ନାରୀ ନିର୍ମାଣ
ଘର ଓଳେଇବୁନି ରାତିରେ
ପିଣ୍ଡି ଛାଡିଦେବେ ସାଗର ଦୁଲଣୀ,
ରାତିରେ କୁଂଡେଇବୁନି ମୁଂଡ଼
କାଳେ ମାଟିରେ ପଡିବ ଉକୁଣି୍
ଉକୁଣି ପଡିଲେ ଜାଣିଥା'
ଆଡ଼ କରିଦେବେ ନକ୍ଷ୍ମୀ ଠାକୁରାଣୀ ।
ଦୁଆରବଂଧରେ ବସିବୁନି୍
ସେ ଥାନ ଯମଦୂତ ଅକାଳ ବିକାଳଂକର,
କେହି ଶୋଇଥିଲେ ଡେଇଁବୁନି
ଆସି ପହଂଚିଯାଏ କାହା ମରଣ ଖବର ।
ରାତିରେ ଅଇଁଠା ବାସନ ରଖିବୁନି
ଯେତେ ଛଂଚିଲେ ବି ଅଧୁଲେ ରୁହେନି,
ପୁରୁଷଲୋକ ଗଲା ବେଳେ ପଛରୁ ଡାକିବୁନି
କଲା କାମ ପରାପତ ହୁଏନି ।
ଆର ଜନମରେ କାଲା ହେଇଯା'ନ୍ତି
ପୁରାଣ ଶୁଣିଲା ବେଳେ
ଅଧାରୁ ଉଠିବୁନି,
କ୍ଷୀର ବାହାରେନି ଥନରୁ ବିରାଡିକି ମାରିବୁନି ।
ଗୁହାଳେ ବଂଧା ମଇଁଷିକି
ଦେଖିବୁନି ସକାଳୁ,
କାଳେ କେବେ ତୋ ଉପରେ କାଉ ହଗିଲେ
ବୁଡ଼ ପକେଇବୁ ପାଂଚ ଥର,
ଅରଷ୍ଟି ହୁଏ
ଘରେ ନାଗିରୁହେ କଳିଗୋଳ ।
ଇମିତି ଅନେକ 'ନାହିଁ' 'ନାହିଁ'ରେ
ନାନୀକି ଗଢିଥିଲା ମା',
ନାନୀ ଗଢୁଚି ତା' ଝିଅକୁ,
ପିଆଜ କାଟିବା ବାହାନାରେ କାଂଦିବାକୁ !