ଓଡିଆ ସିନେମାରେ ସାତରଙ୍ଗର କାହାଣୀ ଇଂଦ୍ରଧନୁ

ମାନବ ଇତିହାସର ଦୀର୍ଘ ଯାତ୍ରାରେ ଇନ୍ଦ୍ରଧନୁର ସାତଟି ରଙ୍ଗକୁ ଦର୍ଶନ, କଳା, ପ୍ରକୃତି ଏବଂ ନାନାଦି ଭାବନାର ବ୍ୟାଖ୍ୟା କରିବା ପାଇଁ ଭିନ୍ନ ଭିନ୍ନ ଭାବରେ ଅଭିବ୍ୟକ୍ତ କରାଯାଇଛି । କେବେ ଏହି ରଙ୍ଗଗୁଡ଼ିକ ଆମର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଜୀବନର ପ୍ରତୀକ ଭାବେ ବ୍ୟବହୃତ ହୋଇଛନ୍ତି ତ କେବେ ଏ ରଙ୍ଗ ମାଧ୍ୟମରେ ଚିତ୍ରିତ ହେଇଚି ବହୁ ପାର୍ଥିବ ଅବବୋଧ ଓ ଅନେକ ଅତିପାର୍ଥିବ ଅବଧାରଣା । ଏ ରଙ୍ଗସବୁର ବ୍ୟାଖ୍ୟାରେ ଲୁଚିରହିଛି ପ୍ରେମ, ଆକାଂକ୍ଷା, ଆସ୍ଥା, ଆଶା, ଭୟ, ଅପେକ୍ଷା ଏବଂ ଶୂନ୍ୟତା ଭଳି ଅନେକ ଚେତନାର ଚିତ୍ର । ସେଇ ଚେତନାମାନଙ୍କ ମଧ୍ୟରୁ କିଛି ଚେତନାକୁ ସାତୋଟି ଛୋଟ ଛୋଟ କାହାଣୀ ଆକାରରେ ଏକାଠି ଗୁନ୍ଥି ଖୁବ ଶୀଘ୍ର ବଡ଼ପରଦାକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର 'ଇନ୍ଦ୍ରଧନୁ' ।
'ଇନ୍ଦ୍ରଧନୁ' ସାତଟି ଛୋଟ ଛୋଟ କାହାଣୀର ଏକ ସଂଗ୍ରହ, ବା ଆନ୍ଥୋଲୋଜି, ଯହିଁରେ ସ୍ଥାନିତ ହେଇଥିବା କାହାଣୀସବୁ ଇନ୍ଦ୍ରଧନୁର ସାତଟି ରଙ୍ଗକୁ ପ୍ରତିନିଧିତ୍ୱ କରନ୍ତି । ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦୀ, ନାରଙ୍ଗୀ ଓ ଲାଲ - 'ବାଘନିସହନାଲା'ର କ୍ରମରେ ଆକାଶରେ ସତରଙ୍ଗର ଇନ୍ଦ୍ରଧନୁ ଦିଶିବା ପରି ପରଦାର ଏ ଇନ୍ଦ୍ରଧନୁରେ ବି ସମ-କ୍ରମିକତାରେ ରହିଛି ସାତୋଟି ରଙ୍ଗଭିତ୍ତିକ କାହାଣୀ । ଏମିତି ଦେଖିବାକୁ ଗଲେ, ବାଇଗଣୀ ରଙ୍ଗର ଗୋଲାପରୁ ଆରମ୍ଭ ହେଇଚି ଏ ସିନେମାର କଥା, ଓ ଶେଷ ହେଇଚି ଲାଲରଙ୍ଗର ସୂର୍ଯ୍ୟାସ୍ତରେ । ଟିକେ ନିରିଖେଇକି ଦେଖିଲେ, ଛୋଟ ପିଲାଟିଏର ସରଳ ବିଶ୍ୱାସରୁ ଆରମ୍ଭ ଏ ଇନ୍ଦ୍ରଧନୁ, ଯାହାର ଶେଷ ଦୁଇ ବୟସ୍କ ମଣିଷଙ୍କ ଅନାବିଳ ପ୍ରେମ ପାଖରେ । ମଝିରେ ଅଛି ଆଉ ପାଞ୍ଚଟି କାହାଣୀ, ଯେଉଁମାନେ ବାକି ରଙ୍ଗମାନଙ୍କ କଥା କହିବା ଆଳରେ କୁହନ୍ତି ପ୍ରେମ କଥା, ବିଶ୍ୱାସ କଥା, ସ୍ବପ୍ନ କଥା, ଓ ସ୍ୱପ୍ନଭଙ୍ଗ କଥା !
ଇନ୍ଦ୍ରଧନୁର ନିର୍ଦ୍ଦେଶନା, ଚିତ୍ରୋତ୍ତୋଳନ ଓ ସମ୍ପାଦନା କରିଛନ୍ତି ଯୁବ ନିର୍ଦ୍ଦେଶକ ଅର୍ଜୁନ ସାମନ୍ତରାୟ । ସିନେମାର ପରିକଳ୍ପନା କରିଛନ୍ତି ଯୁବ ସାହିତ୍ୟିକ ସୂର୍ଯ୍ୟସ୍ନାତ ତ୍ରିପାଠୀ । ଜଣାଶୁଣା ସିନେ ବ୍ୟକ୍ତିତ୍ୱ ରାଜେନ୍ଦ୍ର ମହାନ୍ତଙ୍କ ଦ୍ୱାରା ପ୍ରଯୋଜିତ ଏ ସିନେମାଟିରେ ସହ-ପ୍ରଯୋଜକ ଭୂମିକାରେ ଅଛନ୍ତି ସୂର୍ଯ୍ୟସ୍ନାତ ଓ ସୁରଭି ପଟନାୟକ । ଇନ୍ଦ୍ରଧନୁର କାହାଣୀସବୁ ନିଖିଳେଶ ମିଶ୍ର, ସରୋଜ ବଳ, ବାଦଲ ମହାନ୍ତି ଓ ସୂର୍ଯ୍ୟସ୍ନାତଙ୍କ ଦ୍ୱାରା ଲିଖିତ ହେଇଥିବା ବେଳେ ସିନେମାଟିକୁ ସଂଗୀତରେ ସଜେଇଛନ୍ତି ଅନୁରାଗ ପଟନାୟକ । ଶ୍ରୀ ଦେବଦାସ ଛୋଟରାୟଙ୍କ ଦ୍ୱାରା ଲିଖିତ ଶୀର୍ଷକ ଗୀତକୁ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଓମ ପ୍ରକାଶ ମହାନ୍ତିଙ୍କ ସଂଗୀତରେ ସ୍ୱର ଦେଇଛନ୍ତି ସୁସ୍ମିତା ଦାସ ଓ ରତିକାନ୍ତ ଶତପଥୀ । ଇନ୍ଦ୍ରଧନୁର ବିଭିନ୍ନ କାହାଣୀରେ ମୁଖ୍ୟ ଭୂମିକାରେ ଅଛନ୍ତି ଚୌଧୁରୀ ବିକାଶ ଦାସ, ଦୀପନ୍ବିତ ଦାଶମହାପାତ୍ର, ସ୍ମିତା ମହାନ୍ତି, ରମାକାନ୍ତ ମିଶ୍ର, ଭାସ୍ଵତୀ ବସୁ, ଦେବଦତ୍ତ ପତି, ଅଭିଷେକ ଗିରି, ଧରିତ୍ରୀ ଖଣ୍ଡୁଆଳ, ସୁଧାଶ୍ରୀ ମଧୁସ୍ମିତା, ରିଙ୍କୁ ପଧାନ, ସୌମ୍ୟ ରଞ୍ଜନ, ସମର୍ପିତା, ଦିଶାନୀ ଦେବାଞ୍ଜନା, ସାଗର ଷଡ଼ଙ୍ଗୀ, ଅମିଷା ମହାନ୍ତି, ରୂପଶ୍ରୀ ଓ ଅନ୍ୟମାନେ । ଆସନ୍ତା ଜୁଲାଇ ମାସ ଅଠର ତାରିଖରେ ଇନ୍ଦ୍ରଧନୁ ମୁକ୍ତିଲାଭ କରିବାକୁ ଯାଉଛି ।