ନିଦବୁଣା
ବହଳ ନିଦ
ଦେହରେ, ମନରେ,
ଦିପହର ଖରାରେ, ଲୁଣ ଡବାରେ।
ଚୁହ୍ଲା ନିଆଁରେ ତେଲ ରଙ୍ଗ ଭଳି ଲେସି ହେଇଥାଏ
ଗହଳ ନିଦ।
ଫୋନ ବାଜିଲେ ଅଚିହ୍ନା ଲାଗେ ନମ୍ବର।
ସାମ୍ନା ଚେୟାର ରେ
ମୁହଁ ହାତ ହଲେଇ କଣ ଯେ ସବୁ କହି ଚାଲନ୍ତି
ଅସ୍ପଷ୍ଟ ମଣିଷମାନେ!
ବିଷାଦ ଭଳି ଦୋହଲୁ ଥାଏ
ସେମାନଙ୍କ ଛାୟା ଶରୀର।
ଅବୋଧ୍ୟ.. ପିଲା ବେଳର ବହି ବି।
କିଏ ଜଣେ
ସାରା ସମୟ କାନ ପାଖରେ ଫିସ ଫିସ କରେ,
ଡାକି ଚାଲେ, କୁଆଡ଼େ କେଜାଣି!
ମୁଁ ମନ ଦେଇ ବିଛଣା ସଜାଡେ
ପରିପାଟି।
ମନେ ପକାଏ ବିସ୍ମୃତ ଦୁଃଖ
ଯେଉଁ ଦୁଃଖରେ କୁଆଡ଼େ ଦିନେ ଭିଜିଥିଲା ଜହ୍ନର ଛାଇ
ଆଜି
ଜହ୍ନ କୁ ଚିପୁଡ଼ିଲେ ବି ଝରେନା ବୁନ୍ଦେ କବିତା।
ଗଭୀର ରାତିରେ
ଟାଆଁ ଟାଆଁ ଶବ୍ଦ କରି ଉଡ଼ିଯାଏ
ନିଶାଚର ପକ୍ଷୀ
ମୁଁ
ମୋ ତାରକସି ଫୁଲ ପକା ବିଛଣା ଉପରେ
ଦହି ଭଳି ଥଲ ଥଲ ନିଦକୁ
କୋଳରେ ଧରି
ଘନ ଅନ୍ଧାରକୁ ସ୍ବେଟର ଭଳି ବୁଣି ଚାଲିଥାଏ
ସାରା ରାତି... ରାତି ସାରା।