ମହାପ୍ରୟାଣ

ମହାପ୍ରୟାଣ

ସକାଳୁ ସକାଳୁ ବାନ୍ଧି ବୁନ୍ଧି ହେଇ
ସିଏ କୁଆଡ଼େ ଗଲେ କେଜାଣି ?

କାଲି ଯାଏଁ ବୁଲୁଥିଲେ ସକାଳୁ ସକାଳୁ
ଭେଟୁଥିଲେ ଚଢ଼େଇମାନଙ୍କୁ
ସଞ୍ଜ ହେଲେ ଖୋଲୁଥିଲେ ଦୋକାନ
ବାଣ୍ଟୁଥିଲେ ମାଗଣା ଔଷଧ
ରାତିରେ ଶୋଇଥିଲେ ନିଦରେ
ଏବେ ସକାଳୁ ସକାଳୁ କୁଆଡ଼େ ଗଲେ ସତରେ
ଏତେ ଲୋକଙ୍କ ଭିଡ଼ରେ !

ଏବେ ତ ଖରା ଛୁଟି
ପିଲାମାନଙ୍କ ସ୍କୁଲ ବନ୍ଦ
ମାଷ୍ଟ୍ରମାନେ ଗାଆଁରେ
ନେତାମାନେ ବିଦେଶ ଗସ୍ତରେ
ସିଏ କେଉଁ ଦେଶକୁ ଗଲେ ସକାଳୁ ସକାଳୁ
କେଉଁ ଅଦୃଶ୍ୟ ବିମାନରେ !

ବୋଧେ ଆମେ ସବୁ କାଲି ଯିବୁ ବୋଲି
ଆମ ପାଇଁ ଧର୍ମଶାଳାଟେ ଖୋଜିବାକୁ
ସିଏ ଆଜି ଏତେ ସକାଳୁ ସକାଳୁ ଗଲେ !!