ଲୁଣ ଖଲାରୀ
ଖୋଲା କେଶରେ ପବନ ଖେଳେଇ
ନିଦକ ହେବାର ଥିଲା
ପବନ କଳରେ ଓଢଣୀ ଟାଙ୍ଗି
ଶେଷ ଥର ପାଇଁ ଉଚ୍ଚ ସ୍ଵରରେ
ଘୋଷଣା କରିଦେବାର ଥିଲା
ଯୁଦ୍ଧ ନହେଲେ ପ୍ରେମ
ମୁକ୍ତି ନହେଲେ ମୃତ୍ୟୁ !
ହଁ, ନିଆଁରେ ଗୋଳେଇ ପାଣି ପରି ପିଇ
ଯିବାର ଥିଲା ପବନ !
ମଝି ସମୁଦ୍ରରୁ କୂଳକୁ କେବେ ନ ଫେରିବାର
ଜିଦ୍ ଟିଏ କୁ
ଏକାଏକା ଏମିତି ଭିଡି ଯିବାର ନଥିଲା
ଉଦ୍ଦାମ ଲହଡି ସହ !
ପ୍ରେମାନ୍ଧ ହୋଇ ନଡ଼ିଆ ଗଜା ପରି
ଗିଳି ଦେବାର ନଥିଲା ଗୋଟା ସମୁଦ୍ର !
ସମୁଦ୍ରେ ଶିହରଣର କଥା ଥିଲା
କଥା ତ ଥିଲା,
ଜହ୍ନରାତି, ବାଲିଶଯ୍ୟା ଆଉ ନାଉରି ଗୀତର !
ଆଖି ଲୁହରେ ଲୁଣ ଖଲାରୀ
ବାଷ୍ପେଇ ଯିବାର ନଥିଲା ଏମିତି !
ସମୁଦ୍ର ନାଭିରେ ଗାତ ଖୋଳି
କେମିତି ଜମା ହେଲା ଛାତିଏ ମିଠା ପାଣି,
ଜମା ହେଲା ଥାକ ଥାକ ସ୍ମୃତି ଆଉ ଶୋଷ !
ଭାସିଯାଇଥିବା ସେ ପାଉଁଜିର
ବାଲିରେ ପୋତା ପାଦ,
ଶଙ୍ଖ ଓ ଶାମୁକା ଖଚି
କେମିତି ରଚିଲା ରାଜ ଉଆସ ?
ପବନର ପାଚେରୀ ସେପାଖେ
କେମିତି ସ୍ୱପ୍ନର ଗହଳ ଝାଉଁ ବଣ ଠିଆ କରି କେହି
ପବନ କୁ ହିଁ ସମର୍ପି ଦେଲା ତାର ଲମ୍ବା କେଶ !
ରାଶି ରାଶି ବାଲିର ଏ ଦେହ ଦେଖ
ଆଖି ରେ ଲୁଣ ଖଲାରୀ ଆଉ
ଖୋଲା କେଶରେ ପବନ ଖେଳେଇ ନିଦକ
ହେବାର ନିଶାରେ
ଲୁଣ ଚରି ଯାଇଥିବା ଜୀବନ,
ଲୁଣର ସ୍ତୁପ ଭିତରେ ତଥାପି
ଧକଧକ ହେଉଥିବା ଏ ହୃଦୟ, ଦେଖ !