ତ ଦାନ କରିଥିଲୁ; 'ଘୁସପେଠି' (ଅନୁପ୍ରବେଶକାରୀ) ଶବ୍ଦ ସେତେବେଳେ ପ୍ରଚଳିତ ନଥିଲା । ୧୯୭୭ ମସିହାରେ ରଘୁ ରାୟଙ୍କ କାର୍ଯ୍ୟ ହେନରୀ କାର୍ଟିଅର ବ୍ରେସନଙ୍କ ଦ୍ୱାରା ଏକ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା, ଓ ତାପରେ  ତାଙ୍କୁ ମ୍ୟାଗନମ୍ ଫଟୋସ୍ ପାଇଁ ଫଟୋ ସାମ୍ବାଦିକ ଭାବରେ ନିଯୁକ୍ତି  ମିଳିଥିଲା । ରଘୁ ରାୟ ତାଙ୍କ ପ୍ରଥମ ପତ୍ନୀ ଉଷା ରାୟଙ୍କ ଲେଖା ସହିତ 'ତାଜମହଲ' ମଧ୍ୟ ପ୍ରକାଶ କରିଥିଲେ ଯାହାଙ୍କ ସହିତ ତାଙ୍କର ଦୁଇଟି ସନ୍ତାନ, ଲଗାନ ଏବଂ ନୀତିନ ରାୟ ଥିଲେ। ଫଟୋଗୁଡ଼ିକ କେବଳ ତାଜମହଲର ପ୍ରେମର ସ୍ମାରକୀ ନୁହେଁ ବରଂ ଯମୁନାର ଝଲସୁଥିବା ପାଣି ଏବଂ ତୀର୍ଥସ୍ଥାନ ଭାବରେ ପ୍ରାର୍ଥନା କରୁଥିବା ଲୋକଙ୍କ ସହିତ ଏକ ଆଧ୍ୟାତ୍ମିକ ଗୁଣବତ୍ତା କୁ ରେଖାଙ୍କିତ କରେ ।

ତାଙ୍କ ପୁସ୍ତକ 'ତିବ୍ବତ ଇନ୍ ଏକ୍ସାଇଲ୍' ଧର୍ମଶାଳାରେ ଦଲାଇ ଲାମା ଏବଂ ତିବ୍ଦତୀୟମାନଙ୍କର ଏକ ଉତ୍କୃଷ୍ଟ ଫଟୋଗ୍ରାଫିକ  ରେକର୍ଡ। ଫଟୋଗ୍ରାଫଗୁଡ଼ିକ ସେମାନଙ୍କର ଧାର୍ମିକ ଉତ୍ସବ, ଧ୍ୟାନ ଏବଂ ସେମାନଙ୍କର ଉଲ୍ଲେଖନୀୟ ସ୍ଥିରତାକୁ ପ୍ରକାଶ କରନ୍ତି ଯେତେବେଳେ ସେମାନେ ସେମାନଙ୍କର ପ୍ରିୟ ମାତୃଭୂମି ତିବ୍ଦତରୁ ନିର୍ବାସିତ ହୋଇ ଭାରତରେ ଶରଣାର୍ଥୀ ହୋଇ ରହିଛନ୍ତି। ଏହା ଦଲାଇ ଲାମାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ମଧ୍ୟ ଯେ ସେମାନେ ଭାରତରେ ବାସ ଏବଂ କାମ କରିବା ସମୟରେ ତାଙ୍କ ଲୋକମାନଙ୍କୁ ଅହିଂସାତ୍ମକ ରଖି ପାରିଛନ୍ତି । ରଘୁ ଦଲାଇ ଲାମାଙ୍କ ଠାରୁ ଆଧ୍ୟାତ୍ମିକ ସାନ୍ତ୍ୱନା ମଧ୍ୟ ପାଇଥିଲେ ଯାହାକୁ ସେ ତାଙ୍କର ଗୁରୁ ବୋଲି କହିଥିଲେ। ଦଲାଇ ଲାମା ଦିଲ୍ଲୀର ବିଭିନ୍ନ ଧାର୍ମିକ ସ୍ଥଳକୁ  କେନ୍ଦ୍ର କରି  ବହୁଧର୍ମ ପଦଯାତ୍ରା କରିବା ସମୟରେ  ରଘୁ ତାଙ୍କର ଫଟୋ ଉଠାଇଥିଲେ ।

ତାଙ୍କ ଚିତ୍ରଗୁଡ଼ିକ ଉଜ୍ଜ୍ୱଳ ଥିଲା; କିଛି ନୀରବ କବିତା ଥିଲା ଏବଂ କିଛି ନୀରବ ଚିତ୍କାରମଧ୍ୟ  ଥିଲା କିନ୍ତୁ ପ୍ରତ୍ୟେକଟି ଫଟୋ କହୁଥିଲା ଯେ ବଡ଼ କିମ୍ବା ଛୋଟ ସମସ୍ତଙ୍କ ଭିତରେ କିଛି ପବିତ୍ରତା  ଅଛି। ତଥାପି, ତାଙ୍କର କିଛି ଚିତ୍ର ପ୍ରତୀକାତ୍ମକ ହୋଇଗଲା; ଯେପରିକି ଭୋପାଳ ଗ୍ୟାସ୍ ସମୟରେ  ବାପା   ଶିଶୁଟିକୁ କବର ଦେଉଛି  - ତା'ର ଆଖି କୋରରୁ ବିକଳ ଭାବ ପ୍ରକଟିତ ହେଉଛି  । ତାଙ୍କର କୁମ୍ଭମେଳା ଫଟୋ ଏବଂ ଗୁପ୍ତ ରୀତିନୀତି ସହିତ ଜଡିତ  ସାଧୁ ଏବଂ ଅଗାଢ଼  ବିଶ୍ୱାସ କରୁଥିବା ଜନସମାଜ କୁ ଦର୍ଶାଉଛି । ତାଙ୍କ ଫିଲ୍ମ ସେଟରେ ଏବଂ କଲିକତାର ଆକାଶରେଖା ସହିତ ଡଙ୍ଗା ଦେଇ ଚାଲିବା ସମୟରେ ସେ ଚିନ୍ତିତ ସତ୍ୟଜିତ ରାୟଙ୍କୁ ଫଟୋ ଭିତରେ ରଖିଛନ୍ତି  - ଯାହାଙ୍କୁ ସେ ସବୁବେଳେ ଦାଦୁ ବୋଲି ଡାକୁଥିଲେ।

ପରବର୍ତ୍ତୀ ବର୍ଷଗୁଡ଼ିକରେ, ରଘୁ ରାୟ ଅନେକ ନୂଆ ପଦକ୍ଷେପକୁ ସମର୍ଥନ କରି ଜଣେ ପରାମର୍ଶଦାତା ହୋଇଗଲେ ଏବଂ ପ୍ରଖ୍ୟାତ ଫଟୋଗ୍ରାଫର, ଆଦିତ୍ୟ ଆର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତର ପ୍ରଥମ ଫଟୋଗ୍ରାଫି ସଂଗ୍ରହାଳୟ ର ସମର୍ଥକ ଥିଲେ। ରଘୁ ରାୟ ହଙ୍ଗେରୀୟ ଫଟୋଗ୍ରାଫର ରବର୍ଟ କାପାଙ୍କ ପ୍ରଦର୍ଶନୀ ଖୋଲିଥିଲେ ଯିଏ ଭିଏତନାମ ଯୁଦ୍ଧର ଫଟୋଗ୍ରାଫି କରୁଥିବା ସମୟରେ ଏକ ଲ୍ୟାଣ୍ଡମାଇନ୍ ଦ୍ୱାରା ମୃତ୍ୟୁବରଣ କରିଥିଲେ। ରଘୁ ଯୁବ ଏବଂ ପ୍ରତିଶ୍ରୁତିସମ୍ପନ୍ନ  ଫଟୋଗ୍ରାଫରମାନଙ୍କ ଦ୍ୱାରା ଘେରି ରହିଥିଲେ ଯାହାଙ୍କ ସହିତ ମିଶି ରହିବାକୁ ସେ ଭଲ ପାଉଥିଲେ। ଏକ ବ୍ୟକ୍ତିଗତ କଥାବାର୍ତ୍ତାରେ ରଘୁ କହିଥିଲେ ଯେ ସେ ବିଗତ ବର୍ଷ ରେ  ଯେତେବେଳେ କାର୍ଯ୍ୟ ରତ ଥିଲେ ତାହା କେତେ  ପବିତ୍ର  ଥିଲା । କାରଣ ସେ  ଜାଣିଥିଲେ ଯେ  ଫଟୋଗ୍ରାଫି ଏକ ଦସ୍ତାବିଜ ଯାହାକୁ ବିକୃତ କରାଯାଇ ପାରିବନାହିଁ। ତଥାପି, ରଘୁ ୨୦୦୩ ମସିହାରେ ଡିଜିଟାଲ୍ କ୍ୟାମେରାକୁ ନିଜର ଅନନ୍ୟ ଶୈଳୀର ଫଟୋଗ୍ରାଫି ସହିତ ଗ୍ରହଣ କରିଥିଲେ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପାଇଁ ରବି ଶଙ୍କର ଏବଂ ଚିତ୍ରକଳା ପାଇଁ ଏମ.ଏଫ. ହୁସେନ ଯାହା ଥିଲେ, ରଘୁ ରାୟ ଫଟୋଗ୍ରାଫି ପାଇଁ ଠିକ ସେଇଆ ଥିଲେ। ସେ ଏକ ସମ୍ପୂର୍ଣ୍ଣ ଯୁଗର ପ୍ରତୀକ ଥିଲେ ଯାହା ଉଦାର, ଉନ୍ମୁକ୍ତ ଏବଂ ବହୁତ ସହିଷ୍ଣୁ ଥିଲା। ତାଙ୍କ କଥାବାର୍ତ୍ତାରେ ସେ ଅତ୍ୟନ୍ତ ଅନ୍ତରଙ୍ଗ । ସେ ମାନବିକତା ର ମୂଲ୍ୟବୋଧ କୁ ନେଇ ତାଙ୍କର  ଫଟୋଗ୍ରାଫିରେ ମଣିଷ ଜୀବନର ବ୍ୟାପକତା କୁ ଦର୍ଶାଉଥିଲେ  ଜୀବିତ ହେଉ ବା ମୃତ ପ୍ରାୟ , ସ୍ମାରକୀ ହେଉ ବା ବ୍ୟାପକ ଭୂଦୃଶ୍ୟ, ସବୁ ଫଟୋରେ  ସେ ରଖାଙ୍କିତ କରୁଥିଲେ ମାନବିକତା । ଏ ପୃଥିବୀ ତାଙ୍କୁ ମନେ ରଖିବ ତାଙ୍କର ମାନବୀୟ ଐତିହ୍ୟ ଏବଂ ମୂଲ୍ୟବୋଧ ପାଇଁ  ତାଙ୍କ ଫଟୋଗ୍ରାଫରେ ରହିଛି ବିବିଧତାରେ ଭରପୂର ଭାରତ, ଏହାର ଅଗଣନ ଜୀବନଶୈଳୀ, ଧର୍ମ ଏବଂ ବିସ୍ମୟକର ଦୃଶ୍ୟମାନଙ୍କର ରେକର୍ଡ। ତାଙ୍କର ଫଟୋଗ୍ରାଫଗୁଡ଼ିକ ଭାରତର ମୌଳିକ ଚେତନା ଓ ସାରତ୍ତ୍ଵକୁ  ପ୍ରତିନିଧିତ୍ବ କରିଛି

 

(ସାଗରୀ ଚ୍ଛାବ୍ରା ଦିଲ୍ଲୀସ୍ଥିତ ଜଣେ ପୁରସ୍କାର ବିଜେତା ଲେଖିକା ଏବଂ ଚଳଚ୍ଚିତ୍ର ନିର୍ମାତା। ସେ ସ୍ୱାଧୀନତା ସଂଗ୍ରାମୀଙ୍କ ହମାରା ଇତିହାସ ଅଭିଲେଖାଗାରର ପ୍ରତିଷ୍ଠାତା-ନିର୍ଦ୍ଦେଶିକା।

ସାଗରୀ ଚ୍ଛାବ୍ରା ଙ୍କ ମୂଳ ଇଂରାଜୀ ଲେଖା କୁ ସତ୍ୟ ନାରାୟଣ ସାହୁ ଓଡ଼ିଆ ଅନୁବାଦ କରିଛନ୍ତି। )