ଅନିବାର୍ଯ ଜରା
ଜରାୟୁରୁ ଜରା ଆଉ ଆୟୁ ଦେହେ ନେଇ
ବାହାରି ଆସିଲି ଦିନେ ଶିଶୁଟିଏ ହୋଇ
ବଢ଼ି ବଢ଼ି ବୁଢ଼ା ହେଲି, ହେଲି ଜରାଗ୍ରସ୍ତ
ସମାଜ, ସଂସାର ହେଲା ନୃଶଂସ ବନସ୍ତ
ଜରା ସଦା ଅନିବାର୍ଯ, ହୁଏନି ଏଡ଼ାଇ
ଆୟୁ ମଧ୍ୟ ନିର୍ଧାରିତ, ପାରିନି ବଢ଼ାଇ
କ'ଣ ଖାଇ, ପିଇ, ପିଂଧି ରଖିଲି ଜୀବନ
ସେ ସବୁ ଏବେ ଲାଗଂତି ସତେ ମୂଲ୍ୟହୀନ
ସ୍ବଭାବ, ସ୍ବରୁଚି ପୋଷି କଲି କିଛି କାମ
ସୁନାମ ସହ ପାଇଲି ଦୁଃସହ ଦୁର୍ନାମ
ମରିବା ପର୍ଯଂତ ନିଜ ସାଧ୍ୟ ମତେ କର୍ମ
କରିବା ହୋଇଛି ମୋର ବ୍ୟକ୍ତିଗତ ଧର୍ମ
କର୍ମାତ୍ମା, ଧର୍ମାତ୍ମା ହୋଇ ବିତାଏଁ ସମୟ
ଅଜଣା ହୋଇ ରହିବ ମୋର ପରିଚୟ
ଯିବା ପାଇଁ ଆସିଥିଲି ଜୀବ ରୂପ ଧରି
ପୂର୍ବନିର୍ଧାରିତ ସତ୍ୟ : ଯିବି ଦିନେ ମରି
ଚିରଂତନକୁ ସ୍ବୀକାରି ଜିଏଁ ପ୍ରତି ଦିନ
ଯାହା ପୂର୍ବନିର୍ଧାରିତ ତାହା ମୋର ମାନ୍ୟ
ଯିବାଯାଏଁ ଥିବି ଏଠି, ନାହିଁ ଅଭିଯୋଗ
ବଛା ହେଲି ବୋଲି ମୋତେ ମିଳିଛି ସୁଯୋଗ