ଏତେ ଖୁସି ଖବରକୁ ରିମୋଟ ହଜିଛି !!

ଏତେ ଖୁସି ଖବରକୁ ରିମୋଟ ହଜିଛି !!

ବାଜା ବଜାନ୍ତୁ । ତୋରଣ ସଜାନ୍ତୁ । ଦୀପ ଜଳାଇବା ପାଇଁ ଆୟୋଜନ କରନ୍ତୁ  । ଏବେ ଠାରୁ ମିଠା କିଣି ଘରେ ରଖନ୍ତୁ , ନହେଲେ ପଛରେ ଆଉ ମିଳିବ ନାହିଁ। ସେହି ଖୁସିର ମୂହୁର୍ତ୍ତ ଯେତେବେଳେ ଆସିବ ସେତେବେଳେ ଆପଣ ସେଲଫି ଉଠାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ । ନା ନା, ଆପଣ ଯାହା ଭାବୁଛନ୍ତି ତାହା ନୁହେଁ । ବିରାଟ କୋହଲି ଟେଷ୍ଟ କ୍ରିକେଟରେ ୧୦ ହଜାର ରନ୍ ପୁରଣ କରିବାକୁ ଯାଉଛନ୍ତି ବୋଲି ଏକଥା କୁହାଯାଉନି । (ଏମିତି ବି ଟି-ଟ୍ବେଣ୍ଟି ଯୁଗରେ ଟେଷ୍ଟ ମ୍ୟାଚକୁ କେତେ ଲୋକ ଦେଖୁଛନ୍ତି ?)   ଆଗାମୀ ବିଶ୍ବକପ୍ କ୍ରିକେଟ୍ ଭାରତ ଜିତୁ । କିନ୍ତୁ ସେଥିପାଇଁ ଏକଥା କୁହାଯାଉ ନାହିଁ । ପ୍ରଧାନମନ୍ତ୍ରୀ, ଗଣମାଧ୍ୟମ ଓ ରାଷ୍ଟ୍ରବାଦୀ ବିଶେଷଜ୍ଞମାନେ ଆଜିକାଲି ତାହାଠାରୁ ଆହୁରି  ଗୋଟିଏ ବଡ ଖୁସି ଖବର ଆପଣମାନଙ୍କୁ ଦେଉଛନ୍ତି । 

ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ତୃତୀୟ ପାଳି ଶାସନ କାଳରେ ସେ ଭାରତକୁ ବିଶ୍ବର ତୃତୀୟ ବୃହତମ ଅର୍ଥନିତୀ କରିଦେବେ । ତା ସାଥିରେ ଏକଥା ବି କହୁଛନ୍ତି ଯେ ଖୁବଶିଘ୍ର ଭାରତର ଅର୍ଥନିତୀ ଫାଇଭ୍ ଟ୍ରିଲିଅନ୍ ଡଲାର ଇକୋନୋମି ହୋଇଯିବ ।  ସେ ଯେଉଁ ଭାବଭଙ୍ଗୀମା ଓ ସ୍ବରରେ ଏକଥା କହୁଛନ୍ତି, ଯେ କୌଣସି ଲୋକ ଭାବିବ ଯେ ନିଶ୍ଚିତ ଭାବରେ ଗୋଟାଏ କିଛି ବଡ଼ ଜିନିଷ ହେବାକୁ ଯାଉଛି । କାହିଁକି ନୁହେଁ ? ବିଶ୍ବରେ ଯେତେବେଳେ ଏତେ ଗୁଡ଼ିଏ ଦେଶ ଅଛି ଏବଂ ଦଉଡରେ ଆମ ଦେଶ ଯଦି ସମସ୍ତଙ୍କୁ କାଟି ତୃତୀୟ ସ୍ଥାନରେ ପହଞ୍ଚିଗଲା, ତେବେ ଏହାକୁ କାହିଁକି ଗୋଟିଏ ବଡ ଜିନିଷ ବୋଲି ନ କହିବା ? କିଏ ଜାଣେ ? ହୁଏତ ଆଉ କିଛି ଦିନ ପରେ ପ୍ରଥମ ସ୍ଥାନରେ ପହଞ୍ଚିଯିବ । ତୃତୀୟ ସ୍ଥାନରୁ ପ୍ରଥମ ସ୍ଥାନ ଆଉ କେତେ ବାଟ କି ?  

ସେ ଆଗରୁ ମଧ୍ୟ କହିଥିଲେ ୨୦୨୪ ସୁଦ୍ଧା ଭାରତର ଅର୍ଥନିତୀ ଫାଇଭ୍ ଟ୍ରିଲିଅନ୍ ଡଲାର ଇକୋନୋମି ହୋଇଯିବ । ସେ ଯାହା ହେଉ , ଏ ଫାଇଭ୍ ଟ୍ରିଲିଅନ୍ ଇକୋନୋମି ମାନେ କ'ଣ ସେଇ ଅଛେଦିନ୍, ଯାହାର ପ୍ରତିଶ୍ରୁତି ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ଓ ଯାହା ପାଇଁ ଆମେ ୨୦୧୪ରୁ ଆଜି ପର୍ଯ୍ୟନ୍ତ ଅପେକ୍ଷା କରି ରହିଛୁ ? ଚାଲନ୍ତୁ ଦେଖିବା ଏ ଜିନିଷଟା କ'ଣ ଓ ଏହା କେତେ ଗୁରୁତ୍ୱପୂର୍ଣ୍ଣ । 

 ତା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟର ଜଣେ ସଭ୍ୟ ତଥା ଭାରତର ବୈଦେଶିକ ମନ୍ତ୍ରୀ କ'ଣ କହିଛନ୍ତି ପଢନ୍ତୁ । ତାଙ୍କ ଦଳର ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ସିନା ସେ ଏମିତି କହିବାର ନଥିଲା, କିନ୍ତୁ ସେ ଯାହା କହିଛନ୍ତି ତାହା ନାକରା କଥା ନୁହେଁ । ଗତ ଫେବୃଆରୀ ମାସରେ ANI ସମ୍ବାଦ ସଂସ୍ଥାକୁ  ସେ କହିଲେ : "ଦେଖନ୍ତୁ, ସେମାନଙ୍କ (ଚାଇନାର) ଅର୍ଥନିତୀ ବଡ଼ । ମୁଁ କଣ କରିବି ? ଆମ ଅର୍ଥନିତୀ ଛୋଟ ଥିବା କଥା ଜାଣି ସୁଦ୍ଧା ମୁଁ କଣ ଗୋଟିଏ ବଡ଼ ଅର୍ଥନିତୀର ଦେଶ ସହ ଯୁଦ୍ଧ କରିବି ? ମୁଁ କେବଳ (ଆପଣଙ୍କ ପ୍ରଶ୍ନରେ ) ପ୍ରତିକ୍ରିୟା ପ୍ରକାଶ କରି ଏକଥା କହୁନି । ମୁଁ ଯାହା କହୁଛି ତାହା ଏକ କମନ୍ ସେନ୍ସ ।" 
ବୈଦେଶିକ ମନ୍ତ୍ରୀଙ୍କ ଏହି କମନ୍ ସେନ୍ସ କଥା ଯଦି ଆପଣ ଆଜିକାଲି ଅଧିକାଂଶ ଗଣମାଧ୍ୟମରେ ଦେଖିବାକୁ ପାଉ ନାହାନ୍ତି, ତାହେଲେ ସେଥିରେ ଆପଣ ଆଉ ଆଶ୍ଚର୍ଯ୍ୟ ନହେବା ଭଲ । 

ଏବେ ଆସନ୍ତୁ ଦେଖିବା ଏ ଟ୍ରିଲିଅନ ଫ୍ରିଲିଅନ୍ ଡଲାର ଅର୍ଥନିତୀ ମାନେ  କ'ଣ ? ଆପଣମାନେ ଜାଣନ୍ତି ଏକ ଟ୍ରିଲିଅନ ଅର୍ଥ ହେଉଛି ଏକ ଲକ୍ଷ କୋଟି । ପୁଣି ପ୍ରାୟ ୮୩ ଟଙ୍କା ହେଲେ ଗୋଟିଏ ଡଲାର ହୁଏ । ଆଉ  ଏଠାରେ ଅର୍ଥନୀତି ବୋଇଲେ କେବଳ ଜିଡିପିକୁ ବୁଝାଏ । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ବିଭିନ୍ନ ଦେଶର ମୋଟ ଜିଡିପିକୁ ଡଲାରରେ ପରିବର୍ତ୍ତନ କରି ଦଉଡରେ କିଏ କେଉଁ ସ୍ଥାନରେ ଅଛି ତାହା ପ୍ରକାଶ କରେ । ଏକଥା ସତ ଯେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ପ୍ରକାଶ କରିଛି ୨୦୨୭ ମସିହାରେ ପ୍ରବେଶ କରିବା ବେଳକୁ ଭାରତର ଜିଡିପି  ୫.୫୮ ଟ୍ରିଲିଅନ ଡଲାର ହୋଇ ଯାଇଥିବ ।  

ଆମେ ଦଉଡ଼ି ଦଉଡ଼ି ମଧ୍ୟ ପଛାଉଛୁ 

ଦେଖନ୍ତୁ, ୨୦୧୯-୨୦ ବେଳକୁ ଭାରତର ଜିଡିପି ୨.୮୪ ଟ୍ରିଲିଅନ ଡଲାର ଥିଲା । ସେତେବେଳେ ଆମେରିକାର ଜିଡିପି ୨୧.୩୮ ଟ୍ରିଲିଅନ ଡଲାର ଓ ଚାଇନାରେ ଜିଡିପି ୧୪.୩୪ ଟ୍ରିଲିଅନ ଡଲାର ଥିଲା। ତେଣୁ ଭାରତ ଓ ଆମେରିକା ମଧ୍ୟରେ ଜିଡିପି  ଦୂରତା ୧୮.୫୪ ଟ୍ରିଲିଅନ ଡଲାର ଏବଂ ଭାରତ ଓ ଚାଇନା ମଧ୍ୟରେ ଦୂରତା ୧୧.୫ ଟ୍ରିଲିଅନ ଡଲାର ଥିଲା । 

ଏବେ ୨୦୨୨-୨୩କୁ ଆସନ୍ତୁ । ଏହି ବର୍ଷ ଭାରତର ଜିଡିପି ୩.୩୯ ଟ୍ରିଲିଅନ ଡଲାର, ଆମେରିକାର ୨୫.୪୬ ଟ୍ରିଲିଅନ ଡଲାର ଓ ଚାଇନାର ୧୮.୧୦ ଟ୍ରିଲିଅନ ଡଲାର ଥିଲା । ତେଣୁ ଭାରତ ଓ ଆମେରିକା ମଧ୍ୟରେ ଜିଡିପି ଦୂରତା ୨୨.୦୭ ଟ୍ରିଲିଅନ ଡଲାର ଏବଂ ଭାରତ ଓ ଚାଇନା ମଧ୍ୟରେ ଦୂରତା ୧୪.୭୧ ଟ୍ରିଲିଅନ ଡଲାର ହୋଇଗଲା। ଏଥିରୁ ଏହି କଥା ଜଣା ପଡ଼ିଲା ଯେ ୨୦୧୯-୨୦ ଅପେକ୍ଷା ୨୦୨୨-୨୩ରେ, ଜିଡିପି ହିସାବରେ, ଉଭୟ ଆମେରିକା ଓ ଚାଇନାଠାରୁ ଭାରତର ଦୂରତା ବଢ଼ି ଯାଇଛି । 

ଏବେ ଆସନ୍ତୁ ୨୦୨୭-୨୮କୁ , ଯେଉଁ ବର୍ଷ ଭାରତର ଜିଡିପି ଫାଇଭ୍ ଟ୍ରିଲିଅନ୍ ଡଲାର ଇକୋନୋମି ହୋଇଯିବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆକଳନ କରିଛି । ଏହି ବର୍ଷ ଭାରତର ଜିଡିପି ୫.୫୮ ଟ୍ରିଲିଅନ ଡଲାର, ଆମେରିକାର ୩୨.୩୫ ଟ୍ରିଲିଅନ ଡଲାର ଓ ଚାଇନାର ୨୭.୪୯ ଟ୍ରିଲିଅନ ଡଲାର ହେବ । ତେଣୁ ଭାରତ ଓ ଆମେରିକା ମଧ୍ୟରେ ଜିଡିପିର ଦୂରତା ୨୬.୭୭ ଟ୍ରିଲିଅନ ଡଲାର ଏବଂ ଭାରତ ଓ ଚାଇନା ମଧ୍ୟରେ ଜିଡିପିର ଦୂରତା ୨୧.୯୧ ଟ୍ରିଲିଅନ ଡଲାର ହୋଇଯିବ । ଏଥିରୁ ମଧ୍ୟ ଜଣା ପଡ଼ିଲା ଯେ ୨୦୨୨-୨୩ ଅପେକ୍ଷା ୨୦୨୭-୨୮ରେ ଜିଡିପି ହିସାବରେ ଉଭୟ ଆମେରିକା ଓ ଚାଇନାଠାରୁ ଭାରତର ଦୂରତା ବଢ଼ି ଯାଇଛି । ଅର୍ଥାତ୍ ଆମ ଦେଶ ଯେତେବେଳେ ଫାଇଭ୍ ଟ୍ରିଲିଅନ ଡଲାର ଇକୋନୋମି ହୋଇଯିବ ସେତେବେଳେ ଚାଇନା ଆମଠାରୁ ଆହୁରି ବହୁତ ଆଗକୁ ଚାଲି ଯାଇଥିବ । ତେଣୁ ଏସ୍ ଜୟଶଙ୍କରଙ୍କ ଆଶଙ୍କା ଅମୂଳକ ନୁହେଁ । 

ମନେ ରଖନ୍ତୁ, ଦଉଡ ପ୍ରତିଯୋଗିତାରେ ଆପଣ ଯେତେ ଅଧିକ ବେଗରେ ଦଉଡନ୍ତୁ ପଛେ, ଯଦି ଆପଣ ଓ ଆପଣଙ୍କ ଆଗରେ ଦଉଡୁଥିବା ଖେଳାଳିଙ୍କ ମଧ୍ୟରେ ଦୂରତା ବଢ଼ି ବଢ଼ି ଚାଲିଥିବ ତେବେ ଆପଣ ଦଉଡରେ ସଫଳ ହେଉଛନ୍ତି ବୋଲି କେହି କହିବେ ନାହିଁ । ଯଦିଓ ଅନ୍ୟ କେତେକ କ୍ଷେତ୍ରରେ ଆମ ଦେଶ ବଙ୍ଗଳାଦେଶ ଓ ନେପାଳ ପଛରେ ଅଛି, କିନ୍ତୁ ଏଠାରେ କେବଳ ଆମେରିକା ଓ ଚାଇନା ସହିତ  ତୁଳନା କରାଯାଉଛି, କାରଣ ଏହି ଜିଡିପି ଦଉଡରେ ଚାଇନା ଆମର ନିକଟ ପ୍ରତିଦ୍ବନ୍ଦୀ ଏବଂ ଆମେରିକା ହେଉଛି ବିଶ୍ବର ୧ ନମ୍ବର ଅର୍ଥନିତୀ। ତା ଛଡା ୨୦୨୦ ମସିହାରେ ଗଲଓ୍ବାନ୍ ଘାଟିରେ ଚାଇନା ସହ ହାତାହାତିରେ ଯେବେ ଠାରୁ ଆମର ୨୦ ଜଣ ସୈନ୍ୟ ଶହୀଦ ହେଲେଣି, ସେବେଠାରୁ ସେ ଦେଶ ସହିତ ଆମେ ନିଜକୁ ଅଧିକ ତୁଳନା କରୁଛୁ । ଯଦି ଆମେ ଚାଇନା କଥା ଦେଖିବା ତାହେଲେ ଏହି ଦଉଡରେ ଚାଇନା ଓ ଆମେରିକା ମଧ୍ୟରେ ଦୂରତା କମି କମି ଚାଲିଛି । ୨୦୧୯-୨୦ରେ  ଏହି ଦୁଇଟି ଦେଶ ମଧ୍ୟରେ ଜିଡିପି ଦୂରତା ୭.୦୪ ଟ୍ରିଲିଅନ ଡଲାର ଥିଲା । ୨୦୨୨-୨୩ରେ ଏହି ଦୂରତା ସାମାନ୍ୟ ବଢ଼ି ୭.୩୬ ଟ୍ରିଲିଅନ ଡଲାର ହୋଇ ଗଲା । ମାତ୍ର ୨୦୨୭-୨୮ ବେଳକୁ ଏହି ଦୂରତା ୪.୮୬ ଟ୍ରିଲିଅନ ଡଲାରକୁ ଖସି ଆସିଥିବ । 

ଏହି ବିଷୟର ଅନ୍ୟ ଦିଗଗୁଡିକୁ ଯିବା ପୁର୍ବରୁ, ଏକଥା ଆମେ ଦେଖିଲେ ଯେ ଗୋଟିଏ ଫାଇଭ୍ ଟ୍ରିଲିଅନ୍ ଡଲାର ଜିଡିପିର ଦେଶ ହେବା ବଡ଼ କଥା ନୁହେଁ । ବଡ଼ କଥା ହେଉଛି ଏହି ଜିଡିପି ଆମକୁ ଆମ ପ୍ରତିଦ୍ବନ୍ଦୀମାନଙ୍କ ତୁଳନାରେ କେଉଁଠି ରଖୁଛି । 


ଆମେ ଆଗ ଅପେକ୍ଷା ଅଧିକ ବେଗରେ ଦୌଡୁଛୁ କି ?

ଆପଣଙ୍କ ଭିତରୁ କେହି ହୁଏତ କହି ପାରନ୍ତି ଯେ ଆମେ ବିଶ୍ବ ସ୍ତରରେ ପଛେଇଲେ ମଧ୍ୟ ଜାତୀୟ ସ୍ତରରେ ତ ଆଗେଇଛୁ ନା ? ଅର୍ଥାତ୍ ଆମ ଜିଡିପି ଆଗରୁ ଯେଉଁ ବେଗରେ ଦଉଡୁଥିଲା ଏବେ ତ ତାଠାରୁ ଅଧିକ ବେଗରେ ଦଉଡୁଛି ନା ? ତେଣୁ ଏଥିପାଇଁ ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ କାହିଁକି ନ ଦେବେ ? 

ତାହେଲେ ଚାଲନ୍ତୁ ଦେଖିବା ଭାରତର ଜିଡିପି କେଉଁ ସମୟରେ କେତେ ବେଗରେ ଦଉଡିଛି । ଏଇଠି ତ ମୂଳ କଥା ରହିଛି । ସାଧାରଣ ଲୋକଟିଏ ଭାବୁଥିବ ଏ ପ୍ରଧାନମନ୍ତ୍ରୀ କ'ଣ ଏମିତି ଗୋଟିଏ ଟ୍ରିଲିଅନ ଅର୍ଥନିତୀ କଥା କହୁଛନ୍ତି, ଯାହା ଆଗରୁ କାହିଁକି କୈାଣସି ପ୍ରଧାନମନ୍ତ୍ରୀ କରି ପାରୁ ନଥିଲେ କି କହୁ ନଥିଲେ ।   ତେବେ ଏଥିପାଇଁ ଆମକୁ ଦୁଇଟି ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ । ଗୋଟିଏ ହେଲା ଭାରତ ତାହାର ଜିଡିପି କେତେ ବଢ଼ାଇଛି । ଅନ୍ୟଟି ହେଲା ଭାରତର ଜିଡିପି ଡଲାରରେ ପରିବର୍ତ୍ତନ ହେବା ପରେ ତାହା କେତେ ବଢ଼ିଛି । ୨୦୧୯ ମସିହା ଡିସେମ୍ବର ୩୧ ତାରିଖ ବେଳକୁ ଗୋଟିଏ ଡଲାରର ମୂଲ୍ୟ ଥିଲା ପ୍ରାୟ ୬୯ ଟଙ୍କା । ୨୦୨୨ ଡିସେମ୍ବର ୩୧ ବେଳକୁ ତାହା ପ୍ରାୟ ୮୩ ଟଙ୍କା ହୋଇଗଲା । ତେଣୁ ଏହି ୩ ବର୍ଷରେ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୧୪ ଟଙ୍କା ବା ୨୦% କମିଗଲା । 

୧୯୯୦-୯୧ରୁ ୨୦୧୩-୧୪ ମଧ୍ୟରେ ଭାରତର ଜିଡିପିକୁ ଡଲାରରେ ପରିବର୍ତ୍ତନ କରି ଦେଖିଲେ ତାହା ବାର୍ଷିକ ହାରାହାରି ୭.୮୧% ହାରରେ ବଢିଥିଲା । କିନ୍ତୁ ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ତାହା ୬.୯୦% ହାରରେ ବଢ଼ିଛି । ଅର୍ଥାତ୍ ମୋଦୀ ଶାସନକୁ ଆସିବା ପୂର୍ବରୁ ଡଲାରରେ ଜିଡିପି ଯେଉଁ ବେଗରେ ବଢିଥିଲା, ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ତାହା କମ୍ ବେଗରେ ବଢ଼ିଛି ।‌ ପୁଣି ଯଦି ଆମେ ମନମୋହନ ସିଂଙ୍କ ଶାସନକାଳ ଦେଖିବା, ତାହେଲେ ୨୦୦୩-୦୪ ଓ ୨୦୧୩-୧୪ ମଧ୍ୟରେ ତାହା ବାର୍ଷିକ ହାରାହାରି ୧୩.୫୯% ହାରରେ ବଢ଼ିଛି । କାରଣ ମନମୋହନ ସିଂଙ୍କ ସରକାର ସେତେବେଳେ କେବଳ ଯେ ଦେଶର ଜିଡିପି ବଢ଼ାଇଥିଲେ ତାହା ନୁହେଁ, ତାଙ୍କ ସମୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇ ନଥିଲା । ତେଣୁ ଏହିଥିରୁ ଆପଣ ବୁଝି ପାରୁଥିବେ ଯେ ଆମେ ଜିଡିପି ବଢ଼ିବାର ବିଶ୍ବ ଦଉଡରେ ଆଗରୁ କେଉଁ ବେଗରେ ଦଉଡୁଥିଲୁ ଓ ମୋଦୀଙ୍କ ସମୟରେ କେଉଁ ବେଗରେ ଦଉଡୁଛୁ । 

 ଜିଡିପି ଅବଶ୍ୟ ବଢୁଛି 

ତେବେ କ'ଣ କେବଳ ଜିଡିପି ବଢୁଛି ବୋଲି ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରେୟ ଦେବା ? ନାଇଁ ଆଜ୍ଞା । ଜିଡିପି ପ୍ରତି ବର୍ଷ ବଢେ । ଗୋଟିଏ ସରକାର ଯେତେ ନିକମା ହୋଇଥିଲେ ମଧ୍ୟ ଜିଡିପି ବଢିବ । ସ୍ବାଧୀନତା ପ୍ରାପ୍ତି ଠାରୁ ଆଜି ପର୍ଯ୍ୟନ୍ତ ମାତ୍ର ଦୁଇଟି ବର୍ଷ ଆମ ଦେଶର ଜିଡିପି କମିଛି । ୧୯୭୯-୮୦ ମସିହାରେ ଜିଡିପି ଦର ମାଇନସ୍ ୫.୨% ହୋଇଥିଲା । କାରଣ ସେହି ବର୍ଷ ପୃଥିବୀରେ ନାହିଁ ନଥିବା ପେଟ୍ରୋଲିୟମ ସଙ୍କଟ ଦେଖା ଦେଇଥିଲା । ନିକଟରେ ୨୦୨୦-୨୧ରେ ଭାରତର ଜିଡିପି ଦର କୋଭିଡ ଜନିତ ଲକଡାଉନ୍ ଯୋଗୁଁ ମାଇନସ୍ ୫.୮% ହୋଇଥିଲା । ତେଣୁ ଏହି ଦୁଇ ବର୍ଷ ଭଳି ବିଶେଷ ସଙ୍କଟ ଦେଖା ନଦେଲେ ଜିଡିପି ବୃଦ୍ଧି କଦାପି ବନ୍ଦ ହେବ ନାହିଁ । ପ୍ରକୃତରେ ଜିଡିପି ବଢାନ୍ତି ଲୋକେ । ସରକାର କେବଳ ସେଥିପାଇଁ ଅନୁକୂଳ ପରିବେଶ ତିଆରି କରନ୍ତି । ବିମୁଦ୍ରିକରଣ , ତ୍ରୁଟିପୂର୍ଣ୍ଣ ଜିଏସଟି ପ୍ରଚଳନ ଓ  ବିନା ପ୍ରସ୍ତୁତିରେ ଏକ କଠୋର ଲକ୍ ଡାଉନ୍ ଲାଗୁ କରିବା ଆଦି ମୋଦୀଙ୍କ ସମୟରେ  ଜିଡିପି ବୃଦ୍ଧି ଦରକୁ ମନ୍ଥର କରିଥିଲା । ଭାରତର ଜିଡିପି ଦର ୨୦୧୬-୧୭ରେ ୮.୨%, ୨୦୧୭-୧୮ରେ କମିଯାଇ ୬.୯%, ୨୦୧୮-୧୯ରେ ଆହୁରି କମିଯାଇ ୬.୧%, ୨୦୨୯-୨୦ରେ ପୁଣି ଥରେ କମିଯାଇ ନୈରାଶ୍ୟଜନକ ୩.୭% ରେ ପହଞ୍ଚିଥିଲା ।‌ ତା ପରବର୍ଷ ୨୦୨୦-୨୧ ଥିଲା କୋଭିଡ ବର୍ଷ । ତେଣୁ ସେହି ବର୍ଷ ଜିଡିପି ଦର ମାଇନସ୍ ୫.୮% ହେବାର କାରଣ ବୁଝି ହେଉଛି । ତା ପରବର୍ଷ ବା ୨୦୨୧-୨୨ରେ ଆମର ଜିଡିପି ଦର ୯.୧% ହେବା ଦ୍ବାରା ଆମେ ପୂର୍ବ ବର୍ଷ ପଡ଼ିଥିବା ଗର୍ତ୍ତ ମଧ୍ୟରୁ ଉଠିଲୁ । ପରବର୍ଷ ପୁଣି ଜିଡିପି କମିବାର ଧାରା‌ ଆରମ୍ଭ ହୋଇଗଲା । ୨୦୨୨-୨୩ରେ ଜିଡିପି ବୃଦ୍ଧି ଦର‌ ୭.୨% ହୋଇଛି ଏବଂ ଚଳିତ ବର୍ଷ ତାହା ୬.୫% ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଛି । 

ତେଣୁ ଯେଉଁ ମୁହଁରେ ପ୍ରଧାନମନ୍ତ୍ରୀ ଗର୍ବର ସହ କହୁଛନ୍ତି ଯେ ସେ ହିଁ ଭାରତର ଅର୍ଥନିତୀକୁ ଫାଇଭ୍ ଟ୍ରିଲିଅନ୍ ଇକୋନୋମିରେ ପହଞ୍ଚାଇଦେବେ ଏବଂ କିଭଳି ଗଣମାଧ୍ୟମର ଏକ ବୃହତ ଭାଗ ସମ୍ପୂର୍ଣ୍ଣ ସତ୍ୟ ନ ଜଣାଇ ସେଥିପାଇଁ  ଢୋଲ ପିଟି ତାଙ୍କୁ ଶ୍ରେୟ ଦେଇ ଚାଲିଛନ୍ତି ତାହା ଏକ ଦୁଃଖଦ ବିଡ଼ମ୍ବନା । କାରଣ ଆମେ ଦେଖିଲେ ଗତ ପ୍ରାୟ ୩୦ ବର୍ଷରେ ଭାରତକୁ ଫାଇଭ୍ ଟ୍ରିଲିଅନ୍ ଡଲାର ଇକୋନୋମିରେ ପହଞ୍ଚାଇବା ପାଇଁ ସବୁଠାରୁ ଅଧିକ ବେଗ (୧୩.୫୯%) ଥିଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାର ସମୟରେ । 

ଫାଷ୍ଟେଷ୍ଟ ଗ୍ରୋଇଁ ଇକୋନୋମି ? 

କୁହାଯାଉଛି ଭାରତର ଇକୋନୋମି ହେଉଛି ଫାଷ୍ଟେଷ୍ଟ ଗ୍ରୋଇଁ ବା ଭାରତର ଜିଡିପି ବିଶ୍ବର ସମସ୍ତ ଦେଶର ଜିଡିପି ବୃଦ୍ଧି ଦର ଠାରୁ ଅଧିକ ଦରରେ ବଢୁଛି । ସେମାନେ ଏକଥା କହିବା ବେଳେ କେବଳ କୋଭିଡ୍ ପରବର୍ତ୍ତୀ ଦୁଇ ବର୍ଷକୁ ହିସାବକୁ ନିଅନ୍ତି । କୋଭିଡ୍ ସମୟରେ ଆମେ ସବୁଠାରୁ ବେଶୀ ଗଭୀର ଗର୍ତ୍ତରେ ପଡିଥିଲୁ ଓ ଏବେ କେବଳ ଆମେ ସେହି ଗର୍ତ୍ତ ମଧ୍ୟରୁ  ଉପରକୁ ଉଠୁଛୁ ବୋଲି ସେମାନେ କହୁ ନାହାନ୍ତି । ୨୦୨୦-୨୧ ବର୍ଷ ପାଇଁ ଯେତେବେଳେ ଜିଡିପି ବୃଦ୍ଧି ଦର ଘୋଷଣା ହୋଇଥିଲା ସେତେବେଳେ ତାହା ମାଇନସ୍ ୭.୩% ଥିଲା । ସେହି ସମୟରେ ବିଶ୍ବର ଜିଡିପି ଦର ମାଇନସ୍ ୩.୩% ଥିଲା । ଅର୍ଥାତ୍ ସେ ବର୍ଷ ବିଶ୍ବର ଜିଡିପି ଯେଉଁ ହାରରେ ଖସିଥିଲା , ଭାରତର ଜିଡିପି ତାହାର ଦୁଇଗୁଣ ହାରରେ ଖସିଥିଲା । ମନେରଖନ୍ତୁ, ଭାରତରେ କୋଭିଡର ପ୍ରକୋପ ସର୍ବାଧିକ ନଥିଲା । କିନ୍ତୁ ଲକ୍ ଡାଉନ୍ ସବୁଠାରୁ କଠୋର ଥିଲା । ଅକ୍ସଫୋର୍ଡ ୟୁନିଭର୍ସିଟି ବିଭିନ୍ନ ଦେଶର  କୋଭିଡ ନିୟନ୍ତ୍ରଣ ପଦକ୍ଷେପକୁ ଗଣନା କରି ଏହା ପ୍ରକାଶ କରିଛି ।  

ଗତ ୨୦ ବର୍ଷରେ ଅନେକ ଥର ଆମ ଜିଡିପି ପୃଥିବୀର ଦ୍ବିତୀୟ ସର୍ବାଧିକ ଦରରେ ବୃଦ୍ଧି ପାଇଛି । 
ତେଣୁ ଆମେ ଯେହେତୁ ଅଧିକ ଗଭୀରକୁ ଖସିଥିଲୁ, ତେଣୁ ସେଠାରୁ ଦୁଇବର୍ଷ ସର୍ବାଧିକ ଦରରେ ଉପରକୁ ଉଠିବା  ହେଉଛି  ଏକ ସ୍ବାଭାବିକ ଗାଣିତିକ ନିୟମ । କିନ୍ତୁ ଯଦି ଆମେ ସମୁଦାୟ ୨୦୧୮-୧୯ ଠାରୁ ୨୦୨୨-୨୩ ମଧ୍ୟରେ ଥିବା ବର୍ଷଗୁଡିକୁ ନେଇ ଦେଖିବା, ତେବେ ଏହି ସମୟରେ ଆମେ ପ୍ରତିବର୍ଷ ହାରାହାରି ୩.୩୮% ଦରରେ ବଢିଛୁ । ପୁନଶ୍ଚ  ଗତବର୍ଷ ରିଜର୍ଭ ବ୍ୟାଙ୍କ ତାହାର ଆକଳନରେ କହିଥିଲା ଯେ ୨୦୩୪-୩୫ ପୂର୍ବରୁ ଭାରତର ଜିଡିପି ତାହାର କୋଭିଡ ପୂର୍ବ ଗତିପଥକୁ ଫେରିବ ନାହିଁ । ତେଣୁ ଏଠାରେ କହିବା କଥା ହେଲା , ଯଦି ବର୍ତ୍ତମାନ ଆମ ଜିଡିପି ଦର ଭଲ ନାହିଁ ଓ ଆଗକୁ ବି ଭଲ ହେବ  ନାହିଁ, କିନ୍ତୁ ତାହା ସତ୍ତ୍ୱେ ବି ଯଦି  ଭାରତର ଅର୍ଥନିତୀ ଫାଇଭ୍ ଟ୍ରିଲିଅନ୍ ଡଲାର ଇକୋନୋମି ହୋଇଯିବ, ତାହେଲେ ସେହି ଇକୋନୋମି କେବଳ କାନକୁ ଭଲ ଶୁଭିବା ଛଡ଼ା ଆଉ କିଛି ନୁହେଁ ।‌

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି , ଅନେକ ଗଣମାଧ୍ୟମ ଏକଥା ଲୁଚାଉଛନ୍ତି ଯେ ଭାରତ ଆଉ ସର୍ବାଧିକ ଦରରେ ଜିଡିପି ବଢାଉଥିବା ଦେଶ ହୋଇ ରହି ନାହିଁ । ସାଉଦି ଆରବର ବିକାଶ ଦର ୮.୭%, ଭିଏତନାମର ୮% ରହିଛି। 

ଯାହା ଏହି ଫାଇଭ୍ ଟ୍ରିଲିଅନ୍ ଲୁଚାଉଛି 

ଦେଶର ଅର୍ଥନୈତିକ କାର୍ଯ୍ୟକଳାପର ସମଷ୍ଟିକୁ ଜିଡିପି କୁହାଯାଏ । ସରକାର ଯଦି ଅଯଥାରେ ଆର୍ଥିକ ନୀତିକୁ କେଞ୍ଚାକେଞ୍ଚି ନ କରନ୍ତି ତେବେ ଜିଡିପି ଆପେ ଆପେ ବଢେ । ଲୋକମାନେ ଜିଡିପି ବଢାନ୍ତି । ତେଣୁ ଭାରତର ଲୋକସଂଖ୍ୟା ଅଧିକ ଥିବାରୁ ତାହାର ମୋଟ ଜିଡିପି ଅଧିକ ହେବା ସ୍ବାଭାବିକ ଅଟେ । ଇତି ମଧ୍ୟରେ ଭାରତ ବିଶ୍ଵର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇ ସାରିଛି । ଦେଶର ପ୍ରକୃତ ଆର୍ଥିକ ପ୍ରଗତି ସେତିକିବେଳେ ଜଣାପଡ଼ିବ ଯେତେବେଳେ ଆମେ ମୋଟ ଜିଡିପିକୁ ଲୋକସଂଖ୍ୟାରେ ଭାଗ କରି ମୁଣ୍ଡପିଛା ଜିଡିପି ହିସାବ କରିବା । ସେ ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ବର ୨୧୨ଟି ଦେଶ ମଧ୍ୟରୁ ୧୫୮ତମ । ମୁଣ୍ଡପିଛା ଆୟରେ ଭାରତର ସ୍ଥାନ ବିଶ୍ବରେ ୧୨୮ତମ । ଯେଉଁ ଫ୍ରାନ୍ସ ଓ ଇଂଲଣ୍ଡକୁ କାଟି ଆମେ ମୋଟ ଜିଡିପିରେ ଆଗକୁ ବଢିଛୁ ସେସବୁ ଦେଶର ଲୋକସଂଖ୍ୟା ବହୁତ କମ୍ ।‌ ତେଣୁ ମୁଣ୍ଡପିଛା ଆୟରେ ସେମାନେ ଆମର ଅନେକ ଗୁଣ ଥିଲେ ମଧ୍ୟ କେବଳ ମୋଟ୍ ଜିଡିପିରେ ଆମେ ସେମାନଙ୍କୁ ମାତ୍ ଦେଇଛୁ । 

ଆମ ଦେଶର ଜିଡିପି  ଦେଶ ଭିତରେ ଥିବା  ଉପଭୋକ୍ତାଙ୍କ ବ୍ୟୟ ଉପରେ ଅତ୍ୟଧିକ ନିର୍ଭର କରେ । ଦେଶର ଉପଭୋକ୍ତାଙ୍କ ମଧ୍ୟରୁ ଅଧିକାଂଶ କେବଳ ଖାଦ୍ୟ, ପୋଷାକ ଓ ସାଧାରଣ ମୌଳିକ ଆବଶ୍ୟକତାରେ ବ୍ୟୟ କରନ୍ତି । ଗତବର୍ଷ ଆମ ଦେଶରେ ମାତ୍ର ୨.୨୪ କୋଟି ଲୋକ ଆୟକର ଦେଇଛନ୍ତି । ପୁଣି ଆୟ ଓ ରୋଜଗାର କମୁଥିବାରୁ  ଗତ ୪ ବର୍ଷ ମଧ୍ୟରେ ଏହି ସଂଖ୍ୟାରେ ୩୭% ହ୍ରାସ ପାଇଛି । ଆମ ଦେଶ ରପ୍ତାନୀ ବା ବିଦେଶୀ ଉପଭୋକ୍ତାଙ୍କ ଉପରେ ନିର୍ଭର କରି ଦେଶର ଜିଡିପି ବଢ଼ାଇବାରେ ସକ୍ଷମ ହୋଇ ପାରୁ ନାହିଁ । ଆମର ବିଦେଶୀ ବାଣିଜ୍ୟ ଦଶନ୍ଧି ଦଶନ୍ଧି ଧରି ନିଅଣ୍ଟିଆ ହୋଇ ରହିଛି । ଅର୍ଥାତ୍ ଆମେ ଯେତିକି ରପ୍ତାନି କରୁଛୁ ତା ଠାରୁ ଅଧିକ ଆମଦାନୀ କରୁଛୁ । ଯେଉଁ କାନାଡା , ଫ୍ରାନ୍ସ ଓ ଇଂଲଣ୍ଡକୁ କାଟି ଆମେ ମୋଟ ଜିଡିପିର ଦଉଡରେ ଆଗକୁ ଆସିଛୁ ସେସବୁ ଦେଶର ବୈଦେଶିକ ବାଣିଜ୍ୟ ବଳକା । ଅର୍ଥାତ୍ ସେମାନେ ଆମଦାନୀ ଅପେକ୍ଷା ରପ୍ତାନି ଅଧିକ କରନ୍ତି । ଏପରି ସ୍ଥିତିରେ ରପ୍ତାନି ନ ବଢାଇ ଆମେ ଆମର ଅର୍ଥନିତୀ ବଢ଼ାଇବା କଥା ଅକଳ୍ପନୀୟ । 

ମୋଦୀ କହୁଛନ୍ତି ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଦେଶ ହୋଇଯିବ । ବିକଶିତ ଦେଶ ସେ କେଉଁ ଅର୍ଥରେ କହୁଛନ୍ତି ତାହା କାହାକୁ ଜଣାନାହିଁ । ବିଶ୍ବରେ ଏଥିପାଇଁ କୈାଣସି ଗୋଟିଏ ନିର୍ଦ୍ଦିଷ୍ଟ ମାପଦଣ୍ଡ ନାହିଁ । ଆୟ ଦୃଷ୍ଟିରୁ ବିଶ୍ବବ୍ୟାଙ୍କ ଭାରତକୁ ନିମ୍ନ-ମଧ୍ୟମ ଆୟର ଦେଶ ବୋଲି ପରିଗଣିତ କରିଛି । ମୋଦୀ ଆଗରୁ କହିଥିଲେ ୨୦୨୩ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିଦେବେ । ତାହା ହେଲା ନାହିଁ । କହିଥିଲେ ୨୦୨୨ ସୁଦ୍ଧା ଦେଶର ଜିଡିପିରେ ମ୍ୟାନୁଫାକଚରିଂ ବା ଉତ୍ପାଦନ ଶିଳ୍ପର ଯୋଗଦାନ ୨୫% ହେବ । ତାହା ହେଲା ନାହିଁ । କହିଥିଲେ ୨୦୨୪ ସୁଦ୍ଧା ଭାରତର ଅର୍ଥନିତୀ ଫାଇଭ୍ ଟ୍ରିଲିଅନ ଡଲାର ଇକୋନୋମି ହୋଇଯିବ । 

ବନ୍ଧୁଗଣ, ଏହି ଲେଖାଟି ଶେଷ କରିବା ସମୟରେ ଟୁଇଟରରେ ଦେଖିଲି ଗୋଟିଏ ଓଡ଼ିଆ ଟିଭି ଚ୍ୟାନେଲ କହୁଛି ୨୦୩୦ ମସିହା ସୁଦ୍ଧା ଭାରତର ଅର୍ଥନିତୀ ସିକ୍ସ ଟ୍ରିଲିଅନ ଡଲାର ହୋଇଯିବ । ଏହି କଥା ମୁଁ ଜଣେ ବନ୍ଧୁଙ୍କୁ କହିବାରେ ବନ୍ଧୁ ଜଣକ କହିଲେ ଗତ ୬ ମାସ ହେଲା ତାଙ୍କ ଟିଭି ରିମୋଟ ହଜି ଯାଇଛି ।