ଭୁଲବଶତଃ

ଭୁଲବଶତଃ

ଏଇ ଛବିଟି ସମ୍ଭବତଃ ତାଙ୍କର ଏଯାବତ  ମିଳିଥିବା ସବୁଠୁ ପୁରୁଣା ଛବି।

ଏହାର ସମୟ ୧୭୭୫ ଖ୍ରୀଅ।

ସାର୍ ଏଇଠେ ଦେଖିବେ ନିହାତି ଭୁଲ ଜାଗାରେ ବସିଛନ୍ତି। ଆଉ ତଳେ ଅଧରପଣା ପ୍ରସ୍ତୁତ ହୋଇ ରହିଛି।

ସାର୍ ଙ୍କ କଥା ସାର୍ ନିଜେ ଜାଣନ୍ତି।ଅଧରପଣା ର ଲୋଭରେ ଏଇ ସ୍ଥାନ ବିଚ୍ୟୁତି ଟି ଘଟିଛି ବୋଲି ଆମ ମାନଙ୍କ ଭଳି ଇତର ଜନ ର ଧାରଣା ।କାରଣ ଆମ ମାନଙ୍କର ଅଧରପଣା  ସମେତ ସବୁ ଜାତୀୟ ପଣାପାଣିରେ ଢେର୍ ଆଗ୍ରହ ରହିଛି।

ଏଇଠି ଏମିତି ଅଧରପଣାର କଥା ଲେଖାହୋଇଛି ବୋଲି ସାର୍ ଙ୍କର ହୁଏତ କିଛି ଯାଏ ଆସେ ନାହିଁ ଭଳି ଆମକୁ ଲାଗେ।ଦାନ୍ତୁରାର ହସ କି କାନ୍ଦ ଯେମିତି କେହି ବୁଝି ନ ପାରିଲା ଭଳି ଆମର ସାର୍ ଙ୍କ ହସ।ସେ ସବୁବେଳେ ହସକୁରା।ସବୁବେଳେ ଯିଏ ହସଟିଏ ନିଜ ଓଠରେ ଝୁଲାଇ ରଖିଲା ସେ କାହା ଉପରେ ଆନନ୍ଦରେ ଗଦଗଦ ହୋଇ ରହିଛି କି କାହା ପାଇଁ ଇସ୍ପାତର ଛୁରିଟିଏ ପଜାଇ ରଖିଛି ଜାଣିବା କାଠିକର ପାଠ।

ଆପାତତଃ ସାର୍ ଙ୍କ ହସ ରେ ଆମେ ସଂତୁଷ୍ଟ ଅଛୁ। ଏଇଟିକୁ କିଛି ବୁଝିପାରୁନଥିବା ଇତର ଜନର ସଂତୁଷ୍ଟି ବୋଲି ଯଦି କିଏ କହୁଛି, ସେ ସେମିତି କହୁ।ଆମେ ବ୍ରାତ୍ୟଜନଗଣ ଖୁସିରେ ଅଛୁ ତାଙ୍କର ହସ ସହ। ଯଦି ଆମର ପଛନ୍ତେ ସାର୍ ନିଜ ଛୁରୀରେ ଶାଣ ଦେଉଥିବେ ସେଇଟି ତାଙ୍କର ନିଜ ଧର୍ମ।ଆଉ କ'ଣ କହିପାରିବା ଏହା ଉପରେ ?

ଆଜି ସାର୍ ନିଜ ଘରକୁ କିଛିଦିନ ପରେ ଫେରୁଛନ୍ତି।ଘରେ ତାଙ୍କ ସ୍ତ୍ରୀ ରନ୍ଧାବଢା କରି ଚାହିଁ ରହିଛନ୍ତି। ଏମିତିରେ ସ୍ତ୍ରୀଲୋକଙ୍କ ବୁଦ୍ଧି କମ୍।ମିନିଟିଏ ଅପେକ୍ଷା କୁ ତାଳ କରି କହିବେ ଯେମିତି ଯୁଗଟିଏ ବିତିଗଲା ଆଉ ସ୍ୱାମୀ ପାଇଁ ଅପେକ୍ଷାମାନେ ସେହି ମିନିଟକ ଯେମିତି  ଶହେଯୁଗ।ସାର୍ ଜାଣନ୍ତି ବାଟରୁ ରସଗୋଲା ହାଣ୍ଡିଟିଏ ଧରିଲେ ସବୁ ଯୁଗ ତକ ପୁଣି ମିନିଟିକରେ ହୋଇଯିବ ସେଇ ପୁରୁଣା ମିନିଟିଟିଏ । 

ସାର୍ କିଛିଦିନ ଯେଉଁ ଘରେ ଆସି ଥିଲେ ସେଇଟି କୁଆଡେ ନିଜର ଆଦିମତାକୁ ଅନୁଭବ କରିବା ପାଇଁ ଏକ ପ୍ଲିଜର୍ ଟ୍ରିପ୍ ବୋଲି ଢେର୍ ଶାସ୍ତ୍ରମତ ରହିଛି।ସାର୍ ଏହି ପ୍ଲିଜର୍ ଟ୍ରିପ୍ ରେ ଯେଉଁ ଘରକୁ ଆସିଥିଲେ ଦେଖିବେ ଆସିବାବେଳେ ଗୋଟିଏ ବାଟରେ ସେହିଘର ଭିତରକୁ ପ୍ରବେଶ କରିଥିଲେ ମାତ୍ର ଫେରିଲାବେଳକୁ ତାଙ୍କର ଦରକାର ହୋଇଛି ଆଉ ଗୋଟିଏ ବାଟ।ଆମ ଭଳି ଇତରଜନ ର ଏମିତି ସଦର ଦରଜା ଆଉ ପଛ ଦରଜା ଲୋଡା ହୋଇଥାଏ। ଆମ ସଦର ଦରଜାରେ ଯେତେବେଳେ ପୁଲିସ ଜଗି ରହିଥିବ ଆମେ ସେତିକିବେଳେ ପଛ ଦରଜା ଦେଇ ଚଂପଟ ମାରୁ।

ଏ ବିଷୟରେ ସାର୍ ତ କିଛି କହିବେ ନାହିଁ।ଖାଲି ହସିବେ।ନିଜ ମନର ପାପ ନିଜକୁ ଖାଇବା ଭଳି କ'ଣ ଅଭିଲା ରସଗୋଲା ହାଣ୍ଡିଏ ଦରକାର ପଡେ ? କିଏ ଜାଣିଛି ?

ଆମେ ଇତରମାନେ ଯାତ୍ରାର ଯେମିତି ଅର୍ଥ କରିଛୁ ତାହା ହେଉଛି ଯେତେବେଳେ ଆମେ ସବୁ ପ୍ରକାର ଶୃଙ୍ଖଳା ଆଉ ନିଷ୍ଠାକୁ ଛିନଛତ୍ର କରି କେବଳ ଆନନ୍ଦ ଉପଭୋଗ ପାଇଁ ଏକାଠି ହୋଇଥାଉ ତାହାକୁ ଯାତ୍ରା କହିଥାଉ।ସେଇଠି କାହା ହାତର ଘଡି କି କାହାର ପୋଷାକ କିଏ ଦେଖୁଛି? ସେଇଠି ନୀତିବୋଧ ର ଟିକିଏ ଏପଟ ସେପଟ ହୋଇଗଲେ ଚଳିବ।ସେଇଥିପାଇଁ ତ କେଉଁକାଳରୁ ଏକାଠି ମଦନୋତ୍ସବ ପାଳିବାର ବିଧାନ ଅଛି।ଚାରିହଜାର ବର୍ଷ ତଳେ ଗ୍ରୀସ୍ ରେ ଏମିତି ଏକ ଯାତ୍ରା ହେଉଥିଲା ଯେଉଁଠି ସମସ୍ତେ ଏକାଠି ଆନନ୍ଦରେ ଆଜିକାଲିର ଅବକାରୀ-ପଣା ସାମୁହିକ ଭାବରେ ପାନ  କରୁଥିଲେ।ତାହାକୁ ଲୋକେ କହୁଥିଲେ "ବାଖନାଲିଆ"।

ଶଗଡଗୁଳାରେ ଯଦି ଚାଲିବାର ଅଛି ତେବେ ଏକାଠି ହେବାର ଲୋଡା କାହିଁକି ପଡିବ ? ଏକାଠି ହେଲେ ଆମେ ଇତର ଲୋକେ ସିଧାରଣତଃ ଉତ୍ସୃଙ୍ଖଳ ହେଉ ମାତ୍ର ସେଇ ଏକାଠି ହେବାର କଥାଟା ବି ଆମର ସମସ୍ତ ଉତ୍ସୃଙ୍ଖଳତାର  ଲଗାମକୁ ନିଜହାତରେ ଧରିରଖି ଥାଏ।

ସାର୍ ଙ୍କର ଏମିତି ଏଇ ଛବିରେ ଭୁଲ ଯାଗାରେ ବସିବା,ଅଧରପଣା ପାଇଁ ଯେତେଯେତେ ଭୁଲ ଆଉ ପଛ ଦରଜା ଦେଇ ଆସିବାପରି ଭୁଲ୍ ଭଳି ଆଉ ଗୋଟିଏ ଭୁଲ କରିବା ପାଇଁ ଆଜି ଅନୁରୋଧ କରୁଛି।

ଆପଣ ଦୟାପରବଶ ହୋଇ ଥରଟିଏ ଭୁଲ କରି ଆମ ଭଳି ଇତରଜନଙ୍କ ହୃଦୟର ରତ୍ନସିଂହାସନକୁ ଆସନ୍ତୁ।ଦେଖିବେ ଆମର ଅଧରପଣା ସମେତ ସମସ୍ତ ପଣାପାଣିରେ ରହିଥିବା ଆଗ୍ରହ ସତ୍ତ୍ୱେ ସେ ଜାଗାଟି ସେତେ ଖରାପ ନୁହଁ।

ଆସିବେ,ଭୁଲବଶତଃ ?