ଡାକୁଚି ସେ ଯେ ଡାକୁଚି

ଡାକୁଚି ସେ ଯେ ଡାକୁଚି

ମାର୍ଚ୍ଚ ଶେଷଶେଷରେ ଯିବି ଭବାନୀପାଟଣା

କହିଥିଲି ସୁକାଂତକୁ,

ସେ ଥିଲା ନୋଡାଲ୍ ଅଫିସର୍ କି କ'ଣ କିଂତୁ ବୁଲୁଥିଲା

ଫୋର୍ ହ୍ବିଲରରେ ଏ ସ୍କୁଲରୁ ସେ ସ୍କୁଲ,

ସେତେବେଳକୁ ଅଖିଲ୍ ଅବଶ୍ୟ ସ୍ଵପ୍ନ ହେଇନଥିଲା।

 

ଏପଟୁ ଯାଇ,ସେପଟେ ରହି, ମଝିରେ ଖାଇ

ଟିକେ କୋଦା ହେଇଯାଇଥିଲା ସୁକାଂତ

(ସେ ହିଁ ପ୍ରଥମ ଓ ଏକମାତ୍ର ଯିଏ ପୂର୍ବରୁ ଯାଇ

ପଶ୍ଚିମରେ ଉଦୟ ମଣିଷ !)

ପିଲାଂକୁ ସ୍ଵାସ୍ଥ୍ୟ ସଂପର୍କରେ ବୁଝଉଥିଲା ଶ୍ରେଣୀରେ

ବଡ଼ ଭଳି ଦିଶୁଥିଲେ ବି ଲାଗୁଥିଲା ପିଲାଟିଏ

ଚୌଦିଗ ଫଟେଇଦଉଥିଲା ହସରେ ହସରେ

ସେ 'ନିର୍ମାତା' ଥିଲା ଆମ ନୂଆରାସ୍ତାର

ଯୋଜନାବିଭାଗର ଯୋଜନା କିଛି ନଥିବା ବେଳରେ।

 

ଖାଇଲାବେଳେ ସେ ବୁଝାମଣା ଚାହେନା

କାମ କଲାବେଳେ ସେ ପତ୍ର ବି ହଲେଇଦିଏନା

କହିଲାବେଳେ କିଛି ଭାବି ବା ମାପଚୁପକରି କହେନା;

ସେ ମହୁଲଫୁଲରେ ତିଆରିକରିଥିଲା ଗୋଟେ ଡଂଗା

ଯୋଉଥିରେ ବସିଥିଲା ଜଣେ ବେଜୁଣି-

ଅବଶ୍ୟ ତା ଥିଲା ଶାଳପତ୍ରର ଶିରା ଓ ପ୍ରଶିରା !

ସେଇ ଗୋଟାଏ ଇ ଚିତ୍ର ତା'

ସେଇ ଗୋଟାଏରେ ଚିତ୍ରକରରେ ନାଆଁ ତା ଲେଖିହେଇଗଲା !

 

ଚାଲିବା ସହଜ ନୁହଁ ଜାଣି ବି ସେ କହେ ଫୋ'ଫାଆ:

ଗୁପ୍ତେଶ୍ୱର ଯିବା ଚାଲିଚାଲି ପାଂଚମାଇଲ୍ ଜଂଗଲେଜଂଗଲେ

ଆଂବ ଖାଇଖାଇ ବାଟସାରା;

ଗାଧୋଇବା ଫୁର୍ଲିଝର୍ଣାରେ,

ଖରାଗାଧୁଆର ମଜା ଆଉ ନାଇଁ କାହିଁରେ ହୋ!

କହିବ ଯଦି ଯିବା ମୁଖିଗୁଡ଼ା,

ଖାଇବା ଯା ମିଳିବ ବାଟରେ -

ଚାହିଲେ ନେଇପାରିବ କାଇକଷା ସ' ମହୁଲି ମଜା!

 

ଭାବୁଥିଲି ଚଇତିପରବ୍ ପାଇଁ ମୁଁ ଟାଣଂତି ତାକୁ ମାଳିପର୍ବତ

ସେଠି ହଏତ ଦେଖାହଂତା ଲେନିନ୍

ପାଦରେପାଦ ମିଶାଇ ନାଚଂତି ନନୀଂକ ସ'

ମୁଠାଏ ନେଇଆସଂତି ବାସ୍ନା !

ପଥରକପାଳରେ ଲେଖଂତି ଦିଧାଡ଼ି ଜୀବନର କଥା !

କେହିକେହି କହଂତେ ଇଏ ପରା ବଂଧୁଗାଁ'ର ଅଜୁଆ !!

 

ଭବାନୀପାଟଣାରୁ ଯେତେଦୂର ହଉ କୋରାପୁଟ

ନା ମୋତେ ନା ସୁକାଂତକୁ ଆଉ କି ଜଣାପଡ଼ଂତା !!!

 

କେଡ଼େ କଠିଣ ସତେ ପ୍ରୀତି ପାଳିବା !

ହେଇ, ଫୋନ୍ କରୁଚି କାଂତକାଂତ ମହାକାଂତ ସୁକାଂତ

କ'ଣ କହିବି ତାକୁ ଏ ଖରାରେ ଯିବି କି ନା ??