ଭୁବନେଶ୍ଵର-୭୫ : କବିତା ସଙ୍କଳନର ଲୋକାର୍ପଣ
ଐତିହ୍ୟ ଓ ଆଧୁନିକତାର ସମନ୍ଵୟ ଭୁବନେଶ୍ୱରର ସ୍ୱାତନ୍ତ୍ର୍ୟ ହୋଇଥିବାବେଳେ ସାମାଜିକ ତଥା ସାଂସ୍କୃତିକ ପରିସ୍ଥିତିର କ୍ରମ ପରିବର୍ତ୍ତନ ମଧ୍ୟ ସହରରେ ପରିଲକ୍ଷିତ ହେଉଛି । ଭୁବନେଶ୍ୱର ପ୍ରାଚୁର୍ଯ୍ୟ ଓ ଅନଟନର ସହର, ପୁଣି ପ୍ରଭୁତ୍ୱ ଏବଂ ପୀଡ଼ାର ସହର ବୋଲି ଅତିଥିମାନେ ମତ ଦେଇଛନ୍ତି । ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର-୭୫ ଶୀର୍ଷକ କବିତା ସଂକଳନର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ
ରାଜଧାନୀକୁ ବହୁଦିଗରୁ ଆଲୋଚନା କରିଥିଲେ ।
କଟକର ଆଦିତ୍ୟ ଭାରତ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ କବି ରାଜେଂଦ୍ର କିଶୋର ପଂଡ଼ା ଓ ଆଶୁତୋଷ ପରିଡ଼ା ଯୋଗଦେଇ ପୁସ୍ତକ ଲୋକାର୍ପଣ କରିଥିଲେ । ଶ୍ରୀ ପଂଡ଼ା କହିଥିଲେ ଯେ ଭୁବନେଶ୍ୱରର ଥିବା ସ୍ଥାନୀୟତାର ବ୍ୟାପକ ସଂଜ୍ଞା କବିତାଗୁଡ଼ିକରେ ରୂପାୟିତ ହୋଇଛି । କବି ଶ୍ରୀ ପରିଡ଼ା କହିଥିଲେ ଯେ ପ୍ରତ୍ୟେକ କବି ପାଇଁ ଭୁବନେଶ୍ୱର ଏକ ଅନନ୍ୟ ଆବିଷ୍କାର ରୂପେ ଉଭା ହୋଇଛି । ତରୁଣ କବି କେଦାର ମିଶ୍ର ଓ ଶକ୍ତି ମହାନ୍ତି ପୁସ୍ତକରେ ସନ୍ନିବିଷ୍ଟ ଲେଖାଗୁଡ଼ିକର ଆଲୋଚନା କରିଥିଲେ । ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କ ସଂପାଦିତ ଏହି ସଂକଳନରେ ୭୫ ଜଣ କବିଙ୍କର କବିତା ସ୍ଥାନିତ ହୋଇଛି । ପ୍ରକାଶକ ଦେବାଶିଷ ସାମନ୍ତରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାକ୍ୟସିଂହ ମହାପାତ୍ର ଓ ତୃପ୍ତିରଞ୍ଜନ ଦାସ ଭୁବନେଶ୍ୱରକୁ ନେଇ ସ୍ୱରଚିତ
କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମର ରାଜଧାନୀର ବହୁ କବି, ଲେଖକ ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।